ବିନା ପରିଶ୍ରମରେ ଥକି ପଡ଼ିବା ଏବଂ ଆଖିରେ ଯନ୍ତ୍ରଣା ଅନୁଭୁତ ହେଉଛି କି? ଏଇ କିଛି ଦିନ ମଧ୍ୟରେ ଆପଣଙ୍କ ଆଖିତଳ କଳା ଦିଶୁଛି କି? କ୍ରମାଗତ ଭାବେ ଆପଣଙ୍କ ମୁଣ୍ଡ କିଛି ସମୟ ପାଇଁ ବିନ୍ଧୁଛି କି? ଏ ସବୁ ସମସ୍ୟାର କାରଣ ମୋବାଇଲ ନୁହେଁ ତ?
ଆମର ବ୍ୟସ୍ତବହୁଳ ନିତିଦିନିଆ କାମକୁ ସହଜ ଓ ସରଳ କରିଥିବା ମୋବାଇଲର କିଛି କୁପ୍ରଭାବ ରହିଛି । ମୋବାଇଲ ଡିସ୍ପ୍ଲେରେ ହାଇ ଏନର୍ଜି ଭିଜିବଲ୍ ଲାଇଟ୍ ରହିଥାଏ, ଯାହାକୁ ଆମେ ବ୍ଲୁ ଲାଇଟ୍ ବୋଲି କହିଥାଉ । ଏହି ହାଇ ଏନର୍ଜି ଭିଜିବଲ୍ ଲାଇଟ୍ କୁ ଆମ ଆଖି ଠୁଁ ଅଳ୍ପ ଦୂରରୁ ଦେଖିଲେ କିମ୍ବା ଅଧିକ ସମୟ ଚାହିଁ ରହିଲେ ଆଖିର ଟିସ୍ୟୁଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ । ମୋବାଇଲ ଆଖି ରୋଗର ମୁଖ୍ୟ କାରଣ । ସୂର୍ଯ୍ୟ କିରଣ ଏବଂ ଏଲ୍ଇଡି ବଲ୍ବରେ ମଧ୍ୟ ଏହି ବ୍ଲୁ ଲାଇଟ୍ ରହିଛି । ଏହାର ସଂସ୍ପର୍ଶରେ ଆମେ ନିୟମିତ ରହିନଥିବାରୁ କୌଣସି ଅସୁବିଧା ହୁଏନାହିଁ । କିନ୍ତୁ ନିରବଚ୍ଛିନ୍ନ ମୋବାଇଲ୍ ବ୍ୟବହାର ଅନେକ ସମୟରେ ଦୃଷ୍ଟିଶକ୍ତି ହାନୀର କାରଣ ହୋଇଥାଏ । ଏଥିପାଇଁ ଆମର କିଛି ଅଭ୍ୟାସକୁ ବଦଳାଇବା ଜରୁରୀ ।
ବାରମ୍ବାର ଆଖି ପଲକ ପକାଇବା
ଆପେ ଆପେ ଆଖି ପଲକ ପକାଇବା ଆମ ଶରୀରର ଏକ ପ୍ରାକୃତିକ ଆଚରଣ । ଏହା ଆମ ଜାଣ ଅଜାଣତାରେ ହୋଇଥାଏ । ଏହାଦ୍ୱାରା ଆମ ଆଖିକୁ ଆରାମ ମଧ୍ୟ ମିଳିଥାଏ । ଯେବେ ଆମେ ମୋବାଇଲରେ କୌଣସି ଭିଡିଓ ଦେଖୁ କିମ୍ବା ଅନ୍ୟ କୌଣସି କାର୍ଯ୍ୟ କରୁ ସେତେବେଳେ ଆଖି ପଲକ ପକାଇବା ଭୁଲିଯାଉ କିମ୍ବା ଏ କ୍ଷେତ୍ରରେ ବ୍ୟତିକ୍ରମ ଘଟିଥାଏ । ମୋବାଇଲ ବ୍ୟବହାର କଲାବେଳେ ଆଖି ପୋଡ଼ିବା ବା ବିନ୍ଧିବା ପ୍ରାୟତଃ ସମସ୍ତେ ଅନୁଭବ କରିଥିବେ । ଗୋଟିଏ କଥା ଜାଣି ରଖିବା ଉଚିତ ଆଖି ପଲକ ପକାଇବା କମ୍ ହେଲେ ଆଖି କୁଣ୍ଡେଇ ହବା, ଜଳାପୋଡ଼ା ଆଦି ଅନୁଭୁତ ହୋଇଥାଏ । ବାରମ୍ବାର ଆଖି ପଲକ ପକାଇ ମୋବାଇଲ ଦେଖିଲେ ସେଥିରୁ ବାହାରୁ ଥିବା ହାଇ ଏନର୍ଜି ଭିଜିବଲ୍ ଲାଇଟର ପ୍ରଭାବରୁ ଆଖିକୁ ସୁରକ୍ଷା ମିଳେ ।
ମୋବାଇଲ ବ୍ୟବହାର ପାଇଁ ସମୟ ନିର୍ଦ୍ଧାରଣ
ବହୁତ ସମୟ ଧରି ମୋବାଇଲ ଦେଖୁଥିଲେ ଏହା ଆଖିପାଇଁ କ୍ଷତିକାରକ । ଯଦି ଅଫିସ କିମ୍ବା ଅନ୍ୟ କୌଣସି କାମ ମୋବାଇଲରେ କରୁଛନ୍ତି ତେବେ କ୍ରମାଗତ ଭାବେ ସ୍କ୍ରିନକୁ ନଦେଖି କିଛି ସମୟ ବ୍ୟବଧାନ ରଖି ଦେଖନ୍ତୁୁ । ଚେଷ୍ଟା କରନ୍ତୁ ଅତି ବେଶୀରେ ଏକାଥରକେ ୨୦ ମିନିଟରୁ ଅଧିକ ସମୟ ମୋବାଇଲ ନଦେଖିବା ପାଇଁ । ୨୦ ମିନିଟ ପରେ ଆଖିକୁ କିଛି ସମୟ ବନ୍ଦ ରଖି ପୁଣି କାମ ଆରମ୍ଭ କରିବା ଉଚିତ । ନହେଲେ ଆଖିରେ ସଫା ପାଣି ଛାଟି କିଛି ସମୟ ଧୋଇ ଦେବା ଭଲ । ଯାହା ଆଖିକୁ ସୁରକ୍ଷା ଦିଏ ।
ମୋବଇଲରୁ ଉଚିତ ଦୂରତା ରକ୍ଷା କରିବା
ଛୋଟ ବେଳେ ଆମେ ଅନେକେ ଟିଭି ପାଖରେ ବସି ଦେଖୁଥିବାରୁ ଗାଳି ବା ମାଡ଼ ଖାଇଥିବା ନିଶ୍ଚୟ । କାହିଁକି ଜାଣନ୍ତି? କାରଣ ଅତି ନିକଟରୁ ଟିଭି ସ୍କ୍ରିନକୁ ଦେଖିଲେ ଆମ ଆଖି ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ଠିକ୍ ସେହିଭଳି ମୋବାଇଲ ସ୍କ୍ରିନକୁ ସଠିକ୍ ଦୂରତ୍ୱରୁ ଦେଖିବା ନିହାତି ଜରୁରୀ । ଉଚିତ ସ୍ତର ଏବଂ ସଠିକ୍ ଦୂରତା ରଖି ମୋବାଇଲ ବ୍ୟବହାର କଲେ କିଛି ମାତ୍ରାରେ ଆଖିକୁ ଆରାମ ମିଳିଥାଏ । କେବଳ ମୋବାଇଲ ନୁହେଁ ବହି ପଢ଼ିବା ବେଳେ ମଧ୍ୟ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ଗୋଟିଏ କଥା ମନେରଖିବା ଉଚିତ ଆମ ଆଖି ଠାରୁ ମୋବାଇଲର ଦୂରତା ୧୬ ରୁ ୧୮ ଇଞ୍ଚ ରହିଲେ ଭଲ ।
ମୋବାଇଲର ବ୍ରାଇଟନେସ୍ କମାଇବା
ଆଖିକୁ ସୁରକ୍ଷା ଦେବା ପାଇଁ ମୋବଇଲର ବ୍ରାଇଟନେସ୍ କମ୍ ରଖିବା ଉଚିତ୍ । ବ୍ରାଇଟନେସ୍ ଅଧିକ ଥିଲେ କିମ୍ବା କମ୍ ରହିଲେ ଆମ ଆଖି ଉପରେ ତାହାର ପ୍ରତିକୂଳ ପ୍ରଭାବ ଅଧିକ ପଡେ । ତେଣୁ ଆବଶ୍ୟକ ମୁତାବକ ବ୍ରାଇଟନେସ୍ ରଖିବା ଜରୁରୀ ଯେମିତିକି ଆଖି ଉପରେ ଅଧିକ ଚାପ ପଡ଼ିବନି । ଅନ୍ଧାର କୋଠରୀ କିମ୍ବା ରାତିରେ ମୋବାଇଲ ବ୍ୟବହାର କଲାବେଳେ ବ୍ରାଇଟନେସ କମାଇବା ଉଚିତ । ଆଜିକାଲି ନୂଆ ସ୍ମାର୍ଟଫୋନ୍ ବଜାରରେ ମିଳିଲାଣି ଯେଉଁଥିରେ ସ୍କ୍ରିନରେ ଗ୍ଲେୟାର ପ୍ରୋଟେକ୍ଟର ବ୍ୟବହାର କରାଯାଉଛି । ଯଦି ଏଭଳି ଫୋନ୍ ବ୍ୟବହାର କରୁଛନ୍ତି ତେବେ ଆଖି ପାଇଁ ବହୁତ ଭଲ ।
ଆଖିର ସୁରକ୍ଷା ଦୃଷ୍ଟିରୁ ମୋବାଇଲ ଫୋନର ବ୍ୟବହାର କିଭଳି କରିବା ଉଚିତ ତାହା ଜାଣିନେଲେ ଆମକୁ ଆଉ ଆସୁବିଧା ନାହିଁ । ଏଥିପାଇଁ କିଛି ଟିପ୍ସ ବି ଜାଣିଲେ । ଆଉ ଗୋଟିଏ କଥା ମନେ ରଖିବା ଉଚିତ, ମୋବାଇଲରେ ଥିବା ଟେକ୍ସଟ୍ ଗୁଡ଼ିକର ଆକାର ଆମର ଆଖିକୁ ସୁହାଇଲା ଭଳି ରଖିବା ଉଚିତ । ମୋବାଇଲର ସେଟିଙ୍ଗସ୍ କୁ ଯାଇ ଠିକ ଭାବେ ପଢ଼ିହେଲା ଭଳି ଟେକ୍ସଟ୍ ସାଇଜ୍ ରଖିବାକୁ ହୁଏ । ଯେତେ କମ୍ ସମୟ ମୋବାଇଲ ସଂସ୍ପର୍ଶରେ ରହିବେ ସେତେ ଭଲ । ଧିରେ ଧିରେ ଏହା ଅଭ୍ୟାସରେ ପରିଣତ ହୋଇଗଲେ ଆଉ ଅସୁବିଧା ହେବନାହିଁ । ଏହା ଆପଣଙ୍କ ଆଖିକୁ ସୁରକ୍ଷିତ ରଖିବ ।
ଦିପ୍ତିରଞ୍ଜନ ବେହେରା
No Comment