ସ୍ମରଣଶକ୍ତି ବଢ଼ାଇବାର କିଛି ଘରୋଇ ଉପାୟ

Increase Memory power

ସବୁ ବାପା ମା’ ଚାହାନ୍ତି ସେମାନଙ୍କ ପିଲା ଅଧିକ ବୁଦ୍ଧିମାନ ହେଉ ଓ ସ୍ମରଣଶକ୍ତି ବଢ଼ୁ । ଫଳରେ ପିଲାଟି ଭଲ ପାଠ ପଢ଼ି ଭବିଷ୍ୟତରେ ବଡ଼ ମଣିଷ ହୋଇପାରିବ । ଏହା କେବଳ ପିଲାମାନଙ୍କ ପାଠ ପଢ଼ା କିମ୍ବା ପରୀକ୍ଷା ପାଇଁ ନୁହଁ, ଅନ୍ୟମାନଙ୍କ ନିତିଦିନିଆ ଜୀବନରେ ମଧ୍ୟ ସ୍ମରଣଶକ୍ତିର ଗୁରୁତ୍ୱ ରହିଛି । ବେଳେବେଳେ କିଛି କଥା ଆମେ ମନେରଖି ପାରୁନଥିବାରୁ ଠିକଣା ସମୟରେ ସଠିକ ପଦକ୍ଷେପ ଗ୍ରହଣ କରିବା ସମ୍ଭବ ହୁଏନାହିଁ । ଏହି ଭୁଲାପଣ ଯୋଗୁଁ କିଛି ଲୋକଙ୍କୁ ବେଶ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସାନବଡ଼ ନିର୍ବିଶେଷରେ ସ୍ମରଣଶକ୍ତି ହ୍ରାସକୁ ଚିକିତ୍ସକମାନେ ଏକ ରୋଗ ରୂପେ ଗ୍ରହଣ କରିଥାନ୍ତି । ତେବେ ଡାକ୍ତରୀ ଚିକିତ୍ସା ମାଧ୍ୟମରେ ଏକ୍ଷେତ୍ରରେ ସେଭଳି କିଛି ଚମତ୍କାରିତା ଅନୁଭୁତ ହୋଇନାହିଁ । ବରଂ ଆୟୁର୍ବେଦୀୟ ଉପଚାରକୁ ଅନେକେ ଆପଣାଇଥାନ୍ତି ।

ପେସ୍ତା ବାଦାମ ବଢ଼ାଏ ସ୍ମରଣଶକ୍ତି 
ଦୈନିକ ୩ଟି ଲେଖାଏଁ ପେସ୍ତା ବାଦାମ ଖାଇଲେ ସ୍ମରଣଶକ୍ତି ବଢ଼ିଥାଏ । ରାତିରେ ଶୋଇବା ପୂର୍ବରୁ ଗୋଟିଏ ପାତ୍ରରେ ବାଦାମକୁ ପାଣିରେ ଭିଜାଇ ରଖିବାକୁ ହୁଏ । ସକାଳୁ ଉଠି ମୁହଁ ନଧୋଇ ପାତ୍ରରେ ଭିଜାଇଥିବା ବାଦାମକୁ ଚୋବାଇ ଖାଇଲେ ସ୍ମରଣଶକ୍ତି ବୃଦ୍ଧି ପାଇଥାଏ ।

କ୍ଷୀର ପିଇଲେ ମସ୍ତିଷ୍କ ସ୍ଫୁର୍ତ୍ତି  ହୁଏ      

ଗାଈ କ୍ଷୀର ଆମ ଶରୀର ପାଇଁ ବେଶ ଫଳପ୍ରଦ । ନିୟମିତ କ୍ଷୀର ପିଉଥିବା ବ୍ୟକ୍ତି ସୁସ୍ଥ ସବଳ ରହିବା ସ୍ୱଭାବିକ । ଛୋଟ ପିଲା ପ୍ରତିଦିନ ଗୋଟିଏ ଗ୍ଲାସ କ୍ଷୀର ପିଇବା ନିହାତି ଜରୁରୀ । ଯେଉଁ ପିଲାଙ୍କର ପାଠ ପଢ଼ାରେ ମନ ଲାଗୁନାହିଁ ଅଥବା ସ୍ମରଣଶକ୍ତି କମ୍ ଥିବା ଯୋଗୁଁ ପାଠ ମନେରହୁନି, ସେମାନେ ପ୍ରତିଦିନ କ୍ଷୀର ପିଇବା ଆବଶ୍ୟକ । ପିଲାଙ୍କୁ କ୍ଷୀରରେ ଚିନି ବଦଳରେ ମିଶ୍ରୀ କିମ୍ବା ମହୁ ଗୋଳାଇ ପିଇବାକୁ ଦେଲେ ସୁଫଳ ମିଳିଥାଏ । କ୍ଷୀରରେ ଥିବା ପ୍ରୋଟିନ୍ ଏବଂ କ୍ୟାଲସିୟମ୍ ଯୋଗୁଁ ପିଲାଙ୍କ ସ୍ମରଣଶକ୍ତି ବଢ଼ିିବା ସହ ଶାରୀରିକ ବିକାଶ ଘଟିବାରେ ଏହା ସହାୟକ ହୋଇଥାଏ ।

ପ୍ରଖର ବୁଦ୍ଧି ପାଇଁ ତୁଳସୀ
ଘରେ ଘରେ ତୁଳସୀ ଗଛକୁ ପୂଜା କରାଯାଇଥାଏ । ଏହାର ଅନେକ ଲାଭଦାୟକ ଗୁଣ ଯୋଗୁଁ ତୁଳସୀ ପତ୍ରର ବ୍ୟବହାର ଅଧିକ ହୋଇଥାଏ । ତୁଳସୀ ପତ୍ରକୁ ସବୁଦିନ ସକାଳୁ ଖାଲି ପେଟରେ ଚୋବାଇ ଖାଇଲେ ବୁଦ୍ଧି ପ୍ରଖର ହୋଇଥାଏ । ପ୍ରତିଦିନ ୫ଟି ଲେଖାଏଁ ତୁଳସୀ ପତ୍ର ଛିଡ଼ାଇ ଖାଇଲେ ସ୍ମରଣଶକ୍ତି ବୃଦ୍ଧି ସହିତ ଅନେକ ପ୍ରକାରର ରୋଗରୁ ଆମ ଶରୀରକୁ ରକ୍ଷା କରାଯାଇପାରିବ ।

ସୁସ୍ଥ ମସ୍ତିଷ୍କ ପାଇଁ ପ୍ରାତଃ ଭ୍ରମଣ
ସବୁଦିନ ପ୍ରାତଃ ଭ୍ରମଣ କଲେ ମସ୍ତିଷ୍କ ସୁସ୍ଥ ରହେ । ସକାଳର ସ୍ୱାସ୍ଥ୍ୟପ୍ରଦ ପରିବେଶରେ କିଛି ସମୟ ଭ୍ରମଣ କଲେ ଶରୀରକୁ ଆରାମ ମିଳେ ଓ ମନ ଶାନ୍ତ ରହେ । ଫଳରେ ଆମ ବ୍ୟସ୍ତ ବହୁଳ ଜୀବନରେ ନିତିିଦିନିଆ କାର୍ଯ୍ୟ ସୁରୁଖୁରୁରେ ହୋଇଥାଏ । ମସ୍ତିଷ୍କର ସକ୍ରିୟତା ଯୋଗୁଁ ସ୍ମରଣଶକ୍ତି ବୃଦ୍ଧି ପାଏ ।

ଦିପ୍ତିରଞ୍ଜନ ବେହେରା

Previous ପଡିଆ ଜମିରୁ ଆୟର ବାଟ
Next ଭଲ ଅଫର ମିଳିଲେ ପୁଣି ଯାତ୍ରାକୁ ଫେରିବି: ଉଷସୀ ମିଶ୍ର

No Comment

Leave a reply

Your email address will not be published. Required fields are marked *