ମଦ୍ୟପାନ ଛାଡ଼ନ୍ତୁ – ସୁଧୁରିବା ଲୋକ ସୁଧୁରି ଯାଆନ୍ତୁ

How to Quit alcohol

ମଦ୍ୟପାନ କରି ନିଶାରେ ଝୁମିବା ଆଜିକାଲି ଏକ ପ୍ରକାରର ଫ୍ୟାସନରେ ପରିଣତ ହୋଇଗଲାଣି । ବଡ଼ ଅଜବ କଥା ଯେ, ପ୍ରଥମଥର କେହିବି ମଦ ନିଜେ କିଣିକି ପିଅନ୍ତି ନାହିଁ । ସାଙ୍ଗସାଥୀ, ଭାଇବନ୍ଧୁଙ୍କ ମଧ୍ୟରୁ କେହି ନା କେହି ମଦ୍ୟପାନ ପାଇଁ ନିଜ ହାତରୁ ଖର୍ଚ୍ଚ କରି ପିଆଇଥାନ୍ତି । ଯଦି ଆପଣ ମଦ ନିଶାରେ ବଶବର୍ତ୍ତୀ ହୋଇଯାଇଛନ୍ତି ତେବେ ତୁରନ୍ତ ସେଥିରୁ ମୁକୁଳିବା ପାଇଁ ଚେଷ୍ଟା କରନ୍ତୁ । ନିଶା କବଳରୁ ରକ୍ଷା ପାଇବା ପାଇଁ ଟିକିଏ ସମୟ ଲାଗେ । ହଠାତ୍ ଏସବୁ ସମ୍ଭବ ନୁହେଁ । ତେଣୁ ଆମର କିଛି ଟିପ୍ସ ପାଇ ଆପଣ ନିଶା କବଳରୁ ରକ୍ଷା ପାଇଲେ ଆମର ଏହି ପ୍ରୟାସ ସଫଳ ହୋଇଛି ବୋଲି ଆମେ ଭାବିବୁ ।


ଦୃଢ଼ ଇଚ୍ଛାଶକ୍ତି – ଦୃଢ଼ ଇଚ୍ଛାଶକ୍ତି ବଳରେ ସବୁକିଛି ସମ୍ଭବ ହୋଇଥାଏ । ମଦ୍ୟପାନରୁ ଦୂରେଇ ରହିବା ପାଇଁ ପ୍ରଥମେ ଦୃଢ଼ ସଂକଳ୍ପ ନେବେ । ନିଜ ପରିବାର ତଥା ପ୍ରିୟଜନଙ୍କ କଥା ଭାବିଲେ ଆପଣଙ୍କୁ ପ୍ରେରଣା ମିଳିବ ଓ ଆପଣଙ୍କ ସକରାତ୍ମକ ଚିନ୍ତାଧାରା ବଢ଼ିବ ।


କେମିତି ଦିନ କାଟିବେ – ମଦ ଛାଡ଼ିବାକୁ ହେଲେ କୌଣସି ନା କୌଣସି କାମରେ ନିଜକୁ ବ୍ୟସ୍ତ ରଖିବା ଜରୁରୀ । କାର୍ଯ୍ୟାଳୟ ତଥା ଅନ୍ୟ କୌଣସି କାମରେ ନିୟୋଜିତ ରହି ନିଜ କାମ ସରିବା ପରେ ଅନ୍ୟ ପରିଚିତ ବ୍ୟକ୍ତି ତଥା ନିଜ ପରିବାର ଓ ସାଙ୍ଗସାଥୀମାନଙ୍କ ସହ ନିୟମିତ ମିଳାମିଶା କରନ୍ତୁ । ଏହାଦ୍ୱାରା ଆପଣ ସେମାନଙ୍କ ପାଖରେ ଖୁସିର ସମୟ କାଟିବେ ଓ ମଦ୍ୟପାନ କଥା ମନକୁ ଆସିବ ନାହିଁ ।


ଲୋଭରୁ ବଞ୍ଚନ୍ତୁ – ମଦ୍ୟପାନ ଛାଡ଼ିବା ଏତେ ସହଜ କଥା ନୁହେଁ । ଏହାକୁ ଛାଡ଼ିବା ପାଇଁ ଆପଣଙ୍କୁ ଅନେକ ବାଧାବିଘ୍ନ ଅତିକ୍ରମ କରିବାକୁ ପଡ଼ିପାରେ । ବେଳେବେଳେ ମଦ କିମ୍ବା ମଦ ଦୋକାନ ଦେଖିଲେ ଆପଣଙ୍କୁ ପିଇବା ପାଇଁ ଇଚ୍ଛା ହେବ । ସେଥିପାଇଁ ସବୁବେଳେ ଏଥିରୁ ନିଜକୁ ନିବୃତ୍ତ ରଖିବାକୁ ଚେଷ୍ଟା କରିବେ । ଚେଷ୍ଟା କରିବେ ମଦ୍ୟପାନ ବ୍ୟବସ୍ଥା ଥିବା ଏମିତି କୌଣସି ପାର୍ଟି କିମ୍ବା କାର୍ଯ୍ୟକ୍ରମକୁ ନଯିବା ପାଇଁ । ଏହାଛଡ଼ା ନିୟମିତ ବ୍ୟାୟାମ, ଲେଖାପଢ଼ା, କଳା, ସଂଗୀତ ଆଦିରେ ନିଜକୁ ବ୍ୟସ୍ତ ରଖିବା ଭଲ ।


ସାହସ ହରାଇବେ ନାହିଁ – ଆପଣ ଯେତେ ବି କଠିନ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତୁ ସାହସ ହରାଇବେ ନାହିଁ । ନିଜକୁ ମଜୁବତ୍ କରିବେ । ଆପଣ ସାହସ ନହରାଇଲେ ଲକ୍ଷ୍ୟସ୍ଥଳରେ ନିଶ୍ଚିତ ପହଞ୍ଚିପାରିବେ । ଯଦି କୌଣସି ପରିସ୍ଥତିରେ ପଡ଼ି ଆପଣ ଗୋଟିଏ ଦିନ ମଦ୍ୟପାନ କରୁଛନ୍ତି, ତେବେ ବ୍ୟତିବ୍ୟସ୍ତ ନହୋଇ ଆଗକୁ ଏମିତି ଭୁଲ କରିବେନି ବୋଲି ଦୃଢ଼ ସଂକଳ୍ପ କରନ୍ତୁ ।


ନିଶା ନିବାରଣ କେନ୍ଦ୍ର କିମ୍ବା ଡାକ୍ତରଙ୍କ ପରାମର୍ଶ – ଶତ ଚେଷ୍ଟା ବଳରେ ଯଦି ଆପଣ ମଦ୍ୟପାନରୁ ନିଜକୁ ଆୟତ କରିପାରିବାରେ ଅସମର୍ଥ ହେଉଛନ୍ତି ତେବେ କୌଣସି ଭଲ ଡାକ୍ତରଙ୍କ ଠାରୁ ପରାମର୍ଶ ନିଅନ୍ତୁ । ସେଥିରେ ଯଦି କୌଣସି ସୁଫଳ ମିଳୁନାହିଁ ତେବେ ନିଶା ନିବାରଣ କେନ୍ଦ୍ରକୁ ଯାଇ ନିଶାଠାରୁ ଦୂରେଇ ରୁହନ୍ତୁ ।

ଦିପ୍ତିରଞ୍ଜନ ବେହେରା

Previous ୧୮ତମ ଜନ୍ମ ଦିନ ପାଳିଲେ ସୁନ୍ଦରୀ ସିନ୍ଦୂରା
Next ପ୍ରସ୍ତୁତ କରନ୍ତୁ ଘରୋଇ ସିନ୍ଦୁର

No Comment

Leave a reply

Your email address will not be published. Required fields are marked *