ଦେଶକୁ ଗତିଶୀଳ ଏବଂ ବିକାଶର ଧାରାରେ ଆଗେଇ ନେବାକୁ ହେଲେ ଯୁବଶକ୍ତିର ସକ୍ରିୟ ସହଯୋଗ ଲୋଡା ।ଏମାନେ ଚାହିଁଲେ ଅସାଧ୍ୟ ସାଧନ କରିପାରିବେ । କିନ୍ତୁ ଆଜିର ଏ ପଥଭ୍ରଷ୍ଟ ଯୁବପିଢି ନୂଆ କିଛି କରିବା ବଦଳରେ ସହଜରେ ଉପଲବ୍ଧ ମନୋରଞ୍ଜନ ସାମଗ୍ରୀରେ ସମୟ ଅପଚୟ କରୁଛନ୍ତି । ଟିଭି, କମ୍ପ୍ୟୁଟର ଏବଂ ସ୍ମାର୍ଟ ଫୋନ୍ ର ବଜାର ଦର ଏତେ ଶସ୍ତା ହୋଇଗଲାଣି ଯେ ଗାଁ, ଗଣ୍ଡା, ସହର, ବଜାର ସମସ୍ତଙ୍କ ଘରେ ଏସବୁର ସମ୍ଭାର । ଆଙ୍ଗୁଠି ଟିପରେ ବଜାର, ବସ୍, ରେଳ, ବିମାନ, ହୋଟେଲ୍ ଏବଂ ସିନେମା ଟିକେଟ୍ ବୁକିଂ, ଭିଡିଓ ଚାଟିଂ ମାଧ୍ୟମରେ ପ୍ରିୟ ଜନଙ୍କ ସହ ଭାବ ବିନିମୟ, ଡାକ୍ତର ପରାମର୍ଶ, ପରୀକ୍ଷା ପାଇଁ ଫର୍ମ ପୂରଣ ଆଦି ସୁବିଧା ଉପଲବ୍ଧ । ସହଜେତ ଯୌବନାବସ୍ଥାରେ ମଣିଷ ଏକ ରଙ୍ଗୀନ ଦୁନିଆରେ ଉଡିବୁଲେ । ଆଉ ତା ସାଙ୍ଗକୁ ହାତ ପାଆନ୍ତାରେ ଏସବୁ ସୁବିଧା ବିରାଡି କପାଳକୁ ଶିକା ଛିଣ୍ଡିଲା ଭଳି ହୋଇଛି । ଯୁବପିଢିଙ୍କ ମଧ୍ୟରେ ଇଂଟରନେଟ୍ ମାନିଆ ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ସେମାନଙ୍କ ନିକଟରେ ଧୈର୍ଯ୍ୟ ଓ ଏକାଗ୍ରତାର ଘୋର ଅଭାବ ପରିଲକ୍ଷିତ ହେଉଛି । ଯାହା ଫଳରେ ଆକସ୍ମିକ ଦୁର୍ଘଟଣା, ପରୀକ୍ଷାରେ ବିଫଳତା ଭଳି ସମସ୍ୟା ମୁଣ୍ଡ ଟେକିବା ସାଙ୍ଗକୁ ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ମମତା ଏବଂ ଗୁରୁଜନଙ୍କ ପ୍ରତି ସମ୍ମାନ ରହୁନାହିଁ । ଏହା ପାରିବାରିକ ଓ ସାମାଜିକ ବନ୍ଧନକୁ ଛିନ୍ନ କରିବା ସହ ଏକ ସମ୍ବେଦନଶୀଳ ଜୀବନ ଗଠନରେ ମୁଖ୍ୟ ପ୍ରତିବନ୍ଧକ ହେଉଛି । ଏହି ସମସ୍ୟାକୁ ଡାକ୍ତରୀ ବିଜ୍ଞାନରେ ଏ.ଡି.ଏଚ୍.ଡି(ଆଟେନସନ୍ ଡେଫିସିଟ୍ ହାଇପରଆକ୍ଟିଭିଟି ଡିଜଅର୍ଡର) କୁହାଯାଏ ।
ସୂଚନା ଓ ପ୍ରଯୁକ୍ତି ବଜାରରେ ରିଲାଏନ୍ସ ଜିଓ, ଏଆରଟେଲ୍, ଭୋଡାଫୋନ୍, ଆଇଡିଆ, ଏଆରସେଲ୍, ଟାଟା ଡୋକୋମୋ ଆଦି ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀଙ୍କ ପ୍ରବେଶ ଓ ପ୍ରତିଯୋଗିତା ପ୍ରଚଳିତ ଜୀବନଧାରାକୁ ନାନା ଭାବରେ ପ୍ରଭାବିତ କରିଛି । ଫଳରେ ପୂର୍ବାପେକ୍ଷା କମ୍ ଖର୍ଚ୍ଚରେ କଲ୍ ଓ ଇରନେଟ୍ ସୁବିଧା ମିଳୁଛି । ଧନୀ ହେଉ କି ଗରିବ ସମସ୍ତଙ୍କୁ ଏବେ ଇଂଟରନେଟ ମୋହବିଷ୍ଟ କରି ରଖିଛି । ଫେସବୁକ, ଟୁଇଟର, ଲିଙ୍କ୍ଡିନ୍, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଭଳି ସୋସିଆଲ୍ ନେଟୱାର୍କିଂ ୱେବସାଇଟ୍ ଯୁବବର୍ଗଙ୍କ ପ୍ରିୟ ସାଥୀ ପାଲଟିଛି । ଏମାନେ ପାଠ୍ୟପୁସ୍ତକ, ଆଧ୍ୟାତ୍ମିକ ଚିନ୍ତା ଓ ଚେତନା, ସମାଜ ସେବାଠୁ ଯୋଜନ ଯୋଜନ ଦୂରରେ । ଦୂରରେ ଥାଇ ବି ସୋସିଆଲ୍ ନେଟୱାର୍କିଂ ମାଧ୍ୟମରେ ପ୍ରେମିକ, ପ୍ରେମିକାଙ୍କ ଅନ୍ତରଙ୍ଗ ଆଳାପ ସେମାନଙ୍କୁ ନିଜର ପ୍ରକୃତ ଲକ୍ଷ୍ୟ ପଥରୁ ବିଚ୍ୟୁତ କରୁଛି । ଏସବୁର ଫଳ ସ୍ୱରୂପ ଏ.ଡି.ଏଚ୍.ଡି ଭଳି ଭୟଙ୍କର ସ୍ୱାସ୍ଥ୍ୟ ସମସ୍ୟା ବଡ ବଡ ସହର ଓ ନଗର ଛାଡି ଏବେ ଗାଁରେ ମଧ୍ୟ ପହଞ୍ଚିଲାଣି ।
ଏହି ରୋଗରେ ଆକ୍ରାନ୍ତ ଯୁବକ, ଯୁବତୀଙ୍କ ଠାରେ ଆବେଗପ୍ରବଣତା, ବିପଦପୂର୍ଣ୍ଣ କାର୍ଯ୍ୟରେ ହାତ ଦେବା, ଚିଡଚିଡା ସ୍ୱଭାବ, ନିଷ୍ପତ୍ତି ନେବାରେ ଅପରିପକ୍ୱତା, ଏକାଗ୍ରତା ଓ ଧୈର୍ଯ୍ୟହାନି ଆଦି ଲକ୍ଷଣ ପରିଲକ୍ଷିତ ହେଉଛି । ଯେଉଁମାନେ ଅଧିକ ସମୟ ଧରି ସିନେମା, କାର୍ଟୁର୍ନ ଓ କମ୍ପ୍ୟୁଟର ଗେମ୍ସ ଖେଳିବାରେ ବିତାନ୍ତି ସେମାନଙ୍କୁ ହିଁ ଏ.ଡି.ଏଚ୍.ଡି ହେବାର ସମ୍ଭାବନା ଅଧିକ ଥାଏ । ଅସ୍ୱାସ୍ଥ୍ୟକର ଖାଦ୍ୟ, ଅଧିକ ଚିନ୍ତା, ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଜାଗର ରହୁଥିବା କିଶୋର, କିଶୋରୀ ମଧ୍ୟ ଏହି ରୋଗ କବଳରେ ପଡିଥାନ୍ତି ।
କେତୋଟି ଜିନିଷ ପ୍ରତି ଧ୍ୟାନ ଦେଲେ ଆପଣ ଏ ରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ପାଇପାରିବେ । ଦିନକୁ ୬ ରୁ ୮ ଘଂଟା ଶୋଇବା ନିତାନ୍ତ ଜରୁରୀ । ଶୋଇବା ସମୟରେ ଦକ୍ଷିଣ-ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବେ । ନିତିଦିନିଆ ଖାଦ୍ୟ ତାଲିକାରେ ପ୍ରୋଟିନ୍, ଭିଟାମିନ୍, ଖଣିଜଲବଣ, ସ୍ନେହସାର, ଋତୁକାଳୀନ ଫଳ ସାମିଲ କଲେ ଏ.ଡି.ଏଚ୍.ଡି ଭଳି ସମସ୍ୟାରେ ଧୀରେ ଧୀରେ ସୁଧାର ଆସିବ । ଦିନରେ ଦୁଇଥର ବ୍ରାହ୍ମୀ ରସ ଦୁଇ ଚାମଚ କିମ୍ବା ୧୦ ଗ୍ରାମ ଅଶ୍ୱଗନ୍ଧା ଚୂର୍ଣ୍ଣ କ୍ଷୀର ସହ ସେବନ କଲେ ଏହି ରୋଗ ସମୂଳେ ବିନାଶ ହୋଇପାରିବ । ରାତିରେ ଶୋଇବା ପୂର୍ବରୁ ୧୦ ଗ୍ରାମ ତ୍ରିଫଳା ପାଉଡର ପାଣିରେ ମିଶାଇ ମଧ୍ୟ ଖିଆଯାଇପାରିବ । ସକାଳେ ଖାଲିପେଟରେ ତୁଳସୀ ରସ ସେବନ ଏକାଗ୍ରତା ରକ୍ଷା କରିବାରେ ସହାୟକ ହେବ । ସକାଳୁ ଉଠି ଏକ ସ୍ୱାସ୍ଥ୍ୟକର ପରିବେଶରେ ଯୋଗ, ପ୍ରାଣାୟାମ କରିବା ଦ୍ୱାରା ଏଭଳି ମାନସିକ ରୋଗରୁ ଉପଶମ ମିଳିବ ବୋଲି ବିଶେଷଜ୍ଞଙ୍କ ମତ ।
No Comment