ଧୋବ ଫରଫର ଦାନ୍ତ ପାଇଁ 5ଟି ସରଳ ଫର୍ମୁଲା

5 ways to whiten teeth

କଥାରେ ଅଛି ଜଣେ ଦେଖିବାକୁ ଯେମିତିବି ହୋଇଥାନ୍ତୁ ନା କାହିଁକି, ହସହସ ମୁହଁ ସବୁବେଳେ ସୁନ୍ଦର ଦିଶେ। ଆପଣଙ୍କୁ କେହି ଭେଟିଲେ ପ୍ରଥମେ ତାଙ୍କ ନଜର ଆପଣଙ୍କ ହସ ଉପରେ ପଡ଼େ । କିନ୍ତୁ ଆପଣଙ୍କ ଦାନ୍ତ ଯଦି ପରିଷ୍କାର ନଥାଏ କିମ୍ବା ଧଳା ଦେଖାଯାଉନଥାଏ, ତେବେ ଅନ୍ୟମାନଙ୍କ ମନରେ ଆପଣଙ୍କ ପ୍ରତି ନକାରାତ୍ମକ ଭାବନା ଆସିପାରେ । କାରଣ ବ୍ୟକ୍ତିର ଦାନ୍ତ ଧଳା ଥିଲେ, ତାଙ୍କୁ ସମସ୍ତେ ସାମଗ୍ରିକ ଭାବେ ସୁସ୍ଥ ବୋଲି ଭାବନ୍ତି ବୋଲି ଗବେଷକଙ୍କ ମତ । ବିଶେଷତଃ ସଫା ଓ ଧଳା ଦାନ୍ତ ଆପଣଙ୍କ ଇଣ୍ଟରଭ୍ୟୁ କିମ୍ବା ଗୁରୁତ୍ୱପୂର୍ଣ୍ଣ ପ୍ରଥମ ମିଟିଂ ବେଳେ ଯଥେଷ୍ଟ ଗୁରୁତ୍ୱବହନ କରିଥାଏ । ତମାଖୁ ଜାତୀୟ ପଦାର୍ଥ ଓ ପାନ ଆଦି ଚୋବାଇବା ଫଳରେ ଲୋକଙ୍କ ଦାନ୍ତ ନାଲି କିମ୍ବା କଳା ଦେଖାଯାଏ । ଏହାକୁ ଧଳା କରିବା କାଠିକର ପାଠ । ଏଥିପାଇଁ ଦନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରାଯାଇପାରେ । କିନ୍ତୁ ଅନେକଙ୍କର ଏସବୁ ବଦଭ୍ୟାସ ନଥିଲେ ମଧ୍ୟ ପାଟି ଭିତର ଅପରିଚ୍ଛନ ରହିବା କାରଣରୁ କିମ୍ବା ଅନ୍ୟ କୌଣସି ସଂକ୍ରମଣ କାରଣରୁ ଦାନ୍ତ ହଳଦିଆ ଦେଖାଯାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ଦାନ୍ତ ଘଷିବା ସହିତ ଆଉ କେତେକ ସରଳ ଫର୍ମୁଲା ହେଲା-

  1. ବେକିଂ ସୋଡ଼ାକୁ ନା: ଅନେକେ ଦାନ୍ତ ଧଳା ରଖିବା ପାଇଁ ବେକିଂ ସୋଡ଼ା ବ୍ୟବହାର କରିବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏଥିରୁ ଆପଣ ଦୂରେଇ ରୁହନ୍ତୁ । ଏହାଦ୍ୱାରା ଘରର ଧଳା ବାସନକୁସନ ଆଦି ସଫା ହେଉଥିଲେ ମଧ୍ୟ ଏହା ଆପଣଙ୍କ ଦାନ୍ତ ପାଇଁ କ୍ଷତିକାରକ । ଏହା ଦାନ୍ତରୁ ଛାଡ଼ୁନଥିବା ଦାଗ ସଫା କରିଦିଏ ସତ, ମାତ୍ର ବେକିଂ ସୋଡ଼ା ଦାନ୍ତର ଇନାମେଲ୍ ନଷ୍ଟ କରିଦିଏ । ଇନାମେଲ୍ ନଷ୍ଟ ହେଲେ ଦାନ୍ତ ଆହୁରି କଳା ଦେଖାଯାଏ ଏବଂ ଅନେକ ଦାନ୍ତ ସମସ୍ୟା ସୃଷ୍ଟି ହୁଏ ।
  2. ଏନର୍ଜି ଡ୍ରିଙ୍କକୁ ସାବଧାନ: ନିୟମିତ କଫି, ଚାହା ଓ ରେଡ୍ ୱାଇନ୍ ପିଇଲେ ଦାନ୍ତରେ ଦାଗ ସୃଷ୍ଟି ହୁଏ । ଏହା ଆଉ ଧଳା ଦେଖାଯାଏ ନାହିଁ । ସେହିପରି ଏନର୍ଜି ଡ୍ରିଙ୍କ୍ ମଧ୍ୟ ଦାନ୍ତର ରଙ୍ଗରେ ପରିବର୍ତ୍ତନ ଆଣିଥାଏ । ତେବେ ଆପଣ ଚାହିଁଲେ, ସିଧାସଳଖ ମୁହଁ ଲଗାଇ ଏନର୍ଜି ଡ୍ରିଙ୍କ ନପିଇ ଷ୍ଟ୍ର ବ୍ୟବହାର କରିପାରନ୍ତି ।
  3. ଟୁଥ୍ ବ୍ରଶ୍ ବଦଳାନ୍ତୁ: ଗୋଟିଏ ଟୁଥ୍ ବ୍ରଶ୍ 3 ମାସରୁ ଅଧିକ ଦିନ ବ୍ୟବାହର କରନ୍ତୁ ନାହିଁ । ଏହାକୁ ବଦଳାଇ ନୂଆ ବ୍ରଶ୍ ଆଣନ୍ତୁ । ବ୍ରଶ୍ ବ୍ରିସେଲ୍ ଗୁଡ଼ିକ ମୋଡ଼ି ହୋଇଗଲେ କିମ୍ବା ଝଡ଼ିବାରେ ଲାଗିଲେ ସେହି ବ୍ରଶ୍ ଆଉ ବ୍ୟବହାରଯୋଗ୍ୟ ହୋଇ ରହେନାହିଁ । କାରଣ ଏହା ଆମ ମାଢ଼ି ଭିତରକୁ ଯାଇ ଖାଦ୍ୟ କଣିକା ଓ ଜୀବାଣୁ ନଷ୍ଟ କରିପାରେନାହିଁ ।
  4. ଜିଭ ସଫା କରନ୍ତୁ: ଦାନ୍ତକୁ ଧଳା ରଖିବାକୁ ହେଲେ ଜିଭର ପରିଚ୍ଛନ୍ନତା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ । କାରଣ ଦାନ୍ତ ସଫା ଥିଲେ ମଧ୍ୟ ଯଦି ଜିଭ ସଫା ହୋଇନଥାଏ, ତେବେ ଜୀବାଣୁ ଜିଭରେ ବଂଶବୃଦ୍ଧି କରି ଦାନ୍ତକୁ ମଧ୍ୟ କ୍ଷତି ପହଞ୍ଚାଇଥାନ୍ତି । ଆପଣ ଜିଭକୁ ମଧ୍ୟ ବ୍ରଶ୍ କରିପାରନ୍ତି । ଏଥିପାଇଁ ଜିଭର ଭିତର ଆଡ଼ୁ ବାହାରକୁ ବ୍ରଶ୍ କରନ୍ତୁ ଏବଂ ପ୍ରତିଥର ବ୍ରଶକୁ ଧୁଅନ୍ତୁ ।
  5. କଞ୍ଚା ଫଳ ଓ ପନିପରିବା ଖାଆନ୍ତୁ: ଫଳ ଓ ପନିପରିବା କେବଳ ଦେହ ପାଇଁ ଯେ ଲାଭଦାୟକ ତାନୁହେଁ, ଏହା ଦାନ୍ତ ପାଇଁ ମଧ୍ୟ ଉପାଦେୟ । ତେଣୁ ଆପଣ ସେଓ, ଗାଜର, ଫୁଲକୋବି ଓ ବାଦାମ ଆଦିକୁ କଞ୍ଚା ଖାଇପାରନ୍ତି । ଏହାଦ୍ୱାରା ଦାନ୍ତ ପରିଷ୍କାର ରହେ ଓ ଦାନ୍ତରେ ପୋକ ଲାଗେନାହିଁ । ପାଣିରେ ଆପଲ୍ ସାଇଡର୍ ଭିନେଗାର୍ ମିଶାଇ ପାଟି କୁଳି କଲେ ମଧ୍ୟ ଦାନ୍ତ ସୁସ୍ଥ ରହେ । କିନ୍ତୁ କମଳା ଆଦି ଖଟା ଜାତୀୟ ଫଳ ଖାଇସାରିବା ପରେ ପାଟି ଭଲଭାବେ ଧୁଅନ୍ତୁ।
Previous ବଜେଟ୍ 2018: କ'ଣ ଶସ୍ତା, କ'ଣ ମହଙ୍ଗା?
Next ସାବଧାନ, କୁକୁଡ଼ାଙ୍କୁ ଦିଆଯାଉଛି ବିପଜ୍ଜନକ ଆଣ୍ଟିବାୟୋଟିକ୍ !

No Comment

Leave a reply

Your email address will not be published. Required fields are marked *