ଶୁଦ୍ଧ ଜଳ, ସୁସ୍ଥ ଜୀବନ


ସୁସ୍ଥ ଶରୀର ପାଇଁ ଅମ୍ଳଜାନ ଭଳି ଜଳ ମଧ୍ୟ ଅତ୍ୟନ୍ତ ଅପରିହାର୍ଯ୍ୟ । ସୂର୍ଯୋଦୟ ପୂର୍ବରୁ ଶୁଦ୍ଧ ଅମ୍ଳଜାନ ଓ ଖାଲି ପେଟରେ ଜଳ ଗ୍ରହଣ ମଣିଷକୁ ଚିର ଆରୋଗ୍ୟ ରଖେ । ଦିନ ସାରା ଅତି କମ୍ ରେ ୨ ରୁ ୩ ଲିଟର ଜଳ ପାନ କଲେ ଆମେ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିପାରିବା । ମଣିଷ ଶରୀରରେ ଜୈବିକ ରାସାୟାନିକ କ୍ରିୟା ସମ୍ପାଦିତ ହେବା ନିମନ୍ତେ ମଧ୍ୟ ଜଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯଥେଷ୍ଟ ପରିମାଣରେ ଜଳପାନ ଶରୀରର ତାପମାତ୍ରା, ଜଳୀୟଅଂଶ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଆମେ ପାଣି ପିଇଲେ ଶରୀରରେ ସୃଷ୍ଟି ହେଉଥିବା ପରିସ୍ରା, ଝାଡା, ଝାଳ ଆଦି ବର୍ଜ୍ୟ ବସ୍ତୁ ସହଜରେ ନିଷ୍କାସିତ ହେବ ଏବଂ ଆମେ ଏକ ସୁସ୍ଥ ଜୀବନ ବିତେଇପାରିବା ।

ଆମ ଶରୀରରେ ଘଟୁଥିବା ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ଜଳ ନିଷ୍କାସିତ ହୋଇଥାଏ । ପରିସ୍ରା ଦ୍ୱାରା ୧୫୦୦-୨୦୦୦ ମି.ଲି., ଝାଳ ଦ୍ୱାରା ୩୦୦ ରୁ ୬୦୦ ମି.ଲି. ଏବଂ ମଳ ଦ୍ୱାରା ୧୦୦ ମି.ଲି. ଜଳ ଯଥାକ୍ରମେ ପରିସ୍ରା ଦ୍ୱାର, ଲୋମକୂପ ଏବଂ ମଳଦ୍ୱାର ମାଧ୍ୟମରେ ନିର୍ଗତ ହୋଇଥାଏ । ସୁସ୍ଥ ଶରୀର ପାଇଁ ଜଳର ସନ୍ତୁଳନ ରକ୍ଷା କରାଯିବା ଜରୁରୀ । ଶରୀରରୁ ନିର୍ଗତ ହେଉଥିବା ପରିସ୍ରା ଏବଂ ବିଭିନ୍ନ ହର୍ମୋର୍ନ ଜଳର ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଥାଏ । ହୃଦରୋଗ, ଫୁସଫୁସ ଓ କିଡନୀ ରୋଗୀ ମାତ୍ରାଧିକ ଜଳ ସେବନ କରିବା ଉଚିତ ନୁହେଁ । କାରଣ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ଜଳ ଜମିଯିବାର ଆଶଙ୍କା ରହିଥାଏ ।

ଜଳ ବାହିତ ରୋଗ ସାଧାରଣତଃ ଦୁଇ ପ୍ରକାର । ଜୀବାଣୁ ଜନିତ ରୋଗ ଓ ଭୂତାଣୁ ଜନିତ ରୋଗ । ଟାଇଫଏଡ୍, ପାରାଟାଇଫେଡ୍, ବ୍ୟାସିଲାରି, ଡିସେଣ୍ଟ୍ରି, କଲେରା ଆଦି ଜୀବାଣୁ ଜନିତ ରୋଗ । ଭୂତାଣୁ ଜନିତ ରୋଗ ଗୁଡିକ ହେଲା ହେପାଟାଇଟିସବି ଓ ପୋଲିଓ । ଏହା ବ୍ୟତୀତ ରାଉଣ୍ଡ ୱାର୍ମ, ଆମିଵିକ ଡିସେଣ୍ଟ୍ରି ଏବଂ ରୋଟା ଭାଇରସ୍ ରୋଗ ମଧ୍ୟ ଜଳ ପ୍ରଦୂଷଣ ଯୋଗୁଁ ହୋଇଥାଏ । ତେଣୁ ଏସବୁ ରୋଗରୁ ମୁକ୍ତି ପାଇବା ପାଇଁ ବିଶୁଦ୍ଧ ଜଳ ପାନ କରିବା ଏକାନ୍ତ ଆବଶ୍ୟକ । ଆକ୍ୱାଗାର୍ଡ, ଫିଲଟର ଜଳ କିମ୍ବା ପାଣିକୁ ଫୁଟାଇ ଥଣ୍ଡା କରି ପିଇବା ଉଚିତ ।

ଆୟୁର୍ବେଦିକ ଚିକିତ୍ସକଙ୍କ ମତରେ ଜଳକୁ ଭଲ ଭାବେ ଫୁଟାଇ ୪ ଭାଗରୁ ଏକ ଭାଗ ରହିଲା ପରେ ଶୀତଳ କରି ପିଇଲେ ତାହା ସର୍ବରୋଗ ନାଶକ ଅଟେ । କାଶ, ଶ୍ୱାସ, ବାତ, ମେହରୋଗ, କଫ, ଶୁଳ, ଅର୍ଶ, ଗୁଳ୍ମ, ଅଜୀର୍ଣ୍ଣ ରୋଗ ପାଇଁ ଏହି ଜଳ ଅତ୍ୟନ୍ତ ଉପକାରୀ ସାବ୍ୟସ୍ତ ହୋଇଥାଏ । ସୂର୍ଯୋର୍ଦୟ ପୂର୍ବରୁ ଅଧ ଘଣ୍ଟା ଅନ୍ତରରେ ଦୁଇଥର କରି ଏକ ଗ୍ଲାସ ଥଣ୍ଡା ପାଣି ପିଅନ୍ତୁ । ମୂତ୍ରରୋଧ, ପରିସ୍ରାଜ୍ୱାଳା, ଵାତପିତ୍ତ, ଅମ୍ଳପିତ୍ତ, ଅଜୀର୍ଣ୍ଣ ଏବଂ କୋଷ୍ଠବଦ୍ଧତା ଆଦି ରୋଗ ଆପଣଙ୍କ ପାଖ ମାଡିବ ନାହିଁ । ତମ୍ବା, ରୂପା ବା ମାଟିପାତ୍ରରେ ରାତିରେ ରଖାଯାଇଥିବା ଜଳକୁ ସୂର୍ଯୋଦୟ ପୂର୍ବରୁ ନିୟମିତ ପାନ କଲେ ବାତ, ପିତ୍ତ, କଫ, ଶ୍ୱାସ, ଅତିସାର, ହୃଦରୋଗ, କ୍ଷୟ, ଅପସ୍ମାର, ଗ୍ରହଣୀ, ବହୁମୂତ୍ର, ଗଳାରୋଗ, ଶିରା ରୋଗ, କର୍ଣ୍ଣ, ନାସିକା, ଚକ୍ଷୁ ରୋଗରୁ ଆମେ ନିରାପଦ ଦୁରତ୍ୱରେ ରହିପାରିବା । ଭୋଜନ ସମୟରେ କିମ୍ବା ଭୋଜନ ସରିବା କ୍ଷଣି ଜଳପାନ ଲାଭ ଅପେକ୍ଷା ଶରୀର ପାଇଁ ହାନିକାରକ ହୋଇଥାଏ । ୨୫ ରୁ ୩୦ ମିନିଟ୍ ଅନ୍ତରରେ ଏକ ସମୟରେ ୧୫୦ ରୁ ୨୦୦ ମି.ଲି. ଜଳ ପିଇବା ଆବଶ୍ୟକ ।

Previous ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ
Next ଐତିହାସିକ ଯୋବ୍ରା ଆନିକଟ

No Comment

Leave a reply

Your email address will not be published. Required fields are marked *