ସାଧାରଣତଃ ହଳଦୀକୁ କେବଳ ରୋଷେଇ ବା ସୌନ୍ଦର୍ଯ୍ୟ ପ୍ରସାଧାନ ସମାଗ୍ରୀ ପ୍ରସ୍ତୁରେ ବ୍ୟବହାର କଥା ଜାଣିଥିବେ । ହେଲେ ଆମ ବାଡ଼ି ବଗିଚାରେ ରହିଥିବା ହଳଦୀ ଗଛ ହେଉ ବା ରୋଷେଇ ଘରେ ରହିଥିବା ହଳଦୀ ଖଣ୍ଡ-ଗୁଣ୍ଡ କେତେ ଗୁଣକାରୀ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏଥିରେ ରହିଥିବା ଓ୍ୟୌଷଧୀୟ ଗୁଣ ବହୁ ନୂଆ- ପୁରୁଣା ଚର୍ମ ଓ ପେଟ ରୋଗ ସହ ଥଣ୍ଡା ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ ।
ଏଥିରେ ଭିଟାମିନ୍, ପ୍ରୋଟିନ୍, ମିନେରାଲ୍ସ୍, କାର୍ବୋହାଇଡ୍ରେଟ୍, ଫାଇବର୍, ଧାତବ ଲବଣ, ସ୍ନେହସାର ଆଦି ରହିଛି । ହଳଦୀରେ ରହିଥିବା କରକ୍ୟୁମିନ୍ ଏଣ୍ଟିଅକ୍ସିଡେଣ୍ଟ ଭାବେ କାର୍ଯ୍ୟ କରିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଶୀତ ଓ ବର୍ଷା ଦିନେ ରୋଗ ପ୍ରତିରୋଧକ ଶକ୍ତି କିଛି ମାତ୍ରାରେ କମିଯିବା କାରଣରୁ ଶରୀର ସହଜରେ ଥଣ୍ଡା, କାଶ ଓ ଜ୍ୱରରେ ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଳେ । ଆସନ୍ତୁ ଜାଣିବା କିପରି ହଳଦୀକୁ ସଠିକ୍ ଭାବରେ ବ୍ୟବହାର କରି ଏ ସବୁକୁ ଦୂର କରିବା ସହ ଶରୀରକୁ ସୁସ୍ଥ ରଖିପାରିବା ।
୧. ଏକ କପ୍ ଉଷୁମ୍ କ୍ଷୀରରେ ଚାମୁଚିଏ ହଳଦୀ ମିଶେଇ ଦିନକୁ ୨ ଥର ପିଇବା ଦ୍ୱାରା ଥଣ୍ଡା, କାଶ, ସର୍ଦ୍ଦି ଆଦିରୁ ଉପଶମ ମିଳେ । ଅନେକ ଲୋକଙ୍କୁ ହଳଦୀ କ୍ଷୀରର ସ୍ୱାଦ ଭଲ ଲାଗି ନଥାଏ ବିଶେଷ କରି ପିଲାମାନଙ୍କୁ । ତେଣୁ ଏହାକୁ ସ୍ୱାଦିଷ୍ଟ କରିବା ନିମନ୍ତେ କ୍ଷୀର ସହ ଅଳ୍ପ ଡାଲଚିନି ଗୁଣ୍ଡ, ଦୁଇଟି ଲବଙ୍ଗ, ଗୋଟିଏ ଗୁଜୁରାତି, ଅଳ୍ପ ଗୋଲମରିଚ, ଅଦା ବା ଶୁଣ୍ଠି ଗୁଣ୍ଡ ମିଶେଇ ଫୁଟେଇବା ପରେ ତାକୁ ଛାଣି ସେଥିରେ ହଳଦୀ ମିଶାଇ ପିଅନ୍ତୁ ସ୍ୱାଦ ଭଲ ଲାଗିବ । ଏହାଛଡ଼ା ହଳଦୀ କ୍ଷୀରରେ ମହୁ ମିଶେଇ ପଇବା ଦ୍ୱାରା ଥଣ୍ଡା ଶୀଘ୍ର ଭଲ ହୋଇଥାଏ ।
୨. ଗୋଟା କିମ୍ବା ଗୁଣ୍ଡ ହଳଦୀକୁ ପୋଡ଼ି ତାର ଧୂଆଁ ଶୁଙ୍ଘିଲେ ଥଣ୍ଡା, କାଶ, ମୁଣ୍ଡବ୍ୟଥାରୁ ଆରାମ ମିଳିଥାଏ ।
୩. ଗୋଟେ କପ୍ ଉଷୁମ ପାଣିରେ ଅଧ ଚାମଚ ହଳଦୀ ଗୁଣ୍ଡ, ଅଧ ଚାମଚେ ଲୁଣ ମିଶାଇ କଣ୍ଠ କୁଳି କରିଲେ କାଶରୁ ଉପଶମ ମିଳିବା ସହ ଗଳା ଦରଜ ଭଲ ହୋଇଥାଏ ।
୪. ଯଦି ଶୁଖିଲା କାଶ ହେଉଛି ତେବେ ଗୋଟେ ଚାମଚ ମହୁରେ ଅଳ୍ପ ହଳଦୀ ଗୁଣ୍ଡ ମିଶାଇ ଦିନକୁ ୩-୪ ଥର ଚାଟି ଖାଆନ୍ତୁ କିଛି ଦିନ ମଧ୍ୟରେ ଭଲ ହୋଇଯିବ ।
୫. ଯଦି ଆପଣ ଥଣ୍ଡା ଓ କାଶରେ ପିଡ଼ିତ ତେବେ ହଳଦୀ ଚା’ ପିଇବା ଲାଭପ୍ରଦ ହୋଇଥାଏ । ଗୋଟିଏ ପାତ୍ରରେ ୪ କପ ପାଣିରେ ଚାମଚେ ହଳଦୀ ଗୁଣ୍ଡ ମିଶାଇ କିଛି ସମୟ ଫୁଟାଇବା ପରେ ଛାଣି ସେଥିରେ ଅଳ୍ପ ଲେମ୍ବୁ ରସ ଓ ମହୁ ମିଶେଇ ପିଇଲେ ଉପଶମ ମିଳିଥାଏ ।
୬. ହଳଦୀ କ୍ଷୀର ଶରୀରରେ ହଜମ ପ୍ରକ୍ରୀୟାକୁ ବଢାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ତେଣୁ ରାତିରେ ଶୋଇବାର କିଛି ସମୟ ପୂର୍ବରୁ ହଳଦୀ ମିଶା କ୍ଷୀର ପିଇଲେ ଭଲ ନିଦ ସହ ଖାଦ୍ୟ ହଜମ ହୋଇଥାଏ । ଦେହ ଦରଜ ହୋଇଥିଲେ ମଧ୍ୟ ଏହା ପିଇବା ପରେ ହାଲକା ଅନୁଭବ ହୁଏ ।
୭. ହଳଦୀ କ୍ଷୀର ସେବନ ଦ୍ୱାରା ଗଣ୍ଠି ଓ ମାଂସପେଶୀର ବ୍ୟଥାରୁ ମଧ୍ୟ ଉପଶମ ମିଳିଥାଏ ।
୮. କଞ୍ଚା ହଳଦୀକୁ ବାଟି ଛୋଟ- ଛୋଟ ଗୁଳା କରି ସପ୍ତାହରେ ଦୁଇଥର ଖାଲି ପେଟରେ ଖାଇଲେ କୃମି ରୋଗ ଭଲ ହୋଇଥାଏ । ଏହା ସହ ଲେମ୍ବୁ ଓ ହଳଦୀ ମିଶାଇ ବାଟି ମଧ୍ୟ ପିଇ ପାରିବେ । ତା’ ଛଡ଼ା ପେଟ ଗରମ, କାଟିବା ରୋଗର ଉପଶମ ପାଇଁ ହଳଦୀ ବାଟି ପିଅନ୍ତୁ ନଚେତ କିଛି ସମୟ ନାଭି ଚାରିପଟେ ଲେପ ଦିଅନ୍ତୁ ।
୯. ସେହିଭଳି ଯଦି ଆପଣଙ୍କୁ କିଛି ଚର୍ମରୋଗର ସମସ୍ୟା ରହିଛି ତେବେ ପ୍ରତିଦିନ ଗାଧୋଇବା ବେଳେ ହଳଦୀ ଲଗାଇ ପାରିବେ ନଚେତ ହଳଦୀ ସହ ଲେମ୍ବୁପତ୍ର ବାଟି ଲଗାଇଲେ ଲାଭ ମିଳିବ ।
No Comment