ରାତିରେ ନିଦ ଆସୁନି କି? ମାନନ୍ତୁ ଡାକ୍ତରଙ୍କ ଏହି 5ଟି ପରାମର୍ଶ

Tips for better sleep

ସୁସ୍ଥ ଓ ଉନ୍ନତ ଜୀବନଯାପନ ପାଇଁ ଖାଦ୍ୟ ଓ ଜଳର ଯେପରି ଆବଶ୍ୟକତା ରହିଛି, ଠିକ୍ ସେହିପରି ନିଦର ମଧ୍ୟ ଆବଶ୍ୟକତା ରହିଛି । ଦୈନନ୍ଦିନର କର୍ମକ୍ଷେତ୍ର ଓ ପରିବାରର ଚାପ କାରଣରୁ ହେଉ ଅବା ଅନ୍ୟ କୌଣସି ଚିନ୍ତା, କିମ୍ବା ଅସ୍ୱାଭାବିକ ଦିନଚର୍ଯ୍ୟା, ଆଜିକାଲି ନିଦ୍ରାହୀନତା ସମସ୍ୟାରେ ଅନେକ ପୀଡ଼ିତ । ନିଦ୍ରାହୀନତା ଅନେକଙ୍କୁ ବ୍ୟତିବସ୍ତ ଓ ବିଭିନ୍ନ ମାନସିକ ରୋଗଗ୍ରସ୍ତ କରାଏ । ରାତିରେ ଠିକରେ ନିଦ ନହେଲେ, ମଣିଷର ଦିନ ସମୟବି ଭଲରେ କଟେ ନାହିଁ । ସେ କ୍ଳାନ୍ତ ଅନୁଭବ କରେ, ମୁଣ୍ଡ ବିନ୍ଧେ, ଆଖି ପୋଡ଼େ ଓ ନିଦୁଆ ନିଦୁଆ ଲାଗେ । କୌଣସି କାମରେ ମନ ଲାଗେ ନାହିଁ । ଧୀରେଧୀରେ ମଣିଷ ଅବଶ ହୋଇଯାଏ ଓ ମାନସିକ ରୋଗରେ ପଡ଼େ । କିନ୍ତୁ ଆପଣ ଯଦି ଏହି 5ଟି ପରାମର୍ଶ ମାନି ଚଳିବେ, ତେବେ ଆପଣଙ୍କ ସମସ୍ୟାର ସମାଧାନ ହୋଇପାରିବ ।

  1. ସମସ୍ତଙ୍କ ଶରୀରରେ ଏକ ଆଭ୍ୟନ୍ତରୀଣ ଜୈବିକ ଘଡ଼ି କାର୍ଯ୍ୟ କରୁଥାଏ । ଆମକୁ କେତେବେଳେ ଭୋକ ହୁଏ, କେତେବେଳେ ନିଦ ଲାଗେ, କେତେବେଳେ ନିଦ ଭାଙ୍ଗେ ଏସବୁ ପ୍ରକ୍ରିୟାକୁ ସେହି ଅଦୃଶ୍ୟ ଘଡ଼ି ହିଁ ନିୟନ୍ତ୍ରଣ କରୁଥାଏ । ଆପଣ ଯଦି ସେହି ସମୟର ଧ୍ୟାନ ନରଖିବେ ତେବେ ସମସ୍ୟାରେ ପଡ଼ିବେ । ତେଣୁ ପ୍ରଥମେ ସ୍ଥିର କରନ୍ତୁ ଯେ, ରାତିରେ ଆପଣଙ୍କୁ କେତେବେଳେ କ୍ଳାନ୍ତ ଲାଗେ ଓ ନିଦ ଆସେ । ପ୍ରତିଦିନ ରାତିରେ ସେହି ନିର୍ଦ୍ଦିଷ୍ଟ ସମୟରେ ଶୁଅନ୍ତୁ ଓ 7-8 ଘଣ୍ଟା ପରେ ସକାଳେ ଏକ ନିର୍ଦ୍ଦିଷ୍ଟ ସମୟରେ ଉଠିବାକୁ ଚେଷ୍ଟା କରନ୍ତୁ । ଛୁଟି ଦିନରେ ମଧ୍ୟ ସେହି ସମୟକୁ ମାନି ଶୁଅନ୍ତୁ ଓ ନିଦରୁ ଉଠନ୍ତୁ । ଯଦି ଆପଣଙ୍କୁ ରାତିରେ ଶୋଇବା ପରେ ମଧ୍ୟ ନିଦ ହେଉନାହିଁ ତେବେ ଦିନରେ ଶୋଇବା ଅଭ୍ୟାସ ପରିତ୍ୟାଗ କରନ୍ତୁ । ପ୍ରଥମ କିଛି ଦିନ ଶୋଇବା ପରେ 15-20 ମିନିଟ ପର୍ଯ୍ୟନ୍ତ ନିଦ ନଆସିଲେ ବିଛଣାରୁ ଉଠି ଯାଆନ୍ତୁ ଓ ସୋଫା କିମ୍ବା ଚେୟାରରେ ବସି କୌଣସି ବହି ପଢ଼ନ୍ତୁ ଅବା ଗୀତ ଶୁଣନ୍ତୁ । ଚିନ୍ତାମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ । ନିଦ ଲାଗିଲେ ଶୋଇବାକୁ ଆସନ୍ତୁ ।
  2. ଆଲୋକର ସଦୁପଯୋଗ କରନ୍ତୁ । ଅର୍ଥାତ୍ ସକାଳେ ସୂର୍ଯ୍ୟାଲୋକକୁ ବାହାରନ୍ତୁ । ଦେହରେ ହାଲକା ଖରା ପଡ଼ିବାକୁ ଦିଅନ୍ତୁ । ଦିନବେଳା ଘର ଭିତରକୁୁ ଯେପରି ସୂର୍ଯ୍ୟାଲୋକ ପ୍ରବେଶ କରେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । କିନ୍ତୁ ରାତିରେ ଶୋଇବା ଅଧଘଣ୍ଟା ପୂର୍ବରୁ କିମ୍ବା ଶୋଇବା ବେଳେ ଟିଭି, କମ୍ପ୍ୟୁଟର୍, ମୋବାଇଲ୍, ଟାବଲେଟ ଆଦି ଦେଖନ୍ତୁ ନାହିଁ । ବରଂ ବହି ପଢ଼ିପାରନ୍ତି । ଶୋଇବା ଘରକୁ ରାତିରେ ଅପେକ୍ଷାକୃତ ଅନ୍ଧାର କରିରଖିବାକୁ ଚେଷ୍ଟା କରନ୍ତୁ । ଆବଶ୍ୟକ ସ୍ଥଳରେ ଆଇ ମାସ୍କ (eye mask) ବ୍ୟବହାର କରିପାରନ୍ତି ।
  3. ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ଶୋଇବା ପୂର୍ବରୁ ମଦ୍ୟପାନ କିମ୍ବା ଧୁମପାନ କରନ୍ତୁ ନାହିଁ । ଏହା ନିଦରେ ବ୍ୟାଘାତ ସୃଷ୍ଟି କରିଥାଏ । ମଧ୍ୟାହ୍ନ ଭୋଜନ ପରେ ଅର୍ଥାତ୍ ଅପରାହ୍ଣ 3ଟା ପରେ କଫି ପିଅନ୍ତୁ ନାହିଁ । କାରଣ ଏଥିରେ ଥିବା କ୍ୟାଫିନ ତତ୍ତ୍ୱ ଆମ ଶରୀରରେ 7ରୁ 8 ଘଣ୍ଟା ପରେ କାର୍ଯ୍ୟ ଆରମ୍ଭ କରିଥାଏ ଓ ନିଦରେ ବ୍ୟାଘାତ ସୃଷ୍ଟି କରେ । ରାତିରେ ଗରିଷ୍ଠ, ଅଧିକ ମସଲାଯୁକ୍ତ ଓ ପେଟଭର୍ତ୍ତି ଖାଦ୍ୟ ଖାଆନ୍ତୁ ନାହିଁ । ଅଧିକ ଶର୍କରା ଜାତୀୟ ଖାଦ୍ୟକୁ ମଧ୍ୟ ଏଡ଼ାଇବାକୁ ଚେଷ୍ଟା କରନ୍ତୁ । ରାତିରେ ବାରମ୍ବାର ପରିଶ୍ରା ଲାଗୁଥିଲେ ସନ୍ଧ୍ୟା ପରେ ଅଧିକ ତରଳ ଜାତୀୟ ଖାଦ୍ୟ ପଦାର୍ଥ ଖାଆନ୍ତୁ ନାହିଁ ।
  4. ନିୟମିତ ବ୍ୟାୟାମ କରନ୍ତୁ କିନ୍ତୁ ଠିକ୍ ଶୋଇବା ପୂର୍ବରୁ ନୁହେଁ । ବ୍ୟାୟାମ କଲେ ଦିନରେ ଅଧିକ ତାଜା ଲାଗେ ଓ ଦେହରେ ଫୁର୍ତ୍ତିି ଆସେ । ତେଣୁ ସକାଳେ କିମ୍ବା ଅପରାହ୍ଣରେ ବ୍ୟାୟାମ କରନ୍ତୁ । କିନ୍ତୁ କେବେ ଠିକ୍ ଶୋଇବା ପୂର୍ବରୁ ବ୍ୟାୟାମ କରନ୍ତୁ ନାହିଁ । ଏହା ନିଦ୍ରାହୀନତା ଆଣିଥାଏ । ତେଣୁ ଅତିକମରେ ଶୋଇବାର 3-4 ଘଣ୍ଟା ପୂର୍ବରୁ ବ୍ୟାୟାମ କରନ୍ତୁ ।
  5. ବେଡରୁମକୁ ନିଦ ଉପଯୋଗୀ ବନାନ୍ତୁ। ବେଡରୁମ ବା ଶୋଇବାଘରେ ଟିଭି କିମ୍ବା ଲାପଟପ୍ ଆଦି ଶୋଇବା ବେଳେ ବନ୍ଦ କରିଦିଅନ୍ତୁ । ଯେପରି ଶାନ୍ତ ବାତାବରଣ ରହେ ଓ କୌଣସି ବିରକ୍ତି ଶବ୍ଦ ନଆସେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ବେଡ୍ ଉପରେ ବସି ଲାପଟପ ଆଦିରେ କାମ କରନ୍ତୁ ନାହିଁ । ଶୋଇବା ବେଳେ ପୋଷା କୁକୁର କିମ୍ବା ବିଲେଇ ଆଦିକୁ ବେଡରୁମ ଭିତରେ ରଖନ୍ତୁ ନାହିଁ । ବେଡ୍, ତକିଆ ଆଦିକୁ ନିଜ ଅନୁସାରେ ଆରାମଦାୟକ ରଖନ୍ତୁ ଏବଂ ସଫା ରଖନ୍ତୁ । ଶୋଇବା ବେଳେ ଆଖି ବନ୍ଦ କରି ଏକ ଶାନ୍ତ ଓ ଆରାମଦାୟକ ସ୍ଥାନରେ ବା ପରିବେଶରେ ଥିବା କଳ୍ପନା କରନ୍ତୁ । ନିଦ ଆସିଯିବ ।
Previous ଆସନ୍ତା ବର୍ଷଠୁ ଯାତ୍ରା ପାର୍ଟି ବନ୍ଦ କରିବାକୁ ମାଲିକ ସଂଘର ବିଚାର
Next କଦଳୀ ଚାଷରୁ ଲକ୍ଷପତି

No Comment

Leave a reply

Your email address will not be published. Required fields are marked *