ଵୃକ୍ଷ ବଇଦ -ପାଷାଣଭେଦୀ


ପ୍ରାଚୀନ କାଳରେ ରୋଗ ହେଲେ ଖୋଜା ପଡନ୍ତି ଗାଁ ବଇଦ । ସେ ବାଡି ଅଗଣା ଓ ଜଙ୍ଗଲ, ପାହାଡରେ ଥିବା କିଛି ଉଦ୍ଭିଦର ପତ୍ର, ଚେର, ଛାଲି, ଫୁଲ ଓ ଫଳରୁ ଜଡିବୁଟି ପ୍ରସ୍ତୁତ କରି କିଛି ଦୁଃସାଧ୍ୟ ରୋଗକୁ ମଧ୍ୟ ଅନାୟାସରେ ଭଲ କରିଦେବାର କ୍ଷମତା ରଖନ୍ତି । ଆଧୁନିକ ଯୁଗର ଅୟମାରମ୍ଭ ହେବା ସହ ବୈଜ୍ଞାନିକ ପଦ୍ଧତିରେ ଔଷଧ ପ୍ରସ୍ତୁତ କରାଗଲା । ଫଳରେ ଧୀରେଧୀରେ ଜନମାନସରୁ ଜଡିବୁଟି ଲିଭିଯିବାକୁ ବସିଲା । ରୋଗ ହେଲା ମାତ୍ରେ ସମସ୍ତେ ଏଲୋପାଥିକ୍ ଔଷଧ ଖାଇବା ଆରମ୍ଭ କଲେ । ଯାହାକି ଶରୀର ପାଇଁ କ୍ଷତିକାରକ । ଅନିୟମିତ ଜୀବନଚର୍ଯ୍ୟା ଓ ତେଲ, ମସଲାରେ ପ୍ରସ୍ତୁତ ପାଟି ସୁଆଦିଆ ଖାଦ୍ୟ ଅତ୍ୟଧିକ ଖାଇବା ଫଳରେ ମଧୁମେହ, ହୃଦ୍ରୋଗ, କିଡନୀ ଜନିତ ସମସ୍ୟା, ପଥୁରୀ ରୋଗ, ଯକୃତ ଜନିତ ସମସ୍ୟା ଆଦି ଘାତକ ରୋଗ ଦେଖାଦେଉଛି । ମଧୁମେହ, ଉଚ୍ଚ ରକ୍ତଚାପ, ହଜମ ସମସ୍ୟା ଆଦି ରୋଗ ଥରେ ଆରମ୍ଭ ହେଲେ ତାହା ମଣିଷ ଶରୀରରେ ବସା ବାନ୍ଧି ରହେ । ଜୀବନସାରା ଔଷଧ ସେବନ ହିଁ ଏକମାତ୍ର ବାଟ । ଚିକିତ୍ସକ ଓ ଗବେଷକଙ୍କ ଗବେଷଣାନୁଯାୟୀ କେତେକ ଔଷଧୀୟ ଉଦ୍ଭିଦର ଶାଖା, ପ୍ରଶାଖାରୁ ପ୍ରସ୍ତୁତ ଜଡିବୁଟି ନିୟମିତ ସେବନ କଲେ ଏସବୁ ରୋଗକୁ ଆମେ ନିୟନ୍ତ୍ରଣରେ ରଖିପାରିବା । ଏଭଳି ଏକ ଉପଯୋଗୀ ଗଛ ହେଲା ପାଷାଣଭେଦୀ, ଯାହାକି ବଣ, ଜଙ୍ଗଲରେ ଜନ୍ମିଥାଏ ।

ଏହି ଗଛର ଚେରରୁ ଅଦା ଭଳି ବାସ୍ନା ବାହାରୁଥିବା ବେଳେ ପତ୍ରରୁ ବାହାରେ ଜୁ୍ଆଣି ଭଳି ବାସ୍ନା । ପାହାଡ, ପର୍ବତର ପଥର ଭେଦ କରି ଉଠୁଥିବା ପାଷାଣଭେଦୀ ଗଛରେ ରହିଛି ଅଦ୍ଭୁତ ଔଷଧୀୟ ଗୁଣ । ଏହି ଗଛର ଥିବା ଫର୍ସକୋଲିନ୍ ନାମକ ଏକ ପୋଷକତତ୍ତ୍ୱ ବୃକକ୍ ଓ ପିତ୍ତକୋଷରେ ହେଉଥିବା ଷ୍ଟୋନକୁ ମିଳାଇ ଦିଏ । ଡାକ୍ତରୀ ପରୀକ୍ଷା ଓ ଗବେଷଣାରୁ ଜଣାପଡିଛି ଯେ ଆଜମା, ହୃଦ୍ ରୋଗ, ମାନସିକ ଚାପ ଓ ବିଭିନ୍ନ ପ୍ରକାର କ୍ୟାନସର ରୋଗ ପାଇଁ ଏହି ଗଛର ଚେରମୂଳିରୁ ପ୍ରସ୍ତୁତ ଔଷଧ ବ୍ୟବହାର କଲେ ଉପଶମ ମିଳିଥାଏ ।

ପାଷାଣଭେଦୀ ଗଛର ଗୋଟିଏ ପତ୍ରକୁ ସକାଳୁ ଖାଲି ପେଟରେ ସେବନ କଲେ ହଜମ ଶକ୍ତି ବୃଦ୍ଧି ପାଇଥାଏ । ପରିସ୍ରା ପୋଡା, ଏକଜିମା, ମହିଳାଙ୍କ ଋତୁଶ୍ରାବ ସମୟରେ କଷ୍ଟ ଅନ୍ତନଳୀରେ ଯନ୍ତ୍ରଣା, ଆଲର୍ଜି, ଉଚ୍ଚ ରକ୍ତଚାପ ଆଦି ରୋଗର ଉପଶମ ନିମନ୍ତେ ଏହା ସହାୟକ ହୋଇଥାଏ । ଏଥିରେ ଥିବା ଫର୍ସକୋଲିନ୍ ପୋଷକତତ୍ତ୍ୱ କ୍ୟାନସର ଭଳି ଘାତକ ରୋଗକୁ ପ୍ରତିରୋଧ କରିବାରେ ସାହାଯ୍ୟ କରେ । ପାଷାଣଭେଦୀ ଗଛର ଶାଖା ପ୍ରଶାଖାରେ ପ୍ରସ୍ତୁତ ଜଡିବୁଟି ନିୟମିତ ସେବନ କଲେ ଶରୀର ମଧ୍ୟରେ ହର୍ମୋର୍ନ, ଇନ୍ସୁଲିନ୍ ରେ ସନ୍ତୁଳନ ରକ୍ଷା କରିବା ସମ୍ଭବ ହୋଇଥାଏ । ପେଟରେ ହେଉଥିବା କୃମି ନିବାରଣ ନିମନ୍ତେ ମଧ୍ୟ ପାଷାଣଭେଦୀ ଗଛର ଛାଲି ଲାଭଦାୟକ ବୋଲି ପ୍ରମାଣିତ ହୋଇଛି । ରୁକୁଣା ହାତ ପୋଛା ନାମରେ ମଧ୍ୟ ଏହା ପରିଚିତ । ସମାନ ନାମ ଥାଇ ଏହି ବୃକ୍ଷର ଦଶଟି ପ୍ରଜାତି ରହିଛି । କେତେକ ପ୍ରଜାତି ଘରର ସାଜସଜ୍ଜା ପାଇଁ ବ୍ୟବହାର ହୋଇଥାଏ ।

ସୌଜନ୍ୟ -ଓଡ଼ିଶା ପଞ୍ଚାୟତ ସମାଚାର

Previous ଦୃଷ୍ଟିଶକ୍ତିବର୍ଦ୍ଧକ ପାଳଙ୍ଗ ଶାଗ
Next ସ୍ୱାସ୍ଥ୍ୟପ୍ରଦ ପାଣି ସିଙ୍ଗଡା

No Comment

Leave a reply

Your email address will not be published. Required fields are marked *