ଦୃଷ୍ଟିଶକ୍ତିବର୍ଦ୍ଧକ ପାଳଙ୍ଗ ଶାଗ


ସଂପ୍ରତି ବ୍ୟସ୍ତବହୁଳ ଜୀବନଚର୍ଯ୍ୟା, ଅନିୟମିତ ଖାଦ୍ୟ ଗ୍ରହଣ, ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଜାଗର, ମୋବାଇଲ, କମ୍ପ୍ୟୁଟର ଗେମ୍ସ ଏବଂ ଟିଭି ଦେଖିବାରେ ଅଧିକାଂଶ ସମୟ ଅତିବାହିତ କରୁଥିବା ଯୁବପିଢି ରୋଗାକ୍ରାନ୍ତ ଓ ଲକ୍ଷ୍ୟଭ୍ରଷ୍ଟ । ଚିକିତ୍ସା ବିଜ୍ଞାନରେ ଅଗ୍ରଗତି ଫଳରେ ଲୋକଙ୍କର ଆୟୁଷ ବୃଦ୍ଧି ପାଇଥିଲେ ମଧ୍ୟ ଦାୟିତ୍ୱହୀନତା ଓ ଆମୋଦପ୍ରମୋଦ ପ୍ରତି ଆକର୍ଷଣ ଯୋଗୁଁ ଯୁବଗୋଷ୍ଠୀର ଦକ୍ଷତା ହ୍ରାସ ଓ ସ୍ଥଳବିଶେଷରେ ଅକ୍ଷମତା ପରିଲକ୍ଷିତ ହେଉଛି । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଦୈନନ୍ଦିନ ଖାଦ୍ୟ ତାଲିକାରେ ଆମେ ସବୁଜ ପନିପରିବା, ଶାଗ ଏବଂ ତଟକା ଫଳମୂଳ ସାମିଲ କଲେ ବିଭିନ୍ନ ରୋଗରୁ ମୁକ୍ତି ପାଇବା ସହ ଶାରୀରିକ ଓ ମାନସିକ କ୍ଷମତା ବୃଦ୍ଧି ପାଇବ । ଏଥର ପାଳଙ୍ଗ ଶାଗର ପୁଷ୍ଟି ଯୁକ୍ତ ଏବଂ ରୋଗ ବିନାଶକାରୀ ଗୁଣ ସମ୍ବନ୍ଧରେ କିଛି ତଥ୍ୟ ଆମେ ଏଠାରେ ଉପସ୍ଥାପନ କରୁଛୁ ।

ପ୍ରତିଦିନ ତେଲ, ମସଲାଯୁକ୍ତ ଆହାର ଏବଂ ଫାଷ୍ଟଫୁଡ ଖାଦ୍ୟ ଗ୍ରହଣ ଯୋଗୁଁ ଆମେ ମେଦବହୁଳତାର ଶିକାର ହୋଇଥାଉ । ଶରୀରର ମାତ୍ରାଧିକ ଓଜନ ବୃଦ୍ଧି ସହ ପେଟରେ ଚର୍ବି ବଢିଯାଏ । ଯାହାକି ଭବିଷ୍ୟତରେ ଘାତକ ମୃତ୍ୟୁକୁ ଡାକି ଆଣିପାରେ । ପାଳଙ୍ଗ ଶାଗ ନିୟମିତ ସେବନ କରିବା ଦ୍ୱାରା ଶରୀରର ଓଜନ ନିୟନ୍ତ୍ରିତ ହୋଇଥାଏ । ଏଥିରେ ନିହିତ ଥିବା ଫାଇବର ପୋଷକତ୍ତ୍ୱ ହଜମ କ୍ରିୟାରେ ସାହାଯ୍ୟ କରିବା ସହ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ । ପାଳଙ୍ଗ ଶାଗରେ ଥିବା ଫ୍ଲାବୋନୋଏଡ ଖାଦ୍ୟସାର ଚର୍ମ ଓ ପ୍ରୋଷ୍ଟେଟ କ୍ୟାନସରର ପ୍ରତିରୋଧୀ ।
ମଧ୍ୟାହ୍ନଭୋଜନରେ ଭାତ, ସବୁଜ ପନିପରିବା ସହିତ ପାଳଙ୍ଗ ଶାଗ ଖାଦ୍ୟ ତାଲିକାରେ ନିୟମିତ ସ୍ଥାନ ପାଇଲେ ଆମର ଦୃଷ୍ଟିଦୋଷ ନିରାକରଣ ହୋଇପାରିବ । ବିଶେଷକରି ଚାଳିଷା ରୋଗ ନିୟନ୍ତ୍ରଣରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପାଳଙ୍ଗ ଶାଗରେ ନିହିତ ଥିବା ଲୁଟେଇନ୍ ଏବଂ ଜିକ୍ସାନ୍ଥିନ ପୋଷକତତ୍ତ୍ୱ ଆଖି ସୁରକ୍ଷାରେ ଢାଲର ଭୂମିକା ତୁଲାଇଥାଏ ।

ଏଥିର ପ୍ରଚୁର ପରିମାଣରେ ଭିଟାମିନ୍ କେ ରହିଛି । ତେଣୁ ଆମେ ଏହାକୁ ନିତିଦିନିଆ ଖାଦ୍ୟ ତାଲିକାରେ ସାମିଲ କଲେ ଅଷ୍ଟୋପାରାସିସ୍ ଭଳି ରୋଗରୁ ନିଜକୁ ଦୂରେଇ ରଖିପାରିବା । ମାନସିକ ଅବସାଦରୁ ମୁକ୍ତି ଦେବାରେ ମଧ୍ୟ ଏହି ଉପକାରୀ ଶାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜିଙ୍କ ଓ ମ୍ୟାଗ୍ନେସିୟମ ଖାଦ୍ୟସାର ସୁନିଦ୍ରା ପାଇଁ ଉପଯୋଗୀ । ଏହି ଦୁଇଟି ଉପକାରୀ ଖାଦ୍ୟସାର ଆମକୁ ପାଳଙ୍ଗ ଶାଗରୁ ମିଳିଥାଏ । ଯକୃତ ରୋଗରୁ ଯଦି ଆପଣ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ଦୈନନ୍ଦିନ ଏହି ଶାଗ ଖାଆନ୍ତୁ । ଏଥିରେ ନିହିତ ଥିବା ବିଟା- କ୍ୟାରୋଟିନ୍ ଏବଂ ଭିଟାମିନ୍-ସି ଯକୃତ ରୋଗ ପାଇଁ ରାମବାଣ ଔଷଧର କାମ କରେ । ପାଳଙ୍ଗ ଶାଗ ସ୍ନାୟବିକ ଦୁର୍ବଳତା ଦୂର କରିବା ସାଙ୍ଗକୁ ବୃଦ୍ଧାବସ୍ଥାରେ ମଧ୍ୟ ସ୍ମରଣଶକ୍ତି ଅକ୍ଷୁଣ୍ଣ ରଖିବାରେ ସାହାଯ୍ୟ କରେ । ଭୋଜନରେ ଦୈନନ୍ଦିନ ପାଳଙ୍ଗ ଶାଗ ଗ୍ରହଣ ହୃଦରୋଗ ଭଳି ଦୂରାରୋଗ୍ୟ ବ୍ୟାଧିରୁ ଆମକୁ ମୁକ୍ତି ଦେଇପାରିବ । ପାଳଙ୍ଗ ଶାଗରେ ଥିବା ଭିଟାମିନ୍-ସି, ଇ, କେ ଆଦି ପୋଷକତତ୍ତ୍ୱ ଚର୍ମର ଔଜ୍ଜଲ୍ୟତା ବଜାୟ ରଖିବାରେ ସାହାଯ୍ୟ କରେ । ଏଥିରେ ଭିଟାମିନ୍ ଏ ଏବଂ ଲୌହର ଉପସ୍ଥିତି ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ରକ୍ତହୀନତାରୁ ଦୂରେଇ ରଖେ ।

ସୌଜନ୍ୟ -ଓଡ଼ିଶା ପାଞ୍ଚାୟତ ସମାଚାର

Previous ରୋଗ ନିବାରକ ମାଣ୍ଡିଆ
Next ଵୃକ୍ଷ ବଇଦ -ପାଷାଣଭେଦୀ

No Comment

Leave a reply

Your email address will not be published. Required fields are marked *