ନୀରବ ଘାତକ, ମେଦବହୁଳତା

obesity, a silent killer

ସହରୀକରଣ ନାଁରେ ସବୁଜିମା ଧ୍ୱଂସ, ଛୁଆଙ୍କ ଯତ୍ନ ନେବାରେ କର୍ମଜୀବୀ ଦମ୍ପତିଙ୍କର ଅସମର୍ଥତା, ପିଲାଙ୍କୁ ଚଟପଟି ଖାଦ୍ୟ ଖାଇବାରୁ ବାରଣ ନକରିବା, ଅତ୍ୟଧିକ ପାଠ ବୋଝ ଲଦି ଖେଳ ଖେଳିବା ପାଇଁ ଉତ୍ସାହିତ ନକରିବା ମେଦବହୁଳତାର ମୁଖ୍ୟ କାରଣ ସାଜୁଛି । ଅନ୍ୟପକ୍ଷରେ ଯୁବପିଢି ଭୟଙ୍କର ଭାବେ ପାଶ୍ଚାତ୍ୟ ଜୀବନଶୈଳୀ ପ୍ରତି ମୋହଗ୍ରସ୍ତ ହୋଇପଡିଛନ୍ତି । କେଏଫସି, ପିଜା ହଟ୍ ଏବଂ ବର୍ଗର କିଙ୍ଗ ଆଦି ବଡ ବଡ ବ୍ରାଣ୍ଡର ଫାଷ୍ଟଫୁଡ ରେସ୍ତୋରାଁରେ ଦିନ ତମାମ ପ୍ରେମୀ ଯୁଗଳଙ୍କ ଭିଡ ଲାଗି ରହୁଛି । ଜୀବନଶୈଳୀ ସମ୍ପର୍କିତ ବିଭିନ୍ନ ରୋଗର ଶିକାର ହେଲେ ମଧ୍ୟ ସେମାନଙ୍କର ଚେତା ପଶୁ ନାହିଁ । ଯାହା ତାଙ୍କର ଭବିଷ୍ୟତ ଜୀବନକୁ ତମସାଚ୍ଛନ୍ନ କରିଦେବାର ଯଥେଷ୍ଟ ସମ୍ଭାବନା ରହିଛି । ମେଦବହୁଳତାର କାରଣ ଓ ନିରାକରଣକୁ ନେଇ ଏଥରର ବିଶେଷ ଉପସ୍ଥାପନା ।

କାରଣ

ସହର ମାନଙ୍କରେ ଯେଉଁଠି ଟିକିଏ ଖାଲି ଜାଗା ମିଳିଲା ସେଠାରେ କୋଠାଘର ନିର୍ମାଣ ହେବା ଫଳରେ ଖେଳପଡିଆର ଘୋର ଅଭାବ ଦେଖାଦେଉଛି । ଯେଉଁ କେତୋଟି ହାତଗଣତି ଖେଳପଡିଆ ଅଛି ତାହା ସବୁ ପିଲାଙ୍କ ଘର ପାଖରେ ନଥିବାରୁ ଘରେ ବସି ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ଗେମ୍ସ ଖେଳିବା ଏବଂ କାର୍ଟୁନ ଦେଖିବାରେ ସମୟ ବିତାଉଛନ୍ତି ସେମାନେ । ଶାରୀରିକ ପରିଶ୍ରମର ଘୋର ଅଭାବ ଯୋଗୁଁ ଅତି ଅଳ୍ପ ବୟସର ପିଲାଙ୍କ ଶରୀରରେ ଚର୍ବି ବଢୁଛି । ପିଲା ଖାଇବାକୁ ମାଗୁଥିବା ଚଟପଟି ଖାଦ୍ୟଦ୍ରବ୍ୟକୁ ବିନା ଦ୍ୱିଧାରେ ସଙ୍ଗେସଙ୍ଗେ ତା ହାତ ପାହାନ୍ତାରେ ପହଞ୍ଚାଇଦେବା ଦ୍ୱାରା ମଧ୍ୟ ମେଦବହୁଳତା ଭଳି ଘାତକ ସମସ୍ୟା ଅଳ୍ପ ବୟସରୁ ପିଲାଙ୍କୁ ଆକ୍ରମଣ କରୁଛି । ପାଠପଢାର ପ୍ରତିଯୋଗିତାରେ ନିଜ ପିଲାଙ୍କୁ ସର୍ବାଗ୍ରେ ଦେଖିବା ପାଇଁ ଦିନ ରାତି ପିଲା ପଛରେ ଲାଗି ରହୁଛନ୍ତି ବାପା, ମା । ପିଲାର ମାନସିକ ଚାପ ବଢିବା ସଙ୍ଗେସଙ୍ଗେ ସେମାନେ ସମୟକ୍ରମେ ମୋଟା ହୋଇଯାଇଥାନ୍ତି । କର୍ମଜୀବୀ ମା, ବାପାଙ୍କ କ୍ଷେତ୍ରରେ ପିଲାଙ୍କ ଳାଳନପାଳନରେ ଘୋର ଅସୁବିଧା ସୃଷ୍ଟି ହୁଏ । ସମୟ ଅଭାବରୁ ବିଭିନ୍ନ ରେଡି ଟୁ ଇଟ୍ ଖାଦ୍ୟଦ୍ରବ୍ୟ କର୍ମଜୀବୀ ମାମାନେ ସନ୍ତାନ ସନ୍ତତିଙ୍କୁ ପରଷିଥାନ୍ତି । ସେମାନେ ଚାହିଁଲେ ମଧ୍ୟ ଏହି ଧାରାରେ କୌଣସି ପରିବର୍ତ୍ତନ ଆଣିପାରିବେ ନାହିଁ । ସିଗାରେଟ୍ ଟାଣିବା, ମଦ ପିଇବା ଏବଂ ଫାଷ୍ଟ ଫୁଡ୍ ଖାଇବା ପ୍ରେମୀ ଯୁଗଳଙ୍କ ପାଇଁ ଫ୍ୟାସନ ପାଲଟିଛି । ଯାହା ସେମାନଙ୍କର ସୁନେଲି ଭବିଷ୍ୟତକୁ ଅଚିରେ ଛାରଖାର କରିଦେଉଛି ।

ନିରାକରଣ

– ତେଲ, ସମଲାଯୁକ୍ତ ଖାଦ୍ୟ କମ୍ ଖାଆନ୍ତୁ । ଫାଷ୍ଟଫୁଡ୍ ଏବଂ ଅନ୍ୟାନ୍ୟ ଚଟପଟି ଖାଦ୍ୟ ସମ୍ପୂର୍ଣ୍ଣ ବର୍ଜନ କରନ୍ତୁ ।

– ପ୍ରତିଦିନ ଯୋଗ, ପ୍ରାଣାୟାମ କରନ୍ତୁ ।

– ପିଲାଙ୍କୁ ଭୋକ ଲାଗୁନଥିଲେ ଖାଇବାକୁ ଦିଅନ୍ତୁ ନାହିଁ । ଫାଷ୍ଟଫୁଡ୍ କିମ୍ବା ଅନ୍ୟ ଚାଇନିଜ୍ ଖାଦ୍ୟ ଖାଇବାରୁ ସେମାନଙ୍କୁ ବାରଣ କରନ୍ତୁ ।

– ନିୟମିତ ପଇଡ ପିଅନ୍ତୁ । ଶରୀରରୁ ବର୍ଜ୍ୟବସ୍ତୁ ସହଜରେ ନିଷ୍କାସିତ ହେବ ଏବଂ ଚର୍ବି ବୃଦ୍ଧିରେ ଭଟ୍ଟା ପଡିବ ।

– ଅସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । ପ୍ରତି ତିନି ଘଣ୍ଟା ଅନ୍ତରାଳରେ ଅଳ୍ପ ଅଳ୍ପ ଖାଦ୍ୟ ଖାଆନ୍ତୁ ।

– ଲୋଭରେ ଗୋଟିଏ ଥରରେ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ ।

– ରାତି ୮ଟା ସୁଦ୍ଧା ଡିନର ଶେଷ କରନ୍ତୁ ।

– ଅଧିକ ରାତିରେ ଡିନର କରନ୍ତୁ ନାହିଁ ।

– ଖାଇବାଥାଳିରେ ସବୁଜ ପନିପରିବା, ଫଳମୂଳ ସାମିଲ କରନ୍ତୁ । କମ୍ ଫ୍ୟାଟଯୁକ୍ତ ଖାଦ୍ୟ ଖାଆନ୍ତୁ ।

 

Previous ଦ୍ୱାପରଯୁଗର ପୁନାରାବୃତ୍ତି
Next ଆଜି ଦିନଟି ସଚିନଙ୍କ ପାଇଁ ସ୍ମରଣୀୟ, ଜାଣନ୍ତୁ କାହିଁକି?

No Comment

Leave a reply

Your email address will not be published. Required fields are marked *