ପୁଷ୍ଟିଯୁକ୍ତ ବାଉଁଶ କରଡ଼ି 


ପଶ୍ଚିମ ଓଡି଼ଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ମହୁଲ, ଟୋଲ, ଖଜୁରୀ କୋଳି, ଜାମୁ କୋଳି, କେନ୍ଦୁ, ଜଙ୍ଗଲି ଛତୁ, ବାଉଁଶ କରଡି ଆଦି ଜଙ୍ଗଲଜାତ ଦ୍ରବ୍ୟକୁ ଖାଦ୍ୟ ହିସାବରେ ଗ୍ରହଣ କରନ୍ତି । କିଛି ଲୋକ ମଧ୍ୟ ଏସବୁ ଦ୍ରବ୍ୟକୁ ସ୍ଥାନୀୟ ବଜାରରେ ବିକି ଦି ପଇସା ରୋଜଗାର ପାଉଛନ୍ତି । ଗଜା ବାଉଁଶରୁ ପ୍ରସ୍ତୁତ କରଡିକୁ ଜଙ୍ଗଲ ଜାତ ଦ୍ରବ୍ୟ ମାନଙ୍କ ମଧ୍ୟରେ ରାଜା ଭାବେ ବିବେଚନା କରାଯାଏ । ଗାଁ ଗହଳର ବିବାହ, ଏକୋଇଶିଆ, ଶୁଦ୍ଧଘର ଆଦି ଭୋଜିରେ କରଡି ଦିଆ ଖଟାର ଆଦର ବେଶୀ । ସଦ୍ୟ ଗବେଷଣଷଲବ୍ଧ ତଥ୍ୟ ଅନୁଯାୟୀ କରଡିରେ ଭରପୁର ଔଷଧୀୟ ଗୁଣ ରହିଛି । କିନ୍ତୁ ଆମ ରାଜ୍ୟର ଅନ୍ୟ ଅଞ୍ଚଳର ଅଧିକାଂଶ ଲୋକ କରଡି ଯେ ସ୍ୱାସ୍ଥ୍ୟପ୍ରଦ ଓ ପୌଷ୍ଟିକ ଏକଥା ଜାଣିବାତ ଦୂରର କଥା ଏହାକୁ ଦେଖିବି ନାହାଁନ୍ତି ।

କରଡି ପ୍ରସ୍ତୁତି ଓ ଏଥିରେ ପ୍ରସ୍ତୁତ ଖାଦ୍ୟ – ଗଜା ବାଉଁଶର ସବୁଜ କଠିନ ଆସ୍ତରଣକୁ ଛୁରୀ ସାହାଯ୍ୟରେ ବାହାର କରି ତାହାକୁ ସରୁସରୁ କରି କାଟି ପାଣିରେ ୫ ରୁ ୭ ମିନିଟ୍ ଶିଝାଇ ଦିଆଯାଏ । ପାଣିକୁ ନିଗାଡି ସାରିଲା ପରେ ତେଲ, ମସଲା କଶାରେ ପ୍ରସ୍ତୁତ କରଡି ଭଜାର ସ୍ୱାଦ ସତରେ ଭାରି ନିଆରା । ଜଙ୍ଗଲି ଛତୁ, ଖଟା, ମାଛ ଆଦି ଖାଦ୍ୟ ପ୍ରସ୍ତୁତିରେ କରଡି ମିଶାଇଲେ ସ୍ୱାଦ ଦ୍ୱିଗୁଣିତ ହୋଇଯାଏ । ବଳକା କରଡିକୁ ଖରାରେ ଶୁଖାଇ ହାଣ୍ଡୁଆ ପ୍ରସ୍ତୁତ କରାଯାଏ । କଟା ଟମାଟୋ ଓ ପିଆଜରେ ହାଣ୍ଡୁଆ ମିଶେଇ ଦେଇ ତେଲ, ମସଲାରେ କସି ଏକ ଚଟନି ପ୍ରସ୍ତୁତ ହୋଇଥାଏ । ଭାତ ଓ ରୋଟି ଖାଇବାବେଳେ ଏହି ଚଟନିକୁ ବ୍ୟବହାର କରାଯାଇପାରିବ ।

ପୌଷ୍ଟିକ ଓ ସ୍ୱାସ୍ଥ୍ୟପ୍ରଦ ଗୁଣ-୧୦୦ ଗ୍ରାମ କରଡିରେ ମାତ୍ର ୩ ରୁ ୪ ଗ୍ରାମ କାର୍ବୋହାଇଡ୍ରେଟ, ୨.୫ ଗ୍ରାମ ସୁଗାର ଓ ୦.୪୯ ଗ୍ରାମରୁ ବି କମ୍ ଫ୍ୟାଟ୍ ରହିଥାଏ । ତେଣୁ ଏହାର ବ୍ୟବହାର ଓଜନ କମାଇବାରେ ସାହାଯ୍ୟ କରିଥାଏ । ଗବେଷଣାନୁଯାୟୀ କରଡିରେ ଫିଟୋ ଷ୍ଟେରୋଲ୍ସ ଏବଂ ଫିଟୋ ନ୍ୟୁଟ୍ରିଏଣ୍ଟସ୍ ଖାଦ୍ୟସାର ନିହିତ ଥିବାରୁ ଏହା କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣ କରିବା ସଙ୍ଗେସଙ୍ଗେ ରକ୍ତ ସଞ୍ଚାଳନରେ ସାହାଯ୍ୟ କରେ । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ବି୬, ଭିଟାମିନ୍ ଇ, ଥାଇମିନ୍. ରାଇବୋଫ୍ଲାବିନ୍, ନିଆସିନ୍, ଫୋଲେଟ୍ ଏବଂ ପାଣ୍ଟୋଥେନିକ୍ ଆଦି ଭିଟାମିନ୍ ଓ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସ୍ ଫରସ୍, ଜିଙ୍କ୍, କପର, ମାଙ୍ଗାନିଜ୍, ସେଲେନିୟମ୍ ଏବଂ ଆଇରନ୍ ଆଦି ଖଣିଜଲବଣ ରହିଛି । ତେଣୁ ନିୟମିତ ଖାଦ୍ୟ ତାଲିକାରେ କରଡିକୁ ସାମିଲ କଲେ ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ । ଏଥିରେ ଭରପୁର ପରିମାଣରେ ଫାଇବର ପୋଷକତତ୍ତ୍ୱର ଉପସ୍ଥିତି ହଜମ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । । ଏହାକୁ ଶିଝାଇ ତହିଁରେ ମହୁ ମିଶାଇ ଖାଇଲେ ଶ୍ୱାସ ଜନିତ ସମସ୍ୟା ଦୂର ହୋଇଥାଏ । ଏଥିରେ ପୋଟାସିୟମ୍ ଭରପୁର ମାତ୍ରାରେ ରହିଥିବାରୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ରକ୍ତ ଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।

ସୌଜନ୍ୟ – ଓଡ଼ିଶା ପଞ୍ଚାୟତ ସମାଚାର

Previous ଉନ୍ନତ ସପୁରୀ ଚାଷ
Next ରୋଗ ନିବାରକ ମାଣ୍ଡିଆ

No Comment

Leave a reply

Your email address will not be published. Required fields are marked *