ଦେହକୁ ହିତ ସୁନୁସୁନିଆ ଶାଗ


 

ସକାଳୁ ସକାଳୁ ପୋଖରୀରୁ ସୁନୁସୁନିଆ ଶାଗ ତୋଳୁଥିବାର ଦୃଶ୍ୟ ସାଧାରଣତଃ ଗାଁଗହଳରେ ଦେଖାଯାଏ । ସୁନୁସୁନିଆ ଶାଗ ଭଜା ସାଙ୍ଗରେ ପଖାଳ ମୁଠେ ଖାଇଦେଇ ଚାଷୀ ହଳ ଲଙ୍ଗଳ ଧରି ବାହାରି ଯାଏ ବିଲକୁ । ସହଜରେ ଓ ସୁବିଧାରେ ସବୁ ଗାଁ ପୋଖରୀରେ ମିଳୁଥିବାରୁ ଗରିବଗୁରୁବାଙ୍କ ନିତିଦିନିଆ ଖାଇବାଥାଳିରେ ଏହା ସ୍ଥାନ ପାଇଥାଏ । କିନ୍ତୁ ଏହାର ଔଷଧୀୟ ଗୁଣ ସମ୍ବନ୍ଧରେ କାହାରି ଧାରଣା ନଥାଏ । ଆଜିକାଲି ଜୀବନ ରକ୍ଷାକାରୀ ଔଷଧର ବହୁଳ ବ୍ୟବହାର ଫଳରେ ଲୋକଙ୍କୁ ଅକାଳ ମୃତ୍ୟୁର ସମ୍ମୁଖୀନ ହେବାକୁ ପଡୁଛି । ସଦ୍ୟ ଗବେଷଣା ଲବ୍ଧ ତଥ୍ୟ ଅନୁଯାୟୀ ଦୈନନ୍ଦିନ ଖାଦ୍ୟ ତାଲିକାରେ ସୁନୁସୁନିଆ ଶାଗକୁ ସାମିଲ କଲେ ଅନେକ ଦୂରାରୋଗ୍ୟ ବ୍ୟାଧିରୁ ମୁକ୍ତି ମିଳିପାରିବ ।

ଏହାର ଡେମ୍ଫ ଓ ପତ୍ରକୁ ତେଲ ମସଲା ଦେଇ ଭାଜି ନିୟମିତ ଖାଦ୍ୟ ତାଲିକାରେ ସାମିଲ କଲେ ମାନସିକ ଅବସାଦ, ଅନିଦ୍ରା ଓ ମୁଣ୍ଡ ବ୍ୟଥା ରୋଗରୁ ଉପଶମ ମିଳିପାରିବ । ୨୫୦ ଗ୍ରାମ ସୁନୁସୁନିଆ ପତ୍ର ସହିତ ଲଙ୍କା, ହଳଦୀ, ଧନିଆ ଓ ଜିରା ମିଶ୍ରିତ ୪-୫ ଗ୍ରାମ ଦେଶୀ ମସଲା, ୫୦ ମିଲି ଲିଟର ସୋରିଷ ତେଲରେ ପ୍ରସ୍ତୁତ ହୋଇଥିବା ଶାଗ ସନ୍ଧ୍ୟା ସମୟରେ ନିୟମିତ ଖାଇଲେ ରାତିରେ ନିଦ ଭଲ ହେବା ସାଙ୍ଗକୁ ଆମେ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିପାରିବା । ମାନସିକ ଅବସାଦ ଦୂର ହେବା ସେଙ୍ଗସେଙ୍ଗ ସ୍ନାୟୁ ସମ୍ବନ୍ଧୀୟ ସମସ୍ତ ରୋଗ ଏହି ଶାଗ ଖାଇଲେ ଅନାୟାସରେ ଭଲ ହୋଇପାରିବ । ସୁନୁସୁନିଆ ଲତା ଓ ରସୁଣରେ ପ୍ରସ୍ତୁତ ଜୁସ୍ ପ୍ରତିଦିନ ପିଇଲେ କଫ ଦୂର ହେବା ସହିତ ମାଂଶପେଶୀ ମଧ୍ୟ ମଜବୁତ୍ ହେବ । ମୂଳକୁ ବାଦଦେଇ ଲତାର ଅନ୍ୟ ଅଂଶରେ ପ୍ରସ୍ତୁତ ଜୁସ୍ ଛୋଟ ଶିଶୁଙ୍କ ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗ ଓ କଫକୁ ସମୂଳେ ବିନାଶ କରିପାରିବ । ଏହି ଲତାର ସମସ୍ତ ଅଂଶକୁ ଗ୍ରାଇଣ୍ଡି କରି ମଥାରେ ଲେପ ଦେଲେ ନିଦ୍ରା ଜନିତ ସମସ୍ୟା ଓ ମାନସିକ ଅବସାଦରୁ ମୁକ୍ତି ମିଳିଥାଏ । ମୂଳ, ପତ୍ର, କାଣ୍ଡ ଓ ଡେମ୍ଫରେ ପ୍ରସ୍ତୁତ ଜୁସରେ ୧୦୦ ଗ୍ରାମ ଦହି ମିଶାଇ ନିୟମିତ ସକାଳେ ଖାଲିପେଟରେ ଖାଇଲେ ଅପସ୍ମାର ରୋଗରୁ ଉପଶମ ମିଳିବ । ଦିନକୁ ଦୁଇଥର ସୁନୁସୁନିଆ ପତ୍ର ରସ ଗୋଟିଏ ବୁନ୍ଦା ଲେଖାଏଁ ଦୁଇ ନାକପୁଡାରେ ପକାଇଲେ ଅଧକପାଳି ରୋଗ ଭଲ ହୋଇଥାଏ । ସୁନୁସୁନିଆ ପତ୍ରର ଜୁସ୍ ସହିତ ଚିନି ଓ ମହୁ ମିଶାଇ ପ୍ରତିଦିନ ସକାଳେ ଖାଇଲେ ଡାଇରିଆ ରୋଗରୁ ମୁକ୍ତି ମିଳିବ । ସ୍ତନହରା ମା ମାନେ ସୁନୁସୁନିଆ ଶାଗକୁ ନିୟମିତ ଖାଦ୍ୟ ତାଲିକାରେ ସାମିଲ କଲେ ସେମାନଙ୍କର କ୍ଷୀର ଧାରଣ କ୍ଷମତା ବଢିବ । ପତ୍ରକୁ ଗ୍ରାଇଣ୍ଡି କରି ଆଣ୍ଠୁ ଓ ଶରୀରର ସମସ୍ତ ଗଣ୍ଠି ଜାଗାରେ ଦିନକୁ ଦୁଇଥର ମାଲିସ କଲେ ବାତ ରୋଗରୁ ଉପଶମ ମିଳିବ ।

Previous ବ୍ରାଡମ୍ୟାନଙ୍କ ପରେ କୋହଲି
Next ଅଧିକ ସମୟ ମୋବାଇଲ ବ୍ୟବହାର କରୁଛନ୍ତି କି? ସାବଧାନ

No Comment

Leave a reply

Your email address will not be published. Required fields are marked *