ଉପକାରୀ ମହୁଲ


ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ଭାତହାଣ୍ଡି ହେଉଛି ମହୁଲ । ସକାଳୁ ସକାଳୁ ମହୁଲ ଫୁଲର ଭୁରୁଭୁରୁ ସୁଗନ୍ଧ ମନକୁ ଆହ୍ଲାଦିତ କରେ । ପାହାନ୍ତା ପ୍ରହରରୁ ଗାଁ ସ୍ତ୍ରୀ ଲୋକ ପାଛିଆରେ ମହୁଲ ଗୋଟାଇବା ଦୃଶ୍ୟ ସତରେ ଭାରି ନିଆରା । ଆଗରୁ ତ ଲୋକେ ମହୁଲ ବଦଳ କରି ଲୁଣ ଆଣୁଥିଲେ । କିନ୍ତୁ ଗୁଡା ଲୁଣର ଆଦର କମିବା ସାଙ୍ଗକୁ ଏହି ଅଦଳବଦଳ ପ୍ରକ୍ରିୟା ପ୍ରାୟତଃ ବନ୍ଦ ହୋଇଯାଇଛି କହିଲେ ଚଳେ । ମହୁଲ ଗଛର ଫଳକୁ ଟୋଲ କୁହାଯାଏ । ଟୋଲ ତେଲକୁ ଲୋକେ ରୋଷେଇରେ ବ୍ୟବହାର କରନ୍ତି ଓ ଏହାର ଭଜା ମଧ୍ୟ ବେଶ୍ ସୁଆଦିଆ । ମହୁଲ କାଠକୁ ଜାଳେଣି ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ । ଏସବୁ ଉପଯୋଗିତା ବ୍ୟତିରେକ ମହୁଲରେ ଭରପୁର ଔଷଧୀୟ ଗୁଣ ରହିଛି । ଚାଲନ୍ତୁ ଏ ସମ୍ବନ୍ଧରେ ଜାଣିବା ।

– କିଣ୍ୱନ ପ୍ରକ୍ରିୟାରେ ଆୟୁର୍ବେଦିକ ଆଲକୋହୋଲିକ ମେଡିସିନ୍ ପ୍ରସ୍ତୁତ ହୋଇଥାଏ । ଏହି ପ୍ରକ୍ରିୟା ସମ୍ପାଦିତ ହେବା ପାଇଁ ମହୁଲ ଫୁଲକୁ ବ୍ୟବହାର କରାଯାଇଥାଏ ।

– ଗଛର ବଳ୍ କଳରେ ପ୍ରସ୍ତୁତ ଔଷଧ ବାତ, ବ୍ରୋଙ୍କାଇଟିସ୍, ମଧୁମେହ, ପାଇରିଆ ଆଦି ରୋଗ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ ।

– ଫ୍ୟାରିଙ୍କ୍ସ୍ ପ୍ରଦାହ, ଟନସିଲ୍ ଆଦି ରୋଗ ପାଇଁ ଟୋଲ ବେଶ୍ ଉପକାରୀ ।

– ମୂତ୍ର ସଂକ୍ରମଣ, ପୀଡା ଉପଶମ ପାଇଁ ମହୁଲ ଫୁଲ ଅତ୍ୟନ୍ତ ଉପଯୋଗୀ ।

– ମହୁଲ ଛାଲିକୁ ପାଣିରେ ଶିଝାଇ ପିଇଲେ ବାତ ରୋଗରୁ ଉପଶମ ମିଳିଥାଏ ।

– ବଳ୍କଳ ଶିଝା ପାଣି ମଧୁମେହ ପାଇଁ ମଧ୍ୟ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ ।

– କୁଣ୍ଡିଆ ରୋଗ ନିରାକରଣରେ ମହୁଲ ପତ୍ରକୁ ବ୍ୟବହାର କରାଯାଇଥାଏ ।

– ମହୁଲ ଗଛର ବଳ୍କଳ ଶିଝା ପାଣିକୁ ୩୦୦ ମି.ଲି. ସାଧା ପାଣିରେ ମିଶାଇ ଗର୍ଗଲ କଲେ ଗଳା ଓ ଗ୍ରସନୀ ପ୍ରଦାହ ଭଲ ହୋଇଥାଏ ।

– ସ୍ତନହାରୀ ମାଙ୍କ କ୍ଷୀର ଧାରଣ କ୍ଷମତା ବୃଦ୍ଧି କରିବାରେ ମଧ୍ୟ ମହୁଲ ଫୁଲ ଅତ୍ୟନ୍ତ ଉପଯୋଗୀ ।

– ଦିନକୁ ଦୁଇ ଥର ମହୁଲ ଛାଲି ଶିଝା ପାଣି ପିଇଲେ ଡାଇରିଆ ରୋଗରୁ ମୁକ୍ତି ମିଳେ ।

– ଗଛ ଛାଲିର ଗୁଣ୍ଡକୁ ଆପଣ ଦେହରେ ବୋଳିଲେ ସ୍କାବିଜ ଭଳି ଚର୍ମ ରୋଗରୁ ରକ୍ଷା ପାଇପାରିବେ । ମହୁଲ ଫୁଲ ଜୁସ୍ କୁ ସଂକ୍ରମିତ ଚର୍ମରେ ପ୍ରଲେପ ଦେଲେ ରୋଗରୁ ଉପଶମ ମିଳିବ ।

– ୫ ଗ୍ରାମର ମହୁଲ ଗଛ ଛାଲି ଗୁଣ୍ଡ ଏବଂ ଡିମରି ମିଶ୍ରଣକୁ ଗରମ ପାଣିରେ ଗୋଳାଇ ଦିନକୁ ଦୁଇ ଥର ସେବନ କଲେ ଶ୍ୱାସ ରୋଗ ପାଖ ମାଡିବ ନାହିଁ ।

Previous ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ‘ଦାଉଦ୍ ଇବ୍ରାହିମ୍’ 
Next ପୁରୀ ସମୁଦ୍ରରେ ବୁଡ ପକାଇଲେ ମହାରାଜ କଂସ

No Comment

Leave a reply

Your email address will not be published. Required fields are marked *