ରୋଗ ନିବାରକ ମାଣ୍ଡିଆ


ସାଧାରଣତଃ ଆଦିବାସୀ ଅଧ୍ୟୁଷିତ ଢିପ ଓ ପାହାଡିଆ ଜମିରେ ଲୋକେ ମକା, ବାଜରା ଓ ମାଣ୍ଡିଆ ଆଦି ଚାଷ କରନ୍ତି । ମାଣ୍ଡିଆ ଜାଉ ହେଲା ସେମାନଙ୍କର ପ୍ରିୟ ଖାଦ୍ୟ । ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କର ଜ୍ୱର ଓ ଅଜୀର୍ଣ୍ଣ ଜନିତ ସମସ୍ୟା ଦେଖାଦେଲେ ମାଣ୍ଡିଆକୁ ଗୁଣ୍ଡ କରି ପାଣିରେ ବତୁରାଇ ସକାଳେ ଖାଲିପେଟରେ ଖାଇଥାନ୍ତି । ପିଜା, ବର୍ଗର,ନୁଡୁଲ୍ସ, ରୋଲ ଆଦି ଫାଷ୍ଟଫୁଡ ଓ ଅତ୍ୟଧିକ ତେଲ, ମସଲା ଦିଆ ଖାଦ୍ୟ ଏବେ ସହରାଞ୍ଚଳରେ ବାସ କରୁଥିବା ସବୁବର୍ଗର ଲୋକଙ୍କ ପ୍ରିୟ ଖାଦ୍ୟ ପାଲଟିଛି । ଫଳରେ ମେଦବହୁଳତା ବୃଦ୍ଧି ସାଙ୍ଗକୁ ମଧୁମେହ, ଯକୃତ, ବୃକକ୍ ଜନିତ ସମସ୍ୟା ଏବଂ ହୃଦ୍ରୋଗ ଆଦି ଘାତକ ରୋଗ ବୃଦ୍ଧି ପାଉଛିି । ଏସବୁ ରୋଗର ପ୍ରତିକାର ଔଷଧରେ  ନୁହେଁ କେବଳ ସ୍ୱାସ୍ଥ୍ୟକର, ପୌଷ୍ଟିକ ଖାଦ୍ୟ ଏବଂ ଉନ୍ନତ ଜୀବନଚର୍ଯ୍ୟା ଦ୍ୱାରା ହିଁ ସମ୍ଭବ । ମାଣ୍ଡିଆରେ କ୍ୟାଲସିୟମ, ପ୍ରୋଟିନ, ମିନେରାଲ୍ସ, ଫାଇବର ଆଦି ପୋଷକତତ୍ତ୍ୱ ଭରପୁର ପରିମାଣରେ ରହିଛି । ଫାଷ୍ଟଫୁଡ ଜାତୀୟ ଖାଦ୍ୟକୁ ପରିହାର କରି ନିତିଦିନିଆ ଖାଦ୍ୟତାଲିକାରେ ମାଣ୍ଡିଆକୁ ସାମିଲ କଲେ ଆମେ ଏହି ସବୁ ରୋଗକୁ ଏଡାଇ ଦେଇ ପାରିବା ।

ମାଣ୍ଡିଆରେ ଟ୍ରିପ୍ଟୋଫନ ନାମକ ଏକ ଆମିନୋ ଏସିଡ ଏବଂ ଅନ୍ୟ ଶସ୍ୟ ଜାତୀୟ ଫସଲ ତୁଳନାରେ ଅଧିକ ମାତ୍ରାରେ ଫାଇବର ରହିଥାଏ । ଯାହାକି ଓଜନ କମାଇବାରେ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ ଡି ଓ କ୍ୟାଲସିୟମ ଖାଦ୍ୟସାର ରହିଥିବାରୁ ମାଣ୍ଡିଆକୁ ପ୍ରତିଦିନ ଖାଇଲେ ଅଷ୍ଟିଓପାରାସିସ ରୋଗର ଆଶଙ୍କା କମିଯାଏ । ଏବେ ମଧୁମେହ ରୋଗ ଏକ ବିରାଟ ସମସ୍ୟା ଭାବେ ଉଭା ହୋଇଛି । ଫାଇବର ଓ ପଲିଫିନଲ୍ ଖାଦ୍ୟସାର ମାଣ୍ଡିଆରେ ଭରପୁର ମାତ୍ରାରେ ନିହିତ ଥିବାରୁ ଏହାକୁ ପ୍ରତିଦିନ ଖାଇବାଥାଳିରେ ସାମିଲ କଲେ ବ୍ଲଡ ସୁଗାର ନିୟନ୍ତ୍ରଣରେ ରହିଥାଏ । ଲେସିଥିନ୍ ଓ ମେଥିଓନିନ୍ ପୋଷକତ୍ତ୍ୱର ଉପସ୍ଥିତି ଯୋଗୁଁ ମାଣ୍ଡିଆ କୋଲେଷ୍ଟ୍ରଲ ସ୍ତର କମାଇବାରେ ସାହାଯ୍ୟ କରିଥାଏ । ଟ୍ରିପ୍ଟୋଫନ୍ ଓ ଅନ୍ୟାନ୍ୟ ଆମିନୋ ଏସିଡ ରହିଥିବାରୁ ମାଣ୍ଡିଆ ମୁଣ୍ଡବିନ୍ଧା, ଅନିଦ୍ରା ଓ ମାନସିକ ଅବସାଦରୁ ମୁକ୍ତ କରିଥାଏ । ଭାଲିନ୍, ଥେରୋନିନ୍, ଆଇସୋଲ୍ୟୁସିନ୍, ମେଥିଓନିନ୍, ଟ୍ରିପ୍ଟୋଫୋନ୍ ଆଦି ଆମିନୋ ଏସିଡ ଏବଂ କ୍ୟାଲସିୟମ୍, ଆଇରନ୍, ନିଆସିନ୍, ଥାଇମିନ୍ ଓ ରାଇବୋଫ୍ଲାବିନ୍ ଆଦି ଖଣିଜଲବଣ ଏଥିରେ ଅଧିକମାତ୍ରାରେ ରହିଛି । ତେଣୁ ଆମେ ବାହାର ପ୍ୟାକେଟ ଖାଦ୍ୟକୁ ନଖାଇ ଦୈନନ୍ଦିନ ଆହାରରେ ଏହାକୁ ସାମିଲ କଲେ ମାଂସପେଶୀ ସୁଦୃଢ ହେବା ସାଙ୍ଗକୁ ହିମୋଗ୍ଲୋବିନ୍ର ପରିମାଣ ବଢାଇବାରେ ସହାୟକ ହୋଇଥାଏ । ମାଣ୍ଡିଆରେ ଥିବା ଫାଇବର ପୋଷକତତ୍ତ୍ୱ ପାକସ୍ଥଳୀ ଜନିତ ସମସ୍ୟା ପାଇଁ ରାମବାଣ ଔଷଧିର କାମ କରେ । ପ୍ରସୂତିଙ୍କ ହିମୋଗ୍ଲୋବିନ୍ ଓ କ୍ଷୀରଧାରଣ କ୍ଷମତା ବୃଦ୍ଧି ସକାଶେ ନିୟମିତ ଖାଦ୍ୟ ତାଲିକାରେ ମାଣ୍ଡିଆକୁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଥାଏ ।

ସୌଜନ୍ୟ -ଓଡ଼ିଶା ପଞ୍ଚାୟତ ସମାଚାର

Previous ପୁଷ୍ଟିଯୁକ୍ତ ବାଉଁଶ କରଡ଼ି 
Next ଦୃଷ୍ଟିଶକ୍ତିବର୍ଦ୍ଧକ ପାଳଙ୍ଗ ଶାଗ

No Comment

Leave a reply

Your email address will not be published. Required fields are marked *