ଡାଇବେଟିସର 8ଟି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ

Symptoms of Diabetes

ଶରୀରର ଇନସୁଲିନ କ୍ଷରଣ କ୍ଷମତା ହ୍ରାସ ପାଇଲେ କିମ୍ବା ପ୍ରଭାବିତ ହେଲେ ରକ୍ତରେ ଶର୍କରା ବା ବ୍ଲଡ୍ ସୁଗର୍ ମାତ୍ରା ବୃଦ୍ଧି ପାଏ, ଯାହାକୁ ଡାଇବେଟିସ୍ ବା ମଧୁମେହ କୁହାଯାଏ । ପ୍ରଥମ ପର୍ଯ୍ୟାୟରେ ଡାଇବେଟିସର ସେଭଳି କୌଣସି ମାରାତ୍ମକ ଲକ୍ଷଣ ପ୍ରକାଶ ପାଏ ନାହିଁ, କିଛି ସାମାନ୍ୟ ଲକ୍ଷଣ ଦେଖାଯାଏ । କିନ୍ତୁ ଏହାକୁ ହେଳା କଲେ କିମ୍ବା ଗୁରୁତ୍ୱର ସହ ନନେଇ ଚିକିତ୍ସାରେ ବିଳମ୍ବ କଲେ ରୋଗ ଅଧିକ ବଢ଼ିଯାଇ ମାରାତ୍ମକ ରୂପ ନିଏ । ତେଣୁ ଧ୍ୟାନ ଦିଅନ୍ତୁ ଡାଇବେଟିସ୍ ହେଲେ ଶରୀରେ ପ୍ରଥମେ ଦେଖାଯାଉଥିବା କିଛି ଲକ୍ଷଣ ଦିଗରେ ।

1. ବାରମ୍ବାର ଶୋଷ ଓ ପରିଶ୍ରା ଲାଗିବା: ଏହା ଡାଇବେଟିସ୍ ବା ମଧୁମେହର ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ । ସାମାନ୍ୟ ଠାରୁ ଅଧିକ ଶୋଷ ଲାଗିଲେ ଓ ବାରମ୍ବାର ପରିଶ୍ରା ଲାଗିଲେ ଏହାକୁ ହାଲୁକାରେ ନିଅନ୍ତୁ ନାହିଁ । ସାଧାରଣତଃ ସୁସ୍ଥ ମଣିଷ ଦିନକୁ 6-7 ଥର ପରିଶ୍ରା କରିଥାଏ । ଏହା 4ରୁ 10 ଥର ମଧ୍ୟରେ ରହିଥାଏ । ଯଦି ଗୋଟିଏ ଦିନ ଏଭଳି ହୁଏ, ତେବେ ହୁଏତ ଆପଣ ଅଧିକ ପାଣି ପିଇଥିବାରୁ ଅଧିକ ପରିଶ୍ରା ଲାଗିପାରେ କିମ୍ବା ପାଣି ପିଇନଥିବାରୁ ଅଧିକ ଶୋଷ ଲାଗୁଥାଇପାରେ । କିନ୍ତୁ ଏଭଳି ଲକ୍ଷଣ କ୍ରମାଗତ ଦେଖାଗଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁୁ । ଏହା ଡାଇବେଟିସର ଲକ୍ଷଣ ହୋଇଥାଇପାରେ । ଡାଇବେଟିସ୍ ହେଲେ ବାରମ୍ବାର ପରିଶ୍ରା ଲାଗୁଥିବାରୁ ଏହାକୁ ବହୁମୂତ୍ର ମଧ୍ୟ କୁହାଯାଏ ।

2. ଭୋକ ଅଧିକ ଲାଗିବା: ଅଧିକ ଶୋଷ ଓ ପରିଶ୍ରା ଲାଗିବା ଭଳି ଅଧିକ ଭୋକ ଲାଗିବା ମଧ୍ୟ ଡାଇବେଟିସର ଲକ୍ଷଣ । ଡାଇବେଟିସ ହେଲେ ଆମ ଶରୀର ଖାଦ୍ୟରୁ ଗ୍ଲୁକୋଜ ସଂଗ୍ରହ କରିପାରେନାହିଁ ଏବଂ ଆମକୁ ଭୋକଲାଗେ । ଆମେ ଯେତେ ଖାଇଲେ ମଧ୍ୟ ଭୋକ ବଢ଼ିବଢ଼ି ଚାଲେ । ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।

3. କ୍ଳାନ୍ତ ଲାଗିବା: ଡାଇବେଟିସ ହେଲେ ଅଧିକ ଭୋକ ଲାଗିବା ଯେଉଁ କାରଣରୁ ହୋଇଥାଏ, ସେହି ଏକା କାରଣରୁ ଆମକୁ ସବୁବେଳେ କ୍ଳାନ୍ତି ଅନୁଭବ ହୁଏ । ଆମ ଶରୀର ଖାଦ୍ୟରୁ ଗ୍ଲୁକୋଜ ସଂଗ୍ରହ କରିନପାରିବାରୁ ଶକ୍ତି ପାଇପାରେ ନାହିଁ । ଫଳରେ ସବୁବେଳେ ହାଲିଆ ଲାଗେ ଓ ନିଦ ମଧ୍ୟ ଲାଗେ । କ୍ଳାନ୍ତି ଅନ୍ୟ କାରଣରୁ ମଧ୍ୟ ଦେଖାଯାଏ, କିନ୍ତୁ ଅନ୍ୟ ଲକ୍ଷଣ ଗୁଡ଼ିକ ଅଧିକ କ୍ଳାନ୍ତି ଅନୁଭବ କରୁଥିଲେ ଏହା ଡାଇବେଟିସ ହୋଇପାରେ ।

4. ଆଖିକୁ ଝାପ୍ସା ଦେଖାଯିବା: ଶରୀରରେ ବ୍ଲଡ୍ ସୁଗର୍ ବଢ଼ିଲେ ଆଖି ଡୋଳା ଭିତରେ ଥିବା ତରଳରେ ପରିବର୍ତ୍ତନ ଘଟେ ଏବଂ ଆଖିର ଲେନ୍ସ ମୋଟା ହୋଇଯାଏ । ଫଳରେ ଆମକୁ ସବୁକିଛି ଝାପ୍ସା ଦେଖାଯାଏ । ତେଣୁ ଏହା ମଧ୍ୟ ଡାଇବେଟିସର ଲକ୍ଷଣ ହୋଇଥାଇପାରେ । ତେବେ ଏହାର ଚିକିତ୍ସା ସମ୍ଭବ । ବ୍ଲଡ୍ ସୁଗର୍ ମାତ୍ରା ସାମାନ୍ୟ ହେଲେ ଏହା ଆପେଆପେ ଠିକ୍ ହୋଇଯାଏ । କିନ୍ତୁ ଚିକିତ୍ସାରେ ହେଳା କଲେ ଦୃଷ୍ଟିଶକ୍ତି ଚାଲିଯିବାର ମଧ୍ୟ ସମ୍ଭାବନା ରହିଛି ।

5. ଓଜନ କମିବା: ବିନା କୌଣସି କାରଣରେ ହଠାତ୍ ଶରୀରର ଓଜନ କମିବାକୁ ଲାଗିଲେ ଡାକ୍ତରଙ୍କୁ ଦେଖା କରନ୍ତୁ । ଡାଇବେଟିସ ହେଲେ ଶରୀର ଗ୍ଲୁକୋଜ ସଂଗ୍ରହ କରିନପାରି ଶରୀର ଶକ୍ତି ପାଇବା ପାଇଁ ଚର୍ବି ଓ ମାଂସପେଶୀ ଆଦିକୁ ଉପଯୋଗ କରିବାରେ ଲାଗେ । ଫଳରେ ଆମ ଶରୀରର ଓଜନ ହ୍ରାସ ପାଇବାରେ ଲାଗେ । ଏହା ଉଭୟ ଟାଇପ୍ 1 ଓ ଟାଇପ୍ 2 ଡାଇବେଟିସର ଲକ୍ଷଣ ହୋଇପାରେ ।

6. ଶରୀର କୁଣ୍ଡେଇ ହେବା: ଡାଇବେଟିସ ହେଲେ ଶରୀରରୁ ଶର୍କରା ଅଂଶ ପରିଶ୍ରା ସହିତ ବାହାରିଯାଏ । ଏଥିସହ ବିଭିନ୍ନ ଟିସୁରୁ ତରଳ ଅଂଶ ମଧ୍ୟ ପରିଶ୍ରାରେ ବାହାରିଯାଏ । ଫଳରେ ଚର୍ମ  ଶୁଖିଲା ହୋଇଯାଏ ଏବଂ କୁଣ୍ଡେଇ ହୁଏ । ଏହାଦ୍ୱାରା ଚର୍ମ ସଂକ୍ରମଣ ମଧ୍ୟ ହୋଇପାରେ ।

7. କ୍ଷତ ଶୀଘ୍ର ନଶୁଖିବା: ଶରୀରରେ କ୍ଷତ ସୃଷ୍ଟି ହେଲେ କିମ୍ବା କୌଣସି ସ୍ଥାନରେ ଘା ହେଲେ କିମ୍ବା କଟି ଗଲେ ଓ ଖଣ୍ଡିଆ ହୋଇଗଲେ ଏହା ଯଦି ଶୀଘ୍ର ନଶୁଖୁଛି କିମ୍ବା ଭଲ ନହେଉଛି ତେବେ ଏହା ମଧ୍ୟ ଚିନ୍ତାର କାରଣ ହୋଇପାରେ । କାରଣ ଡାଇବେଟିସ ହେଲେ ବ୍ଲଡ ସୁଗର୍ ମାତ୍ରା ବୃଦ୍ଧି ପାଏ ଏବଂ କ୍ଷତ ଶୁଖିବା ପରିବର୍ତ୍ତେ ସଂକ୍ରମଣ ଆହୁରି ବୃଦ୍ଧି ପାଏ । ଗୋଡ଼ରେ ଖଣ୍ଡିଆ ହୋଇଥିଲେ ଏହା ଭୟଙ୍କର ରୂପ ନେଇପାରେ । ତେଣୁ ଏଭଳି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

8. ହାତ ପାପୁଲି ଓ ପାଦରେ ଅସ୍ୱାଭାବିକ ଲକ୍ଷଣ: ଡାଇବେଟିସ ହେଲେ ଶରୀରରେେ ବ୍ଲଡ୍ ସୁଗର୍ ବଢ଼ିଯିବା ଫଳରେ ରକ୍ତ ସଂଚାଳନ ବାଧାପ୍ରାପ୍ତ ହୁଏ । ହୃତପିଣ୍ଡ ଠାରୁ ପାପୁଲି ଓ ପାଦ ସବୁଠାରୁ ଦୂରରେ ରହୁଥିବାରୁ ସେଠାରେ ରକ୍ତ ପହଞ୍ଚିବାରେ ସମସ୍ୟା ସୃଷ୍ଟି ହୁଏ । ଫଳରେ ହାତ ପାପୁଲି ଓ ପାଦ ବଧିରା ପଡ଼ିଯିବା, କୁଣ୍ଡେଇ ହେବା, ଛୁଞ୍ଚି ଫୋଡ଼ିବା ଭଳି ଅନୁଭବ ହେବା କିମ୍ବା ଯନ୍ତ୍ରଣା ହେବା ଭଳି ଲକ୍ଷଣ ପ୍ରକାଶ ପାଏ । ତେଣୁ ଡାକ୍ତରଙ୍କୁ ଏସମ୍ପର୍କରେ ପଚାରନ୍ତୁ ।

Previous ନିର୍ବାଚନ ବଜେଟରେ ଗ୍ରାମୀଣ ଭାରତକୁ ଗୁରୁତ୍ୱ
Next ନିୟମିତ ପାଚିଲା କଦଳୀ ଖାଆନ୍ତୁ, ମିଳିବ ଏହି 10 ଉପକାର

No Comment

Leave a reply

Your email address will not be published. Required fields are marked *