ଆପଣ ଜୋତା ଖୋଲି ବନ୍ଧୁମାନଙ୍କ ପାଖକୁ ଗଲେ ସେମାନେ ନାକ ଟେକୁଛନ୍ତି କି? ଆପଣଙ୍କଠୁ ଦୂରେଇ ଦୂରେଇ ରହୁଛନ୍ତି କି? ଏଭଳି ସମସ୍ୟା ଯଦି ଆପଣ ସବୁଦିନ ଭୋଗୁଛନ୍ତି, ତେବେ ଏହାର କାରଣ ଆପଣ ପାଦରୁ ବାହାରୁଥିବା ଦୁର୍ଗନ୍ଧ ହୋଇପାରେ । ହୁଏତ ଆପଣ ସବୁବେଳେ ଜାଣିପାରୁନଥିବେ, କିନ୍ତୁ ଆପଣଙ୍କ ପାଦ ଦୁର୍ଗନ୍ଧ ସମସ୍ୟା ଅନେକଙ୍କ ମନରେ ଆପଣଙ୍କ ପ୍ରତି ଘୃଣାଭାବ ଆଣୁଥାଇପାରେ । ହାଇପରହାଇଡ୍ରୋସିସ୍ ବା ପାପୁଲି ଓ ପାଦରୁ ଅତ୍ୟଧିକ ଝାଳ ବୋହିବା କିମ୍ବା ପାଦରେ ସଂକ୍ରମଣ ହେଲେ ସେଠାରେ ବ୍ୟାକ୍ଟେରିଆ ବା ବୀଜାଣୁ ସଂଖ୍ୟା ବୃଦ୍ଧି ପାଏ ଓ ପାଦରୁ ଦୁର୍ଗନ୍ଧ ବାହାରିଥାଏ । ତେବେ ଆପଣ ଯଦି ପାଦ ଦୁର୍ଗନ୍ଧ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ସେଥିପାଇଁ କେତୋଟି ସରଳ ଉପାୟ ରହିଛି ।
- ପାଦ ଓ ନଖ ସଫା ରଖନ୍ତୁ: ପାଦ ଦୁର୍ଗନ୍ଧ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆ ନଖ ତଳେ ଜମିଥିବା ମଇଳା ଓ ଗୋଇଠି ଭଳି ଟାଣ ହୋଇଯାଇଥିବା ସ୍ଥାନରେ ବଂଶବୃଦ୍ଧି କରିଥାଏ । ତେଣୁ ନିୟମିତ ପାଦ ଧୋଇବା ବେଳେ ଭଲଭାବେ ଗୋଇଠି ଆଦିରେ ଥିବା ମୃତ କୋଷିକା ଗୁଡ଼ିକୁ ଘଷି ସଫା କରନ୍ତୁ । ଏଥିପାଇଁ ପମିସ୍ ପଥରର ବ୍ୟବହାର କରିପାରନ୍ତି । କେବଳ ପାଦ ନୁହେଁ, ପାଦର ନଖ ତଳକୁ ମଧ୍ୟ ପରିଷ୍କାର କରନ୍ତୁ । ପାଦ ନଖକୁ ଛୋଟ ରଖିବାକୁ ଚେଷ୍ଟା କରନ୍ତୁ । ଫଳରେ ସେଠାରେ ଅଧିକ ମଇଳା ଜମିବ ନାହିଁ ।
- ପାଦ ଧୋଇସାରି ଭଲଭାବେ ପୋଛନ୍ତୁ: ପାଦ ଧୋଇସାରି ଆପଣ ଭଲଭାବେ ପାଦକୁ ପୋଛୁନାହାନ୍ତି କି? ପାଦ ଅଧିକ ସମୟ ଓଦା ରହିଲେ ଆଙ୍ଗୁଠି ସନ୍ଧି ଭଳି କେତେକ ସ୍ଥାନରେ ବ୍ୟାକ୍ଟେରିଆ ବଂଶବୃଦ୍ଧି ଘଟି ସଂକ୍ରମଣ ହୋଇପାରେ । ତେଣୁ ପାଦକୁ ଭଲଭାବେ ପୋଛନ୍ତୁ । କେବଳ ପାଦ ନୁହେଁ, ପାଦ ପୋଛିବା ବେଳେ ପାଦ ଆଙ୍ଗୁଠିଗୁଡ଼ିକ ମଝିରେ ମଧ୍ୟ ଭଲଭାବେ ପୋଛିବାକୁ ଭୁଲନ୍ତୁ ନାହିଁ ।
- ଭାରି ଉପକାରୀ ଚାହାପତି: ପାଦରୁ ବ୍ୟାକ୍ଟେରିଆ ସଫା କରିବା ପାଇଁ ଓ ପାଦରୁ ଝାଳ ବୋହିବା କମ୍ କରିବା ପାଇଁ ଚାହାପତି ବା ଚାହାଗୁଣ୍ଡର ବ୍ୟବହାର କରନ୍ତୁ । 1 ଲିଟର ଗରମ ପାଣିରେ 3 ଚାମଚ ଚାହାଗୁଣ୍ଡ ପକାଇ କିଛି ମିନିଟ୍ ପରେ ସେଥିରେ 2 ଲିଟର ଥଣ୍ଡା ପାଣି ମିଶାନ୍ତୁ । ଏହାପରେ ସେଥିରେ 15ରୁ 30 ମିନିଟ ଯାଏଁ ପାଦ ବୁଡ଼ାଇ ରଖନ୍ତୁ ।
- ଭିନେଗାରର ବ୍ୟବହାର: ଆପଲ୍ ସାଇଡର୍ ଭିନେଗାର (Apple Cider Vinegar) ପାଦ ଦୁର୍ଗନ୍ଧ ଦୂର କରିଥାଏ । 500 ମି.ଲି. ଆପଲ୍ ସାଇଡର୍ ଭିନେଗାରକୁ 200 ମି.ଲି. ଉଷୁମ ପାଣିରେ ମିଶାନ୍ତୁ । ଗୋଟିଏ ଗଜକନାକୁ ସେଥିରେ ଓଦା କରି ପାଦରେ 20 ମିନିଟ ଯାଏଁ ଭଲଭାବେ ପାଦରେ ଘଷନ୍ତୁ । ଏହାପରେ ପାଦକୁ ନପୋଛି ଆପେଆପେ ଶୁଖିବାକୁ ଛାଡ଼ି ଦିଅନ୍ତୁ ।
- ସୁଗନ୍ଧି ତୈଳର ବ୍ୟବହାର: ପାଦର ଦୁର୍ଗନ୍ଧ ଦୂର କରିବା ପାଇଁ ଲାଭେଣ୍ଡର୍ ତେଲ ଖୁବ୍ ଉପଯୋଗୀ । ଏହା ଦ୍ୱାରା ବ୍ୟାକ୍ଟେରିଆ ସଂକ୍ରମଣରୁ ମଧ୍ୟ ମୁକ୍ତି ମିଳିଥାଏ । ତେଣୁ 4ଟୋପା ଲାଭେଣ୍ଡର୍ ତେଲ ନେଇ ପାଦରେ ମାଲିସ କରନ୍ତୁ । କିମ୍ବା 3ରୁ4 ଲିଟର ପାଣିରେ 2 ଟୋପା ଲାଭେଣ୍ଡର୍ ତେଲ ପକାଇ ସେହି ମିଶ୍ରଣରେ 10ରୁ 15 ମିନିଟ ଯାଏଁ ପାଦ ବୁଡ଼ାଇ ରଖନ୍ତୁ ।
- ମୋଜାକୁ ଭଲଭାବେ ସଫା କରନ୍ତୁ: ମୋଜା ସଫା କରିବା ବେଳେ ଏହାକୁ ଓଲଟାଇ ଭିତରପଟକୁ ମଧ୍ୟ ଭଲଭାବେ ସଫା କରନ୍ତୁ । ଫଳରେ ମୋଜା ଭିତରେ ଥିବା ପାଦର ମୃତ କୋଷିକା ଓ ବ୍ୟାକ୍ଟେରିଆ ସଫା ହୋଇଯାଏ । ଆପଣଙ୍କ ପାଦ ଦୁର୍ଗନ୍ଧ ହେଉଥିଲେ ସିନ୍ଥେଟିକ ମୋଜା ବ୍ୟବହାର କରନ୍ତୁ ନାହିଁ ।
- କେବଳ ମୋଜା ଲଗାଇ ଚାଲନ୍ତୁ ନାହିଁ: ସେ ବାହାରେ ହେଉ କି ଘରେ, ପାଦରେ କେବଳ ମୋଜା ଲଗାଇ ଚାଲିଲେ ତାହା ଅପରିଷ୍କାର ହୋଇଯାଏ ଏବଂ ସେଥିରେ ବ୍ୟାକ୍ଟେରିଆ ବଂଶବୃଦ୍ଧି କରିଥାଏ । ମୋଜା ଓଦା ଥିଲେ ସେଥିରେ ବ୍ୟାକ୍ଟେରିଆ ବୃଦ୍ଧି ପାଇବାର ଆଶଙ୍କା ଆହୁରି ବଢ଼ିଯାଏ ଏବଂ ମୋଜାରୁ ଓ ପାଦରୁ ଦୁର୍ଗନ୍ଧ ବାହାରେ ।
- ଜୋତାକୁ ସଫା ରଖନ୍ତୁ: ଜୋତାକୁ ସଫା କଲାବେଳେ ଏହାର ଉଭୟ ବାହାର ଓ ଭିତରପଟ ଭଲଭାବେ ସଫା କରନ୍ତୁ । ଏହାର ଇନସୋଲ୍ ଏବଂ ସୁ-ଲେସ୍ କୁ କ୍ଲୋରେକ୍ସିଡାଇନ୍ କିମ୍ବା ଅନ୍ୟ ଆଣ୍ଟିସେପ୍ଟିକ୍ ପାଣିରେ ବୁଡ଼ାଇ ରଖନ୍ତୁ । ଏହି ଆଣ୍ଟିସେପ୍ଟିକ୍ ପାଣିରେ ତୁଳାକୁ ଭିଜାଇ ଜୋତା ଭିତର ପଟକୁ ପୋଛନ୍ତୁ ।
- ଜୋତା ଶୁଖିଲା ରଖନ୍ତୁ: ବର୍ଷା ଦିନ ପାଇଁ ଦୁଇହଳ ଜୋତା ରଖିବା ଭଲ । ଫଳରେ ଗୋଟିଏ ଜୋତା ଓଦା ହେଲେ ତାହା ଶୁଖିବା ଯାଏଁ ଅନ୍ୟଟି ପିନ୍ଧିପାରିବେ । ଯଦି ଆପଣଙ୍କ ହଳେ ଜୋତା ଅଛି ଏବଂ ତାହା ଓଦା ହୋଇଗଲା, ତେବେ ତାହାକୁ ଶୁଖାଇବା ପାଇଁ ଜୋତା ଭିତରେ କିଛି ଖବରକାଗଜକୁ ମୋଡ଼ି ପୁରାଇ ଦିଅନ୍ତୁ ଓ ଗୋଟିଏ ରାତି ସେମିତି ଛାଡ଼ି ଦିଅନ୍ତୁ । ଖବରକାଗଜ ଜୋତା ଭିତରୁ ସମସ୍ତ ଆର୍ଦ୍ରତା ଶୋଷି ନେବ । ଏଥିପାଇଁ ଇଲେକ୍ଟ୍ରିକ୍ ଡ୍ରାୟର୍ ମଧ୍ୟ ବ୍ୟବହାର କରାଯାଇପାରେ ।
- ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ: ଯଦି ପାଦରୁ ଅତ୍ୟଧିକ ଏବଂ ଅସ୍ବାଭାବିକ ଭାବେ ଦୁର୍ଗନ୍ଧ ବାହାରୁଛି, ପାଦ କୁଣ୍ଡେଇ ହେଉଛି କିମ୍ବା ସେଥିରୁ ଚର୍ମ ଛାଡ଼ିବା ଭଳି ଲକ୍ଷଣ ଦେଖାଯାଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏହା କୌଣସି ଗୁରୁତର ସଂକ୍ରମଣ କିମ୍ବା ଗୋଲ କୃମିର ଲକ୍ଷଣ ହୋଇପାରେ ।
No Comment