କାଲସିୟମ୍ କାର୍ବାଇଡ ପ୍ରୟୋଗ – ପାଚିଲା ଫଳ ବିଷ


ସ୍ୱାସ୍ଥ୍ୟକର, ପୋୖଷ୍ଟିକ ଓ ସୁପାଚ୍ୟ ହୋଇଥିବାରୁ ସବୁ ବର୍ଗର ଲୋକଙ୍କର ଖାଦ୍ୟ ତାଲିକାରେ ପ୍ରଥମ ପସନ୍ଦ ହେଲା ଫଳ । ସଂପ୍ରତି ଆମ୍ବ, କଦଳୀ, ଅମୃତଭଣ୍ଡା, ସପେଟା ଆଦି ଫଳ ପାଚିବା ନିମନ୍ତେ କ୍ୟାଲସିୟମ୍ କାର୍ବାଇଡର ବହୁଳ ବ୍ୟବହାର ଆମକୁ ଯେ ଏକ ଘାତକ ମୃତ୍ୟୁ ଆଡକୁ ଟାଣି ନେଉଛି ଏହା ନିଃସନ୍ଦେହ । ସମ୍ବିଧାନର ୧୯୫୫ ଖାଦ୍ୟ ଅପମିଶ୍ରଣ ନିୟମ, ୨୦୧୧ ଖାଦ୍ୟ ନିରାପତ୍ତା ଓ ମାନକ ନିୟମ ଅନୁଯାୟୀ କାଲସିୟମ୍ କାର୍ବାଇଡ୍ ଦ୍ୱାରା ଫଳ ପଚାଇବା କାର୍ଯ୍ୟ ଆଇନତଃ ଦଣ୍ଡନୀୟ । ୨୦୧୫ ମସିହାରେ ଆନ୍ଧ୍ରପ୍ରଦେଶର ମାନ୍ୟବର ହାଇକୋର୍ଟ ଏ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କାଲସିୟମ୍ କାର୍ବାଇଡ୍ ବ୍ୟବହାର କରି ଫଳ ପଚାଯାଉଥିବା କାର୍ଯ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ଠାରୁ ମଧ୍ୟ ଅଧିକ ଦୋଷାବହ ଏବଂ ଏ କାର୍ଯ୍ୟରେ ଲିପ୍ତ ବ୍ୟକ୍ତି ପରୋକ୍ଷରେ ମାନବଜାତିର ଘାତକ ମୃତ୍ୟୁର କାରଣ । ଏଭଳି କୃତ୍ରିମ ଉପାୟରେ ଫଳ ପଚାଇ ବିକ୍ରି କରିବା ଏକ ଧର୍ତ୍ତବ୍ୟ ଅପରାଧ । ସମ୍ପୃକ୍ତ ବ୍ୟକ୍ତି ଧରା ପଡିଲେ ୫ ଲକ୍ଷ ଟଙ୍କା ଜରିମାନା ଓ ୬ ମାସ ଜେଲ୍ ଦଣ୍ଡର ପାଇବାର ବ୍ୟବସ୍ଥା ରହିଛି ।
ଏହି ନିୟମର କଡାକଡି ଅନୁପାଳନ କରାଯାଉନଥିବାରୁ ବ୍ୟବସାୟୀମାନେ ଫଳ ପଚାଇବା ପାଇଁ କାଲସିୟମ୍ କାର୍ବାଇଡ୍ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । ଫଳ କଞ୍ଚାଥିବା ଅବସ୍ଥାରେ ପରିବହନ ପାଇଁ ଉପଯୋଗୀ ହୋଇଥିବାରୁ ବ୍ୟବସାୟୀମାନେ ନିର୍ବିଚାରରେ କଞ୍ଚାଫଳକୁ କାଲସିୟମ୍ କାର୍ବାଇଡ ମାଧ୍ୟମରେ ପଚାଇ ବଜାରକୁ ଛାଡୁଛନ୍ତି । ଏହାର ଉପର ଭାଗ ଚିକ୍ ଚିକ୍ କରୁଥିଲେ ମଧ୍ୟ ଏହା ଯେ ଶରୀର ପାଇଁ କେତେ କ୍ଷତିକାରକ ତାହା ଏବେବି ଅଧିକାଂଶ ଲୋକଙ୍କ ଅଗୋଚରରେ ରହିଛି । ଏ ପ୍ରକାର ଫଳ ନିୟମିତ ଖାଇଲେ ଫୁସ୍ ଫୁସ୍ ରେ ପାଣି ଜମିବା ସହ ସବୁଦିନ ପାଇଁ ଦୃଷ୍ଟି ଶକ୍ତି ହରାଇବାର ଆଶଙ୍କା ରହିଛି । ଶ୍ୱାସକ୍ରିୟା ଜନିତ ସମସ୍ୟା, ଗଳା ପ୍ରଦାହ, ଚର୍ମ ରୋଗ, ଛାତି ଏବଂ ତଳିପେଟ ଜଳାପୋଡା, ପାକସ୍ଥଳୀରେ ଘା, ଡାଇରିଆ, ବାନ୍ତି, ସ୍ନାୟୁଗତ ସମସ୍ୟା, ସ୍ମରଣ ଶକ୍ତି ହ୍ରାସ, ମାନ୍ଦା ପଣ ଏବଂ ବ୍ରେନ୍ ଟ୍ୟୁମର ଆଦି ଘାତକ ରୋଗ ହେବାର ସମ୍ଭାବନା ରହିଛି ।
ଏଭଳି ଏକ ଭୟଙ୍କର ଦୁର୍ଗତିରୁ ରକ୍ଷା ପାଇବାକୁ ହେଲେ ଫଳ ପଚାଇବା ପାଇଁ ବୈଜ୍ଞାନିକ ପଦ୍ଧତିରେ ନିର୍ମିତ ପାଚନ ଗୃହ(ରାଇପେନିଂ ଚ୍ୟାମ୍ବର) ସଂଖ୍ୟା ବଢାଇବାକୁ ପଡିବ । ଦେଶରେ୯୧୩୧ଟି ରାଇପେନିଂ ଚ୍ୟାମ୍ବରର ଆବଶ୍ୟକତା ରହିଥିବାବେଳେ ଏବେ ମାତ୍ର ୮୧୨ଟିରେ ସୀମିତ ରହିଛି । ଏହି କାମ ପାଇଁ ୮ ରୁ ୧୦ ଜଣ କୁଶଳୀ ଶ୍ରମିକ ଆବଶ୍ୟକ । ସଂପ୍ରତି ଦେଶରେ ଥିବା ରାଇପେନିଂ ଚ୍ୟାମ୍ବର ଗୁଡିକରେ ଅଣକୁଶଳୀ ଶ୍ରମିକ କାର୍ଯ୍ୟ କରୁଥିବା ଯୋଗୁଁ ଫଳ ପଚାଇବା କାର୍ଯ୍ୟ ଠିକ୍ ଭାବେ ସଂପାଦିତ ହୋଇପାରୁନାହିଁ । ଏନ୍ସିସିଡିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପବନେକ୍ସ କୋହଲିଙ୍କ ମତରେ ରାଇପେନିଂ ଚ୍ୟାମ୍ବରରେ ପଚାଯାଉଥିବା ଫଳ ବେଶୀ ଦିନ ସୁରକ୍ଷିତ ରହିପାରିବ ନାହିଁ ଏବଂ ଅଧିକ ଦୂର ବାଟ ପରିବହନ ମଧ୍ୟ କରିହେବ ନାହିଁ । ବଜାର ନିକଟରେ ରାଇପେନିଂ ଚ୍ୟାମ୍ବର ଗୁଡିକ ନିର୍ମାଣ କରି ଏହି ଅସୁବିଧା ଦୂର କରାଯାଇପାରିବ । ଜନସଚେତନତା ମାଧ୍ୟମରେ କାଲସିୟମ୍ କାର୍ବାଇଡ ଦ୍ୱାରା ପକ୍ୱ ହେଉଥିବା ଫଳ ଖାଇବାରୁ ଲୋକଙ୍କୁ ନିବୃତ୍ତ କରାଯାଇପାରିବ ବୋଲି ଇଗ୍ନୋ କୃଷି ଶିକ୍ଷାର ନିର୍ଦ୍ଦେଶକ ଶୈଳେନ୍ଦ୍ର କୁମାର ଯାଦବ କହିଛନ୍ତି ।

ସୌଜନ୍ୟ→ ଓଡ଼ିଶା ପଞ୍ଚାୟତ ସମାଚାର

Previous କ୍ଷମତା ବିରୋଧୀ ଭୋଟ ବିଭାଜନ ମସୁଧା
Next ପ୍ରସ୍ତୁତ କରନ୍ତୁ ସଂରକ୍ଷଣ ଦ୍ରବ୍ୟ: ଫଳ ଓ ପନିପରିବାକୁ ସାଇତି ରଖନ୍ତୁ ମାସ ମାସ ଯାଏଁ

No Comment

Leave a reply

Your email address will not be published. Required fields are marked *