ବିଟ୍‌ର ଉପକାରିତା

Benefits of Beet root

ଆଜିର ବ୍ୟସ୍ତ ବହୁଳ ଜୀବନରେ ମଣିଷ ପ୍ରତିଦ୍ୱନ୍ଦି ମନୋଭାବ ନେଇ ଆଗକୁ ମାଡ଼ିଚାଲିଥିବା ବେଳେ ସମୟର ଅଭାବ ବାହାନାରେ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରୁଛି । ଗୋଟିଏ ସୁସ୍ଥ ଶରୀର ଓ ମନ ପାଇଁ ଉତ୍ତମ ଜୀବନଶୈଳୀ ସହିତ ସନ୍ତୁଳିତ ଭୋଜନ ନିହାତି ଜରୁରୀ । ସନ୍ତୁଳିତ ଖାଦ୍ୟ ଅଭାବରୁ ବର୍ତ୍ତମାନ ଅଧିକାଂଶ ଲୋକଙ୍କୁ କର୍କଟ, ମଧୁମେହ, ରକ୍ତଚାପ, ହୃଦରୋଗ, ରକ୍ତହୀନତା ଅଦି ମାରାତ୍ମକ ରୋଗ ଆକ୍ରାନ୍ତ କରୁଥିବାର ଦେଖା ଯାଉଛି । କିଛିଟା ସାବଧାନତା ସହ ବିଟ୍‌ର ବ୍ୟବହାର ଆମ ଦୈନନ୍ଦିନ ଖାଦ୍ୟ- ପେୟରେ ବ୍ୟବହାର କରିଲେ କିଛି ରୋଗକୁ ଏଡାଇ ହେବ ।
ତେବେ ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ପାଇଁ ବିଟ୍‌ର ଉପକାରିତା ବିଷୟରେ –
୧. ରକ୍ତହୀନତା ପାଇଁ ହିତକାରୀ – ବିଟ୍‌ରେ ଲୌହ, ଫୋଲିକ୍ ଏସିଡ୍‌, ପୋଟାସିୟମ୍‌, ଓ ଫାଇବରର ମାତ୍ରା ଭରପୁର ରହିଥାଏ, ଯାହା କି ରକ୍ତରେ ହେମୋଗ୍ଲୋବିନ ବୃଦ୍ଧି କରିବାରେ ସହାୟକ ହୁଏ । ହେମୋଗ୍ଲୋବିନ ହେଉଛି ଏକ ପ୍ରକାର ପ୍ରୋଟିନ ଯାହା ନାଲି ରକ୍ତ କୋଷିକାରେ ଦେଖାଯାଏ । ଏହା ଶରୀରରେ ଅମ୍ଳଜାନ ସଂଚାଳନ କରିବାରେ ସାହାଯ୍ୟ କରିଥାଏ । ବିଟ୍ ଶରୀରରେ ନାଲି ରକ୍ତ କୋଷିକାର ବୃଦ୍ଧି ସହ କ୍ରିୟାଶୀଳ କରିଥାଏ । ଏ କ୍ଷେତ୍ରରେ ବିଟ୍ ଜୁସ୍ ଅଧିକ ଲାଭପ୍ରଦ ହୋଇଥାଏ ।
୨. ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ କରିଥାଏ – ବିଟ୍‌ରେ ଫାଇଟୋ କେମିକାଲ୍ସ୍‌(Phyto chemicals) ନାମକ ତତ୍ୱ ଅଛି ଯାହା ଶରୀରରେ ଗ୍ଲୁକୋଜ ବା ଶର୍କରା ଓ ଇନ୍ସୁଲିନ୍‌ର ମାତ୍ରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଇନସୁଲିନ୍ ହେଉଛି ଏକ ପ୍ରକାର ହରମୋନ୍ ଯାହା ପାକସ୍ଥଳୀରୁ ସୃଷ୍ଟି ହୋଇଥାଏ ଓ ଏହା ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରିତ କରେ । ଏକ ଗବେଷଣାରୁ ଜଣାଯାଏ ଯେ ଦିନକୁ ଥରେ ଭୋଜନ ପରେ ଅଧ କପ ବିଟ୍ ଜୁସ୍ ସେବନ କଲେ ତାହା ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରିତ କରିଥାଏ ।
୩. ଉଚ୍ଚ ରକ୍ତଚାପ କମ କରେ – ବିଟ୍‌, ଅମ୍ଳ(Nitrate) ଯୁକ୍ତ ହୋଇଥିବାରୁ ଉଚ୍ଚ ରକ୍ତ ଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏକ ଗବେଷଣାରୁ ଜଣା ଯାଏ ଯେ ପ୍ରତି ଦିନ କପେ ବିଟ୍ ଜୁସ୍ ସେବନ ଦ୍ୱାରା କିଛି ଦିନ ମଧ୍ୟରେ ରକ୍ତ ବାହିକା ମାନଙ୍କ ବିସ୍ତାର ଓ ରକ୍ତ ପ୍ରବାହ ଉତ୍ତମ ରୂପରେ ହେବା ସହ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ । ଏହା ଟାଇପ ୨ ଡାଇବେଟିସ୍ ରୋଗିମାନଙ୍କ ପାଇଁ ମଧ୍ୟ ହିତକାରି । ବିଟ୍‌କୁ ଉଭୟ କଞ୍ଚା ଓ ରନ୍ଧା ଆକାରରେ ସେବନ କରିବା ଦେହ ପାଇଁ ହିତ କାରକ ।
୪. କର୍କଟ ରୋଗ ପ୍ରତିରୋଧକ – ବିଟ୍‌ରେ ବେଟାଲାଇନ୍ ନାମକ ପୋଷକ ରହିଛି, ଯାହା ଏଣ୍ଟି ଅକ୍ସିଡାଣ୍ଟ ପରି କାମ କରିଥାଏ । ଏହା ଶରୀରରେ କର୍କଟ କୋଷ ଗୁଡିକର ବୃଦ୍ଧିକୁ ରୋକିଥାଏ । ଏଥିରେ ଥିବା ଭିଟାମିନ ‘ସି’ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।
୫. ଚର୍ମ ପାଇଁ ଉତ୍ତମ – ବିଟ୍‌ରେ ଭିଟାମିନ୍ ‘ଏ’ ଓ କେରାଟିନ୍ ବହୁ ମାତ୍ରାରେ ଥାଏ । ଯାହା ଏଣ୍ଟି ଅକ୍ସିଡେଣ୍ଟ ପରି କାମ କରିଥାଏ ଓ ରୋମ ଛିଦ୍ର ଗୁଡିକ ବନ୍ଦ କରିବା ସହ ସୁନ୍ଦର ଓ ସୁସ୍ଥ ତ୍ୱଚା ପ୍ରଦାନ କରିଥାଏ । ଏହା ସହ ଗୋଲାପି ଓଠ ପାଇଁ ବିଟ୍ ରସ ସହ ମହୁ, ଗ୍ଲିସେରିନ ମିଶାଇ ଲଗାଇଲେ ଉପକାର ମିଳିଥାଏ । ନିୟମିତ ବିଟକୁ ସାଲାଡ୍‌, ଜୁସ୍ କିମ୍ବା ତରକାରୀ ରୂପରେ ବ୍ୟବହାର କରିଲେ ତ୍ୱଚା ଉଜ୍ୱଳ ହୋଇଥାଏ । ତ୍ୱଚାରୁ ତେଲିଆ ପଣ ଦୂର କରିବାରେ ବିଟ୍ ସହାୟକ ହୋଇଥାଏ ।

Previous ଜମୁଛି ଆଦିବାସୀ ମେଳା, ୮ଦିନରେ ତିନି କୋଟିରୁ ଅଧିକ ବେପାର
Next କୃଷିକ୍ଷେତ୍ରରେ ପ୍ରାକୃତିକ ଫସଲ ସୁରକ୍ଷା କୌଶଳର ଆବଶ୍ୟକତା

No Comment

Leave a reply

Your email address will not be published. Required fields are marked *