କଦଳୀ ଚାଷରୁ ଲକ୍ଷପତି

use of organic fertilizer for better yield

ଯୁବ ଉଦ୍ୟୋଗୀ ରନ୍ଦୀପ ପ୍ରଧାନ

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଅକ୍ଷରଶୀଳା ଗାଁର ଜଣେ ଯୁବ ଉଦ୍ୟୋଗୀ ରନ୍ଦୀପ ପ୍ରଧାନ । ଏମବିଏ ପାଠ ପଢ଼ି ଚାକିରୀ ପଛରେ ନଗୋଡ଼ାଇ ଚାଷକୁ ସେ ଆଦରି ନେଇଛନ୍ତି । ଲିଜର ସେ ନେଇଥିବା ଜମିରେ କଦଳୀ ଚାଷ କରି ବେଶ ଭଲ ରୋଜଗାର କରୁଛନ୍ତି । ଗାଁ ପାଖରେ ୪ ଏକର ଜମି ଲିଜ୍ ନେଇ ସେ ପ୍ରଥମେ କଦଳୀ ଚାଷ ଆରମ୍ଭ କଲେ । ଏଥିପାଇଁ ସେ ସିଙ୍ଘଶାଳ ସମିତିରୁ କିଛି ଋଣ ଆଉ କିଛି ନିଜର ପୁଞ୍ଜି ମିଶାଇ ସମୁଦାୟ ୪ ଲକ୍ଷ ଟଙ୍କା ବିନିଯୋଗ କଲେ ଚାଷରେ । ଭୁବନେଶ୍ୱରରୁ ସେ ସଂଗ୍ରହ କରିଥିଲେ ଜି-୯ କିସମର ୧୫୦୦ ଚାରା ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଉଚିତ ଜ୍ଞାନ କୌଶଳର ଅଭାବରୁ ତାଙ୍କୁ କ୍ଷତି ସହିବାକୁ ପଡ଼ିଥିଲା । ଏହାର ସମାଧାନର ପାଇଁ ଉଦ୍ୟାନ କୃଷି ବିଶେଷଜ୍ଞଙ୍କ ପରମର୍ଶ ନେଇ ଲାଗିପଡ଼ିଲେ ସେ କିଭଳି କ୍ଷତି ଭରଣା କରିବେ । କଦଳୀ ବଗିଚାର ଉଚିତ ଯତ୍ନ ସାଙ୍ଗକୁ ଗଛରେ ପାଣି ମଡ଼ାଇବାର ସ୍ଥାୟୀ ବନ୍ଦୋସ୍ତ କରିଛନ୍ତି ରନ୍ଦୀପ । ଚାରା ଲଗାଇବାର ୯ମାସ ପରେ ଫଳ ଧରିବା ଆରମ୍ଭ ହେଲା । ଯଥେଷ୍ଟ ପୂର୍ବରୁ କଦଳୀ ବିକ୍ରି ପାଇଁ ବଜାର ବ୍ୟବସ୍ଥା କରିପାରିଥିବାରୁ ପ୍ରଥମ ପର୍ଯ୍ୟାୟରେ ରନ୍ଦୀପ ଏକ ଲକ୍ଷ ଟଙ୍କା ଲାଭ ପାଇଲେ । ଅଧିକ ଲାଭ ଆଶାରେ ସେ ଏବେ ଚାଷ ଜମି ପରିମାଣ ୭ ଏକରକୁ ବଢ଼ାଇଛନ୍ତି । ସେଥିରୁ ୪ ଏକର ଜମିରେ କେବଳ କଦଳୀ ଚାଷ କରୁଥିବା ବେଳେ ଆଉ ୩ ଏକରରେ ସମନ୍ୱିତ ଚାଷ ପ୍ରଣାଳୀରେ ଆମ୍ଭ ବଗିଚା ସାଙ୍ଗକୁ କଦଳୀ ଚାରା ଲଗାଇଛନ୍ତି ।

ଆଜିକାଲି ରାସାୟନିକ ସାର ବଦଳରେ ଜୈବିକ ସାର ବ୍ୟବହାର ଚାହିଦା ବଢ଼ିଥିବାରୁ ରନ୍ଦୀପ ଏକ ଜିଆଖତ ୟୁନିଟ୍ ମଧ୍ୟ ପ୍ରତିଷ୍ଠା କରିଛନ୍ତି । ଚାଷ କାମରେ ରାସାୟନିକ ସାର ବାବଦକୁ ତାଙ୍କୁ ଆଉ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁନାହିଁ । ସବୁ ଖର୍ଚ୍ଚବାର୍ଚ୍ଚ ଯାଇ କଦଳୀ ଚାଷରୁ ସେ ଏବେ ବାର୍ଷିକ ୨ ଲକ୍ଷ ଟଙ୍କା ଲାଭ ପାଉଛନ୍ତି । ଚାଷରୁ ମିଳୁଥିବା ଆୟରୁ ସେ ଗୋଟିଏ ଟ୍ରାକ୍ଟର ମଧ୍ୟ କିଣିଛନ୍ତି । କଦଳୀ ଚାଷକୁ ନିଜର ରୋଜଗାରର ମାଧ୍ୟମ କରିଥିବା ରନ୍ଦୀପ ଏବେ ଜଣେ ସଫଳ ଚାଷୀ ।

ସୌଜନ୍ୟ – ଓଡ଼ିଶା ପଞ୍ଚାୟତ ସମାଚାର

Previous ରାତିରେ ନିଦ ଆସୁନି କି? ମାନନ୍ତୁ ଡାକ୍ତରଙ୍କ ଏହି 5ଟି ପରାମର୍ଶ
Next କେଉଁ ରାଜ୍ୟରେ କେତେ ଭିକାରି? ଟପ୍ 10ରେ ଓଡ଼ିଶାର ସ୍ଥାନ କେତେ?

No Comment

Leave a reply

Your email address will not be published. Required fields are marked *