ବିକଳ୍ପ ବିଦ୍ୟୁତ ସେବା ଯୋଗାଏ ଗୋବର ଗ୍ୟାସ ପ୍ଲାଣ୍ଟ

Bio Gas and Gobar Gas

ରାଜ୍ୟର ଅନେକ ଉପାନ୍ତ ଅଞ୍ଚଳ ବା ଗାଁ ରହିଛି ଯେଉଁଠିକି ବିଦ୍୍ୟୁତ ସଂଯୋଗ ହୋଇ ପାରି ନାହିଁ । ବିଦ୍ୟୁତ ଆଲୋକକୁ ବହୁଦିନ ଧରି ଅପେକ୍ଷା କରିଥିବା ସେହି ଅଞ୍ଚଳର ଅଧିବାସୀ ଦୁର୍ଦଶା ଭୋଗୁଛନ୍ତି । ଡ଼ବି ଆଲଅରେ ଦିନ ବିତାଉଥିବା ଲୋକମାନେ ପଙ୍ଖା ପବନ କଥା ଚିନ୍ତାବି କରି ନଥିବେ । ହେଲେ ନିଜ ଉଦଯୋଗ ଓ ସରକାରୀ ସହାୟତାରେ ଗୋବର ଗ୍ୟାସ ପ୍ଲାଣ୍ଟରୁ ବିଦ୍ୟୁତ ଉତ୍ପନ୍ନ କରି ସମସ୍ତ ସୁବିଧା ଉପଭୋଗ କରିପାରିବେ ଉପାନ୍ତ ଅଧିବାସୀ । କେବଳ ଉପାନ୍ତାଞ୍ଚଳ କି ଗାଁ ନୁହେଁ ସହରରେ ବି ଗୋବର ଗ୍ୟାସ ପ୍ଲାଣ୍ଟ ତିଆରି କରି କମ ଖର୍ଚ୍ଚରେ ବିଦ୍ୟୁତ ଓ ଜାଳେଣି ଗ୍ୟାସ ପାଇପାରିବେ । ବଢୁଥିବା ବିଦ୍ୟୁତ ଶୁଳ୍କ ଓ ଜାଳେଣିରୁ ଗୋବର ଗ୍ୟାସ ପ୍ଲାଣ୍ଟ ମୁକ୍ତି ଦେବ ନିଶ୍ଚୟ । ତେବେ କିପରି କରିବେ ଗୋବର ଗ୍ୟାସ ପ୍ଲାଣ୍ଟ ସେ ବିଷୟରେ ଜାଣନ୍ତୁ…

ପ୍ଲାଣ୍ଟ ତିଆରି ପ୍ରଣାଳୀ

ଗୋବର ଗ୍ୟାସରେ ୫୫ରୁ୫୭ ପ୍ରତିଶତ ମିଥେନ୍, ଉଦ୍ଯାନ ଓ ଅଙ୍ଗାରକାମ୍ଳ ଗ୍ୟାସ ରହୁଥିବାରୁ ଏହାକୁ ବ୍ୟବହାର କରି ରୋଷେଇ କରାଯିବା ସହ ଆଲୁଅ ଓ ପଙ୍ଖା ଚଲାଇ ପାରିବେ । ନିଜର ଚାହିଦା ଅନୁଯାୟୀ ପ୍ଲାଣ୍ଟ ଛୋଟବା ବଡ଼ କରିପାରିବେ । ମୁଖ୍ୟତଃ ୧ରୁ୪ ଘନମିଟର ଗଭିର ପ୍ଲାଣ୍ଟ ତିଆରି ହୋଇଥାଏ । ୧ ଘନମିଟର ଟାଙ୍କିରେ ଦୈନିକ ୨୫କିଲୋ ଗୋବର ବ୍ୟବହାର କଲେ ଉତ୍ପନ୍ନ ହେଉଥିବା ଗ୍ୟାସରୁ ୩ରୁ୪ ଜଣଙ୍କ ପାଇଁ ରୋଷେଇ ସହ ବଲବ ଓ ପଙ୍ଖା ଚାଲି ପାରିବ । ଏଥିପାଇଁ ୨ରୁ୩ଟି ଗାଈର ଗୋବର ଆବଶ୍ୟକ ହୋଇଥାଏ । ଏଥିରେ ପ୍ରାୟ ୮ରୁ୯ ହଜାରଟଙ୍କା ଖର୍ଚ୍ଚ ହୋଇଥାଏ । ସେହିଭଳି ୨ଘନମିଟର ଟାଙ୍କି ପାଇଁ ଦୈନିକ ୫୦ କିଲୋ ଗୋବର ବ୍ୟବହାର କରି ୫ରୁ୬ଜଣଙ୍କ ପାଇଁ ରୋଷେଇ କଲାଭଳି ଗ୍ୟାସ ଉତ୍ପନ୍ନ ହୋଇ ପାରିବ  । ଏଥିରେ ପାଖାପାଖି ୪ରୁ୫ଟି ଗାଈର ଗୋବର ଆବଶ୍ୟକ ଥିବାବେଳେ ୧୦ରୁ୧୧ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ୩ଘନମିଟର ପ୍ଲାଣ୍ଟ ପାଇଁ ୭୫ କିଲୋ ଗୋବରର ଆବଶ୍ୟକ ଥିବା ବେଳେ ଏଥିରୁ ଉତ୍ପନ୍ନ ଗ୍ୟାସରେ ୮ରୁ୧୨ ଜଣ ବ୍ୟକ୍ତଙ୍କ ପାଇଁ ରୋଷେଇ କରିହେବ । ଏଥି ପାଇଁ ୬ରୁ୭ଟି ଗାଈର ଗୋବର ଆବଶ୍ୟକ ହୋଇଥାଏ । ୧୩ରୁ୧୪ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ । ସେହିଭଳି ୪ଘନମିଟର ପ୍ଲାଣ୍ଟ ପାଇଁ ୧୦୦ କିଲୋ ଗୋବର ଦରକାର ପଡ଼ିଥାଏ । ଏଥିପାଇଁ ପାଖାପାଖି ୧୬୫୦୦ ଟଙ୍କା ଖର୍ଚ୍ଚ ହେବା ସହ ୧୨ରୁ୧୬ ଜଣଙ୍କ ପାଇଁ ରୋଷେଇ ହୋଇପାରିବ । ଏଥିରେ ୮ରୁ୯ଟି ଗାଈର ଗୋବର ଲାଗିଥାଏ ।

ଗ୍ୟାସ କେମିତି ସୃଷ୍ଟି ହୁଏ?

ପ୍ରଥମେ ଗୋଟିଏ ପାତ୍ରରେ ଗୋବର, ଘରୋଇ ଆବର୍ଜନା ଓ ପାଣି ମିଶାଇ ପ୍ରବେଶ ନଳୀ ଦେଇ ଟାଙ୍କି ଭିତରକୁ ଛାଡ଼ନ୍ତୁ । ଅମ୍ଲଜାନ ଅନୁପସ୍ଥିତିରେ ଏହି ଜୈବ ପଦାର୍ଥ ପଚି ସେଥିରୁ ବାୟୋ ଗ୍ୟାସ ବାହାରି ଥାଏ । ଏହି ଗ୍ୟାସକୁ ଟାଙ୍କି ସହ ସଂଯୋଗ ହୋଇଥିବା ନିର୍ଗମ ନଳୀ ଦେଇ ସଂଗ୍ରହ କରାଯିବା ସହ ରୋଷେଇ ବା ବଲବ-ପଙ୍ଖା ଜଳାଇବାରେ ବ୍ୟବହାର କରାଯାଏ । ଏହାସହ ଅଦରକାରୀ ଜୈବ ପଦାର୍ଥ ହାଲୁକା ହୋଇ ନିର୍ଗମ ନଳୀ ଦେଇ ବାହାରକୁ ଆସିଥାଏ । ଏହାକୁ ଖତଭାବେ ମଧ୍ୟ ବ୍ୟବହାର କରିପାରିବେ । ଖୋଲା ସୂର୍ଯ୍ୟାଲୋକ ପାଉଥିବା ସ୍ଥାନରେ ଗୋବର ଗ୍ୟାସ ପ୍ଲାଣ୍ଟ ସ୍ଥାପନ କରିବା ଭଲ । ଏହାସହ ରୋଷେଇ ଘର ଓ ଗୁହାଳ ନିକଟ ବର୍ତ୍ତି ହେବା ଅଧିକ ଭଲ । ଭୂମିର ଜଳ ପତନ ୨ ମିଟର ତଳେ ରହିବା ଆବଶ୍ୟକ । ପିଇବା ପାଣି ଯୋଗାଉଥିବା କୂଅଠାରୁ ୧୫ ମିଟରା ଦୂରରେ ଗ୍ୟାସ ପ୍ଲାଣ୍ଟ ବସାନ୍ତୁ ।

ଲାଭ କଣ?

ଏହା ଦ୍ୱାରା ଗୋବର ଏଣେ ତେଣେ ପଡ଼ି ପରିବେଶ ନଷ୍ଟ କରିନଥାଏ । ଘରର ବିଦ୍ୟୁତ ଓ ଜାଳେଣି ଖର୍ଚ୍ଚ ବଞ୍ଚିଥାଏ । ଏହାସହ ଏଥିରୁ ବାହାରୁ ଥିବା ବର୍ଜ୍ୟକୁ ସାରଭାବେ ବ୍ୟବହାର କରିପାରିବେ । ବିକଳ୍ପ ବିଦ୍ୟୁତ ସେବା ଯୋଗାଇଥାଏ । ଜଳ ଓ ବାୟୁ ପ୍ରଦୂଷଣ ରୋକିଥାଏ । ଏଥି ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଋଣ ଓ ରିହାତି ବ୍ୟବସ୍ଥା ରହିଛି ।

 

Previous ଉପକାରୀ ଅର୍ଜୁନ ଗଛ
Next ବଢ଼ିଲା ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ଫର୍ମପୂରଣ ସମୟସୀମା, ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଯୁକ୍ତ ୨ ପରୀକ୍ଷା

No Comment

Leave a reply

Your email address will not be published. Required fields are marked *