ଗୋପାଳନରୁ ଓମଫେଡ଼ ଅଧ୍ୟକ୍ଷ

A journey from Dairy farming to omfed Chairperson

କଟକ ଜିଲ୍ଲା କଣ୍ଟାପଡା ବ୍ଲକରେ ଥିବା ପାଟସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ଭୋଦଳ ଗାଁର ସରୋଜିନୀ ମିଶ୍ର । ସେ କେବଳ ଜଣେ ମହିଳା ଚାଷୀ ନୁହଁନ୍ତି ଏକାଧାରାରେ ଜଣେ ସମାଜସେବୀ, ସମବାୟ ଆନ୍ଦୋଳନର ନେତ୍ରୀ ଏବଂ ରାଜନେତ୍ରୀ । ବାହାଘରର ଅଳ୍ପ କିଛି ବର୍ଷ ପରେ ସ୍ୱାମୀ ସତ୍ୟବାଦୀ ମିଶ୍ର ମାତ୍ର ୨୬ ବର୍ଷ ବୟସରେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ । ନିଜର ଦୁଇ ପିଲା ଓ ବୟସ୍କ ଶାଶୁ, ଶ୍ୱଶୁରଙ୍କର ଦାୟିତ୍ୱର ଭାର ପଡିଲା ସରୋଜିନୀଙ୍କ ଉପରେ । ପରିସ୍ଥିତିର ମୁକାବିଲା ପାଇଁ ସାହସ ଜୁଟାଇ ଘର ଏରୁଣ୍ଡିବନ୍ଧ ଡେଇଁଲେ ସରୋଜିନୀ । ନିଜ ଜମିର ନିଜେ ଦେଖାଶୁଣା କରି ଚାଷ କାମରେ ମନ ବଳାଇଲେ । ଚାଷରୁ ଯାହା ଉତ୍ପାଦନ ହୁଏ ନିଜେ ଖାଇବା ସହ ବଳକା ଖାଦ୍ୟଶସ୍ୟ ଓ ଫଳ ବଜାରରେ ବିକ୍ରି କରି ପରିବାରର ଖର୍ଚ୍ଚ ବହନ କରୁଥିଲେ ସେ । ପିଲାଙ୍କ ପାଠପଢା ଓ ଶାଶୁ, ଶ୍ୱଶୁରଙ୍କର ଔଷଧପତ୍ର ଖର୍ଚ୍ଚକୁ ଚାଷବାସରୁ ଉପାର୍ଜିତ ଅର୍ଥରେ ଭରଣା କରିବା ସମ୍ଭବ ହେଉନଥିଲା ।


ଗାଁ ଲୋକଙ୍କ ପରାମର୍ଶ କ୍ରମେ ସେ ପ୍ରଥମେ ଦୁଇଟି ଜର୍ସି ଗାଈ ରଖି ଗୋପାଳନ ଆରମ୍ଭ କଲେ । ଦୁଗ୍ଧ ବିକ୍ରିରୁ ଲାଭ ଦେଖି ବ୍ୟବସାୟିକ ଭିତ୍ତିରେ ଦୁଗ୍ଧ ଉତ୍ପାଦନ କରିବା ପାଇଁ ସ୍ଥିର କଲେ ସରୋଜିନୀ । ଡିଆଇସି ଋଣ ପାଇ ସେ ୧୮ଟି ଗାଈ କିଣିଲେ । ସେ ୧୯୮୬ ନଭେମ୍ବର ମାସରେ ଭୋଦଳ ଗାଁର ଦୁଗ୍ଧ ଉତ୍ପାଦନ କରୁଥିବା କିଛି ଚାଷୀଙ୍କୁ ନେଇ ଏକ ପ୍ରାଥମିକ ଦୁଗ୍ଧ ଉତ୍ପାଦନକାରୀ ସମବାୟ ସମିତି ଗଠନ କରିଲେ । ସେହି ସମବାୟ ସମିତିରେ ସରୋଜିନୀ ଏକ ମାତ୍ର ମହିଳା ସଦସ୍ୟ ଥିଲେ । ସେ ୧୯୮୯ରେ ଓଡ଼ିଶାର ପ୍ରଥମ ମହିଳା ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଭୋଦଳ ଗାଁରେ ଗଠନ କଲେ । ସେହି ସମିତିରେ ଏବେ ୨୫ଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ନେଇ ସମୁଦାୟ ୩୦୨ ଜଣ ମହିଳା ଚାଷୀ ଗୋପାଳନରେ ନିୟୋଜିତ ଅଛନ୍ତି । ଓମଫେଡ଼ ପ୍ରତିଦିନ ଗାଁକୁ ଆସି ଏହି ସମବାୟ ସମିତିରୁ କ୍ଷୀର ନେଉଛି । ଦୈନିକ ୧୦୦୦ରୁ ୧୨୦୦ ଲିଟର କ୍ଷୀର ଉତ୍ପାଦନ ହେଉଛି ପାଟସୁନ୍ଦରପୁର ପଞ୍ଚାୟତର ଭୋଦଳଠାରେ ଥିବା ଏହି ସମବାୟ ସମିତିରୁ ।

କଟକ, ଜଗତସିଂପୁର, କେନ୍ଦ୍ରାପଡ଼ା ଓ ଯାଜପୁର ୪ଟି ଜିଲ୍ଲାକୁ ନେଇ କଟକ ମିଲ୍କ ୟୁନିୟନ ଗଠନ କରିଛନ୍ତି ସରୋଜିନୀ । ସେହି ୟୁନିୟନରେ ୯୪ ହଜାର ଚାଷୀ ରହିଥିବା ବେଳେ ୩୭ ହଜାର ମହିଳା ଚାଷୀ ଅଛନ୍ତି । ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସମବାୟ ସମିତି ଜରିଆରେ ଚାଷୀଙ୍କୁ ବିଭିନ୍ନ ତାମିଲ ଦେବା ଯୋଗୁଁ ୟୁନିୟନରେ ସାମିଲ ଥିବା ସଦସ୍ୟମାନେ ଦୁଗ୍ଧ ଉତ୍ପାଦନ ଭଲଭାବେ କରିପାରୁଛନ୍ତି । କଟକ ୟୁନିୟନ ମାଧ୍ୟମରେ ଏବେ ଓମଫେଡ଼କୁ ପ୍ରତିଦିନ ୩ ଲକ୍ଷ ୪୦ ହଜାର ଲିଟର ଦୁଗ୍ଧ ସଂଗ୍ରହ କରି ପଠାଯାଉଛି ।


ଏକ ସମବାୟ ଆନ୍ଦୋଳନ କରି ଅନନ୍ୟ ସଫଳତା ହାସଲ କରିଥିବା ସରୋଜିନୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ପୁରସ୍କୃତ କରାଯାଇଛି । ମହିଳା ଦୁଗ୍ଧ ଚାଷୀଙ୍କ ପ୍ରତିନିଧି ହୋଇ ରାଜ୍ୟ ବାହାରେ ଥିବା ଅନ୍ୟ ସଫଳ ଦୁଗ୍ଧ ଉତ୍ପାଦନକାରୀ ସମବାୟ ମହାସଂଘ ପରିଦର୍ଶନ କରିଛନ୍ତି ସରୋଜିନୀ । ସେ ଏବେ ଓମଫେଡ଼ର ଅଧ୍ୟକ୍ଷ ଭାବେ ନିୟୋଜିତ ଅଛନ୍ତି । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ପାଇଁ ତାଙ୍କର ଚେଷ୍ଟା ଜାରି ରହିଛି । ରାଜ୍ୟ ସରକାରଙ୍କ ସହାୟତାରେ ୫୧ ଏକର ପରିମିତ ସ୍ଥାନରେ ଦୈନିକ ୫ ଲକ୍ଷ ଲିଟର କ୍ଷମତା ସମ୍ପନ୍ନ ଓମଫେଡ଼ର ଏକ ପ୍ଲାଣ୍ଟ ସ୍ଥାପନ କରାଯାଇଛି କଟକ ଜିଲ୍ଲା ବାରଙ୍ଗ ନିକଟସ୍ଥ ଅରିଲୋ ଗାଁରେ  । ୨୦୧୯ ସୁଦ୍ଧା ଏହି ପ୍ଲାଣ୍ଟକୁ ୧୦ ଲକ୍ଷ ଲିଟର ଉତ୍ପାଦନକ୍ଷମ କରିବା ପାଇଁ ଯୋଜନା ରଖିଛନ୍ତି ସରୋଜିନୀ ।

ଅଳ୍ପ ଖର୍ଚ୍ଚରେ ଗୋପାଳ କରିବା ଓ ଘାସ ଚାଷ ପାଇଁ ସରୋଜିନୀ ସର୍ବଦା ଚାଷୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ତାଙ୍କର ଲକ୍ଷ୍ୟ ରହିଛି “ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବଢାଇ ଚାଷୀଙ୍କୁ ରୋଜଗାରକ୍ଷମ କରିବା । ସେଥିପାଇଁ ତାଙ୍କୁ ସରକାରୀ ସହଯୋଗ ମିଳିଲେ ସ୍କୁଲ ଏବଂ ଅଙ୍ଗନୱାଡ଼ିରେ ଛୋଟ ପିଲାଙ୍କୁ ଦିଆଯାଉଥିବା ଖାଦ୍ୟରେ କ୍ଷୀର ଦିଆଗଲେ ଚାଷୀଙ୍କ ରୋଜଗାର ବଢ଼ିବା ସହ ପିଲାମାନଙ୍କର ପୁଷ୍ଟି ବଜାୟ ରହିବ” ବୋଲି କୁହନ୍ତି ସରୋଜିନୀ ।

ସୌଜନ୍ୟ – ଓଡ଼ିଶା ପଞ୍ଚାୟତ ସମାଚାର

Previous ଷ୍ଟିଲ ସିଟିରୁ ଉଡ଼ିବ ବିମାନ
Next ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତର ମଙ୍ଗ ଧରିବେ ମିତାଲି

No Comment

Leave a reply

Your email address will not be published. Required fields are marked *