ସ୍ମାର୍ଟଫୋନ୍ ବ୍ୟାଟେରୀକୁ ନେଇ ଚିନ୍ତିତ କି? ଫୋନ୍ ଚାର୍ଜ କରିବା ସମୟରେ ଧ୍ୟାନ ଦିଅନ୍ତୁ

Smartphone Charging

ଆଜିକାଲି ବିଭିନ୍ନ ବ୍ରାଣ୍ଡ୍ ଓ ମଡେଲର ସ୍ମାର୍ଟଫୋନ ସହିତ ବିଭିନ୍ନ ପ୍ରକାର ବ୍ୟାଟେରୀ ଆସିଥାଏ । ଯଦିଓ ଅଧିକାଂଶ ଫୋନରେ ଲିଥିୟମ-ଆୟନ ବ୍ୟାଟେରୀ ଥାଏ, ତଥାପି ବିଭିନ୍ନ ବ୍ରାଣ୍ଡ୍ ଓ ମଡେଲ୍ ପାଇଁ 3000, 3500, 4000 ଭଳି ଭିନ୍ନ ଭିନ୍ନ ଏମ୍ଏଏଚ୍ (mAh) ବା ମିଲିଆମ୍ପ୍ ଆୱାର୍ ବିଶିଷ୍ଟ ହୋଇଥାଏ । ଅଧିକାଂଶ ଲୋକ ସେମାନେ କିଣିଥିବା ଫୋନରେ କିପରି ଅଧିକ ସମୟ ଚାର୍ଜ ବଜାୟ ରହିବ ଏବଂ ବ୍ୟାଟେରୀରୁ କିପରି ଶୀଘ୍ର ଚାର୍ଜ ଖାଲି ହେବ ନାହିଁ ସେନେଇ ଚିନ୍ତିତ ଥାଆନ୍ତି । କିନ୍ତୁ ପ୍ରକୃତ କଥା ହେଲା, ବ୍ୟାଟେରୀରେ ଅଧିକ ସମୟ ଚାର୍ଜ ରଖିବା ନେଇ ଆପଣ ଯେତିକି ଚିନ୍ତିତ ହେବା କଥା, ପ୍ରତିଦିନ ମୋବାଇଲ ଫୋନ ଚାର୍ଜ କରିବା ସମୟରେ ମଧ୍ୟ ସେତିକି ଯତ୍ନବାନ ହେବା ଆବଶ୍ୟକ । ମୋବାଇଲ ଫୋନ ଚାର୍ଜ କରିବା ସମୟରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦେଲେ, ଫୋନ ବ୍ୟାଟେରୀ ଶୀଘ୍ର ଖରାପ ହେବ ନାହିଁ ଏବଂ ଫୋନରେ ଚାର୍ଜ ଅପେକ୍ଷାକୃତ ଅଧିକ ସମୟ ରହିବ ।

  • ସର୍ବଦା ମୋବାଇଲ ଫୋନକୁ ତାହାର ନିଜର ଚାର୍ଜରରେ ଚାର୍ଜ କରନ୍ତୁ । ଅଧିକାଂଶ ସ୍ମାର୍ଟଫୋନରେ ଚାର୍ଜିଂ ପୋର୍ଟ ସମାନ ପ୍ରକାର ହେଲେ ମଧ୍ୟ ପ୍ରତ୍ୟେକ ଫୋନ ବ୍ୟାଟେରୀର ନିଜସ୍ୱ ସ୍ପେଶିଫିକେସନ୍ ରହିଥାଏ । ଭିନ୍ନ ଭିନ୍ନ ବ୍ରାଣ୍ଡ୍ ଓ ମଡେଲର ଫୋନ ବ୍ୟାଟେରୀ ପାଇଁ ଭିନ୍ନଭିନ୍ନ ଆଉଟପୁଟ୍ ଭୋଲଟେଜ୍ ଓ କରେଣ୍ଟ ବା ଆମ୍ପିୟର୍ ରେଟିଂ ଆଦି ରହିଥାଏ । ତେଣୁ ଆପଣ ସେହି ଫୋନ କିଣିବା ବେଳେ ତା ସହିତ ଆସିଥିବା ଚାର୍ଜର୍ ବ୍ୟବହାର ନକରି ଅନ୍ୟ ସ୍ପେଶିଫିକେସନର ଚାର୍ଜର ବ୍ୟବହାର କଲେ ହୁଏତ ଆପଣଙ୍କ ଫୋନ ଚାର୍ଜ ହୋଇଯାଇଥାଏ, କିନ୍ତୁ ଏହା ବ୍ୟାଟେରୀର କ୍ଷମତା ଉପରେ ପ୍ରଭାବ ପକାଏ । ବାରମ୍ବାର ଏଭଳି କଲେ ବ୍ୟାଟେରୀ (ଏପରିକି ଫୋନ ମଧ୍ୟ) ଖରାପ ହେବାର ଆଶଙ୍କା ରହିଛି । ତେଣୁ ଯଦି କେତେବେଳେ ଅନ୍ୟ କୌଣସି ଫୋନର ଚାର୍ଜର ବ୍ୟବହାର କରୁଛନ୍ତି କିମ୍ବା ନୂଆ ଚାର୍ଜର୍ କିଣୁଛନ୍ତି ଏହାପ ପୁରୁଣା ଚାର୍ଜରର ସ୍ପେଶିଫିକେସନ୍ ସହ ମେଳାଇ ନିଅନ୍ତୁ । ତାହା ସମାନ ହୋଇନଥିଲେ, ସେହି ଚାର୍ଜର୍ ବ୍ୟବହାର କରନ୍ତୁ ନାହିଁ ।
  • ଶସ୍ତା ଚାର୍ଜର୍ କିଣନ୍ତୁ ନାହିଁ । ଅନାମଧେୟ କମ୍ପାନୀ କିମ୍ବା ବ୍ରାଣ୍ଡର ଶସ୍ତା ଚାର୍ଜର୍ କିଣନ୍ତୁ ନାହିଁ । ଆଜିକାଲି ବିଭିନ୍ନ ଦୋକାନରେ ଏବଂ ବିଶେଷତଃ ଅନଲାଇନ ସପିଂ ସାଇଟରେ ଏଭଳି ଅନେକ ଚାର୍ଜର ଅଳ୍ପ ଦାମରେ ସମାନ ସ୍ପେଶିଫିକେସନ ସହ କିଣିବାକୁ ମିଳିଥାଏ । କିନ୍ତୁ ସେଥିରେ ପାୱାର୍ ଫ୍ଲକଚୁଏସନ୍ ଏବଂ ଓଭର୍ ଚାର୍ଜିଂ ଆଦି ପାଇଁ ବୈଦ୍ୟୁତିକ ନିରପତ୍ତା ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଇନଥାଏ । ତେଣୁ ଚାର୍ଜ କରିବା ବେଳେ କୌଣସି ସମସ୍ୟା ସୃଷ୍ଟି ହେଲେ ଚାର୍ଜର ସହ ଫୋନ ମଧ୍ୟ ନଷ୍ଟ ହୋଇଯାଇପାରେ ।
  • ଫୋନ ଚାର୍ଜ କରିବା ବେଳେ ଏହାର ଏହାର ବ୍ୟାକ୍ କଭର୍ ବାହାର କରି ଦିଅନ୍ତୁ । ଫୋନ ଚାର୍ଜ କରିବା ସମୟରେ ବ୍ୟାଟେରୀ ସାମାନ୍ୟ ଗରମ ହୋଇଯିବା ଏକ ସାଧାରଣ କଥା । କିନ୍ତୁ ବ୍ୟାଟେରୀ ଗରମ ହୋଇଗଲେ ଏହାର ଦକ୍ଷତା କମିଯାଏ ଏବଂ ଚାର୍ଜ ମଧ୍ୟ ଶୀଘ୍ର ସରିଯାଏ । ତେଣୁ ଫୋନ ଚାର୍ଜ କରିବା ସମୟରେ ବ୍ୟାଟେରୀକୁ ଗରମ ହେବାରୁ ରକ୍ଷା କରିବା ପାଇଁ ଏହାର ପଛ କଭର କିମ୍ବା କେସ୍ ବାହାର କରିକଦେବା ଭଲ ।
  • ଫାଷ୍ଟ୍ ଚାର୍ଜର୍ ନିୟମିତ ବ୍ୟବହାର କରନ୍ତୁ ନାହିଁ । ଆଜିକାଲି ଫୋନକୁ ଶୀଘ୍ର ଚାର୍ଜ କରିବା ପାଇଁ ଫାଷ୍ଟ୍ ଚାର୍ଜର୍ ବ୍ୟବହାର କରାଯାଉଛି । କିନ୍ତୁ ଫାଷ୍ଟ୍ ଚାର୍ଜର୍ ବ୍ୟାଟେରୀ ପାଇଁ କ୍ଷତିକାରକ ହୋଇଥାଏ । ଏହାଦ୍ୱାରା ଫୋନରେ ଅଧିକ ଭୋଲଟେଜର ବିଦ୍ୟୁତ ପ୍ରବେଶ କରୁଥିବାରୁ ବ୍ୟାଟେରୀ ଅତ୍ୟଧିକ ଗରମ ହୋଇଯିବାର ଆଶଙ୍କା ରହିଛି । ତେଣୁ ଅତି ଆବଶ୍ୟକ ନହେଲେ ଫାଷ୍ଟ ଚାର୍ଜର ଠାରୁ ଦୂରେଇ ରହିବା ଭଲ । ବ୍ୟାଟେରୀ ହଠାତ୍ ଅତ୍ୟଧିକ ଗରମ ହୋଇଗଲେ ଫୋନ ବନ୍ଦ ହେବା ପର୍ଯ୍ୟନ୍ତ ପାୱାର୍ ଅଫ୍ ବଟନ୍ କୁ ଚିପି ଧରନ୍ତୁ ଓ ଫୋନର ତାପମାତ୍ରା କମିଲା ପରେ ହିଁ ଆଉଥରେ ଫୋନ ସ୍ୱିଚ୍ ଅନ୍ କରନ୍ତୁ ।
  •  ରାତିସାରା ଫୋନକୁ ଚାର୍ଜରେ ବସାନ୍ତୁ ନାହିଁ । ରାତି ସାରା ଫୋନ ଚାର୍ଜରେ ବସାଇ ଶୋଇଗଲେ, ରାତିରେ କେତେବେଳେ ଏହା ଫୁଲ୍ ଚାର୍ଜ ହୋଇଯାଇଥାଏ ତାହା ଜଣାପଡ଼େନାହିଁ । ଫୋନ ପୁରା ଚାର୍ଜ ହୋଇଯିବା ପରେ ମଧ୍ୟ ଚାର୍ଜିଂ ଜାରି ରହିଥାଏ । ଫଳରେ ବ୍ୟାଟେରୀ ଓଭର୍ ଚାର୍ଜିଂ ହେବାର ଅାଶଙ୍କା ରହିଥାଏ, ଯାହାକି ବ୍ୟାଟେରୀର ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ।
  • ଫୋନକୁ ଅତିକମରେ 80% ଚାର୍ଜ କରନ୍ତୁ । ଫୋନକୁ ଅଳ୍ପ ଅଳ୍ପ ଚାର୍ଜ କରନ୍ତୁ ନାହିଁ କିମ୍ୱା ସବୁବେଳେ ଚାର୍ଜରେ ବସାଇ ରଖନ୍ତୁ ନାହିଁ । ଫୋନରେ ସର୍ବଦା ଚାର୍ଜ ଫୁଲ୍ ରଖନ୍ତୁ ନାହିଁ । ଏଥିରେ ଚାର୍ଜ କମିବାକୁ ଦିଅନ୍ତୁ ଓ ପୁଣି ଚାର୍ଜ କରନ୍ତୁ । ଫୋନରେ ଚାର୍ଜ 20% କୁ ଖସିବା ପରେ ହିଁ ଏହାକୁ ଆଉଥରେ ଚାର୍ଜରେ ବସାନ୍ତୁ । ସବୁବେଳେ 100% ଚାର୍ଜ କରିବା ମଧ୍ୟ ବ୍ୟାଟେରୀ ପାଇଁ ଭଲନୁହେଁ ବୋଲି କୁହାଯାଉଛି ।
  • ପାୱର୍ ବ୍ୟାଙ୍କ୍ କିଣିବା ବେଳେ ଧ୍ୟାନ ଦିଅନ୍ତୁ । ଭଲ କମ୍ପାନୀ ଓ ବ୍ରାଣ୍ଡର ପାୱାର୍ ବ୍ୟାଙ୍କ କିଣନ୍ତୁ ଓ କିଣିବା ବେଳେ ଏହାର ସ୍ପେଶିଫିକେସନ୍ ଆପଣଙ୍କ ଆବଶ୍ୟକତାକୁ ପୂରଣ କରିପାରିବ କି ନାହିଁ ଏବଂ ଫୋନର ବ୍ୟାଟେରୀର ସ୍ପେଶିଫିକେସନ୍ ସହ ମେଳ ଖାଉଛି କି ନାହିଁ ଦେଖିନିଅନ୍ତୁ । ଭୋଲଟେଜ ସମସ୍ୟା, ସଟ୍ ସର୍କିଟ୍, ଓଭର୍ ଚାର୍ଜିଂ ଏବଂ ଓଭର୍ ହିଟିଂ ଆଦି ଠାରୁ ସୁରକ୍ଷା ପାଇଁ ସେହି ପାୱାର୍ ବ୍ୟାଙ୍କରେ ବ୍ୟବସ୍ଥା ଅଛି କି ନାହିଁ ଯାଞ୍ଚ କରନ୍ତୁ । ଫୋନର ଚାର୍ଜ ସଞ୍ଚୟ ପାଇଁ କୌଣସି ଥାର୍ଡ-ପାର୍ଟି ମୋବାଇଲ୍ ଆପ୍ ବ୍ୟବହାର କରନ୍ତୁ ନାହିଁ । ଏହା ମଧ୍ୟ ଆପଣଙ୍କ ଫୋନ ବ୍ୟାଟେରୀ ପାଇଁ ହାନିକାରକ ହୋଇପାରେ ।
  • ଫୋନ ଶୀଘ୍ର ଚାର୍ଜ କରିବା ପାଇଁ କେତେକ ଉପାୟ ଆପଣାନ୍ତୁ । ଫୋନ ଚାର୍ଜ କରିବା ସମୟରେ ଏହାକୁ ସ୍ୱିଚ୍ ଅଫ୍ କରି ଦିଅନ୍ତୁ କିମ୍ବା ଫ୍ଲାଇଟ ମୋଡ୍ କିମ୍ବା ପାୱାର୍ ସେଭିଂ ମୋଡ୍ ଅନ୍ କରିଦିଅନ୍ତୁ । କିଛି ଆପ୍ଲିକେସନକୁ ବନ୍ଦ କରିଦେଲେ ମଧ୍ୟ ଫୋନ ଅପେକ୍ଷାକୃତ ଶୀଘ୍ର ଚାର୍ଜ ହୋଇଥାଏ ।
Previous ବିଜ୍ଞାନ - ବଂଶାନୁକ୍ରମ ଓ ବିବର୍ତ୍ତନ
Next ଗଣିତ-ଜ୍ୟାମିତି-ସଦୃଶ୍ୟ

No Comment

Leave a reply

Your email address will not be published. Required fields are marked *