ଚମକିଲେ ଆଉ ଜଣେ ଓଡିଆ


ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସେହି କାଳଜୟୀ କବିତାଟି ଆଜି ମନେପଡେ ।

କହିଲା ଜାତିର କାନେ କାନେ,

                          ଉଠିବୁ ଆଉ ତୁ କେତେ ଦିନେ,

ପୂରୁବ ଗୌରବ ପୂରୁବ ମହିମା,

                          ପଡୁ ନାହିଁ କିରେ ତୋର ମନେ ।

ଏବେ ତାଙ୍କର କବିତା ରଚନାର ଯଥାର୍ଥତା ପ୍ରତିପାଦନ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସର୍ବ ଭାରତୀୟ ସ୍ତରରେ ଓଡିଆଙ୍କ ଶ୍ରେଷ୍ଠତ୍ୱ ପ୍ରଦର୍ଶନ ମଧୁବାବୁଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି । ୧୯୭୯ ମସିହାରେ ସିଭିଲ ସର୍ଭିର୍ସ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଓଡିଆ ପୁଅ ହୃଷିକେଷ ପଣ୍ଡା । ପୁଣି ସେହି ସଫଳତାକୁ ଦୋହରାଇଲେ ରୁପା ମିଶ୍ର ଓ ସଂଗ୍ରାମ କେଶରୀ ବେହେରା । ୨୦୦୩ ମସିହାରେ ରୁପା ମିଶ୍ର ସିଭିଲ ସର୍ଭିସ ଟପର ହୋଇଥିବାବେଳେ ୨୦୦୯ ରେ ସଂଗ୍ରାମ କେଶରୀ ବେହେରା ଇଣ୍ଡିଆନ ଫରେଷ୍ଟ ସର୍ଭିସ ଟପର ହୋଇ ରାଜ୍ୟ ପାଇଁ ଗୌରବ ଆଣିଥିଲେ । ବିଶେଷତଃ କ୍ୟାଟ, ସି-ମ୍ୟାଟ, ଜି-ମ୍ୟାଟ ଭଳି ମ୍ୟାନେଜମେଣ୍ଟ ପରୀକ୍ଷା ଗୁଡିକରେ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୁରୁ, ହାଇଦ୍ରାବାଦ ଆଦି ମେଟ୍ରୋସିଟିର ପିଲାମାନେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥାନ୍ତି । ପରୀକ୍ଷାର୍ଥୀଙ୍କୁ ମୋଟା ଅଙ୍କର ଅର୍ଥ ଦେଇ କୋଚିଂ ନେବାକୁ ପଡେ । କିନ୍ତୁ ବିନା କୋଚିଂରେ ଓଡିଆ ପୁଅ ଲଗ୍ନଜିତ ଦାସ ସି-ମ୍ୟାଟ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ପ୍ରେରଣା ସାଜିଛନ୍ତି ।


ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ ଲଗ୍ନଜିତ୍ । ସେ ଦଶମରେ ୯୫.୨ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବାବେଳେ ଯୁକ୍ତ ଦୁଇ ପରୀକ୍ଷାରେ ୮୫ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଥିଲେ । ଲଗ୍ନଜିତ୍ ରାଉରକେଲା ଏନଆଇଟିରୁ ମେଟାର୍ଲଜି ଏବଂ ମ୍ୟାଟେରିଆଲ ସାଇନ୍ସରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି । ସେ ସଦ୍ୟ ପ୍ରକାଶିତ ସି-ମ୍ୟାଟ୍ ପରୀକ୍ଷାରେ ୪୦୦ ରୁ ୩୨୯ ନମ୍ବର ରଖି ସାରା ଭାରତରେ ଦ୍ୱିତୀୟ ର୍ୟାଙ୍କ୍ ପାଇଛନ୍ତି । ତାଙ୍କର ବାପା ଓଡିଶା ମାଇନିଙ୍ଗ କୋର୍ପୋରେସନର ମ୍ୟାନେଜର ହୋଇଥିବାବେଳେ ମା ସ୍କୁଲ ଶିକ୍ଷୟିତ୍ରୀ । ବାପା, ମାଙ୍କ ପ୍ରେରଣା ଯୋଗୁଁ ସଫଳତାର ସିଡି ଚଢିବା ସମ୍ଭବ ହୋଇଛି ବୋଲି କହନ୍ତି ଲଗ୍ନଜିତ୍ ।
ସି-ମ୍ୟାଟ, ୨୦୧୭ ପରୀକ୍ଷା ପାଇଁ ଲଗ୍ନଜିତ୍ ଦୈନିକ ୪ ରୁ ୫ ଘଣ୍ଟା ମନଦେଇ ପାଠ ପଢୁଥିଲେ । ଏହି ପରୀକ୍ଷାରେ ସାଧାରଣତଃ କ୍ଵାନଟିଟେଟିଭ ଟେକନିକ୍ସ ଏବଂ ଡାଟା ଇଂଟରପ୍ରିଟେସନ, ଲଜିକାଲ ରିଜନିଙ୍ଗ, ଲାଙ୍ଗୁଏଜ୍ କମ୍ପ୍ରିହେନସନ ଏବଂ ଜେନରାଲ ଆୱାରନେସ ଭଳି ଚାରୋଟି ବିଭାଗରୁ ପ୍ରଶ୍ନ ଆସିଥାଏ । ଲଗ୍ନଜିତଙ୍କୁ କ୍ଵାନଟିଟେଟିଭ ଟେକନିକ୍ସ ଏବଂ ଡାଟା ଇଂଟରପ୍ରିଟେସନ ସହଜ ଲାଗୁଥିବାବେଳେ ଲଜିକାଲ ରିଜନିଙ୍ଗ ଅପେକ୍ଷାକୃତ କଷ୍ଟ ଲାଗୁଥିଲା । ତେଣୁ ପରୀକ୍ଷା ପୂର୍ବରୁ ସେ ଲଜିକାଲ ରିଜନିଂ ପାଇଁ ବେଶୀ ଧ୍ୟାନ ଦେଲେ । ଏକାଧିକ ସି-ମ୍ୟାଟ ମକ୍ ସିରିଜ ଦେଇ ଜୋରଦାର ପ୍ରସ୍ତୁତି ଚଳାଇଲେ । ପ୍ରତିଦିନ ଖବରକାଗଜ ପଢି ସାଂପ୍ରତିକ ଘଟଣାବଳୀ ଗୁଡିକୁ ମନେ ରଖୁଥିଲେ । ଯାହାକି ତାଙ୍କୁ ଜେନରାଲ ଆୱାରନେସରେ ଭଲ କରିବା ପାଇଁ ସାହାଯ୍ୟ କରିଥିଲା । ପରିଶ୍ରମ ପ୍ରତିଫଳିତ ହେଲା ଫଳାଫଳରେ ଏବଂ ସେ ପ୍ରଥମ ଥର ସି-ମ୍ୟାଟ ପରୀକ୍ଷା ଦେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ।
ପାଠପଢା ବ୍ୟତୀତ ଇଂଲିଶ ଟେଲିଭିଜନ ସିରିଏଲ୍ ଓ କ୍ରିକେଟରେ ରୁଚି ରଖନ୍ତି ଲଗ୍ନଜିତ । ସେ କହନ୍ତି ପରୀକ୍ଷାରେ ଆସୁଥିବା ସମସ୍ତ ବିଷୟରେ ମୌଳିକ ଜ୍ଞାନ ମଜବୁତ୍ କରନ୍ତୁ । ପରୀକ୍ଷା ପୂର୍ବରୁ ଅନଲାଇନରେ ଯେତେ ଅଧିକ ପାରିବେ ସେତେ ଅଧିକ ମକ୍ ଟେଷ୍ଟ ଦେବା ସେଙ୍ଗସେଙ୍ଗ ପ୍ରତିଦିନ ୪ ରୁ ୫ ଘଣ୍ଟା ମନଦେଇ ପାଠ ପଢନ୍ତୁ । ସଫଳତା ନିଶ୍ଚୟ ମିଳିବ । ଲଗ୍ନଜିତ୍ ମୁମ୍ବାଇସ୍ଥିତ ଜମୁନାଲାଲ ବଜାଜ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜରେ ପାଠ ପଢିବାକୁ ଲକ୍ଷ୍ୟ ରଖିଛନ୍ତି ।

Previous ଟାଗେର୍ଟ / ସ୍ପୋକନ୍ ଇଂଲିଶ - ଭାଗ - ୩
Next ନୁଡୁଲ୍ସ ଓ ଚାଓମିନ୍ ତିଆରି ମେସିନ୍

No Comment

Leave a reply

Your email address will not be published. Required fields are marked *