ଅର୍ଥ ନୁହେଁ ଅଧ୍ୟବସାୟ ସଫଳତାର ମନ୍ତ୍ର


ଅରକ୍ଷିତକୁ ଦଇବ ସାହା । ଆର୍ଥିକ ଅସ୍ୱଚ୍ଛଳତା ସତ୍ତ୍ୱେ ସେ ନିଜର ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ଉପଲବ୍ଧ ସୁଯୋଗ ହାତେଇ ପାରିବ । ଏହା ପ୍ରମାଣ କରି ଦେଖାଇଛନ୍ତି ଓଡିଶା ଜଏଣ୍ଟ  ଏଣ୍ଟ୍ରାନ୍ସ(ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା), ୨୦୧୬ର ଟପ୍ପର ହରିପ୍ରିୟା ନାୟକ । ତାଙ୍କର ଉଦାହରଣ ଦେଶର ଦରିଦ୍ର, ଅବହେଳିତ ପରିବାରର ପିଲାଙ୍କ ପାଇଁ ନିଶ୍ଚୟ ପ୍ରେରଣାଦାୟୀ ହେବ ।

ହରିପ୍ରିୟାଙ୍କ ଘର ସମ୍ବଲପୁର ଜିଲ୍ଲାର ଏକ ଛୋଟିଆ ଗାଁରେ । ବାପା ଜଣେ କ୍ଷୁଦ୍ର ଚାଷୀ । ସମ୍ବଳ କହିଲେ ମାତ୍ର ଏକରେ ଜମି । ହରପ୍ରିୟାଙ୍କ ବାପା ଜମିରେ ଚାଷ କରି ପରିବାରର ଗୁଜୁରାଣ ମେଣ୍ଟ।ନ୍ତି । ଚାଷ କାମ ଉତ୍ତାରୁ ମୁଲ ଲାଗନ୍ତି । ଟଙ୍କା ପଇସାର ଅଭାବ ଯୋଗୁଁ ସେ ଦଶମ ଯାଏଁ ବି ପଢି ପାରିନାହାଁନ୍ତି । ମାଙ୍କ ପାଠ କହିଲେ ମାତ୍ର ଷଷ୍ଠ ଶ୍ରେଣୀ । କିରୋସିନି ଲ୍ୟାମ୍ପ ଲଗାଇ ନୂଆଣିଆ ଚାଳଘରେ ପାଠ ପଢୁଥିଲେ ହରପ୍ରିୟା । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ସେ ଛୋଟବେଳୁ ଖୁବ୍ ଭଲ ଛାତ୍ରୀ ଥିଲେ । ତେଣୁ ଗାଁ ସ୍କୁଲର ସବୁ ଶିକ୍ଷକ ତାଙ୍କୁ ଶ୍ରଦ୍ଧା କରୁଥିଲେ । ଶିକ୍ଷକମାନେ ଜବାହାର ନବୋଦୟ ବିଦ୍ୟାଳୟ ମେଧାବୃତ୍ତି ପରୀକ୍ଷା ଦେବା ପାଇଁ ହରିପ୍ରିୟାଙ୍କ ବାପାକୁ ପରାମର୍ଶ ଦେଲେ । କହିଲେ “ମନ ଊଣା କରନ୍ତୁନି ନାୟକ ବାବୁ । ଵୃତ୍ତି ପାଇଲା ପରେ ସରକାରୀ ଖର୍ଚ୍ଚରେ ଆପଣଙ୍କ ଝିଅ ପାଠ ପଢିପାରିବ ।” ଶିକ୍ଷକ ଏବଂ ବାପା, ବୋଉଙ୍କଠୁ ପ୍ରେରଣା ପାଇ ହରିପ୍ରିୟା ମନଦେଇ ପାଠ ପଢି ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହେଲେ । ଜୀବନରେ କେବେ ସୁଖ ଆଶା କରିନଥିବା ବାପା, ମାଙ୍କ ଛାତି ଏବେ କୁଣ୍ଢେମୋଟ ଝିଅର ସଫଳତା ଦେଖି ।

ଦଶମରେ ୯୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେଲେ ହରିପ୍ରିୟା । ପାଠପଢା ପୂର୍ବବତ ଜାରି ରହେ । ପିତା, ମାତାଙ୍କ ସ୍ୱପ୍ନ ପୂରଣ ବ୍ୟତୀତ ଆଉ କୌଣସି ଜିନିଷରେ ସେ ମନ ଦିଅନ୍ତନି । ପୁଣି ଯୁକ୍ତ ଦୁଇରେ ପୂର୍ବ ସଫଳତା ଦୋହରାନ୍ତି ହରିପ୍ରିୟା । ୮୪.୪ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୁଅନ୍ତି । ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନିରେ ନାମ ଲେଖାନ୍ତି ହରିପ୍ରିୟା ।

ପୁଣି ଅର୍ଥାଭାବ ବାଟ ଓଗାଳେ । ପାଠପଢା ଖର୍ଚ୍ଚ ବହନ କରିବା ପାଇଁ ଅସମର୍ଥ ହୋଇପଡନ୍ତି ବାପା । ମାନସିକ ଦୁଃଶ୍ଚିନ୍ତାରେ ଘାରି ହୁଅନ୍ତି ହରିପ୍ରିୟା । ଏଭଳି ଏକ ମେଧାବୀ ଛାତ୍ରୀ ବିଷୟରେ ଖବର ପାଇ ସମ୍ବଲପୁରସ୍ଥିତ ଆଇବିଏସ୍ କୋଚିଂ ସେଣ୍ଟରର ନିର୍ଦ୍ଦେଶକ ଗୁପ୍ତେଶ୍ୱର ମେହେର ଏବଂ କିଛି ଅଧ୍ୟାପକ ହରିପ୍ରିୟାଙ୍କ ଗାଁକୁ ଯାଇଥିଲେ । ଘରର ଆର୍ଥିକ ଦୁଃସ୍ଥିତି ଓ ପିଲାର ମେଧା ଦେଖି ପାଠପଢାରେ ସାହାଯ୍ୟ କରିବା ପାଇଁ ସେମାନେ ସ୍ଥିର କଲେ । ମାସକୁ ୧୦୦୦ ଟଙ୍କାର ବୃତ୍ତି ଓ ହରିପ୍ରିୟାଙ୍କ ରହିବା ବ୍ୟବସ୍ଥା କରାଗଲା କୋଚିଂ ସେଣ୍ଟର ପକ୍ଷରୁ । ଯୁକ୍ତ ତିନି ପାଠପଢା ସହିତ ଓଡିଶା ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା ନିମନ୍ତେ ସେ ପ୍ରସ୍ତୁତି ଚଳାଇଲେ । ଆଉ ଶେଷରେ ସଫଳ ମଧ୍ୟ ହେଲେ । ଓଜେଇଇ, ୨୦୧୬ ଏଣ୍ଟ୍ରାନ୍ସ ପରୀକ୍ଷାରେ ସାରା ଓଡିଶାରେ ଟପ୍ପର ହୋଇ ପରିବାର ତଥା ସମ୍ବଲପୁର ଜିଲ୍ଲା ପାଇଁ ସେ ଗୌରବ ଆଣିଲେ । ପିତା, ମାତାଙ୍କ ଆଶୀର୍ବାଦ, କଠିନ ପରିଶ୍ରମ ଓ ଶିକ୍ଷକଙ୍କ ପ୍ରେରଣା ଯୋଗୁଁ ଏ ସଫଳତା ପାଇଲି ବୋଲି କହନ୍ତି ହରିପ୍ରିୟା ।

Previous ସ୍ରଷ୍ଟା ଓ ସୃଷ୍ଟି-ଜୟଦେବଙ୍କ କେନ୍ଦୁବିଲ୍ୱ
Next ଡିଗ୍ରୀ ଓ ଜୁନିୟର କଲେଜରେ ନାମଲେଖା; ଖୋଲା ହେବ ଅନଲାଇନ ଆବେଦନ ସହାୟତା କେନ୍ଦ୍ର

No Comment

Leave a reply

Your email address will not be published. Required fields are marked *