ବଢ଼ିଲା ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ଫର୍ମପୂରଣ ସମୟସୀମା, ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଯୁକ୍ତ ୨ ପରୀକ୍ଷା

CHSE annual Plus II examination held in March-2019

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୧୯ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ପାଇଁ ଥିବା ଫର୍ମପୂରଣ ସମୟସୀମା ବୃଦ୍ଧି କରାଯାଇଛି। ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାର୍ଥୀମାନେ ଡିସେମ୍ବର ୧୫ ତାରିଖ ରାତି ୧୧ଟା ୪୫ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷା ଫି ଦାଖଲ ଓ ଡିସେମ୍ବର ୧୬ତାରିଖ ରାତି ୧୨ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଫର୍ମପୂରଣ ସହ ଦାଖଲ କରିପାରିବେ। ଏହା ପରେ ଫି ଦାଖଲ କରିବା ସମୟ ସୀମା ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଶିକ୍ଷାନୁଷ୍ଠାନର ମୁଖ୍ୟ ବା ପ୍ରଧାନ ଶିକ୍ଷକମାନେ ପରୀକ୍ଷାର୍ଥୀଙ୍କ ଫର୍ମପୂରଣ ଫି ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ସହାୟତାରେ ଏସ୍‌ବି କଲେକ୍ଟ୍‌ରେ ଦାଖଲ କରିପାରିବେ କିମ୍ବା କ୍ୟାସ୍‌ ଟ୍ରାନ୍‌ସଫର କରିବେ। ବ୍ୟାଙ୍କରେ ଫି ଦାଖଲ କରିବାରେ କିଛିଟା ସମସ୍ୟା ହେବାରୁ ବୋର୍ଡ ପକ୍ଷରୁ ବିନା ଜରିମାନାରେ ଫର୍ମପୂରଣ ଅବଧିକୁ ବୃଦ୍ଧି କରାଯାଇଛି ବୋଲି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଫର୍ମପୂରଣ ସମୟସୀମା ବିନା ଜରିମାନାରେ ନଭେମ୍ବର ୨୬ତାରିଖରୁ ଡିସେମ୍ବର ୨୩ ପର୍ଯ୍ୟନ୍ତ ରହିଥିବା ବେଳେ ଜରିମାନା ସହ ଡିସେମ୍ବର ୧୪ରୁ ୧୮ତାରିଖ ପର୍ଯ୍ୟନ୍ତ ରହିଥିଲା।  ଅନ୍ୟପକ୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୁକ୍ତ ୨ ପରୀକ୍ଷା ଦିନ ସୂଚୀ ପ୍ରକାଶ କରିଛି । ବିଜ୍ଞାନ ଓ କଳା ଥିଓରି ପରୀକ୍ଷା ୨୦୧୯ମାର୍ଚ୍ଚ 7ତାରିଖରୁ ଆରମ୍ଭ ହେବ । ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୮ତାରିଖରୁ ଆରମ୍ଭ ହେବ । ଏହାସହ ଜାନୁୟାରୀ ୩୦ରୁ ଫେବୃୟାରୀ ୨୮ ମଧ୍ୟରେ ସମସ୍ତ ପ୍ରାକ୍ଟିକାଲ ଓ ପ୍ରୋଜେକଟ ସାରିବା ପାଇଁ ସିଏଚସିଇ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ପରୀକ୍ଷା ମାର୍ଚ୍ଚ ୩୦ ସୁଦ୍ଧା ଶେଷ କରିବାର ଲକ୍ଷ୍ୟ ରଖାଯାଇଛି। ସକାଳ ୧୦ରୁ ପରୀକ୍ଷା ଆରମ୍ଭ ହେବ ।

Previous ବିକଳ୍ପ ବିଦ୍ୟୁତ ସେବା ଯୋଗାଏ ଗୋବର ଗ୍ୟାସ ପ୍ଲାଣ୍ଟ
Next କେଶ ସୂନ୍ଦର କରେ ମେହେନ୍ଦି . . .

No Comment

Leave a reply

Your email address will not be published. Required fields are marked *