ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ


 

କେନ୍ଦ୍ରାପଡା ଜିଲ୍ଲାର ମାହାନଙ୍ଗଳା । କାଲି ଥିଲା ଏକ ଅଖ୍ୟାତ ଗାଁ । କିନ୍ତୁ ଏବେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଗାଁର ପରିଚିତି ଜଣେ ସୁଯୋଗ୍ୟା କନ୍ୟା ସନ୍ତାନ ପାଇଁ । ସର୍ବ ଭାରତୀୟ ସ୍ତରରେ ତାଙ୍କର ସଫଳତା ଗାଁ ଓ ରାଜ୍ୟ ପାଇଁ ଆଣିଛି ଗୌରବ । ସେ ବିଦ୍ୟାର୍ଥୀ ଜଣଙ୍କ ହେଉଛନ୍ତି ଅମୂଲ୍ୟ ବେହେରାଙ୍କ ସୁପୁତ୍ରୀ ଅପରାଜିତା ପ୍ରିୟଦର୍ଶିନୀ ବେହେରା । ପରିବାରର ଆର୍ଥିକ ଦୁଃସ୍ଥିତି ଓ ବହୁ ପ୍ରତିବନ୍ଧକ ସେ ୨୦୧୫ରେ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଇଣ୍ଡିଆନ୍ ଇକୋନୋମିକ ସର୍ଭିସରେ ତାଙ୍କୁ ମିଳିଛି ୧୩ ରାଙ୍କ ।
ଅପରାଜିତାଙ୍କୁ ଛାଡି ଦେଲେ ତାଙ୍କ ଘରେ ଅଛନ୍ତି ବାପା, ମା, ଭାଇ ଓ ଭଉଣୀ । ବାପା ଅମୂଲ୍ୟ ପାରାଦ୍ୱୀପରେ ଥିବା ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ (ଇଫ୍କୋ) ରେ ଜଣେ ଶ୍ରମିକ ଭାବେ କାମ କରନ୍ତି । ମାସିକ ରୋଜଗାର ୧୦ ହଜାରରୁ ବି କମ୍ । ଏତେ କମ୍ ପଇସା ପାଉଥିଲେ ବି ପୁଅ, ଝିଅଙ୍କ ପାଠପଢାରେ କେବେ ହେଳା କରିନାହାଁନ୍ତି ସେ । ସବୁ ଭାଇ, ଭଉଣୀଙ୍କ ମଧ୍ୟରେ ଅପେକ୍ଷାକୃତ ଭଲ ପଢନ୍ତି ଅପରାଜିତା । ମାହାନଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ପାସ୍ କରିବା ପରେ କପିଳେଶ୍ୱର ହାଇସ୍କୁଲରେ ସେ ନାମ ଲେଖାନ୍ତି । ମାର୍ଶାଘାଇ କଲେଜରେ ସ୍ନାତକ ସରିଲା ପରେ ଅର୍ଥନୀତିରେ ସ୍ନାତକୋର କରିବା ପାଇଁ ମନ ବଳାନ୍ତି ଅପରାଜିତା । ଝିଅର ସ୍ୱପ୍ନ ପୂରଣ ପାଇଁ ଦିନରାତି କାମ କରି ପଇସା ସଞ୍ଚୟ କରନ୍ତି ଅମୁଲ୍ୟ । ଆଉ ଶେଷରେ ଅପରାଜିତାଙ୍କ ଆଶା ଫଳବତୀ ହୁଏ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଫଳତାର ସହ ଇକୋନୋମିକ୍ସରେ ସେ ପି.ଜି. ପାସ କରନ୍ତି । ଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ପି.ଏଚ.ଡି କରୁଥିବା ସମୟରେ ଭାରତୀୟ ଅର୍ଥନୈତିକ ସେବାରେ କୃତିତ୍ୱର ସହ ଉତ୍ତୀର୍ଣ ହୁଅନ୍ତି ଅପରାଜିତା । ବାପାଙ୍କ ଯୋଗୁଁ ସଫଳତା ପାଇଲି । ସବୁବେଳେ ପାଠପଢା ପାଇଁ ଯାହା ଦରକାର ବାପା ଯୋଗାଇ ଆସିଛନ୍ତି । ତେଣୁ ଗରିବୀର ଅନୁଭବ କେବେ ହୋଇନି । ଏହି ସଫଳତାକୁ ବାପାଙ୍କୁ ଉତ୍ସର୍ଗ କରୁଛି ବୋଲି ଅତ୍ୟନ୍ତ ଭାବବିହ୍ୱଳ ହୋଇ କହନ୍ତି ଅପରାଜିତା ।
ସେ ଦିନକୁ ୬ ରୁ ୭ ଘଣ୍ଟା ପାଠ ପଢନ୍ତି । ଅପରାଜିତାଙ୍କ ମତରେ କଠିନ ପରିଶ୍ରମ ଓ ଦୃଢ ମନୋବଳ ହିଁ ଲକ୍ଷ୍ୟ ପୂରଣରେ ସାହାଯ୍ୟ କରେ । ସାକ୍ଷାତକାର ପୂର୍ବରୁ ଟିକେ ନର୍ଭସ ଲାଗୁଥିଲା । କିନ୍ତୁ ଇଣ୍ଟରଭିଉ ନେଉଥିବା ସାରମାନେ ସହଯୋଗୀ ହୋଇଥିବାରୁ ମନ ଭିତରେ ଥିବା ଭୟ ଆପେଆପେ ଦୂର ହୋଇଗଲା । ମା ଜେମାମଣି ବି ଝିଅର ସଫଳତାର ବେଶ୍ ଖୁସି । ସ୍କୁଲ ଶିକ୍ଷକ ପ୍ରଫୁଲ୍ଲ କୁମାର ସ୍ୱାଇଁ କହନ୍ତି ଏହି ସଫଳତା ପାଇ ସେ ଲକ୍ଷ ଲକ୍ଷ ଇଂରାଜୀ ମାଧ୍ୟମ ପିଲାଙ୍କୁ ପଛରେ ପକେଇ ଦେଇଛି । ଯେକୌଣସି କମ୍ପିଟିଟିଭ ପରୀକ୍ଷା ପ୍ରସ୍ତୁତି ପାଇଁ ଏବେ ପ୍ରାୟ ସମସ୍ତ ପରୀକ୍ଷାର୍ଥୀ ମୋଟା ଅଙ୍କର ଟଙ୍କା ଦେଇ କୋଚିଂ ସେଣ୍ଟରରେ ଜଏନ୍ କରୁଛନ୍ତି । କିନ୍ତୁ ଏକାଗ୍ର ଚିତ୍ତରେ ଗୋଟିଏ ଲକ୍ଷ୍ୟ ନେଇ ପାଠ ପଢିଲେ ବିନା କୋଚିଂରେ ମଧ୍ୟ ସଫଳତା ପାଇହେବ । ଏଭଳି ଏକ ନିଚ୍ଛକ ଉଦାହରଣ ସୃଷ୍ଟି କରିଛନ୍ତି ଅପରାଜିତା ପ୍ରିୟଦର୍ଶିନୀ ବେହେରା ।

Previous ନିଯୁକ୍ତିଦାତାଙ୍କ ନଜରରେ ସୋସିଆଲ୍ ମିଡିଆ ପ୍ରୋଫାଇଲ
Next ଶୁଦ୍ଧ ଜଳ, ସୁସ୍ଥ ଜୀବନ

No Comment

Leave a reply

Your email address will not be published. Required fields are marked *