ନିଯୁକ୍ତିଦାତାଙ୍କ ନଜରରେ ସୋସିଆଲ୍ ମିଡିଆ ପ୍ରୋଫାଇଲ

Employers watching social media profile

career and socialmedia

ଆଜିକାଲି ଫେସବୁକ, ଟ୍ୱିଟର୍, ଲିଙ୍କଡଇନ୍ ଭଳି ସୋସିଆଲ୍ ମିଡିଆ ଗୁଡ଼ିକ କେବଳ ପୁରୁଣା ବନ୍ଧୁଙ୍କ ସହ ଯୋଗାଯୋଗ ରକ୍ଷା କିମ୍ବା ନୂଆ ବନ୍ଧୁ ସହ ଯୋଡ଼ିହେବାରେ କେବଳ ସୀମିତ ହୋଇରହିନାହିଁ। ଏହା ସାହାଯ୍ୟରେ ଅନେକ ବେକାର ଯୁବକଯୁବତୀ ନୂଆ ନୂଆ କମ୍ପାନୀରେ ବାହାରୁଥିବା ନିଯୁକ୍ତି ସୁଯୋଗ ସମ୍ପର୍କରେ ଜାଣିପାରୁଛନ୍ତି ଏବଂ ସେଠାରେ ଆବେଦନ ମଧ୍ୟ କରୁଛନ୍ତି। କିନ୍ତୁ ଆପଣ ଜାଣନ୍ତିକି, ଆପଣ ଆବେଦନ କରିଥିବା କମ୍ପାନୀର କର୍ତ୍ତୃପକ୍ଷ ମଧ୍ୟ ଆପଣଙ୍କୁ ନିଯୁକ୍ତି ଦେବା ପୂର୍ବରୁ ଆପଣଙ୍କ ସୋସିଆଲ୍ ମିଡିଆ ପ୍ରୋଫାଇଲ ଯାଞ୍ଚ କରୁଛନ୍ତି?

ଏକ ସର୍ବେକ୍ଷଣରୁ ଜଣାପଡ଼ିଛି 60 ପ୍ରତିଶତରୁ ଉର୍ଦ୍ଧ୍ୱ ନିଯୁକ୍ତିଦାତା କୌଣସି ନୂଆ ପ୍ରାର୍ଥୀଙ୍କୁ ନିଜ କମ୍ପାନୀରେ ନିଯୁକ୍ତି ଦେବା ପୂର୍ବରୁ ସେମାନଙ୍କ ବିଭିନ୍ନ ସୋସିଆଲ୍ ମିଡିଆ ପ୍ରୋଫାଇଲକୁ ତନ୍ନତନ୍ନ କରି ଯାଞ୍ଚ କରନ୍ତି। ଅନୁପଯୁକ୍ତ କିମ୍ବା ନିଜ ଭାବମୂର୍ତ୍ତି କ୍ଷୁଣ୍ଣ କଲାଭଳି ପୋଷ୍ଟ, ଫଟୋ କିମ୍ବା ଭିଡିଓ ପାଇଁ ଆପଣ ଚାକିରିରୁ ବଞ୍ଚିତ ହୋଇପାରନ୍ତି।

ତେଣୁ ସୋସିଆଲ୍ ମିଡିଆରେ କୌଣସି ନୂଆ ପୋଷ୍ଟ ଅପଡେଟ୍ କରିବା ପୂର୍ବରୁ ସାବଧାନ ହୋଇଯାଆନ୍ତୁ ଏବଂ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।

  • ନକାରାତ୍ମକ ପୋଷ୍ଟ: ନିଯୁକ୍ତିଦାତା ମାନେ ଚାହିଁଥାନ୍ତି, ପ୍ରାର୍ଥୀ ସର୍ବଦା ସକାରାତ୍ମକ ଚିନ୍ତା ସମ୍ପନ୍ନ ଏବଂ ଆଶାବାଦୀ ହୋଇଥାନ୍ତୁ। ଆପଣ ଦୃଢ଼ ନିଶ୍ଚିତ ଥିଲେ ଏବଂ ନିଜର ମତାମତକୁ ସାବ୍ୟସ୍ତ କରିପାରୁଥିଲେ ନକାରାତ୍ମକ ପୋଷ୍ଟ କରିପାରନ୍ତି, ତେବେ ଗଠନମୂଳକ ଓ ବିଶ୍ଳେଷଣାତ୍ମକ ପୋଷ୍ଟ ସବୁ ସ୍ତରରେ ଗ୍ରହଣୀୟ। କୌଣସି ବିଷୟ ପ୍ରତି ଆପଣଙ୍କ ଦୃଷ୍ଟିଭଙ୍ଗୀ ପରୋକ୍ଷରେ ନିଯୁକ୍ତିଦାତାଙ୍କ ମନରେ ଆପଣଙ୍କ ପ୍ରତି ଭୁଲ ଧାରଣା ଆଣିପାରେ। ଏଥିସହ କୌଣସି ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଜାତିଗତ ଆକ୍ଷେପ ଥିବା ପୋଷ୍ଟ ମଧ୍ୟ ଆପଣଙ୍କ ନକାରାତ୍ମକ ଚିନ୍ତାଧାରାକୁ ସୂଚାଇପାରେ। ତେଣୁ ସେଥିପ୍ରତି ସତର୍କ ରହିବା ଉଚିତ।cereer and social media
  • ବର୍ତ୍ତମାନର କିମ୍ବା ପୂର୍ବ କମ୍ପାନୀ ସମ୍ପର୍କରେ ଅପମାନସୂଚକ ପୋଷ୍ଟ: ଆପଣଙ୍କ ଅତୀତର ଚିନ୍ତାଧାରାକୁ ନିଯୁକ୍ତିଦାତାମାନେ ବିଶ୍ଳେଷଣ କରିଥାନ୍ତି। ଭବିଷ୍ୟତରେ ତାଙ୍କ କମ୍ପାନୀ ପ୍ରତି ଆପଣ କିଭଳି ଲାଭଦାୟକ ହୋଇପାରିବେ ତାହା ସେଥିରୁ ସୂଚିତ ହୋଇଥାଏ। ତେଣୁ ଆପଣ ଯଦି ପୂର୍ବରୁ ଚାକିରି କରିଥିବା କମ୍ପାନୀ ସମ୍ପର୍କରେ ଅପମାନସୂଚକ ଶବ୍ଦ ବ୍ୟବହାର କରି ପୋଷ୍ଟ କରିଥିବେ, ତେବେ ନୂଆ ନିଯୁକ୍ତିଦାତାଙ୍କ ମନରେ ଧାରଣା ଆସିବଯେ, ଆପଣ ଭବିଷ୍ୟତରେ ତାଙ୍କ କମ୍ପାନୀ ସମ୍ପର୍କରେ ଅନୁରୂପ ମତାମତ ଦେଇପାରନ୍ତି। ଅନେକେ ନୂଆ ନିଯୁକ୍ତିଦାତାଙ୍କୁ ଆକୃଷ୍ଟ କରିବା ପାଇଁ ତାଙ୍କ ପ୍ରତିଯୋଗୀ କମ୍ପାନୀ ବିରୁଦ୍ଧରେ ଅପମାନସୂଚକ ପୋଷ୍ଟ କରିଥାନ୍ତି, କିନ୍ତୁ ସେଭଳି ଆଦୌ କରନ୍ତୁ ନାହିଁ। କେବଳ କମ୍ପାନୀ ନୁହେଁ, ଆପଣ କୌଣସି ପୁରୁଣା କମ୍ପାନୀର କର୍ମଚାରୀ କିମ୍ବା ଅଧିକାରୀଙ୍କୁ ଅପମାନ କଲାଭଳି ମଧ୍ୟ ପୋଷ୍ଟ କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ବୁମେରାଂ ହୋଇପାରେ।
  • କମ୍ପାନୀ ସମ୍ପର୍କରେ କୌଣସି ଗୋପନୀୟ ତଥ୍ୟ: ବର୍ତ୍ତମାନର କିମ୍ବା ପୂର୍ବରୁ ଚାକିରି କରିଥିବା କମ୍ପାନୀର କୌଣସି ଗୋପନୀୟ ତଥ୍ୟ ସୋସିଆଲ୍ ମିଡିଆରେ ପ୍ରକାଶ କରନ୍ତୁ ନାହିଁ। ଏହା ଆପଣଙ୍କ ବିଶ୍ୱସନୀୟତା ଓ ଦାୟିତ୍ୱହୀନତାକୁ ସୂଚାଇପାରେ। ଆପଣ କୌଣସି ଗୁରୁତ୍ୱପୂର୍ଣ୍ଣ କିମ୍ବା ଗୋପନୀୟ ତଥ୍ୟ ଜାଣିବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ନିଯୁକ୍ତିଦାତାଙ୍କ ମନରେ ଧାରଣା ଆସିପାରେ। ଏପରିକି କୌଣସି କମ୍ପାନୀରେ ଆପଣଙ୍କ ଇଣ୍ଟରଭ୍ୟୁ ଅଥବା ଦରମା ବୃଦ୍ଧି ସମ୍ପର୍କରେ ମଧ୍ୟ ପୋଷ୍ଟ କରନ୍ତୁ ନାହିଁ।
  • ଅଶ୍ଳୀଳ ଶବ୍ଦ କିମ୍ବା ନିମ୍ନମାନର ଲେଖା: ଅନେକେ ନିଜକୁ ସ୍ପଷ୍ଟବାଦୀ ସୂଚାଇବାକୁ ଯାଇ ନିଜ ପୋଷ୍ଟରେ କିଛି ଅଶ୍ଳୀଳ ଶବ୍ଦ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣଙ୍କ ପ୍ରୋଫାଇଲ ଦେଖୁଥିବା ନିଯୁକ୍ତିଦାତାଙ୍କ ମନରେ ଏହା ଆପଣଙ୍କ ପ୍ରତି ଖରାପ ଧାରଣା ସୃଷ୍ଟି କରିପାରେ। ତେଣୁ ସାବାଧାନ ହୋଇଯାଆନ୍ତୁ। ଏଥିସହ ଆପଣଙ୍କ ଲେଖାଟି ନିମ୍ନମାନର ହୋଇଥିଲେ କିମ୍ବା ଏଥିରେ ଭାଷାଗତ, ବନାନଗତ ଅଥବା ବ୍ୟାକରଣଗତ ଅଶୁଦ୍ଧି ଥିଲେ ଏହା ଆପଣଙ୍କ ଜ୍ଞାନ ଓ ଶିକ୍ଷାଗତ ଯୋଗ୍ୟତା ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିପାରେ। ତେଣୁ ପୋଷ୍ଟଟିକୁ ଅପଲୋଡ କରିବା ପୂର୍ବରୁ ଭଲଭାବେ ଦୁଇଥର ଯାଞ୍ଚ କରିନିଅନ୍ତୁ, କୌଣସି ଭୁଲ ରହିଯାଇନି ତ?
  • ମଦ୍ୟପାନ କିମ୍ବା ନିଶାସେବନ କରୁଥିବା ଫଟୋ: ଅନେକେ ବାର୍ କିମ୍ବା ପାର୍ଟିରେ ମଦ୍ୟପାନ କରୁଥିବା ଫଟୋ ସୋସିଆଲ୍ ମିଡିଆରେ ଛାଡ଼ିଦିଅନ୍ତି। ଆଉ କିଛି ପ୍ରାର୍ଥୀ ନିଜେ ଫଟୋ ଛାଡ଼ିନଥିଲେ ମଧ୍ୟ ସେମାନଙ୍କ ବନ୍ଧୁମାନେ ତାଙ୍କ ଫଟୋ ପୋଷ୍ଟ କରି ଟାଗ୍ କରିଦିଅନ୍ତି। ଫଳରେ ପୋଷ୍ଟଟି ପ୍ରାର୍ଥୀଙ୍କ ପ୍ରୋଫାଇଲରେ ଦେଖାଯାଏ। କିନ୍ତୁ ମନେ ରଖନ୍ତୁ, ଏଭଳି ପୋଷ୍ଟ କରିବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁଯେ ଏହା ଆପଣଙ୍କ ସମ୍ମାନହାନୀ କରୁନାହିଁ ତ? ଏହା ଆପଣଙ୍କୁ ନିଯୁକ୍ତିଦାତାଙ୍କ ନିକଟରେ ଜଣେ ନିଶାସକ୍ତ ବ୍ୟକ୍ତି ଭାବେ ଚିତ୍ରଣ କରୁନାହିଁ ତ? କେବଳ ମଦ୍ୟପାନ କିମ୍ବା ନିଶାସେବନ ନୁହେଁ, କୌଣସି ଅପରାଧମୂଳକ କାର୍ଯ୍ୟ କଳାପ, ଯଥା ଟ୍ରାଫିକ୍ ନିୟମ ଭାଙ୍ଗିବା, ଅନ୍ୟକୁ ହଇରାଣରେ ପକାଇବା, ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଆଦି ଫଟୋ ମଧ୍ୟ ଛାଡ଼ନ୍ତୁ ନାହିଁ।

ଆପଣ ଯଦି ନିଯୁକ୍ତି ସନ୍ଧାନରେ ଥାଆନ୍ତି, ତେବେ କୌଣସି ନୂଆ ପୋଷ୍ଟ କରିବା ପୂର୍ବରୁ ଏସବୁ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ। ଏଥିସହ ନିଜ ସୋସିଆଲ୍ ମିଡିଆ ପ୍ରୋଫାଇଲରେ ଥିବା ପୁରୁଣା ପୋଷ୍ଟ ଗୁଡ଼ିକୁ ମଧ୍ୟ ମଝିରେ ମଝିରେ ଯାଞ୍ଚ କରନ୍ତୁ। ଯଦିବା ଏଭଳି କୌଣସି ପୋଷ୍ଟ କରିବାକୁ ଚାହୁଁଛନ୍ତି ଯାହାକି ଆପଣଙ୍କ ନିଯୁକ୍ତିଦାତା କିମ୍ବା କମ୍ପାନୀ କର୍ତ୍ତୃପକ୍ଷ ନଦେଖନ୍ତୁ, ତେବେ ଏହାକୁ ପବ୍ଲିକ କରନ୍ତୁ ନାହିଁ ଓ ଏହା କେବଳ ବନ୍ଧୁମାନଙ୍କ ମଧ୍ୟରେ ସୀମିତ ରଖନ୍ତୁ। କୌଣସି ପୋଷ୍ଟ ପବ୍ଲିକ୍ କରିବା ପୂର୍ବରୁ ଭାବନ୍ତୁ ଯେ, ଏହା ଆପଣଙ୍କ ନିଯୁକ୍ତିଦାତାଙ୍କ ନଜରରେ ମଧ୍ୟ ଆସିଯିବାର ସମ୍ଭାବନା ରହିଛି। ତେଣୁ ଏହା ଆପଣଙ୍କୁ ନିଯୁକ୍ତିରୁ ବଞ୍ଚିତ କରିପାରେ।

Previous ଆଜୋଲା ମାଟିର ଉର୍ବରତା ବଢ଼ାଉଛି
Next ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ

2 Comments

  1. Anil
    Reply

    Very good site

    • Sunina Mohanty
      Reply

      thanks

Leave a reply

Your email address will not be published. Required fields are marked *