ବ୍ୟାଙ୍କିଙ୍ଗ୍ ପାଇଁ ପ୍ରସ୍ତୁତ ହେଉଥିଲେ…

Career in Banking

ଆଜିକାଲି ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ କ୍ୟାରିୟର ପାଇଁ ଅନେକ ସୁଯୋଗ ରହିଛି । ସାର୍ବଜନିକ ଓ ପ୍ରାଇଭେଟ ବ୍ୟାଙ୍କ ଗୁଡ଼ିକରେ ଅଧିକ ପଦବୀ ଖାଲି ରହୁଛି । ବର୍ତ୍ତମାନ ସମୟରେ ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କ ପାଇଁ ସେମାନଙ୍କ ସେବାକ୍ଷେତ୍ର ବହୁପରିମାଣରେ ବିସ୍ତାର କରିବାରୁ ଚାକିରୀ ସୁଯୋଗ ବଢିବା ସହ ଭଲ ଦରମା ମିଳିଥାଏ । ଏହି କାରଣରୁ ଆଜିର ଯୁବପୀଢିଙ୍କ ମଧ୍ୟରେ ବ୍ୟାଙ୍କରେ ଚାକିରି କରିବା ପାଇଁ ଏକ ରକମର ପ୍ରତିଯୋଗିତା ଦେଖିବାକୁ ମିଳୁଛି । ଏହାର ସୁଯୋଗ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଛତୁ ଫୁଟିଲା ପରି କୋଚିଂ ସେଣ୍ଟର ମାନ ଖୋଲିବାରେ ଲାଗିଛି । ଏହାସହ ଗାଁ ମାନଙ୍କରୁ ସହରକୁ ଭଲ କୋଚିଂ ଆଶାରେ ଶହ ଶହ ଯୁବକଯୁବତୀଙ୍କ ସୁଅ ଛୁଟୁଛି । ବିଭିନ୍ନ ବ୍ୟାଙ୍କ ତରଫରୁ ଅନଲାଇନ ଆପ୍ଲିକେଶନ ମାଧ୍ୟମରେ ଅନେକ କ୍ଲରିକାଲ୍ ପୋଷ୍ଟ ବାହାରୁଛି । ଆପଣ ବି ଯଦି ଏହି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ତେବେ କିଛି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ…

ଯୋଗ୍ୟତା
ସ୍ନାତକ ପରୀକ୍ଷାରେ ଉତୀର୍ଣ୍ଣ କୌଣସି ପ୍ରାର୍ଥୀ ବ୍ୟାଙ୍କ ପରୀକ୍ଷାଗୁଡିକ ପାଇଁ ଆବେଦନ କରି ପାରିବେ ।
ବୟସ ସୀମା
ଜେନରାଲଙ୍କ ପାଇଁ ୧୮ରୁ ୨୮, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପାଇଁ ସରକାରୀ ନିୟମରେ କିଛିଟା କୋହଳ ଥାଏ ।
ଚୟନ ପକ୍ରିୟା
କ୍ଲରିକାଲ୍ ପୋଷ୍ଟର ଚୟନ ପାଇଁ ଦୁଇଟି ବିଭାଗ ରହିଥାଏ । ପ୍ରଥମରେ ଦୁଇଟି ଲିଖିତ ପରୀକ୍ଷା ଓ ତା’ ପରେ ସାକ୍ଷାତକାର ହୋଇଥାଏ । ପ୍ରଥମ ଭାଗରେ ରିଜୋନିଙ୍ଗ୍, କ୍ଲରିକାଲ୍ ଆପ୍ଟିଚ୍ୟୁଡ୍ ,ନ୍ୟୁମେରିକାଲ୍ ଆବିଲିଟି, ଇଂରାଜୀ , ବ୍ୟାଙ୍କିଙ୍ଗ୍ ଆୱାରନେସ୍, କମ୍ପୁଟର ଆୱାରନେସ୍, ସାମାଜିକ-ଅର୍ଥନୀତି ସମ୍ବନ୍ଧୀୟ ଆଦି ପ୍ରଶ୍ନ ରହିଥାଏ । ଲିଖିତ(ରିଟିନ୍) ପରୀକ୍ଷାରେ କୃତକାର୍ଯ୍ୟ ହେଲାପରେ ଉତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ ସାକ୍ଷାତକାର ଦେବାକୁ ହୋଇଥାଏ । ଇଣ୍ଟରଭ୍ୟୁ ରେ ସଫଳତା ସହ ପାସ୍ ହୋଇଗଲେ ଆପଣ ଉପରୋକ୍ତ ପଦବୀ ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି ।

କିପରି କରିବେ ନିଜକୁ ପ୍ରସ୍ତୁତ-
• ବ୍ୟାଙ୍କିଙ୍ଗ୍ ର ପ୍ରାୟ ସମସ୍ତ ପରୀକ୍ଷାରେ ନେଗେଟିଭ୍ ମାର୍କିଙ୍ଗ ରହିଥାଏ । ଏଥିପାଇଁ ମନେରଖନ୍ତୁ କୌଣସି ପ୍ରଶ୍ନର ସଠିକ୍ ଉତ୍ତର ଆସୁନଥିଲେ, ତାକୁ ଢାବାମାରି ଜମାରୁ କରନ୍ତୁ ନାହିଁ, ଆବଶ୍ୟକ ସ୍ଥଳେ ଛାଡି ଦିଅନ୍ତୁ ।
• ଯେକୌଣସି ପରୀକ୍ଷା ପାଇଁ ପ୍ରସ୍ତୁତି ପୂର୍ବରୁ ତାର ସିଲାବସ୍ ଭଲଭାବେ ପଢନ୍ତୁ ।ବ୍ୟାଙ୍କିଙ୍ଗ୍ ପାଇଁ ଘରେ ବସି ପଢି ନ ପାରିଲେ କୋଚିଂ ସେଣ୍ଟରରେ ନାମ ଲେଖାନ୍ତୁ । ଦରକାର ପଡିଲେ ଏଥିରେ ସଫଳ ହୋଇଥିବା ବ୍ୟକ୍ତିଙ୍କ ଠାରୁ ମାର୍ଗଦର୍ଶନ ଗ୍ରହଣ କରିପାରିବେ ।
• ବିଶେଷଜ୍ଞଙ୍କ ଅନୁସାରେ ପ୍ରତିଦ୍ୱନ୍ଦିତା ମୂଳକ ପରୀକ୍ଷାରେ ବିଭିନ୍ନ ପ୍ରଶ୍ନ ଗୁଡିକୁ ଶୀଘ୍ର ଓ ନିର୍ଭୁଲ ଭାବେ କରିବାର ଅଭ୍ୟାସ ନ ଥିଲେ, ଆପଣ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ସମୟ ପାଇବେ ନାହିଁ । ଏଥିପାଇଁ ଅଧିକରୁ ଅଧିକ ପ୍ରଶ୍ନ ଶୀଘ୍ର ଓ ନିର୍ଭୁଲ ଭାବେ କରିବାର ଅଭ୍ୟାସ କରନ୍ତୁ ।
• ଗଣିତ ପ୍ରଶ୍ନଗୁଡିକୁ ସର୍ଟକର୍ଟ ଫର୍ମୁଲା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।
• ରିଜୋନିଙ୍ଗ୍ ଓ ନ୍ୟୁମେରିକାଲ୍ ବିଷୟରେ ଭଲ କରିବା ପାଇଁ ତା ସମ୍ବନ୍ଧୀୟ ବହିପଢିବା ସହ ବିଭିନ୍ନ ପ୍ରତିଯୋଗିତା ମୂଳକ ପତ୍ରିକାରେ ଥିବା ସେଟ୍ ଗୁଡିକୁ ବାରମ୍ବାର ସମାଧାନ କରନ୍ତୁ ।
• ଇଂରାଜୀ ବ୍ୟାକରଣ ପାଇଁ ବିଭିନ୍ନ ଗ୍ରାମାର ବହି ବା ରେଡ୍ ଆଣ୍ଡ ମାର୍ଟିନ ଗ୍ରାମାର ବହି ପଢନ୍ତୁ, ଏଥିସହିତ ବିଭିନ୍ନ ଇଂରାଜୀ ଦୈନିକ ସମାଚାର ପତ୍ର ପଢିବା ଦ୍ୱାରା ଅନେକ ଇଂରାଜୀ ଶଦ୍ଦ ଜାଣିପାରିବେ ଓ ତାକୁ କାର୍ଯ୍ୟରେ ଲଗାଇପାରିବେ ।

ଅଭ୍ୟାସ ନିହାତି ଆବଶ୍ୟକ

ଅବଜେକ୍ଟିଭ୍ ପରୀକ୍ଷାରେ ପଡୁଥିବା ପ୍ରଶ୍ନ ଗୁଡିକର ଉତ୍ତର ସବୁ ପିଲା ଦେବାର କ୍ଷମତା ରଖିଥାନ୍ତି କିନ୍ତୁ ଅଳ୍ପ ସମୟ ମଧ୍ୟରେ ଅଧିକ ପ୍ରଶ୍ନର ଉତ୍ତର କରିବାକୁ ପଡିଥାଏ । କେବଳ ଅଭ୍ୟାସ ନଥିବା ଯୋଗୁଁ ନିର୍ଦ୍ଧାରିତ ସମୟ ଭିତରେ ପିଲାମାନେ ଉତ୍ତର ଦେଇପାରନ୍ତି ନାହିଁ, ଏହାଦ୍ୱାରା ମାର୍କ ମଧ୍ୟ କମ ହୋଇଯାଇଥାଏ । ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ପ୍ରଶ୍ନର ଉତ୍ତର କରିବାକୁ ଚେଷ୍ଟା କରନ୍ତୁ । ତା ସହିତ ବାରମ୍ବାର ଅଭ୍ୟାସ କରନ୍ତୁ,ଏପରି କରିବା ଦ୍ୱାରା ପରୀକ୍ଷାରେ ଭଲ ମାର୍କ ରଖିବାରେ ସହାୟକ ହୋଇଥାଏ ।

କିପରି କରିବେ ଟାଇମ୍ ମ୍ୟାନେଜମେଣ୍ଟ୍

ଟାଇମ୍ ମ୍ୟାନେଜମେଣ୍ଟର ଅର୍ଥ ହେଉଛି ନିର୍ଦ୍ଧାରିତ ସମୟ ସୀମା ଭିତରେ କାମ ବା ନିଜ ଲକ୍ଷ୍ୟ ଗୁଡିକୁ ସଫଳତା ପୂର୍ବକ କରିବା । ଲକ୍ଷ୍ୟ ବିନା ଟାଇମ୍ ମ୍ୟାନେଜମେଣ୍ଟର କୌଣସି ଅର୍ଥ ନାହିଁ । ଟାଇମ୍ ମ୍ୟାନେଜମେଣ୍ଟ ହେଉଛି ନିଜ ଲକ୍ଷ୍ୟ ପ୍ରାପ୍ତିର ପ୍ରଥମ ପାହାଚ । କୌଣସି ଜିନିଷରେ ସଫଳତା ପାଇବାକୁ ହେଲେ ଏକ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ପଡିଥାଏ । ଏହାପରେ ଆସେ ସମୟର ଉପଯୁକ୍ତ ବିନିମୟ କରିବା । ଖାଲି ଯେ ଟାଇମ୍ ମ୍ୟାନେଜମେଣ୍ଟ ବା ଗୋଟେ ରୁଟିନ୍ ପ୍ରସ୍ତୁତ କରି କାନ୍ଥରେ ଝୁଲେଇ ଦେଲେ ହେବ ନାହିଁ ,ସେହି ଅନୁଯାୟୀ କାର୍ଯ୍ୟ ମଧ୍ୟ କରିବାକୁ ପଡିବ । ଯଦି କୌଣସି କାରଣରୁ ନିଜେ ତିଆରି କରିଥିବା ରୁଟିନରୁ ପଢା ଏପଟ ସେପଟ ହୁଏ, ତେବେ ଚେଷ୍ଟା କରନ୍ତୁ ସେହି ବାକି ରହିଯାଇଥିବା କାର୍ଯ୍ୟକୁ ତା ପରଦିନ ବା ଆଗାମୀ ସପ୍ତାହରେ ଶେଷ କରିବେ ।

Previous ସୋସିଆଲ ମିଡ଼ିଆରେ ଭାଇରାଲ ଦୀପବିରଙ୍କ ବିବାହପର ଫଟୋ
Next କୁକୁର ଆକ୍ରମଣରୁ ରକ୍ଷା ପାଇବେ କିପରି?

No Comment

Leave a reply

Your email address will not be published. Required fields are marked *