ଯୁକ୍ତ ଦୁଇ ପରେ ଉଜ୍ଜ୍ୱଳ କ୍ୟାରିୟର

bright career after plus two

ହାଇସ୍କୁଲ ପରୀକ୍ଷା ପରେ ଯୁକ୍ତ ଦୁଇ ହେଉଛି ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଘଡିସନ୍ଧି ମୁହୁର୍ତ୍ତ । ଚାକିରି ସୁଯୋଗ ସୃଷ୍ଟିକାରୀ ପ୍ରଫେସନାଲ୍ କୋର୍ସ ଗୁଡିକରେ ଭଲ କରିବାକୁ ଯୁକ୍ତ ଦୁଇର ପାଠ୍ୟକ୍ରମରେ ସ୍ଥାନିତ କନସେପ୍ଟ ଗୁଡିକୁ ଉତ୍ତମରୂପେ ବୁଝିବାକୁ ପଡିବ । ଉପରଠାଉରିଆ ଭାବେ ପଢିଲେ ଭବିଷ୍ୟତ ଅନ୍ଧକାରମୟ ହେବା ସାର । କାରଣ ଯୁକ୍ତ ଦୁଇ ପାଠ୍ୟକ୍ରମରେ ପ୍ରଫେସନାଲ୍ କୋର୍ସରେ ପଢାଯାଉଥିବା ସବଜେକ୍ଟର ମୋୖଳିକ କନସେପ୍ଟ ଗୁଡିକୁ ସୁନ୍ଦର ଭାବରେ ଅବତାରଣା କରାଯାଇଥାଏ । ପ୍ଲସ ଟୁ ରେ ଭଲ ନମ୍ବର ରଖି ପାସ୍ କଲାପରେ ସଠିକ୍ କ୍ୟାରିୟର ଚୟନ ହିଁ ଆପଣଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବ । ଚାଲନ୍ତୁ, ଯୁକ୍ତ ଦୁଇ ପରେ ସରକାରଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ କର୍ମନିଯୁକ୍ତି ସୁଯୋଗ ସୃଷ୍ଟିକାରୀ ପରୀକ୍ଷା ଗୁଡିକ ସମ୍ବନ୍ଧରେ ଆଲୋଚନା କରିବା ।

ସ୍ପେଶାଲ କ୍ଲାସ ରେଲୱେ ଆପ୍ରେଣ୍ଟିସ୍(SCRA)
ଶିକ୍ଷାଗତ ଯୋଗ୍ୟତା- ଯୁକ୍ତ ଦୁଇରେ ପ୍ରଥମ କିମ୍ବା ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଥିବା ଆବଶ୍ୟକ । ବାଧ୍ୟତାମୂଳକ ବିଷୟ ଭାବେ ମ୍ୟାଥମେଟିକ୍ସ ରହିବା ସହ ଫିଜିକ୍ସ କିମ୍ବା କେମେଷ୍ଟ୍ରି ମଧ୍ୟରୁ ଗୋଟିଏ ସବଜେକ୍ଟ ରହିଥିଲେ ସ୍ପେଶାଲ କ୍ଲାସ ରେଲୱେ ଆପ୍ରେଣ୍ଟିସ ଏଣ୍ଟ୍ରାସ ପରୀକ୍ଷା ପାଇଁ ଆପଣ ଯୋଗ୍ୟ ବିବେଚିତ ହେବେ ।

ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ(NDA)
ଭାରତୀୟ ଜଳ, ସ୍ଥଳ ଓ ବାୟୁସେନାରେ ଯୋଗଦେବାକୁ ଚାହୁଁଥିବା ଦେଶ ପ୍ରେମୀ ଯୁବକଙ୍କ ପାଇଁ ଅପୂର୍ବ ସୁଯୋଗ ଆଣିଦିଏ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ । ବିବାହିତ ଯୁବକ ଏବଂ ଯୁବତୀ ଏହି ପରୀକ୍ଷାରେ ଭାଗ ନେଇପାରିବେ ନାହିଁ ।

ଶିକ୍ଷାଗତ ଯୋଗ୍ୟତା- ଏନଡିଏ ପରୀକ୍ଷା ଜରିଆରେ ସ୍ଥଳ ବାହିନୀରେ ଯୋଗଦେବାକୁ ଚାହୁଁଥିଲେ ଯେକୌଣସି ଷ୍ଟ୍ରିମ୍ ରେ ଯୁକ୍ତ ଦୁଇ ପାସ୍ କରିଥିବା କିମ୍ବା ଶେଷ ବର୍ଷରେ ଥିବା ଛାତ୍ର ହିଁ ଯୋଗ୍ୟ ବିବେଚିତ ହେବେ । ଜଳ ଓ ବାୟୁ ସେନାରେ ଯୋଗ ଦେବା ପାଇଁ ଚାହୁଁଥିଲେ ଯୁକ୍ତ ଦୁଇରେ ଆପଣ ଫିଜିକ୍ସ କିମ୍ବା କେମେଷ୍ଟ୍ରି ମଧ୍ୟରୁ ଯେକୌଣସି ଗୋଟିଏ ସବଜେକ୍ଟକୁ ବାଧ୍ୟତାମୂଳକ ଭାବେ ନେଇଥିବା ଆବଶ୍ୟକ । ବର୍ଷକୁ ଦୁଇଥର ଏହି ପରୀକ୍ଷା ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ହୋଇଥାଏ ।

ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(NEET)– ଯୁକ୍ତ ଦୁଇ ପରେ ଡାକ୍ତର ହେବାକୁ ଚାହୁଁଥିବା ପିଲାମାନେ ଏହି ମେଧାବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପଡିବ ।

ଶିକ୍ଷାଗତ ଯୋଗ୍ୟତା- ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମରେ ଅତିକମ୍ରେ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ନିଟ୍ ପରୀକ୍ଷାରେ ଆବେଦନ ପାଇଁ ଫିଜିକ୍ସ, କେମେଷ୍ଟ୍ରି, ବାୟୋଲୋଜି/ବାୟୋଟେକ୍ନୋଲୋଜି ଏବଂ ଇଂରାଜୀ ବାଧ୍ୟତାମୂଳକ ବିଷୟ ଭାବେ ରହିଥିବା ଆବଶ୍ୟକ । ଅନୁସୂଚୀତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ବିଦ୍ୟାର୍ଥୀ ଯୁକ୍ତ ଦୁଇରେ ୪୦ ପ୍ରତିଶତ ମାର୍କ ରଖିଥିଲେ ଏହି ପରୀକ୍ଷା ଦେଇପାରିବେ ।

ଆର୍ମଡ୍ ଫୋର୍ସେସ ମେଡିକାଲ୍ କଲେଜ(AFMC)– ପୁନେସ୍ଥିତ ଆର୍ମଡ୍ ଫୋର୍ସେସ ମେଡିକାଲ କଲେଜରେ ନାମଲେଖା ପାଇଁ ଆୟୋଜିତ ଏଣ୍ଟ୍ରାନ୍ସ ଦୁଇଟିସ୍ତର ରେ ହୋଇଥାଏ ।

ପ୍ରଥମସ୍ତର-ନିଟ୍ ସ୍କୋର ଅନୁଯାୟୀ ଆଶାୟୀ ପ୍ରାର୍ଥୀଙ୍କୁ ଏଏଫ୍ ଏମ୍ ସି, ପୁନେ ଦ୍ୱାରା ଆୟୋଜିତ ToELR ପରୀକ୍ଷା ପାଇଁ ସର୍ଟ ଲିଷ୍ଟ କରାଯାଏ । ଏହା ଏକ ଅନ୍ଲାଇନ୍ ପରୀକ୍ଷା । ନିର୍ଦ୍ଧାରିତ ୩୦ ମିନିଟ୍ ମଧ୍ୟରେ ଆପଣଙ୍କୁ ୪୦ଟି ମଲ୍ଟିପୁଲ ଚଏସ୍ ପ୍ରଶ୍ନର ଉତ୍ତର ଦେବାକୁ ହେବ । ପ୍ରତିଟି ସଠିକ୍ ଉତ୍ତର ପାଇଁ ୨ ମାର୍କ ରହିଥିବାବେଳେ ପ୍ରତି ଭୂଲ ଉତ୍ତର ପାଇଁ ରହିଛି ୦.୫ ନେଗେଟିଭ ମାର୍କ । ToELR ସ୍କୋରକୁ ନିଟ୍ ସ୍କୋରରେ ମିଶାଇ ୪ ଦ୍ୱାରା ଭାଗ କରାଯାଇ ପ୍ରଥମସ୍ତର ପରୀକ୍ଷାର ସ୍କୋର ନିର୍ଣ୍ଣୟ କରାଯାଏ ।

ଦ୍ୱିତୀୟସ୍ତର- ଏହି ପର୍ଯ୍ୟାୟରେ ୫୦ ମାର୍କ ବିଶିଷ୍ଟ ସାଇକୋମେଟ୍ରିକ୍ ଟେଷ୍ଟ ଏବଂ ଇଣ୍ଟରଭ୍ୟୁ ହୋଇଥାଏ । ଦୁଇ ପର୍ଯ୍ୟାୟର ସମୁଦାୟ ମାର୍କକୁ ମିଶାଇ ଚୂଡାନ୍ତ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯାଏ ।

ଜେଇଇ ମେନ୍ ଆଣ୍ଡ ଜେଇଇ ଆଡଭାନ୍ସଡ୍(JEE-MAIN & JEE-ADVANCED) –ମ୍ୟାଥମେଟିକ୍ସ ଏବଂ ଫିଜିକ୍ସକୁ ବାଧ୍ୟତାମୂଳକ ବିଷୟ ଭାବେ ରଖିଥିବା ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ପାଇଁ ଆବେଦନ କରିପାରିବେ । ଜେଇଇ ମେନ୍ ସ୍କୋର ଅନୁଯାୟୀ ଜେଇଇ ଆଡଭାନ୍ସଡ୍ ପାଇଁ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯାଏ । ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଏବେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ନାମଲେଖା ପାଇଁ ଜେଇଇ ଆଡଭାନ୍ସଡ୍ ସ୍କୋରକୁ ମାପକାଠି ଧରାଯାଇଥାଏ । ବି.ଦ୍ର.- ସାଧାରଣ ବର୍ଗର ପିଲା ଯୁକ୍ତ ଦୁଇରେ ୭୫ ପ୍ରତିଶତ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାର୍ଥୀ ୬୫ ପ୍ରତିଶତ ମାର୍କ ରଖିଥିଲେ ହିଁ ଆଇଆଇଟି ଏବଂ ଏନ୍ଆଇଟି ଭଳି ଖ୍ୟାତନାମା ଯାନ୍ତ୍ରିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖାଇପାରିବେ ।

Previous ଆଙ୍ଗୁଠି କେବେ ମିଛ କୁହେନି
Next ଏନଗିଡ଼ିଙ୍କ ବିଧ୍ୱଂସି ବୋଲିଂ: ଭାରତ ପରାସ୍ତ

No Comment

Leave a reply

Your email address will not be published. Required fields are marked *