ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୭୫ ବର୍ଷୀୟ ଭେଟେରାନ୍ ଓଲିଉଡ୍ ଅଭିନେତା ଦେବୁ ବୋଷ ଗତକାଲି ଇହଧାମ ତ୍ୟାଗ କରିଛନ୍ତି । ବଲିଉଡ଼ରେ ଆଲୋକ ନାଥଙ୍କ ଭଳି ଓଲିଉଡ଼ରେ ବାପା ଭୂମିକାରେ ବଳିଷ୍ଠ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ ଦେବୁ ଦା ।
ପୂର୍ବରୁ ଦୁଇ ଥର ହୃଦଘାତର ଶିକାର ହୋଇଥିବା ଦେବୁ ଦା ଗତ ୪ ମାସ ଧରି ଚିକିତ୍ସିତ ହେଉଥିଲେ । ଓଡିଆ ଓ ବଙ୍ଗଳା ସିନେମା ଜଗତରେ ଜଣେ ଲୋକପ୍ରିୟ ଅଭିନେତା ଭାବେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିଲେ ସେ । ପୁଅ ମୋର କଳା ଠାକୁର, ଆସୁଛି ମୋ କାଳିଆ ସୁନା, ସୁନା ଚଢେଇ, କି ହେବ ଶୁଆ ପୋଷିଲେ, ଫୁୁଲ ଚନ୍ଦନ, ସମୟ ଖେଳୁଛି ଚକା ଭଉଁରୀ ଆଦି ସିନେମାରେ ଦେବୁ ଦାଙ୍କ ମର୍ମସ୍ପର୍ଶୀ ଅଭିନୟ ଆଜି ବି ଅପସୋରା । ଅଭିନୟ ବ୍ୟତୀତ ନୃତ୍ୟ ଓ କୋରିଓଗ୍ରାଫିରେ ମଧ୍ୟ ବେଶ୍ ଦକ୍ଷ ଥିଲେ ସେ । ପ୍ରଥିତଯଶା ଓଡିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ବିଧିବଦ୍ଧ ଭାବେ ତାଲିମ ନେଇଥିଲେ ଦେବୁ ବୋଷ । ଏକ ଆଂଚଳିକ ଥିଏଟର ଗ୍ରୁପ ଦିଗନ୍ତ ସହ ସଂଶ୍ଳିଷ୍ଟ ଥିବା ସମୟରେ ଅନେକ ନାଟକର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ସେ । ୮୦ ଦଶକରେ ତପସ୍ୟା ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ଦେବୁ ଦାଙ୍କ ଶେଷ ଫିଲ୍ମ ଥିଲା ୨୦୧୪ରେ ରିଲିଜ ହୋଇଥିବା ରାସ୍ତା ।
No Comment