ଭଲ ଅଫର ମିଳିଲେ ପୁଣି ଯାତ୍ରାକୁ ଫେରିବି: ଉଷସୀ ମିଶ୍ର


ଓଡିଆ ଚଳଚ୍ଚିତ୍ର ଜଗତରେ ଯେତେବେଳେ ବଙ୍ଗୀୟ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ରାଜ୍ ଚାଲିଥିଲା ଠିକ୍ ସେହି ସମୟରେ ତିନି ଜଣ ଓଡିଆ ଅଭିନେତ୍ରୀ ଓଲିଉଡ଼ରେ ପ୍ରବେଶ କରିଥିଲେ । ଜ୍ୟୋତି ମିଶ୍ର ଓ ମାମା ମିଶ୍ରଙ୍କ ସହ ଲାସ୍ୟମୟୀ ଉଷସୀ ମିଶ୍ରଙ୍କର ପ୍ରଦାର୍ପଣ ଘଟିଥିଲା । ରହିଛି ରହିବି ତୋରି ପାଇଁ , ଧର୍ମର ହେବ ଜୟ, ଏଇଠି ସ୍ୱର୍ଗ ଏଇଠି ନର୍କ ଏବଂ ଆହୁରି ଅନେକ ଓଡିଆ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ନିଜର ଆସ୍ଥାନ ସୁଦୃଢ କରିଥିଲେ ଉଷସୀ । ଓଡିଆ ଇଣ୍ଡଷ୍ଟ୍ରୀ ବ୍ୟତୀତ ସାଉଥ୍ ଫିଲ୍ମ ଓ ଯାତ୍ରା ଜଗତରେ ମଧ୍ୟ ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ମତୁଆଲା କରେ । କେବଳ ଅଭିନୟ ନୁହେଁ ଅସଲ ଜୀବନରେ ବି ଏକ ଭଲ ମଣିଷ ଭାବେ ସହକଳାକାରଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ସେ । ଯାତ୍ରା ଜଗତରୁ ପ୍ରତ୍ୟାବର୍ତ୍ତନ କରିଥିବା ଉଷସୀ ମିଶ୍ରଙ୍କ ସହ କେଇପଦ ମିଠା ମିଠା କଥା ।

ପ୍ରଶ୍ନ- ଆପଣ ଓଡିଆ ଫିଲ୍ମ ବ୍ୟତୀତ କେତୋଟି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ଓଲିଉଡ୍ ଓ ଟଲିଉଡ୍ ଇଣ୍ଡଷ୍ଟ୍ରି ମଧ୍ୟରେ ଆପଣ କଣ ଫରକ୍ ଦେଖିଛନ୍ତି?

ଉତ୍ତର- ଟଲିଉଡି ଇଣ୍ଡଷ୍ଟ୍ରିରେ ସବୁଠୁ ବଡ କଥା ହେଲା ସମୟାନୁବର୍ତ୍ତିତା ଏବଂ ଏସୋସିଏସନ୍ ମଧ୍ୟ ଓଲିଉଡ୍ ଇଣ୍ଡଷ୍ଟ୍ରି ତୁଳନାରେ ଅଧିକ ସକ୍ରିୟ । ବୈଷୟିକ ଜ୍ଞାନକୌଶଳ ଦୃଷ୍ଟିରୁ ବି ସେମାନେ ଆମ ତୁଳନାରେ ବହୁ ଗୁଣରେ ଆଗୁଆ । ସେଠି ଅଧିକ ବଜେଟରେ ଫିଲ୍ମ ତିଆରି ହୁଏ ଏବଂ ଭଲ ପାଉଣା ମିଳେ । କିନ୍ତୁ ଆମର ଓଡିଆ ଇଣ୍ଡଷ୍ଟ୍ରିରେ ନା ବଡ ବଜେଟର ଫିଲ୍ମ ତିଆରି ହୁଏ ନା ଭଲ ପାରିଶ୍ରମିକ ମିଳେ । ଯାହା ବି ମିଳେ ତାହା ଏତେ ବିଳମ୍ବିତ ହୁଏ ଯେ ବେଳେବେଳେ ସେହି ଅର୍ଥ କଳାକାର ପାଇଁ ଅର୍ଥହୀନ ହୋଇପଡେ । ବେଳେବେଳେ ପ୍ରଯୋଜକ କହନ୍ତି କମ୍ ବଜେଟ ଫିଲ୍ମ ମ୍ୟାଡାମ୍, ଟିକେ କମ ପ୍ରାଇସରେ ଚଳେଇ ଦିଅନ୍ତୁ।

ପ୍ରଶ୍ନ- ଅଶୀ ଏବଂ ନବେ ଦଶକରେ ମହମ୍ମଦ ମହସିନ୍, ପ୍ରଶାନ୍ତ ନନ୍ଦ, ଶିଶିର ମିଶ୍ର, ରାଜୁ ମିଶ୍ର ଓ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଫିଲ୍ମ ଗୁଡିକ ଅଧିକ ଲୋକପ୍ରିୟ ହେଉଥିଲା । କଳାକାରଙ୍କ ନିଖୁଣ ଅଭିନୟ ସାଙ୍ଗକୁ କାହାଣୀରେ ଓଡିଆ ମାଟିର ବାସ୍ନା ଓ ମୋୖଳିକତା ଦର୍ଶକଙ୍କୁ ମଧ୍ୟ ବାନ୍ଧି ରଖୁଥିଲା । କିନ୍ତୁ ଏବେ ଓଡିଆ ଚଳଚ୍ଚିତ୍ରର ମାନ ଦିନକୁ ଦିନ କମିକମି ଯାଉଛି । ଏହାର କାରଣ କଣ?

ଉତ୍ତର- ସେତେବେଳେ ଦର୍ଶକଙ୍କ ସ୍ୱାଦ ଭିନ୍ନ ଥିଲା । ଏବେ ସମୟ ବହୁତ ବଦିଳିଛି । କିନ୍ତୁ ପରିତାପର ବିଷୟ ହେଲା ନବ ନିର୍ମିତ ଓଡିଆ ଫିଲ୍ମ ଗୁଡିକ ସମ୍ପୂର୍ଣ୍ଣ କପି ପେଷ୍ଟ ହେଉଛି । ଯାହାକି ଓଡିଆ ଚଳଚ୍ଚିତ୍ରର ମାନ କମିବାରେ ମୁଖ୍ୟ କାରଣ ସାଜିଛି ।

ପ୍ରଶ୍ନ- ବେଶ୍ କିଛି ଓଡିଆ ଚଳଚ୍ଚିତ୍ରରେ ଅଭିନୟ ପରେ ଆପଣ ଯାତ୍ରାରେ ଅଭିନୟ କଲେ । ପୁଣି ଯାତ୍ରା ଛାଡି ଏବେ ଓଡିଆ ଫିଲ୍ମରେ ଅଭିନୟ କରୁଛନ୍ତି । ଯାତ୍ରା ଜଗତକୁ ଆଉ ଫେରିବେ ନା ନାହିଁ?

ଉତ୍ତର- ମୁଁ ଇଷ୍ଟର୍ଣ୍ଣ ବ୍ଲୁ ରେ ଅଭିନୟ କରୁଥିଲି । ଅପେରା ଛାଡି ଏବେ ଓଡିଆ ସିନେମା ଜଗତରେ କାମ କରୁଛି । ଆଉ ଗୋଟିଏ ଯାତ୍ରା ପାର୍ଟି ସହ କଥାବାର୍ତ୍ତା ଚାଲିଛି । ଯଦି ଅଫର ମୋତେ ସୁଟ୍ କରେ ପୁଣି ଯାତ୍ରା ଦୁନିଆକୁ ଫେରିବି ।

ପ୍ରଶ୍ନ- କେଉଁ ଅଭିନେତାଙ୍କ ସହ କାମ କରିବାରେ ଆପଣ ସହଜ ଅନୁଭବ କରନ୍ତି?

ଉତ୍ତର- ମୁଁ ମିହିର ଦାସଙ୍କ ସହ କାମ କରିବାକୁ ଭଲ ପାଏ ।

ପ୍ରଶ୍ନ- ଚଳଚ୍ଚିତ୍ରକୁ ନେଇ କ୍ୟାରିୟର କରିବାକୁ ଚାହୁଁଥିବା ନୂଆ ପିଢିର କଳାକାରଙ୍କୁ କଣ କହିବେ?

ଉତ୍ତର- ପାଠ ପଢ, ନିଜକୁ ତିଆରି କର । ଡ୍ୟାନ୍ସ କ୍ଲାସ ଜଏନ୍ କରିବା ସହ ଥିଏଟରରେ ଅଭିନୟର ଅଭ୍ୟାସ ଜାରି ରଖ । ଏବେ ଓଡିଆ ଇଣ୍ଡଷ୍ଟ୍ରୀର ଅବସ୍ଥା ଜମା ଭଲ ନୁହେଁ । ଦୁଇ, ତିନି ବର୍ଷ ଅପେକ୍ଷା କର । ନିପୁଣ ଅଭିନୟର ଚାହିଦା ସବୁବେଳେ ଅଛି ଓ ଆଗକୁ ରହିବ । ଉନ୍ନତମାନର ଓଡିଆ ଫିଲ୍ମ ପ୍ରଯୋଜନା ପାଇଁ ଉଦ୍ୟମ ହେଲେ ନୂଆ କଳାକାରଙ୍କ ପାଇଁ ସୁଯୋଗ ଆପେ ଆପେ ସୃଷ୍ଟି ହେବ ।

Previous ସ୍ମରଣଶକ୍ତି ବଢ଼ାଇବାର କିଛି ଘରୋଇ ଉପାୟ
Next ଟାର୍ଗେଟ / ସ୍ପୋକନ୍ ଇଂଲିଶ - ଭାଗ - ୪

No Comment

Leave a reply

Your email address will not be published. Required fields are marked *