ଓଡ଼ିଶାର ଭୂସ୍ୱର୍ଗ କୋରାପୁଟ

Koraput is a part of the tribal belt in southern Odisha

କୋରାପୁଟ ଏମିତି ଗୋଟିଏ ସ୍ଥାନ ଯେଉଁଠିକି ଥରେ ଗଲେ ଫେରିବାକୁ ଇଚ୍ଛା ହେବନି । ସୁନ୍ଦର ବନରାଜିର ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ସରଳ ଆଦିବାସୀଙ୍କ ଜୀବନଯାପନ ବେଶ୍ ଆକର୍ଷଣୀୟ ରହିଥାଏ । ଏହା ସହ ଆଦିବାସୀ ହାଟରୁ ଆଦିବାସୀ ଖାଦ୍ୟ ସାମଗ୍ରୀ କିଣିବାର ସୁଯୋଗ ପାଇବା ସହ ଏଠାକାର ପାହାଡ଼ ଉପରେ ସୂର୍ଯ୍ୟାସ୍ତ, ସୋରିଷ ଓ ଅଳସି ଫୁଲର କ୍ଷେତ ଦେଖିବାର ସୁଯୋଗ ମିଳିଥାଏ । ବଣଭୋଜି ଓ ଜଳ ପ୍ରପାତରେ ଗାଧୋଇବାର ମଜା ଉଠାଇବାରସୁଯୋଗ ରହିଛି ମଧ୍ୟ ଏଠାରେ । ଛୁଟିରେ କୋରାପୁଟ ବୁଲି ଯାଆନ୍ତୁ ନା ସେଠାରେ କଣ ଦେଖିବେ ସେ ବିଷୟରେ ଆମେ ଜଣାଉଛୁ ।
ଗୁପ୍ତେଶ୍ୱର


ଜିଲ୍ଲାର ସଦରମହକୁମା କୋରାପୁଟରୁ ୮୦ କିମି ଦୂର କୋଲାବ ନଦୀ କୂଳରେ ରହିଛି ଗୁପ୍ତେଶ୍ୱର ଗୁମ୍ଫା ଏହି ଗୁମ୍ଫା ଭିତରେ ରହିଛନ୍ତି ଗୁପ୍ତେଶ୍ୱର ମହାଦେବ । ଏହି ପୀଠଟି ଦେଶର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ । ଏଠାରେ ୧୦ ଫୁଟ ଗୋଲେଇ ଓ ୩ ଫୁଟ ଉଚ୍ଚର ଶିବଲଙ୍ଗ ପୁଜା ପାଆନ୍ତି । ପୁରାଣ ଓ ଲୋକ କଥାରୁ ଜଣାଯାଏ ଯେ ବନବାସ ସମୟରେ ରାମ ସୀତା ଏଠାରେ ଶିବଙ୍କ ଲିଙ୍ଗ ସ୍ଥାପନ କରି ପୁଜା କରୁଥିଲେ । ଗୁମ୍ଫା ଭିତରେ କାଳୀ ଗାଈ,ସ୍ୱର୍ଗଦ୍ୱାର,ପାରାଭାଡ଼ି,ଦେବକୁଣ୍ଡ ଇତ୍ୟାଦି ରହିଛି । ଗୁମ୍ଫା ଭିତର ଅନ୍ଧାରିଆ ହୋଇଥିବାରୁ ସାଙ୍ଗରେ ଟର୍ଚ୍ଚ ନେବା ସହ ଅଭିଜ୍ଞ ଗାଇଡ଼ଙ୍କୁ ନେବାକୁ ପଡ଼ିଥାଏ । ଗୁପ୍ତେଶ୍ୱର ମନ୍ଦିରଠାରୁ ଅଳ୍ପ ଦୁରରେ ରହିଛି ରାମ କୁଣ୍ଡ ଓ ସୀତା କୁଣ୍ଡ । ଏହା ସହ ଏଠାରେ ରହିଥିବା ଦରୁଆ ଆଦିବାସୀ ସମ୍ପ୍ରଦାୟ ବିଷୟରେ ଜାଣି ପାରିବେ । ଏହି ସମ୍ପ୍ରଦାୟର ଲୋକମାନେ ଠାକୁରଙ୍କ ସେବା ପୁଜା କରିଥାନ୍ତି । ମନ୍ଦିର, ଗୁମ୍ଫା, ରାମ-ସୀତା କୁଣ୍ଡଠାରୁ ବେଶୀ ଆକର୍ଷଣୀୟ ରହିଥାଏ ଏଠାକୁ ଯିବା ରାସ୍ତା । ଜଙ୍ଗଲ ଘେରା ଏହି ଦୀର୍ଘ ରାସ୍ତାର ଅତିକ୍ରମ ସହରୀ ଲୋକଙ୍କୁ ନିଶ୍ଚୟ ଆକର୍ଷିତ କରିବ । ଏହାସହ ଶାବେରୀ ନଦୀଘାଟରେ ଗାଧେଇବାର ମଜା ନେବାକୁ ଭୁଲିବେନି ।
ସାବର ଶ୍ରୀକ୍ଷେତ୍ର


ସାବର ଶ୍ରୀକ୍ଷେତ୍ର କୋରାପୁଟର ଅନ୍ୟ ଏକ ଆକର୍ଷଣ ପୁରୀ ଜଗନ୍ନାଥ ମନ୍ଦିର ଢାଞ୍ଚାରେ ତିଆରି ହୋଇଛି ଏହି ମନ୍ଦିର । ଏଠାରେ ସବର ଲୋକ ଠାକୁରଙ୍କୁ ପୁଜା କରୁଥିବା ବେଳେ ଜାତି,ଧମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଥାଏ ଏଠାରେ ।
ସୁନାବେଡ଼ା


କୋରାପୁଟରୁ ୧୮କିମି ଦୁରରେ ରହିଛି ଏହି ସହରଟି । ଏହା ସମୁଦ୍ର ପତନଠାରୁ ୩୦୦୦ ଫୁଟ ଉଚ୍ଚରେ ରହିଛି । ଏଠାରେ ମିଗ ୨୨ ଓ ସୁଖାଇ ବିମାନର ଯନ୍ତ୍ରାଂଶ ତିଆରି କାରଖାନା ରହିଛି । ସହରଟି ଋଷୀୟ ପ୍ରଣାଳୀରେ ଗଢା ହୋଇଛି ଯାହାକି ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ । ଏଠାରେ ରହିଥିବା ହରିଣ ପାର୍କ, ହାର୍ଲ ଏଭିଏସନ୍ ମିଜ୍ୟୁୟମ୍ ଆଦି ଦେଖି ପାରିବେ ।
ଆଦିବାସୀ ସଂଗ୍ରାହଳୟ


ଜଗନ୍ନାଥ ମନ୍ଦିର ପଛକୁ ରହିଛି ଏହି ଆଦିବାସୀ ସଂଗ୍ରହାଳୟ । ଏଠାରେ ବିଭିନ୍ନ ଆଦୀବାସୀଙ୍କ ଜୀବନଶୈଳୀ ସହ ସେମାନଙ୍କ ଚାଳିଚଳନ ବେଶପୋଷାକ ଭିତ୍ତିକ ଫଟୋ ସହିତ ସେମାନେ ବ୍ୟବହାର କରୁଥିବା ଜିନିଷ ଅସ୍ତ୍ରଶସ୍ତ୍ର ରହିଛି । ଏହା ସହ ଏକ ଲାଇବ୍ରେରୀ ମଧ୍ୟ ରହିଛି ଯେଉଁଠି ଆଦିବାସୀଙ୍କ ଉପରେ ଲିଖିତ ଓ ଆଦିବାସୀ ଭାଷାର ବହିମାନ ରହିଛି ।
ଡ଼ୁଡ଼ୁମା ଜଳପ୍ରପାତ


ଆନ୍ଧ୍ର ଓଡ଼ିଶା ମଧ୍ୟରେ ଏହି ଜଳପ୍ରପାତ ଅବସ୍ଥିତ । କୋରାପୁଟର ୯୨କିମି ଦୁରରେ ରହିଛି ଏହି ଜଳ ପ୍ରପାତ । ଏହାର ଉଚ୍ଚତା ୧୫୭ ମଟିର (୫୧୫ ଫୁଟ), ଦକ୍ଷିଣ ଭାରତର ଉଚ୍ଚତମ ଜଳପ୍ରପାତ ମଧ୍ୟରୁ ଅନ୍ୟତମ । ଏଠାରେ ମାଛକୁଣ୍ଡ ଇଲେକ୍ଟ୍ରିକ୍ ପାୱାର ପ୍ରୋଜେକ୍ଟ ଦେଖିବାକୁ ପାଇବେ । ଏହା ସହ ଏହାର ତିନି ଦିଗରେ ଥିବା ସବୁଜ ବଳୟ ବେଶ ଆକର୍ଷଣୀୟ ରହିଥାଏ । ଏହି ଜଳପ୍ରପାତଠାରୁ ମାତ୍ର ୩କିମି ଦୁରରେ ରହିଥିବା ଆଙ୍କଡ଼େଲି ହେଉଛି ଅନ୍ୟତମ ଆକର୍ଷଣ ଏଠାରେ ଆଦିବାସୀ ଲୋକମାନେ ଜଙ୍ଗଲୀ ଦ୍ରବ୍ୟ ବିକ୍ରିକରୁଥିବାର ନଜରକୁ ଆସିଥାଏ ।
ଜୟପୁର


ଜୟପୁର ସହର ହେଉଛି ଦକ୍ଷିଣ ଓଡ଼ିଶାର ଏକ ପ୍ରତିଷ୍ଠିତ ସହର । କୋରାପୁଟରରୁ ୨୧ କିମି ଦୁରରେ ରହିଛି ଏହି ସହର । ଏଠାରେ ରହିଥିବା ପୁରୁଣା ରାଜ ପ୍ରସାଦ ଏଠାକାର ବଡ଼ ଆକର୍ଷଣ । ରାଜପ୍ରସାଦ ମଧ୍ୟରେ ରହିଥିବା ଦରବାର ହଲ ସହ ଏଠାରେ ଶୁଦ୍ଧ ଅଭ୍ର, ରୂପା, ସୂନା, ଚନ୍ଦନ କାଠ,ଗୋଲାପ କାଠ ସହ ବିଭିନ୍ନ ପ୍ରକାର ପେଟିଂ ଦେଖିବାର ସୁଯୋଗ ମିଳିବ । ଏହାସହ ଜୟପୁରର ଗାନ୍ଧୀ ପାର୍କ ଅନ୍ୟତମ ଆକର୍ଷଣ । ମନକୁ ହାଲୁକା କରିବା ପାଇଁ ଏହା ଏକ ଶାନ୍ତ ପରିବେଶ ସୃଷ୍ଟି କରିଥାଏ ।
ଦେଓମାଳୀ


ଦେଓମାଳୀ ପର୍ବତମାଳା ଓଡ଼ିଶାର ସବୁଠାରୁ ଉଚ୍ଚତମ ପର୍ବତମାଳା । ଏହା ସମୁଦ୍ର ପତନଠାରୁ ୧୬୭୨ ମିଟର ଉଚ୍ଚରେ ରହିଛି । ଏହି ପର୍ବତମାଳା ପ୍ରକୃତିପ୍ରେମୀ,ଖେଳପ୍ରେମୀ, ପର୍ବତାରୋହୀ, କ୍ୟମ୍ପରମାନଙ୍କ ପାଇଁ ଏକ ପ୍ରିୟ ସ୍ଥାନ ଅଟେ । କୋରାପୁଟରୁ ୩୫ କିମି ଦୁରରେ ରହିଛି ଏହି ପର୍ବତମାଳା । ଏଠାକୁ ଯିବା ପାଇଁ ବର୍ଷ ସାରା ଉପଯୋଗୀ ହୋଇଥିବା ବେଳେ ନଭେମ୍ବର ୧୩ତାରିଖରେ ‘ପରବ’ ପାଳନ ଅବସରରେ ଅଧିକ ଲୋକ ଆସିଥାନ୍ତି ଏଠାକୁ । ଏହି ଭଳି ଆହୁରି ଅନେକ ସ୍ଥାନ ରହିଛି ଯାହାକି ଆପଣ କୋରାପୁଟ ବୁଲି ଗଲେ ଦେଖିପାରିବେ । ଏଠାକାର ଚଇତି ପରବ ମଧ୍ୟ ନିଆରା ରହିଥାଏ ।

 

Previous କୋହଲି ଓ ରାହାଣେଙ୍କ ଲଢେଇ ସତ୍ତ୍ୱେ ଭାରତ ପରାସ୍ତ
Next ଭାରତୀୟ ବୋଲରଙ୍କ ଅଗ୍ନିବର୍ଷୀ ବୋଲିଂ:ଇଂଲଣ୍ଡ ୨୧୯/୮

No Comment

Leave a reply

Your email address will not be published. Required fields are marked *