ଜମୁଛି ଡ଼ଟ୍ ଫେଷ୍ଟ, ଆଜିଠୁ‘ଭୁଫେଷ୍ଟୋ’

.FEST the mega event

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ଦେଶୀ ବିଦେଶୀ ଖାଦ୍ୟର ଭରପୁର ମଜା ନେଉଛନ୍ତି ସହରବାସୀ, ଜମୁଛି ଡ଼ଟ୍ ଫେଷ୍ଟ । ଡ଼ିସେମ୍ବର ପହିଲାରୁ ଆରମ୍ଭ ହୋଇଥିବା ଏହି ଉତ୍ସବର ପଞ୍ଚମ ସନ୍ଧ୍ୟା ଥିଲା ବୁଧବାର । ଏହି ସନ୍ଧ୍ୟାରେ ପରିବେଶିତ ‘ସପ୍ତବର୍ଣ୍ଣା’ର ନୃତ୍ୟ ଦର୍ଶକଙ୍କୁ ମତୁଆଲା କରିଥିଲା । ମଣିପୁରୀ, ଓଡ଼ିଶୀ, କୁଚୁପୁଡି, ମୋହିନୀ ଆଟମ୍, କଥକରେ କମ୍ପିଥିଲା ଷ୍ଟେଜ୍ । ୮୦ ଜଣ ନୃତ୍ୟଶିଳ୍ପୀଙ୍କ ସହ ନୃତ୍ୟ ପରିବେଷଣ କରିଥିଲେ ପଦ୍ମଶ୍ରୀ ଅରୁଣା ମହାନ୍ତି । ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତି ଥିଲା ‘ଓମ୍ ନମଃ ଶିବାୟ’ । ଏହାପରେ କଳାକାରମାନେ ସର୍ବଧର୍ମ ସମନ୍ୱୟର ଏକ ଅପୂର୍ବ ବାର୍ତ୍ତା ବାଣ୍ଟିଥିଲେ । ସେହିଭଳି ଫୁଡ୍ ଫେଷ୍ଟରେ ଭଳିକି ଭଳି ଦେଶୀ, ବିଦେଶୀ ଖାଦ୍ୟର ମଜା ନେଉଥିଲେ ଖାଦ୍ୟପ୍ରେମୀ । ଇଟାଲୀ ହେଉ କି ଦୁବାଇ, ମେକ୍ସିକାନ୍ ଫୁଡ୍ ହେଉ କି ଫ୍ରାନ୍ସ, ଇରାନ୍ କିମ୍ବା ହାଇଦ୍ରାବାଦୀ ବିରିୟାନୀ ଷ୍ଟଲ ସବୁଠି ଲାଗିଥିଲା ଗହଳି । ଦେଶୀ ଖାଦ୍ୟ ଚାଟ୍, ଗୁପୁଚୁପ୍, ଠୁଙ୍କାପୁରି ବି ପଛରେ ପଡିନଥିଲା । ଚାଇନିଜ୍ ଫୁଡର ଚାହିଦା ବି କିଛି କମ୍ ନୁହେଁ ।  ଅନ୍ୟଦିନ ଗୁଡ଼ିକ ଭଳି ପଞ୍ଚମ ଦିନରେ ଗହଳି ବି କିଛି କମ୍ ନ ଥିଲା । ଛୋଟ ପିଲାଙ୍କ ଖୁସିକୁ ଦିଗୁଣିତ କରିଥିଲା ମ୍ୟାଜିକ୍ ଶୋ । ଭଳିକି ଭଳି ମ୍ୟାଜିକ୍ ଦେଖିବା ସହ ଏହାକୁ ଖେଳି ମଜା ଉଠାଇଥିଲେ କୁନିକୁନି ପିଲା । ଏତେ ବଡ ଫୁଡ୍ ଫେଷ୍ଟିଭାଲର ଆୟୋଜନ ହୋଇଥିଲେ ବି ପରିବେଶ ଉପରେ ଢେର୍ ଗୁରୁତ୍ବ ଦିଆଯାଇଛି । ପାଣି ପିଇ ସାରି ପ୍ଲାଷ୍ଟିକ ବୋତଲକୁ ଏଣେତେଣେ ନ ଫିଙ୍ଗି ରିସାଇକେଲ ମେସିନରେ ଫିଙ୍ଗିବା ସହ ୧୦ ଟଙ୍କା ରିଚାର୍ଜର ମିଳୁଥିବାରୁ ଏହାର ଫାଇଦା ଉଠାଉଛନ୍ତି ଲୋକେ ।  ସେହିଭଳି ଆଜି ଡ଼ଟ୍ ଫେଷ୍ଟ ବା ଭୁବନେଶ୍ୱର ସିଟି ଉତ୍ସବର ଷଷ୍ଠ ଦିନ ରହିଥିବା ବେଳେ ଆରମ୍ଭ ହେବାକୁ ଯାଉଛି ‘ଭୁଫେଷ୍ଟୋ’-ଇଣ୍ଟରନ୍ୟାଶନାଲ ଷ୍ଟୋରି ଟେଲିଂ ଫେଷ୍ଟିଭାଲ । ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ସହରର ତିନୋଟି ପାର୍କ ଯଥା ଇନ୍ଦିରାଗାନ୍ଧି ପାର୍କ, ଚନ୍ଦ୍ରଶେଖରପୁର ବୁଦ୍ଧପାର୍କ ଓ ଖଣ୍ଡଗିରିର ଖାରବେଳ ପାର୍କରେ ଦିନ ୨.୩୦ରୁ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ । ଏଥିପାଇଁ ପାର୍କଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି ହୋଇଛି । ପାର୍କ ଗୁଡ଼ିକୁ ଥିମ୍ ପାର୍କ ଭଳି ସଜାଯାଇଛି । ବୁଦ୍ଧ ଜୟନ୍ତୀ ପାର୍କକୁ ପଞ୍ଚତନ୍ତ୍ର ଦୁନିଆ,ଇନ୍ଦିରାଗାନ୍ଧୀ ପାର୍କକୁ ‘ଗ୍ରିମ୍ସ ଫେୟାର ଟେଲ୍’ ଓ ଖାରବେଳ ପାର୍କକୁ ‘ଆରବିଆନ୍ ନାଇଟ୍ସ’ ବିଷୟବସ୍ତୁରେ ସଜାଯାଇଛି । ଏହି ଉତ୍ସବରେ ଆର୍ଜେଣ୍ଟିନାର ପୌଲା ମାର୍ଟିନ, କେନିଆର ୱାଙ୍ଗାରି ଗ୍ରେସ୍, ଥାଇଲାଣ୍ଡର ଡ.ୱାଜୁପା ଟୋସା, କୋରିଆର ଡ଼ୋଙ୍ଗିଓ ବାଙ୍ଗ୍ ଓ ଫ୍ରାନ୍ସର ସାବ୍ରିନା ଆନାସ୍ତାସିଆଙ୍କ ଭଳି ବିଶ୍ୱର ପ୍ରମୁଖ କାହାଣୀ ଶୁଣାଇବେ ।
ଏହାସହ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଡ଼ଟ ଫେଷ୍ଟର ଉତ୍ସବରେ ଦର୍ଶକ ବିଭିନ୍ନ ଦେଶୀ ବିଦେଶୀ ଖାଦ୍ୟର ମଜା ନେବା ସହ କୋକ୍ ଷ୍ଟୁଡ଼ିଓ ଦ୍ୱାରା ପରିବେଶିତ ସଙ୍ଗୀତ ଦର୍ଶକଙ୍କ ମନୋରଞ୍ଜ କରିବ । ଆଜିର ସନ୍ଧ୍ୟାର ବିଶେଷ ଆକର୍ଷଣ ରହିବେ ମ୍ୟୁଜିସିଆନ୍ କ୍ଲିଂଟନ୍ ସେରେଜୋ ଏବଂ ତାଙ୍କର ବ୍ୟାଣ୍ଡ । ଏହି ଅବସରରେ ‘ମଦାରୀ’ର ପ୍ରଦର୍ଶନ ବହୁ ସଂଖ୍ୟକ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଇଛି । ଏହି ଉତ୍ସବ ଆସନ୍ତ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଛି।

Previous ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ବିବାହ ପୋଷାକ
Next ସପ୍ତାହରେ ୨.୦ର ଆୟ ୫୦୦ କୋଟି

No Comment

Leave a reply

Your email address will not be published. Required fields are marked *