ଗିନିଜ୍ ବୁକରେ ସୁଦର୍ଶନ


ପୁରୀ ସହରର ମରିଚିକୋଟ ଗଳି । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଏକ ପ୍ରତିଭାର ସ୍ଫୁରଣ ହେଲା ଏହି ଗଳିରୁ । ଅଖ୍ୟାତ ମରିଚିକୋଟ ସ୍ଥାନ ପାଇଲା ବିଶ୍ୱ ମାନଚିତ୍ରରେ । ଗରିବୀର ଦୁର୍ଭେଦ୍ୟ ପାଚେରିକୁ ଅତିକ୍ରମ କରିଥିବା ଏହି ପ୍ରତିଭା ହେଲେ ଖ୍ୟାତିସମ୍ପନ୍ନ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସମୁଦ୍ର ବେଳାଭୂମିରେ ୪୮ ଫୁଟ ୮ ଇଞ୍ଚ ଉଚ୍ଚର ଏକ ବାଲୁକା ସ୍ତୁପ ନିର୍ମାଣ କରି ସେ ଏବେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଛନ୍ତି । ପୂର୍ବରୁ ଆମେରିକାରେ ନିର୍ମିତ ୪୫ ଫୁଟ ୧୦ ଇଞ୍ଚର ବାଲୁକାସ୍ତୁପ ହିଁ ସବୁଠୁ ବଡ ସ୍ତୁପ ଥିଲା । ଏହି ରେକର୍ଡ ଭଙ୍ଗ କରି ସୁଦର୍ଶନ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।

ବାପା କୌଣସି କାରଣ ବଶତଃ ଘର ଛାଡି ଚାଲିଗଲେ । ମାଙ୍କ ମୁଣ୍ଡ ଉପରେ ଚଡକ ପଡିଲା । ଘର କେମିତି ଚଳିବ । ତିନି ଛୁଆ କଣ ଖାଇବେ କଣ ପିନ୍ଧିବେ ଆଦି ନାନାଦି ଚିନ୍ତା ମା ମନକୁ ଶଙ୍କାକୁଳ କରୁଥିଲା । ଏଭଳି ଦୁର୍ଦ୍ଦିନରେ ଭାଙ୍ଗିନପଡି ପିଲାଙ୍କୁ ମଣିଷ ପରି ମଣିଷ ଭଳି ଗଢି ତୋଳିବାକୁ ସାହସ ଜୁଟାଇଲେ ସୁଦର୍ଶନଙ୍କ ମା । ଅର୍ଥାଭାବ ଥିଲା ମୁଖ୍ୟ ପ୍ରତିବନ୍ଧକ । ଏଭଳି ଏକ ପ୍ରତିକୂଳ ପରିସ୍ଥିତିରେ ପରିବାରର ବଡ ପୁଅ ସୁଦର୍ଶନ ଅତି କମ ବୟସରେ ରୋଜଗାର କରିବା ପାଇଁ ଘରୁ ଗୋଡ କାଢିଲେ । ବହୁତ ଖୋଜାଖୋଜି ପରେ ବି କାମ ମିଳିଲାନି।

ଶେଷରେ ତାଙ୍କ ପଡୋଶୀ ପ୍ରଥମ ଓଡିଆ ଚଳଚ୍ଚିତ୍ର ନିର୍ମାତା ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଘରେ କାମ ମିଳିଲା । ଘରକାମ ସାଙ୍ଗକୁ ବଜାର ସଉଦା କଲେ ସୁଦର୍ଶନ । କେବଳ ରହିବା, ଖାଇବାର ବ୍ୟବସ୍ଥା ହୋଇଗଲା ସେଠାରେ । ଘର କାମ ଭିତରେ ବି ପିଲା ଦିନରୁ ଚିତ୍ର ଆଙ୍କିବା ପ୍ରତି ରହିଥିବା ଆକର୍ଷଣକୁ ରୋକି ପାରିନଥିଲେ । କିନ୍ତୁ ରଙ୍ଗ, ତୁଳୀ, କାନଭାସ କିଣିବା ପାଇଁ ହାତରେ ନଥିଲା ସମ୍ବଳ । ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଦିନେ ଚିନ୍ତା କରୁ କରୁ ହଠାତ୍ ମନରେ ପଶିଲା ଯଦି ସମୁଦ୍ର ବେଳାଭୂମିକୁ କାନଭାସ ଓ ଆଙ୍ଗୁଠିକୁ ତୁଳୀ କରି ଚିତ୍ର ଅଙ୍କାଯାନ୍ତା କେମିତି ହୁଅନ୍ତା । ସମୁଦ୍ର ବାଲିଠାରୁ ଆଉ ନିଜକୁ ଦୂରେଇ ରଖି ପାରିଲେନି ସୁଦର୍ଶନ । ରାତି ତିନିଟାରୁ ଉଠି ଧାଇଁ ଯାଉଥିଲେ ସମୁଦ୍ର ବେଳାଭୂମିକୁ । ସକାଳ ହେବା କ୍ଷଣି ପୁଣି ଲେଉଟି ଆସୁଥିଲେ ଘର କାମ କରିବାକୁ । ସମୁଦ୍ର ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରୁ କିଏ ତାଙ୍କ କଳାକୃତିକୁ ପ୍ରଶଂସା କରୁଥିଲାତ କିଏ ଦୋଷ ତୃଟି ବାଛୁଥିଲା । ତାହାରି ଭିତରେ ସେ ନିଜକୁ ସୁଧାରିନେଲେ । କ୍ରମେ ତାଙ୍କ କଳାକୃତି ଅଧିକରୁ ଅଧିକ ପରିପକ୍ୱ ହେଲା ।

ବାଲୁକା କଳା । ଜୁଆର ଆସିଲେ ଧୋଇ ହୋଇଯିବ । ତେଣୁ କଳାକୃତିକୁ କ୍ୟାମେରାରେ ବାନ୍ଧି ରଖିବାର ଆବଶ୍ୟକତା ସେ ଅନୁଭବ କଲେ । ଗୋଟିଏ ଫଟୋ ଉଠାଇବା ପାଇଁ ଖର୍ଚ୍ଚ ଦୁଇ ଟଙ୍କା । ପୁଣି ଅର୍ଥ ସାଜିଲା ପ୍ରତିବନ୍ଧକ । ଅରକ୍ଷିତକୁ ଦଇବ ସାହା । ପାଖ ଦୋକାନୀମାନେ ଚାରି ଅଣା, ଆଠ ଅଣା ବଢାଇଦେଲେ । ସେତକ ସଞ୍ଚୟ କରି ଫଟୋ ଉଠାଇ ରଖିଲେ ସୁଦର୍ଶନ । ତାହା କ୍ରମେ ପୋଟ୍ରେଟ ଆଲବମରେ ପରିଣତ ହୋଇଗଲା । ତାକୁ ଦେଖି ଆମେରିକାର ଆନ୍ତର୍ଜାର୍ତିକ କମ୍ପିଟିସନରେ ସୁଦର୍ଶନଙ୍କୁ ଭାଗ ନେବାର ସୁଯୋଗ ମିଳିଲା । ଏଥିଲାଗି ଭିସା ବାଧକ ହେବାରୁ ସେ ଅଂଶଗ୍ରହଣ କରିପାରିଲେନି ପ୍ରତିଯୋଗିତାରେ । ତଥାପି ଭାଙ୍ଗି ପଡିନଥିଲେ ସେ । ପୂର୍ବବତ୍ ସମୁଦ୍ର ବେଳା ଭୂମିରେ ବାଳୁକା କଳାରେ ମଜ୍ଜି ରହିଲେ । ଏଥର ଇଉରୋପରୁ ନିମନ୍ତ୍ରଣ ଆସିଲା । ତେଣିକି ସେ ଆଉ ପଛକୁ ଚାହିଁ ନାହାଁନ୍ତି । ଗୋଟିକ ପରେ ଗୋଟିଏ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ସୁନାମ ଗୋଟେଇ ଚାଲିଲେ । ଏବେ ଆନ୍ତର୍ଜାତିକ ସ୍ତରରେ ସୁଦର୍ଶନ ବାଲୁକା ଶିଳ୍ପର ଅନନ୍ୟ ସ୍ରଷ୍ଟା ।

Previous କର୍ମଜୀବୀ ମହିଳାଙ୍କ ଆତ୍ମରକ୍ଷା ପ୍ରସ୍ତୁତି
Next ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ ମୋବାଇଲ

No Comment

Leave a reply

Your email address will not be published. Required fields are marked *