ରାଜ୍ୟ ଓ ଦେଶ ବାହାରେ ନିଜ ପ୍ରତିଭା ବଳରେ ସୁନାମ ଅର୍ଜିଥିବା ଅନେକ ଓଡ଼ିଆ ରାଜ୍ୟକୁ ଗୌରାବନ୍ୱିତ କରିଥିବା ବେଳେ ଇସ୍ପାତ ସହର ରାଉରକେଲାର ୨୩ ବର୍ଷୀୟ ଯୁବକ ମନୋଜ କୁଜୁର ଡ୍ୟାନ୍ସ ବିଶ୍ୱକପ୍ରେ ସ୍ୱର୍ଣ୍ଣପଦକ ହାସଲ କରିବା ନିଶ୍ଚୟ ସମସ୍ତଙ୍କୁ ଚମତ୍କୃତ କରିଥିବ । କାରଣ ପାଶ୍ଚାତ୍ୟ ଶୈଳୀର ହିପ୍ ହପ୍ ଡ୍ୟାନ୍ସରେ ମନାଜଙ୍କ ଏହି ବିରଳ କୃତିତ୍ୱ ନିଶ୍ଚୟ ଏକ ନିଆରା ଅନୁଭବ । କାନାଡାର ଭ୍ୟାେଙ୍କାଭର ସହରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣର ସୁଯୋଗ ଓ ଶୀର୍ଷ ସ୍ଥାନ ଅଧିକାର କରିବାର ସୌଭାଗ୍ୟ କେବଳ ଭାଗ୍ୟରେ ଥିଲେ ମିଳେ । ଗଭୀର ଆତ୍ମବିଶ୍ୱାସ ଓ ନୃତ୍ୟକଳା ପ୍ରତି ଥିବା ଭଲ ପାଇବା ତାଙ୍କୁ ଦେଇଛି ଏହି ସଫଳତା ।
ରାଉରକେଲାର ଏକ ମଧ୍ୟବି ଆଦିବାସୀ ପରିବାରର ମନୋଜ କୁଜୁର । ସ୍କୁଲ ଓ କଲେଜ ବେଳରୁ ହିଁ ନୃତ୍ୟ କଳା ପ୍ରତି ତାଙ୍କର ସମର୍ପଣ ଭାବ କାହାକୁ ଅଛପା ନଥିଲା । ପିଲାଟି ଦିନୁ ସଙ୍ଗୀତ ଓ ନୃତ୍ୟ ପ୍ରତି ଦୁର୍ବଳତା ଥିଲେ ହେଁ ଆର୍ଥିକ ଆସୁବିଧା କାରଣରୁ ନୃତ୍ୟର ସ୍ୱତନ୍ତ୍ର ପ୍ରଶିକ୍ଷଣରୁ ବଞ୍ଚିତ ହୋଇଥିଲେ ସେ । ପାଠ ପଢ଼ିବା ସହ ଅବଶିଷ୍ଟ ସମୟରେ ଟେଲିଭିଜନ ଏବଂ ୟୁଟ୍ୟୁବରେ ହିପ୍ ହପ୍ ଡ୍ୟାନ୍ସରଙ୍କ ନୃତ୍ୟ ଦେଖି ସେ ଅଭ୍ୟାସ କରୁଥିଲେ । ପିତା ସୂର୍ଯ୍ୟ କୁଜୁରଙ୍କ ଅଳ୍ପ ରୋଜଗାରରେ କୌଣସି ପ୍ରକାରରେ ପରିବାର ଚଳିଯାଉଥିବା ବେଳେ ନୃତ୍ୟ ପ୍ରତି ଥିବା ମନୋଜଙ୍କର ଭଲପାଇବା ଅତୁଟ ରହିଥିଲା । ସେ ବିଧିବଦ୍ଧ ଭାବେ କୌଣସି ନୃତୃଗୁରୁଙ୍କଠାରୁ ତାଲିମ ନେଇନଥିଲେ ମଧ୍ୟ ନିଷ୍ଠାପର ଉଦ୍ୟମ ଏବଂ ନୃତ୍ୟପ୍ରତି ଆଗ୍ରହ ଯୋଗୁଁ ସେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣି ପାରିଛନ୍ତି ।
ହିପ୍ ହପ୍ ଡ୍ୟାନ୍ସରେ ଚମକ୍ରାର ପ୍ରଦର୍ଶନ ଦେଖାଇ ସମସ୍ତଙ୍କ ମନ ଜିଣିବା ସହ ଡ୍ୟାନ୍ସ ବିଶ୍ୱକପ୍ – ୨୦୧୭ ଜିତି ରାଜ୍ୟ ପାଇଁ ଗୌରବ ଅର୍ଜନ କରି ଇତିହାସ ରଚିଛନ୍ତି ମନୋଜ। ଏହି ପ୍ରତିଯୋଗିତାରେ ୩୫ଟି ରାଷ୍ଟ୍ର ଅଂଶଗ୍ରହଣ କରିଥିବା ବେଳେ ମନୋଜ ନିଜର ୨୦ ଜଣିଆ ଟିମ୍ ସହ ଭାରତକୁ ପ୍ରତିନିଧିତ୍ୱ କରି ହିପ୍ ହପ୍ ବିଭାଗରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ସ୍ୱର୍ଣ୍ଣପଦକ ଜିତିଛନ୍ତିି । ଏହି ସଫଳତା ଅର୍ଜନ ପରେ ସେ ଉତ୍ସାହିତ ହୋଇପଡ଼ିଛନ୍ତି । ଜଣେ ପେସାଦାର ରୂପେ ଗଢ଼ିବା ପାଇଁ ସେ ପ୍ରେରଣା ପାଇଛନ୍ତି ଏହି ସଫଳତାରୁ । ଆହୁରି ଅଧିକ ପରିଶ୍ରମ କରି ବଲିଉଡ୍ ଏବଂ ଓଲିଉଡରେ ଜଣେ କୋରିଓଗ୍ରାଫର ହେବାର ସେ ସ୍ୱପ୍ନ ଦେଖନ୍ତି ।
ଦିପ୍ତିରଞ୍ଜନ ବେହେରା
No Comment