କୁମ୍ଭାର ବୃତ୍ତିକୁ ନୂଆ ରୂପ ଦେଇଛି ଟେରାକୋଟା

Annual Terracotta Exhibition ‘Mruttika’ Inaugurated

ସମାଜର ଉଠାଣି ଗଡାଣି ଭିତରେ ଅନେକ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଥାଏ । ସେହିଭଳି କେତେକ ନୂଆ ବୃତ୍ତି ମୁଣ୍ଡ ଟେକିବା ସହ କେତେକ କୌଳିକ ବୃତ୍ତି ବୁଡ଼ିଯାଏ । ଧାତୁନିର୍ମିତ ସାମଗ୍ରୀର ବହୁଳ ବ୍ୟବହାର ଓ ଆଧୁନିକତା ପାଇଁ ପାରମ୍ପରିକ କୁମ୍ଭାର ବୃତ୍ତି ବୁଡ଼ିବାକୁ ବସିଥିଲା । ହେଲେ ଟେରାକୋଟାର ଚାହିଦା ତାହାକୁ ନୂଆ ଜୀବନ ଦେଇ ଆଧୁନିକ ସମାଜରେ ଆଗକୁ ବଢିବାକୁ ସହାୟ ହୋଇଛି । ପାରମ୍ପରିକ ମାଟିକାମରୁ ଟେରାକୋଟା କାରିଗର ହୋଇ କିପରି ସଫଳତା ହାସଲ କରିପାରିଛନ୍ତି ସେହି ଅନୁଭୂତି ବଖାଣିଥିଲେ ‘ମୃତ୍ତିକା’ ମେଳାରେ ସାମିଲ ହୋଇଥିବା ବରଗଡ଼ ଜିଲ୍ଲା ସୋହେଲାର କଳପା ରଣା ।

୧୨ ବର୍ଷ ବୟସରୁ ସେ ବାପା ଜେଜଙ୍କ ସହ କୁମ୍ଭାରଶାଳ ଚକରେ ବିଭିନ୍ନ ଜିନିଷ ମାନ ତିଆରି କରିଆସୁଛନ୍ତି । ଶାଳରୁ ତିଆରି ହାଣ୍ଡି, ମାଠିଆ, ପଲମ, ସରା, ଘଡ଼ି ପ୍ରଭୃତି ସାମଗ୍ରୀ ଗାଁ ଗାଁରେ ବିକ୍ରିପରେ ଯେଉଁ ଅର୍ଥ ମିଳେ ସେଥିରେ ପରିବାର ଚଳାଉଥିଲେ । ହେଲେ ଷ୍ଟିଲ ଓ ଆଲୁମିନିୟମ ସାମଗ୍ରୀର ବହୁଳ ବ୍ୟବହାର ପରେ ତାଙ୍କ ରୋଜଗାର କମିବା ସହ କୌଳିକ ବୃତ୍ତି ବୁଡ଼ିବାକୁ ଲାଗିଲା । କିପରି ନିଜ ବାପା ଜେଜ ଅମଳର ବୃତ୍ତିଟିକୁ ବଞ୍ଚାଇ ରଖିବେ ତାହାକୁ ନେଇ ସର୍ବଦା ଚିନ୍ତାରେ ରହିବା ସହ ପରିବାରର ସହଯୋଗରେ ନିଜ କାମକୁ ନୂଆ ରୂପ ଦେବାକୁ ମନସ୍ତ କରି ଟୋରାକୋଟା କାମକୁ ଆଦରି ନେଲେ । ବର୍ତ୍ତମାନ ସମୟରେ ଟୋରାକୋଟାର ଚାହିଦା ଭଲ ଥିବାରୁ ଏହା ତାଙ୍କୁ ବେଶ ରୋଜଗାରକ୍ଷମ କରାଇପାରିଛି । ଟେରାକୋଟା କାମରୁ ଭଲ ରୋଜଗାର ସହିତ ନିଜ ପାରମ୍ପରିକ ବୃତ୍ତିକୁ ବଞ୍ଚାଇ ପାରିଥିବାରୁ ବେଶ ଖୁସି ଅନୁଭବ କରନ୍ତି କଳପା । ନିଜ ଅଞ୍ଚଳରେ ତାଙ୍କ କାମ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଥିବା କଳପା ବିଭିନ୍ନ ମେଳା ମହୋତ୍ସବରେ ନିଜ ହାତ ତିଆରି ଜିନିଷ ବିକ୍ରି କରି ଭଲ ଦିଇ ପଇସାରୋଜଗାର ମଧ୍ୟ କରୁଛନ୍ତି ।

ବୟସ ୩କୋଡ଼ିରୁ ଅଧିକ ହୋଇଥିଲେ ମଧ୍ୟ ନିଜ କାମ ଓ କଳାକୃତିର ନିଖୁଣତା ଗ୍ରାହକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହେଉଛି । ଏନେଇ ସେ କୁହନ୍ତି ‘ମୁଁ ମୃତ୍ତିକା ମେଳାକୁ ପ୍ରତିବର୍ଷ ଆସୁଛି, ଏଠାରୁ ୬୦ରୁ ୭୦ ହଜାର ଟଙ୍କା ରୋଜଗାର ହୋଇଥାଏ ମୋର । ଘରସଜା ସାମଗ୍ରୀ ସହ ଦୀପାବଳି ଥିବାରୁ ଦୀପ ବିକ୍ରି ଭଲ ହେଉଛି । ତାଙ୍କ ଦୋକାନରେ ୧୦ ଟଙ୍କାରୁ ଆରମ୍ଭ କରି ୫ ହଜାରଟଙ୍କା ପର୍ଯ୍ୟନ୍ତ ଜିନିଷ ରଖିଛନ୍ତି ସେ । କେବଳ କଳପା ନୁହଁନ୍ତି ଏହି ମେଳାରେ ସାମିଲ ହୋଇଥିବା ଅନ୍ୟ କଳାକାରଙ୍କ କଳାକୃତ୍ତି ଦର୍ଶକ ଓ ଗ୍ରାହକମାନଙ୍କୁ ବେଶ ଆକୃଷ୍ଟ କରୁଛି ।

ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଅକ୍ଟୋବର ୩୦ ତାରିଖରୁ ଆରମ୍ଭ ହୋଇଛି ଏହି ‘ବାର୍ଷିକ ହସ୍ତଶିଳ୍ପ ମୃତ୍ତିକା ପ୍ରଦର୍ଶନୀ ୨୦୧୮’ । ଚଳିତ ବର୍ଷ ଏହି ମେଳାରେ ୯୦ଟି ଷ୍ଟଲରେ ୧୮୦ ଜଣ କାରିଗର ନିଜ ହାତ ତିଆରି ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି । ମାଟି ଦୀପ, ମହିଳାଙ୍କ ଗହଣା, ଫୁଲଦାନି, ଝୁମର, କଣ୍ଢେଇ, ହାତି,ଘୋଡ଼ା, ମୁଖା, କପ, ଚୁଲି, ହାଣ୍ଡି, କଡ଼େଇ ପ୍ରଭୃତି ଜିନିଷ ମିଳୁଛି ଏଠାରେ । ୫ତାରଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ୧୨୫ ଲକ୍ଷରୁ ଅଧିକ ଟଙ୍କା କରାବାର ହେବ ବୋଲି ଆଶା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ସଚିବ ଶୁଭ ଶର୍ମା ଉଦ୍ଘାଟନ କରିଥିଲେ । ଏହି ବର୍ଷର ବିଶେଷ ଆକର୍ଷଣ ରହିଛି ରଥ ଚକରେ ଜଗନ୍ନାଥଙ୍କ ୩୨ ପ୍ରକାର ବେଶର କଳାକୃତ୍ତି ଏହାକୁ ତିଆରି କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ସରୋଜ କୁମାର ରାଉତ।

 

Previous ପଦାର୍ଥ ବିଜ୍ଞାନରେ ତିନି ଜଣଙ୍କୁ ନୋବେଲ
Next ତାମ୍ପରାରେ ବୋଟିଂ-ବଣଭୋଜିର ମଜା

No Comment

Leave a reply

Your email address will not be published. Required fields are marked *