ଆସୁଛି ନୂଆବର୍ଷ…

all ready to welcome 2019

ରାତି ପାହିଲେ ନୂଆବର୍ଷ, ଆଉ ଏହି ନୂଆବର୍ଷର ପ୍ରଥମ ଦିନକୁ ମନଭରି ଉପଭୋଗ ସହ ସ୍ୱତନ୍ତ୍ର କରିବା ପାଇଁ  ସମସ୍ତେ ଉତ୍ସାହିତ । ବିଶେଷ କରି ସହରବାସୀଙ୍କ ମଧ୍ୟରେ ଏହାର ପ୍ରଭାବଟିକେ ଅଧିକ ଦେଖିବାକୁ ମିଳିଥାଏ । ଏହି ନୂଆବର୍ଷପାଇଁ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ସହରରେ । କିଏ ଗ୍ରୀଟିଂସ୍ କିଣୁଛିତ କିଏ ଫୁଲ ତୋଡ଼ା ପାଇଁ ବଇନା ଦେଇସାରିଛି ।
ଉପହାର-ଗ୍ରୀଟିଂସ୍ କିଣିବାକୁ ଭିଡ଼

ସହରର ବିଭିନ୍ନ ଉପହାର ଦୋକାନ ସହିତ ମୁଖ୍ୟ ଛକ ଓ ରାସ୍ତା କଡ଼ରେ ଖୋଲିଛି ଅସ୍ଥାୟୀ ଗ୍ରୀଟିଂସ୍ କାର୍ଡ ଦୋକନମାନ । ୧ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ଏଠାରେ କାର୍ଡ ମିଳୁଛି । ସ୍ମାର୍ଟ ଫୋନର ବହୁଳ ବ୍ୟବହାର ପରେ ଗ୍ରୀଟନସର ଚାହିଦା ଆଗଭଳି ନାହିଁ ସିନା ହେଲେ ଏବେ ବି ଅନେକ ଲୋକ ପୁରୁଣା ସ୍ମୃତିକୁ ମନପାଇବା ପାଇଁ କାର୍ଡ କିଣୁଛନ୍ତି ଆଉ ସାଙ୍ଗ,ସମ୍ପର୍କୀୟଙ୍କୁ ପଠାଉଛନ୍ତି । ସ୍କୁଲ ପିଲାମାନେ ହିରୋହିରୋଇନ ଫଟୋଥିବା କାର୍ଡ କିଣୁଥିବା ବେଳେ ବଡ଼ମାନେ ଠାକୁର, ଫୁଲ,ସିନେରି ହୋଇଥିବା ଗ୍ରୀଟିଂ କାର୍ଡ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । କେବଳ କାର୍ଡ଼ ନୁହେଁ ଉପହାର ଦୋକନ ଗୁଡ଼ିକରେ ମଧ୍ୟ ଉପହାର କିଣି ବିକା ଯୋରସର ଚାଲିଛି ।
ଫୁଲପାଇଁ ଆଗୁଆ ମିଳିଛି ବଇନା


ସବୁଠୁ ଅଧିକ ଗହଳି ଲାଗିଛି ଫୁଲ ଦୋକାନଗୁଡ଼ିକରେ । ବିଭିନ୍ନ ଅନୁଷ୍ଠାନ ଓ ଘରୋଇ ଲୋକଙ୍କଠାରୁ ୧୦-୧୨ ଦିନ ଆଗରୁ ମିଳିସାରିଛି ବଇନା ସେମାନଙ୍କୁ । ସବୁଦିନ ଅପେକ୍ଷା ବେପାରୀମାନେ ନୂଆବର୍ଷକୁ ଲକ୍ଷ୍ୟକରି ଅଧିକ ଫୁଲ ମଗାଇଛନ୍ତି । ସହରରେ ପ୍ରାୟ ୨୦୦ରୁ ଅଧିକ ସ୍ଥାୟୀ ଫୁଲ ଦୋକାନ ସହ ନୂଆବର୍ଷ ପାଇଁ ସ୍ୱତନ୍ତ୍ର ଫୁଲ ଦୋକାନମାନ ଖୋଲିଛି । ଗୋଲାପ, ରଜନିଗନ୍ଧା, ଜରବେରା, ଡାଲିଆ, ସେବତି,ଅରକିଟ୍ ଭଳି ପ୍ରାୟ ୫୦ରୁ ଅଧିକ ପ୍ରକାର ଫୁଲ ଆସିଛି ନୂଆବର୍ଷ ପାଇଁ । ଗୋଲପ ଓ ସେବତି ଫୁଲ ଗୋଟା ୧୦ ଟଙ୍କାରୁ ଅଧିକ ରହିଥିବା ବେଳେ ଫୁଲ ତୋଡା ୧୦୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ପର୍ଯ୍ୟନ୍ତ ରହିଛି । ରାଜ୍ୟର ଖୋର୍ଦ୍ଧା, ବୌଦ୍ଧ, ବ୍ରହ୍ମପୁରୁ ସହ ରାଜ୍ୟବାହାରୁ ବାଙ୍ଗାଲୁର,କୋଲକତାରୁ ଫୁଲ ମଗାଇଛନ୍ତି ବେପାରୀମାନେ । ନୂଆବର୍ଷ ସହ ବାହାଘର ସିଜନ ଥିବାରୁ ଫୁଲ ବେପାର ଭଲ ହେଉଛି ବୋଲି ବେପାରୀ କୃଷ୍ଣ ସାହୁ କୁହନ୍ତି ।
ବଣଭୋଜି-ଜିରୋ ନାଇଟର ମାହୋଲ
ସହରର ଆଖପାଖ ପିକନିକ ସ୍ଥଳୀଗୁଡ଼ିକରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଛି । ଖଣ୍ଡଗିରି, ଜୟଦେବବାଟିକା, ବରୁଣେଇ, ଧଉଳି ନୂଆବର୍ଷ ଭୋଜିପାଇଁ ସହରବାସୀଙ୍କ ପ୍ରିୟ ସ୍ଥାନ ପାଲଟିଛି । କେବଳ ସହରୀ ଲୋକ ନୂହଁନ୍ତି ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକ ଏଠାରେ ଭୋଜି କରିବା ପାଇଁ ଭିଡ଼ ଜମାଇଛନ୍ତି । ସେହିଭଳି ଆଜି ଜିରୋ ନାଇଟି ସ୍ରେଲିବେସନ ପାଇଁ ସହରର ବିଭିନ୍ନ ରୋଷ୍ଟୋରାଁ ଓ ହୋଟେଲ ଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ ବିଭିନ୍ନ ଇଭେଣ୍ଟ ପରିଚାଳନା ସଂସ୍ଥା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ବର୍ଷ ଆରମ୍ଭରୁ ଠାକୁରଙ୍କ ଦର୍ଶନପାଇଁ ମନ୍ଦିରଗୁଡ଼ିକରେ ଲୋକ ଭିଡ଼ଲାଗିଥାଏ । ନୂଆବର୍ଷ ଓ ଲୋକ ଗହଳିକୁ ଲକ୍ଷ କରି ମନ୍ଦିରଗୁଡ଼ିକ ମଧ୍ୟ ତୋରଣ ଓ ଆଲୋକରେ ସଜିତ କରାଯାଇଛି । ଅନ୍ୟପକ୍ଷରେ ଶୃଙ୍ଖଳା ସହକାରେ ନୂଆବର୍ଷ କିପରି ପାଳନ ହେବ ସେଥି ପାଇଁ ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Previous ‘ବିଗବସ-୧୨’ର ବିଜେତା ଦୀପିକା
Next ନୀରବି ଗଲେ ହସ ଯାଦୁକର କାଦର

No Comment

Leave a reply

Your email address will not be published. Required fields are marked *