ଅଦ୍ୱିତୀୟ ଅଭିଷେକ


ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ୍ ଙ୍କ ଅଭିନୀତ ତାରେ ଜମିନ ପରରେ ଅଭିନୟ କରିଥିଲେ ସଂପ୍ରତି ଦେବଗଡର ବିଧାୟକ ଥିବା ନୀତିଶ ଗଙ୍ଗଦେବଙ୍କ ସୁପୁତ୍ର । ଏବେ ଓଡିଶାର ଆଉ ଜଣେ ଶିଶୁ କଳାକାରଙ୍କୁ ବଲିଉଡ୍ ଟିକେଟ୍ ମିଳିଛି । ସେ ହେଉଛନ୍ତି କଟକ ନିବାସୀ ଆଲୋ ସାହୁଙ୍କ ପୁତ୍ର ଅଭିଷେକ । ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ମାତ୍ର ୧୦ ବର୍ଷ ବୟସରେ ଡ୍ରମ ବାଦନ କରି ସମସ୍ତଙ୍କ ମନ ଜିଣିପାରିଛନ୍ତି ସେ ।

ବିଶିଷ୍ଟ ପଞ୍ଜାବୀ ଫିଲ୍ମ ନିର୍ମାତା ଜାଗିର ବୋପାରାଇଙ୍କ ନିର୍ଦ୍ଦେଶିତ ଲଭ  ସିଜିନ୍ ରେ ନିଜ ଅଭିନୟର ଯାଦୁ ଦେଖାଇବେ ଓଡିଆ ପୁଅ ଅଭିଷେକ । ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଛନ୍ତି ଆଶିକି ଫେମ୍ ରାହୁଲ ରୟ । ଅନେକ ଟିଭି ଶୋରେ ଡ୍ରମର ଭାବେ ଅଂଶଗ୍ରହଣ କରିଥିବା ଅଭିଷେକଙ୍କ ୟୁଟ୍ୟୁବ ଭିଡିଓ ଦେଖି ଅଭିଭୂତ ହୋଇଯାଇଥିଲେ ନିର୍ଦ୍ଦେଶକ ଜାଗିର । ଅଭିଷେକଙ୍କ ନିରୀହପଣ ଓ ସକରାତ୍ମକ ମନୋଭାବ ତାଙ୍କର ଚରିତ୍ରକୁ ସଠିକ୍ ନ୍ୟାୟ ଦେଇପାରିବ ବୋଲି ଆଶା ରଖିଛନ୍ତି ସେ ।

ପୁଅ ଅଭିଷେକକୁ ବଲିଉଡ୍ ଟିକେଟ୍ ମିଳିଥିବାର ଖବର ଶୁଣି ଆତ୍ମବିଭୋର ହୋଇଯାଇଛନ୍ତି ପିତା ଆଲୋକ । ହିମାଚଳପ୍ରଦେଶ ଓ ପଞ୍ଜାବର ବିଭିନ୍ନ ସ୍ଥାନରେ ଫିଲ୍ମଟି ସୁଟିଂ କରାଯିବ ଏବଂ ୨୦୧୮ ଜୁନରେ ଏହା ପରଦା ଉପରକୁ ଆସିବ ବୋଲି ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ଜାଗିର । ସଂପ୍ରତି ଏସସିବି ମେଡିକାଲ୍ ପବ୍ଲିକ୍ ସ୍କୁଲରେ ପଢୁଥିବା ଅଭିଷେକ ଜଣେ ବିଶିଷ୍ଟ ଡ୍ରମ ବାଦକ ଭାବେ ଅନେକ ରାଜ୍ୟ ଓ ଜାତୀୟ ପୁରସ୍କାର ଲାଭ କରିଛନ୍ତି । ଅନେକ ଓଡିଆ ଟିଭି ସିରିଏଲ୍ ଏବଂ ଡକ୍ୟୁମେଣ୍ଟାରୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ସେ । ଡ୍ରମ ବାଦନ, ଅଭିନୟ ଓ ପାଠପଢା ବ୍ୟତୀତ ସମାଜସେବାରେ ମଧ୍ୟ ରୁଚି ରଖନ୍ତି ଅଭିଷେକ । ନିଜ ବାପାଙ୍କ ସହ ମିଶି ଗରିବଗୁରୁବାଙ୍କୁ ବସ୍ତ୍ର ଦାନ କରିବା ସହ ନିଜ ପୁରସ୍କାର ରାଶିର କିଛି ଭାଗ ଅର୍ଥ ମଧ୍ୟ ସେ ସମାଜସେବାରେ ବ୍ୟୟ କରନ୍ତି । ବ୍ରିଟେନ୍ସ ଗଟ୍ ଟ୍ୟାଲେଣ୍ଟରେ ଭାଗ ନେବା ପାଇଁ ଅଭିଷେକଙ୍କୁ ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ଅର୍ଥାଭାବ ହେତୁ ଏହା ସମ୍ଭବ ହୋଇପାରିନଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶିଶୁ ପ୍ରତିଭାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ରାଜ୍ୟ ସଚିବାଳୟରେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

Previous ରୋହିତଙ୍କ ରେକର୍ଡ ବର୍ଷା
Next ଭାରତର ସର୍ବକନିଷ୍ଠ ସିଇଓ ଭ୍ରାତା

No Comment

Leave a reply

Your email address will not be published. Required fields are marked *