ମହାବଳୀ – ଦ ଗ୍ରେଟ୍ ଖଲି

World Heavyweight champion - the great khali

ୱାର୍ଲଡ୍ ରେସଲିଙ୍ଗ୍ ଏଣ୍ଟରଟେନମେଣ୍ଟ ‘ଡବ୍ଲୁ ଡବ୍ଲୁ ଇ’ରେ ବିଦେଶୀ ପହିଲମାନଙ୍କୁ ରିଙ୍ଗରେ ଦେଶୀ ଶୈଳୀରେ ଚିତପଟାଙ୍ଗ କରିଦେବାରେ ଅଭିଜ୍ଞତା ହାସଲ କରିଛନ୍ତି ‘ଦ ଗ୍ରେଟ୍ ଖଲି’ । ଅତି ଗରିବ ପରିବାରରେ ଜନ୍ମିତ ପଞ୍ଜାବର ଦଲିପ ସିଂହ ରାଣା ‘ଦ ଗ୍ରେଟ୍ ଖଲି’ ନାମରେ ଦେଶ ବିଦେଶରେ ଏବେ ବେଶ ଜଣାଶୁଣା । ରିଙ୍ଗରେ ପ୍ରତିଦ୍ୱନ୍ଦୀଙ୍କୁ ହରାଇବା ବ୍ୟତୀତ ହଲିଉଡ୍, ବଲିଉଡ୍ ସିନେମାରେ ଅଭିନୟର ଯାଦୁ ଦେଖାଇବା ସହ ଲୋକପ୍ରିୟ ରିଆଲିଟି ଟିଭି ଶୋ ‘ବିଗ୍ ବସ୍ ୪’ରେ ମଧ୍ୟ ସେ ଭାଗ ନେଇ ବେଶ ଲୋକପ୍ରିୟତା ହାସଲ କରିପାରିଛନ୍ତି । ଏହି ବିଶାଳ ଭୀମକାୟ ଶରୀର ଥିବା ‘ଖଲି’ଙ୍କର ଉଚ୍ଚତା ୭ଫୁଟ ୧ଇଞ୍ଚ ଏବଂ ଓଜନ ୧୫୭ କିଲୋଗ୍ରାମ ।


୧୯୭୨ ଅଗଷ୍ଟ ୨୭ ତାରିଖ ହିମାଚଳ ପ୍ରଦେଶରେ ଦଲିପଙ୍କ ଜନ୍ମ । ଗରିବ ପରିବାରେ ଜନ୍ମିତ ଦଲିପ ଅର୍ଥାଭାବରୁ ଅଧାରୁ ପାଠ ପଢ଼ାଛାଡ଼ି ଚାଷକାମରେ ବାପାଙ୍କୁ ସହଯୋଗ କରୁଥିଲେ । ବଳକା ସମୟରେ ଦିନ ମଜୁରୀ କରି ଘର ଚଳାଉଥିଲେ । ଧିରେଧିରେ ବୟସ ବଢ଼ିବା ସହ ଦଲିପଙ୍କର ଭୀମକାୟ ଭଳି ଶରୀରରେ ପରିବର୍ତ୍ତନ ଘଟିବାକୁ ଲାଗିଲା । ପରିବାରର ଆର୍ଥିକ ବୋଝ ମୁଣ୍ଡାଇ ଏକ ଘରୋଇ ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବେ କାମକଲେ । ସମୟକ୍ରମେ ଜଣେ ପୋଲିସ ଅଧିକାରୀଙ୍କ ସହାୟତାରେ ସେ ପଞ୍ଜାବ ପୋଲିସରେ ଚାକିରୀ ପାଇଲେ । ଜଣେ ବନ୍ଧୁଙ୍କ ପ୍ରେରଣାରେ ରିଙ୍ଗରେ ଲଢ଼ିବାର କୌଶଳ ଶିଖିବା ପାଇଁ ଦଲିପ ଜାପାନ ଗଲେ । ସେଠୁଁ ଆସି ଆଉ ପଛକୁ ଫେରି ଚାହିଁନଥିଲେ ସେ । ଆମେରିକା ଯାଇ ଡବ୍ଲୁ ଡବ୍ଲୁ ଇରେ ‘ଦ ଗ୍ରେଟ୍ ଖଲି’ ନାମରେ ସେ ନିଜର ନୂଆ ପରିଚୟ ସୃଷ୍ଟି କଲେ । ଦଲିପ ପିଲାଟି ଦିନୁ ଧାର୍ମିକ ଓ ମା’ କାଳୀଙ୍କର ଭକ୍ତ । ତେଣୁ ତାଙ୍କରି ନାମରେ ନିଜର ନାମ ରଖିଲେ ‘ଖଲି’ ।

ଡବ୍ଲୁ ଡବ୍ଲୁ ଇ ରିଙ୍ଗରେ କିଛି ମିନିଟ୍ ର ମ୍ୟାଚରେ ‘ଅଣ୍ଡରଟେକର’ଙ୍କୁ ହରାଇ ବେଶ ସୁନାମ ଅର୍ଜନ କଲେ ଖଲି । ଏହାପରେ ଧିରେ ଧିରେ ଡବ୍ଲୁ ଡବ୍ଲୁ ଇରେ ଅନେକ ପହିଲମାନଙ୍କୁ ନିଜ ମନପସନ୍ଦ ମୁଭ୍ ‘ଖଲି ବମ୍ବ୍’ ମାରି ୨୦୦୭-୦୮ରେ ସେ ୱାର୍ଲଡ୍ ହେଭିୱେଟ୍ ଟାଇଟଲ୍ ଜିତିଲେ । ୨୦୧୨ ଜୁଲାଇ ମାସରେ ଖଲିଙ୍କର ବ୍ରେନ ସର୍ଜରୀ କରାଯାଇଥିଲା । ସେବେଠୁଁ ରିଙ୍ଗରୁ ଦୁରେଇ ଯାଇଥିଲେ ମଧ୍ୟ ଏବେବି ଡବ୍ଲୁ ଡବ୍ଲୁ ଇ ରିଙ୍ଗ ତାଙ୍କ ଅପେକ୍ଷାରେ ରହିଛି । ଆଉ ଦେଶ ତଥା ବିଦେଶରେ ଥିବା ଖଲିଙ୍କର ପ୍ରଶଂସକ ଏହି ମହାକାୟ ପହିଲମାନଙ୍କ ପଞ୍ଜାବୀ ଷ୍ଟାଇଲରେ ଖଲି ବମ୍ବ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ।

ଦିପ୍ତିରଞ୍ଜନ ବେହେରା

Previous ଦୁଇ ଓଡିଆ ସାହିତ୍ୟିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର
Next କୋହଲି-ଅନୁଷ୍କାଙ୍କ ବିବାହ ଭୋଜିରେ ପ୍ରଧାନମନ୍ତ୍ରୀ

No Comment

Leave a reply

Your email address will not be published. Required fields are marked *