ପରଦା ପଛର ପ୍ୟାଡମ୍ୟାନଙ୍କ କାହାଣୀ

Muruganantham the real hero

ଆପଣମାନଙ୍କ ମଧ୍ୟରୁ ଅନେକେ ଅକ୍ଷୟ କୁମାରଙ୍କର ଆଗାମୀ ଚଳଚ୍ଚିତ୍ର ‘ପ୍ୟାଡମ୍ୟାନ’ର ଟ୍ରେଲର ଦେଖିସାରିଥିବେ । ଆଉ କିଛିଦିନ ପରେ ଏହି ଚଳଚ୍ଚିତ୍ର ବଡ଼ ପରଦାରେ ରିଲିଜ୍ ହେବ । ହେଲେ ଏହି ପ୍ୟାଡମ୍ୟାନ୍ ଚରିତ୍ର ଜଣଙ୍କ ପ୍ରକୃତରେ କିଏ ଆପଣ ଜାଣିଛନ୍ତି କି? କାହିଁକି ସେ ପ୍ୟାଡମ୍ୟାନ୍ ହେଲେ ସେ ବିଷୟରେ ଜାଣିବା ପାଇଁ ଆଗକୁ ପଢ଼ନ୍ତୁ ।


ଆଜି ବି ଆମ ଦେଶର ଅନେକ ଗାଁରେ ମାସିକ ଋତୁସ୍ରାବ ହେଲେ ମହିଳାମାନେ ପ୍ୟାଡ୍ ବ୍ୟବହାର କରନ୍ତି ନାହିଁ । ଅଧିକ ଟଙ୍କା ଦେଇ ପ୍ୟାଡ୍ କିଣିବା ସେମାନଙ୍କ ପକ୍ଷେ ସମ୍ଭବପର ହେଉନଥିବାରୁ ସବୁ ମାସରେ ଶାଢ଼ୀକୁ ଛୋଟ ଛୋଟ କାଟି କିମ୍ବା କାଗଜ ବ୍ୟବହାର କରୁଛନ୍ତି । ଏହି ସମସ୍ୟା ସମାଧାନର ବାଟ କାଢ଼ିଛନ୍ତି ଅରୁଣାଚଲମ୍ ମୁରୁଗନନ୍ଥମ୍ ବା ପ୍ୟାଡ୍ ମ୍ୟାନ୍ ।

ଅରୁଣାଚଲମ୍ ମୁରୁଗନନ୍ଥମଙ୍କ ପରିଚୟ
୧୯୬୨ ମସିହା ତାମିଲନାଡ଼ୁର କୋୟମ୍ବଟୁରରେ ଗୋଟିଏ ଗରିବ ପରିବାରରେ ଅରୁଣାଚଲମ୍ ମୁରୁଗନନ୍ଥମଙ୍କର ଜନ୍ମ । ପିଲାଦିନେ ଗୋଟିଏ ସଡ଼କ ଦୁର୍ଘଟଣାରେ ବାପା ଏସ୍ ଅରୁଣାଚଲମଙ୍କର ମୃତ୍ୟୁ ହେବାପରେ ତାଙ୍କ ମା’ ଏ ବନିତା ମୂଲ ମଜୁରୀ କରି ପରିବାର ଚଳାଉଥିଲେ । ପରିବାରର ଆର୍ଥିକ ପରିସ୍ଥିତି ଯୋଗୁଁ ସ୍କୁଲ ପାଠପଢ଼ା ଅଧାରୁ ଛାଡ଼ି ରୋଜଗାର କରି ପରିବାର ଚଳାଇବା ପାଇଁ ମୁରୁଗନନ୍ଥମ ଅଣ୍ଟା ଭିଡ଼ିଲେ । ଧିରେଧିରେ ନିଜ କଠିନ ପରିଶ୍ରମ ବଳରେ ସେ ପ୍ୟାଡ୍ ମ୍ୟାନର ପରିଚୟ ପାଇଲେ । ତାଙ୍କର ଇଚ୍ଛା ଦେଶର ସବୁ ଗାଁରେ ମହିଳାମାନେ ପ୍ୟାଡ୍ ବ୍ୟବହାର କରନ୍ତୁ ଓ ସୁସ୍ଥ ରୁହନ୍ତୁ ।

 


ନିଜ ସ୍ତ୍ରୀ ପାଇଁ ସେ ପ୍ୟାଡ୍ ମ୍ୟାନ୍ ହେଲେ
ଅରୁଣାଚଲମ୍ ମୁରୁଗନନ୍ଥମଙ୍କର ବିବାହ ୧୯୯୮ ମସିହାରେ ଶାନ୍ତିଙ୍କ ସହ ହୋଇଥିଲା । ପରିବାରରେ ଆର୍ଥିକ ସମସ୍ୟା ଯୋଗୁଁ ଶାନ୍ତି ମାସିକ ଋତୁସ୍ରାବ ସମୟରେ ଘରେ ଥିବା ଖବରକାଗଜ ବ୍ୟବହାର କରିବା କଥା ମୁରୁଗନନ୍ଥମ ଜାଣିବା ପରେ ଶସ୍ତାରେ ପ୍ୟାଡ୍ ବନାଇବା ପାଇଁ ସେ ମନସ୍ଥ ହେଲେ । ଶସ୍ତାରେ ପ୍ୟାଡ୍ ବନାଇବା ମେସିନ ତିଆରି ପାଇଁ ସେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଆଉ ୨ ବର୍ଷର ନିଷ୍ଠା ଓ ପରିଶ୍ରମ ଫଳରେ ସେ ଶସ୍ତାରେ ସାନିଟାରି ନାପକିନ୍ ବନାଇବା ମେସିନ ଉଦ୍ଭାବନ କଲେ ।


ମୁରୁଗନନ୍ଥମଙ୍କୁ ସଫଳତା
ମୁରୁଗନନ୍ଥମଙ୍କ ଏହି ଆବିଷ୍କାରକୁ ନ୍ୟାସନାଲ ଇନୋଭେସନ୍ ଫାଉଣ୍ଡେସନ୍ ଗ୍ରାସରୁଟ୍ ଟେକ୍ନୋଲଜିକାଲ ଇନୋଭେସନ୍ ଆୱାର୍ଡ ମିଳିଲା । ଏହାପରେ ସେ ‘ଜୟଶ୍ରୀ’ ନାମରେ ନିଜର ଏକ ଶିଳ୍ପ ପ୍ରତିଷ୍ଠା କଲେ । ମୁରୁଗନନ୍ଥମଙ୍କ ଏହି ଶିଳ୍ପରୁ ତିଆରି ହୋଇଥିବା ମେସିନ୍ ଦେଶର ସବୁ ରାଜ୍ୟ ଏବଂ ବାହାର ଦେଶରେ ବି ସ୍ଥାପନ କରାଯାଇଛି । ତାଙ୍କର ଏହି ମହତ ପ୍ରୟାସ ଯୋଗୁଁ ଭାରତ ସରକାରଙ୍କ ଦ୍ୱାରା ସେ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।


ତାଙ୍କର ଏହି ମହତ କାମକୁ ରୂପେଲି ପରଦାରେ ଲୋକଲୋଚନକୁ ଆଣିବା ପାଇଁ ଏକ ଚଳଚ୍ଚିତ୍ର ‘ପ୍ୟାଡ୍ ମ୍ୟାନ୍’ ନିର୍ମାଣ କରାଯାଉଛି । ମୁରୁଗନନ୍ଥମଙ୍କ ଜୀବନରେ ଘଟିଥିବା କାହାଣୀ ଉପରେ ଆଧାରିତ ‘ପ୍ୟାଡମ୍ୟାନ୍’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବେ ଷ୍ଟଣ୍ଟମ୍ୟାନ୍ ଅକ୍ଷୟ କୁମାର ।

ଦିପ୍ତିରଞ୍ଜନ ବେହେରା

Previous ବିନା ଔଷଧରେ ପ୍ରଖର ସ୍ମରଣ ଶକ୍ତି
Next ଆପଣ ବି ପାଗଳ ହୋଇପାରନ୍ତି ! ଜାଣନ୍ତୁ ସତ କ’ଣ ?

No Comment

Leave a reply

Your email address will not be published. Required fields are marked *