ଓଲିଉଡ଼ର ସ୍ୱର୍ଣ୍ଣିମ ଅଧ୍ୟାୟ


୧୯୩୬ ମସିହାରେ ନିର୍ମିତ ହୋଇଥିଲା ପ୍ରଥମ ଓଡିଆ ଚଳଚ୍ଚିତ୍ର ‘ସୀତା ବିବାହ‘ । ଏହି ସିନେମାର ପ୍ରଯୋଜନା ଓ ନିର୍ଦ୍ଦେଶନା ଦେଇଥିଲେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ । ତ୍ରେତୟା ଯୁଗର ରାମାୟାଣ କାହାଣୀକୁ ନେଇ ସୀତା ବିବାହ ସିନେମାର କଥାବସ୍ତୁ ପର୍ଯ୍ୟବେସିତ ଥିଲା । ସେହି ବର୍ଷ ପୁରୀ ସ୍ଥିତ ଲକ୍ଷମୀ ଟକିଜରେ ଏହି ସିନେମାର ପ୍ରିମିୟର ସୋ ଦେଖିଥିଲେ ଦର୍ଶକ । କାମପାଲ ମିଶ୍ରଙ୍କ ଦ୍ୱାରା ଲିଖିତ ନାଟକକୁ ଆଧାର କରି ସୀତା ବିବାହର କାହାଣୀ ରଚିତ ହୋଇଥିଲା । ୩୦,୦୦୦ ବଜେଟରେ ନିର୍ମିତ ଏହି ସିନେମାର ଅବଧି ୨ ଘଣ୍ଟା । ସୀତା ବିବାହ ସିନେମାକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ । ୧୨ ରିଲ୍ ବିଶିଷ୍ଟ ଏହି ଫିଲ୍ମରେ ରାମ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ମାଖନଲାଲ୍ ବାନାର୍ଜୀ । ମାତ୍ର ୧୨୦ ଟଙ୍କା ପାରିଶ୍ରମିକ ମିଳିଥିଲା ମାଖନଲାଲଙ୍କୁ । ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଆଦିତ୍ୟ ବଲ୍ଲଭଙ୍କୁ ମିଳିଥିଲା ୩୫ ଟଙ୍କା । ସୀତା ଚରିତ୍ରରେ ଅବତୀର୍ଣ୍ଣ ହୋଇଥିବା ପାର୍ବତୀ ଦେବୀଙ୍କୁ ସବୁଠୁ ଅଧିକ ପାରିଶ୍ରମିକ ମିଳିଥିଲା ୧୫୦ ଟଙ୍କା ।

ସୀତା ବିବାହ ରିଲିଜ୍ ହେବାର୧୯୫୧ ପର୍ଯ୍ୟନ୍ତ କେବଳ ଦୁଇଟି ଫିଲ୍ମ ରିଲିଜ୍ ହୋଇଥିଲା । ଇଂରାଜୀ ଟାଇଟଲ୍ ବିଶିଷ୍ଟ ପ୍ରଥମ ଓଡିଆ ଫିଲ୍ମ ହେଲା ‘ରୋଲ୍ସ ଟୁ ଏଇଟ୍’ । ପ୍ରଥମ ଫିଲ୍ମ ନିର୍ମାଣର ଦୀର୍ଘ ୧୫ ବର୍ଷ ପରେ ଏହା ଫ୍ଲୋରକୁ ଆସିଥିଲା । ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରତିକାନ୍ତ ପାଢୀ । ପ୍ରଫୁଲ୍ଲ ସେନଗୁପ୍ତଙ୍କ ଦ୍ୱାରା ନିର୍ଦ୍ଦେର୍ଶିତ ‘ଶ୍ରୀ ଲୋକନାଥ’ ଥିଲା ୧୧ତମ ଓଡିଆ ଚଳଚ୍ଚିତ୍ର । ୧୯୬୦ରେ ଜାତୀୟ ପୁରସ୍କାର ପାଇଥିଲା ଏହି ସିନେମା । ସେହି ବର୍ଷ ନିଜର ପଦାର୍ପଣ ସିନେମା ‘ନୂଆ ବୋଉ’ରେ ନିଖୁଣ ଅଭିନୟ ପାଇଁ ଜାତୀୟ ପୁରସ୍କାର ପାଇଥିଲେ ଓଲିଉଡ୍ ର ମୁଭି ମୋଗଲ ପ୍ରଶାନ୍ତ ନନ୍ଦ । ସେ ଏକାଧାରାରେ ଥିଲେ ଅଭିନେତା, ନିର୍ଦ୍ଦେଶକ, ସଂଳାପ ଲେଖକ, ସ୍ୱର ସଂଯୋଜକ ଏବଂ କଣ୍ଠ ଶିଳ୍ପୀ । ଫିଲ୍ମ ନୂଆ ବୋଉ, ମାଟିର ମଣିଷ ଏବଂ ଅଦିନ ମେଘ ପାଇଁ ଯଥାକ୍ରମେ ୧୯୬୦, ୧୯୬୬ ଓ ୧୯୬୯ରେ ମଧ୍ୟ ଜାତୀୟ ପୁରସ୍କାର ପାଇଥିଲେ ଓଲିଉଡ୍ ଇଣ୍ଡଷ୍ଟ୍ରିର ଭାଇନା ପ୍ରଶାନ୍ତ ନନ୍ଦ ।

ଓଡିଆ ଚଳଣି ଓ ସଂସ୍କୃତି ଉପରେ ପର୍ଯ୍ୟବେସିତ ସିନେମା ନିର୍ମାଣ କରି ଏକ ନୂଆ ଟ୍ରେଣ୍ଡ ଆରମ୍ଭ କଲେ ପ୍ରତିଭାବାନ୍ ଅଭିନେତା ଓ ନିର୍ଦ୍ଦେଶକ ମହମ୍ମଦ ମହସୀନ । ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ପ୍ରଥମ ସିନେମା ‘ଫୁଲ ଚନ୍ଦନ’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜ୍ୟ ସ୍ତରୀୟ ପୁରସ୍କାର ପାଇଲେ ସେ । ଦର୍ଶକୀୟ ଆଦୃତି ଲାଭ କରିଥିବା ୧୬ଟି ଓଡିଆ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ମହମ୍ମଦ ମହସୀନ । ଚରିତ୍ର ଅଭିନେତା ଭାବେ କ୍ୟାରିୟର ଆରମ୍ଭ କରି ଓଡିଶାର ଘରେ ଘରେ ରାକା ନାମରେ ପରିଚିତ ହେଲେ ସେ ।

ମମତା ମାଗେ ମୂଲ’ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ ନିର୍ଦ୍ଦେଶକ ଅମୀୟ ରଞ୍ଜନ ପଟ୍ଟନାୟକ । ଅଧିକ ବଜେଟ ଓ ଏକାଧିକ ଷ୍ଟାରଙ୍କୁ ନେଇ ନିର୍ମିତ ଏହି ଫିଲ୍ମ ଓଡିଆ ସିନେମାର ଗତିପଥ ବଦଳାଇଦେଇଥିଲା । ଅନେକ ନୂଆ ଅଭିନେତା, ଅଭିନେତ୍ରୀ, ସଙ୍ଗୀତଜ୍ଞ, ଟେକ୍ନିସିଆନ୍, ମୁମ୍ବାଇ ଓ ଚେନ୍ନାଇର କଣ୍ଠଶିଳ୍ପୀଙ୍କୁ ଓଡିଆ ସିନେମା ଜଗତକୁ ଆଣିଥିଲେ ଶ୍ରୀ ପଟ୍ଟନାୟକ । ତାଙ୍କ ଦ୍ୱାରା ପ୍ରଯୋଜିତ ‘ହାକିମ ବାବୁ’ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ଲାଭ କରିଥିଲା । ଅମୀୟ ପଟ୍ଟନାୟକଙ୍କ ଦ୍ୱାରା ପ୍ରଯୋଜିତ ଅନ୍ୟ ଏକ ଫିଲ୍ମ ‘ପୁଅ ମୋର କଳା ଠାକୁର’ର ନିର୍ଦ୍ଦେଶନା ଦେଇଥିଲେ ଖ୍ୟାତନାମା ନିର୍ଦ୍ଦେଶକ ରାଜୁ ମିଶ୍ର । ବ୍ୟାବସାୟିକ ଦୃଷ୍ଟିରୁ ବେଶ୍ ସଫଳତା ପାଇଥିଲା ଏହି ପାରିବାରିକ ସିନେମା । ତା ପରେ ପରେ ଅମୀୟଙ୍କ ପ୍ରଯୋଜିତ ‘ଚକା ଆଖି ସବୁ ଦେଖୁଛି ଓ ଆସୁଛି ମୋ କାଳିଆ ସୁନା’ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବା ସହ ସମୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେ ରାଜୁ ମିଶ୍ର, ବିଜୟ ମହାନ୍ତି, ଉତ୍ତମ ମହାନ୍ତି ଓ ଅକ୍ଷୟ ମହାନ୍ତିଙ୍କୁ ନେଇ ନିର୍ମାଣ କରି ଚାଲିଲେ ଗୋଟିଏ ପରେ ଗୋଟିଏ ସିନେମା । ତିନିଟି ଭାଷାରେ ଫିଲ୍ମ ନିର୍ମାଣ କରିବାର ଟ୍ରେଣ୍ଡ ମଧ୍ୟ ଆରମ୍ଭ କଲେ ପ୍ରଯୋଜକ ଅମୀୟ ପଟ୍ଟନାୟକ । ତାଙ୍କ ପ୍ରଯୋଜିତ ‘ରାଜା ରାଣୀ, ପରଦେଶୀ ବାବୁ, ପରୀ ମହଲ’ ଓଡିଆ, ବଙ୍ଗଳା ଓ ବାଂଲାଦେଶୀ ଭାଷାରେ ନିର୍ମିତ ହୋଇଥିଲା ।

୭୦ ଦଶକରେ ଶ୍ରୀରାମ ପଣ୍ଡା , ତ୍ରିପୁରା ମିଶ୍ର , ପ୍ରଶାନ୍ତ ନନ୍ଦ, ମହାଶ୍ୱେତା ରାୟ ଏବଂ ବିଜୟ ମହାନ୍ତି ଓ ତନ୍ଦ୍ରା ରାୟଙ୍କ ଅନସ୍କ୍ରିନ ଯୋଡି ଓଡିଆ ସିନେପ୍ରେମୀଙ୍କୁ ବେଶ୍ କିଛି ଦିନ ମତୁଆଲା କରିଥିଲା । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅଭିନେତା ଉତ୍ତମ ମହାନ୍ତିଙ୍କ ପଦାର୍ପଣ ସିନେମା ‘ଅଭିମାନ’ ଓଡିଆ ଦର୍ଶକଙ୍କ ହୃଦୟ କିଣି ନେଇଥିଲା । ତାଙ୍କର ସହଧର୍ମିଣୀ ଅପରାଜିତା ମହାନ୍ତି ଏବଂ ଏକ ମାତ୍ର ପୁତ୍ର ବାବୁସାନ୍ ମଧ୍ୟ ଅଭିନୟ ଜଗତରେ ବେଶ୍ ସକ୍ରିୟ । ୯୦ ଦଶକରେ ସିଦ୍ଧାନ୍ତ, ରଚନାଙ୍କ ରୋମାଣ୍ଟିକ ପେୟାର ଗୋଟିଏ ପରେ ଗୋଟିଏ ହିଟ୍ ଦେଇଚାଲିଲେ । ଏପରିକି ସେମାନଙ୍କର ବାହାଘର ନେଇ ଅନେକ ଗୁଜବ ଉଠିଥିଲା । ଶେଷରେ ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ମାମା ମିଶ୍ରଙ୍କୁ ବିବାହ କଲେ ସିଦ୍ଧାନ୍ତ ।

ଓଡିଆ ଝିଅ ନନ୍ଦିତା ଦାସ ବହୁ ହିନ୍ଦୀ ସିନେମାରେ ଅଭିନୟ କରି ନିଜର ସ୍ୱତନ୍ତ୍ର ଛାପ ଛାଡିଛନ୍ତି । ସୁଶାନ୍ତ ମିଶ୍ରଙ୍କ ନିର୍ଦ୍ଦେଶିତ ‘ବିଶ୍ୱପ୍ରକାଶ’ ସିନେମା ତାଙ୍କ ପାଇଁ ଆଣିଦେଇଥିଲା ଅପାର ସଫଳତା । ୨୦୦୦ ମସିହାରେ ଏହି ସିନେମାରେ ଜୀବନ୍ତ ଅଭିନୟ ପାଇଁ ତାଙ୍କୁ ମିଳିଲା ଜାତୀୟ ପୁରସ୍କାର । ଓଲିଉଡ୍ ଇଣ୍ଡଷ୍ଟ୍ରିରେ ମିହିର ଦାସ ଓ ବିଜୟ ମହାନ୍ତିଙ୍କୁ ସର୍ବକାଳୀନ ଶ୍ରେଷ୍ଠ ଅଭିନେତାର ମାନ୍ୟତା ଦିଆଯାଏ । ନୂଆ ପିଢିର ନାୟକ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ସବ୍ୟସାଚୀ, ଅର୍ଚ୍ଚିତା ମଧ୍ୟ ଅଭିନୟ ଜରିଆରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି ।

Previous ପ୍ରଥମ ରଙ୍ଗୀନ ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ନଗେନ୍ ରାୟଙ୍କ ପରଲୋକ
Next ସମ୍ବଲପୁରୀ ୟୁନିଫର୍ମ ପିନ୍ଧିବେ ଛାତ୍ରଛାତ୍ରୀ

No Comment

Leave a reply

Your email address will not be published. Required fields are marked *