ଇନାବାୱି ଚାଷୀଙ୍କ ସଫଳତାର ମନ୍ତ୍ର: ଜୈବିକ କୃଷିକୁ ହାୟ୍, ରାସାୟନିକ ସାରକୁ ବାୟ୍ ବାୟ୍

Organic Farming

ତେଲେଙ୍ଗାନା ୱାରଙ୍ଗଲ୍ ଅଞ୍ଚଳର ଛୋଟିଆ ଗାଁ ଇନାବାୱିର ଚାଷୀଙ୍କ ହାତରେ ଲାଗିଛି ଏକ ଚମତ୍କାରୀ ମନ୍ତ୍ର । ସେହି ଚମତ୍କାରୀ ମନ୍ତ୍ର ପ୍ରୟୋଗ କରି ଜମିରେ ସେମାନେ କେବଳ ଯେ ଫସଲ ଉତ୍ପାଦନ ବଢ଼ାଇ ପାରିଛନ୍ତି ତା ନୁହେଁ, ବରଂ ନିଜେ ସୁସ୍ଥ ରହିବା ସହିତ ସେମାନଙ୍କ ଗୃହପାଳିତ ପଶୁମାନେ ମଧ୍ୟ ସୁସ୍ଥ ରହୁଛନ୍ତି । ଇନାବାୱି ଗାଁର ପ୍ରାୟ 50ଟି ଚାଷୀ ପରିବାର ପ୍ରଥମେ ଏହାର ପ୍ରୟୋଗ କରି ସେଥିରୁ ସଫଳତା ପାଇବା ପରେ ଏବେ ଆଖପାଖ ଜିଲ୍ଲା ତଥା ରାଜ୍ୟର ଅନ୍ୟ ଅଞ୍ଚଳରୁ ମଧ୍ୟ ଚାଷୀମାନେ ତାହା ଶିଖିବାକୁ ଇନାବାୱି ଗାଁକୁ ଧାଉଁଛନ୍ତି । ମନ୍ତ୍ରଟି ହେଉଛି ‘ଜୈବିକ କୃଷି’ ।

15/20 ବର୍ଷ ପୂର୍ବେ ସେଠାରେ ଚାଷୀ ମାନେ ଜୈବିକ କୃଷି ସମ୍ପର୍କରେ ଜାଣିଥିଲେ ମଧ୍ୟ ତାକୁ ଗୁରୁତ୍ୱ ଦେଉନଥିଲେ । ରାସାୟନିକ ସାର ଓ କୀଟନାଶକ ହିଁ ଥିଲା ଚାଷୀଙ୍କ ପାଇଁ ଅଧିକ ଫସଲ ଉତ୍ପାଦନର ଏକମାତ୍ର ସୂତ୍ର । ସେହି ଅଞ୍ଚଳରେ ଅଧିକ କପା ଚାଷ ହେଉଥିବାରୁ କିଛି ଚାଷୀ ବିଟି କଟନ୍ ର ଜିଏମ୍ ବିହନ ବ୍ୟବହାର କରୁଥିଲେ । ଫଳରେ ଖର୍ଚ୍ଚ ସିନା ବଢ଼ୁଥାଏ, କିନ୍ତୁ ଆୟ ବର୍ଷକୁ ବର୍ଷ କମି କମି ଯାଉଥାଏ । ଅଧିକାଂଶ ଚାଷୀ ବ୍ୟାଙ୍କରୁ ଋଣ ଆଣି ଓ ଗାଁରୁ ହାତ ଉଧାରୀ ଆଣି ଚାଷ କରିଥାନ୍ତି । କିନ୍ତୁ ଚାଷକାମରୁ ଆୟ କମିବାରୁ କିଛି ଚାଷୀ ଋଣ ଚିନ୍ତାରେ ଆତ୍ମହତ୍ୟା କରିବା ଘଟଣା ମଧ୍ୟ ନଜରକୁ ଆସିଲା । ଫଳରେ ଏହି ଚକ୍ରବ୍ୟୁହ ଭିତରୁ ବାହାରିବା ପାଇଁ ସେହି ଗାଁର ଚାଷୀ ମାନେ ଏକଜୁଟ ହୋଇ ବାଟ ଖୋଜିଲେ ଏବଂ ନିଜ ଭିତରେ ଆଲୋଚନା କରିବା ସହ କୃଷି ବିଶେଷଜ୍ଞ ଓ କିଛି ସଂସ୍ଥାର ପରାମର୍ଶ ନେଲେ । ଆଲୋଚନାରୁ ଆଗକୁ ଆସିଲା ଜୈବିକ କୃଷି କଥା । ନିଷ୍ପତ୍ତି ହେଲା ଯେ, ଗାଁର ସମସ୍ତ ଚାଷଜମିକୁ ସମ୍ପୂର୍ଣ୍ଣ ରାସାୟନିକ ପଦାର୍ଥ ମୁକ୍ତ କରି, ଜୈବିକ ପଦ୍ଧତିରେ ଚାଷ କରାଯିବ ।

2006 ମସିହା। ତେଲେଙ୍ଗାନାର ପ୍ରଥମ ଜୈବିକ ଗାଁ ମାନ୍ୟତା ପାଇଲା ଇନାବାୱି । ଗାଁର ସମସ୍ତ 52ଟି ଯାକ ଚାଷୀ ପରିବାର ଆରମ୍ଭ କଲେ ଜୈବିକ କୃଷି । ରାସାୟନିକ ସାର, କୀଟନାଶକ ଓ ଜିଏମ୍ ବିହନକୁ ନିଷିଦ୍ଧ କରି  272 ଏକର ଜମିରେ ଆରମ୍ଭ ହେଲା ଜୈବିକ ପଦ୍ଧତିର ଚାଷ କାମ। ଜିଆ ଖତ ଓ କମ୍ପୋଷ୍ଟ ଭଳି ଜୈବିକ ସାର ଏବଂ ରସୁଣ, କଞ୍ଚାଲଙ୍କା, ନିମ୍ବ ଓ ଗୋମୂତ୍ର ଆଦିରୁ ପ୍ରସ୍ତୁତ କୀଟନାଶକ ଚାଷ ଜମିରେ ପ୍ରୟୋଗ କରାଗଲା । ଜମି ଚାରିକଡ଼େ ଗେଣ୍ଡୁ ଓ ଅନ୍ୟ ତୀବ୍ର ଗନ୍ଧଯୁକ୍ତ ଫୁଲଗଛ ଲଗାଇବା ଫଳରେ ମଧ୍ୟ ରୋଗପୋକଠୁ ମୁକ୍ତି ମିଳିଲା । ପୂର୍ବରୁ ରାସାୟନିକ ସାର ପାଇଁ ଏକର ପ୍ରତି 3500 ଟଙ୍କା ଖର୍ଚ୍ଚ କରୁଥିବା ଚାଷୀଙ୍କୁ ଜୈବିକ ସାର ପାଇଁ ମାତ୍ର 500 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା । ଫଳରେ ସେମାନଙ୍କୁ ଚାଷକାମରୁ ଧୀରେଧୀରେ ଅଧିକରୁ ଅଧିକ ଲାଭ ମିଳିବାରେ ଲାଗିଲା । ଫଳରେ ଚାଷୀ ଆତ୍ମହତ୍ୟା ବନ୍ଦ ହେବା ସହ ସେମାନଙ୍କ ପରିବାର ଆର୍ଥିକ ସ୍ୱଚ୍ଛଳ ହୋଇପାରିଲା ।

କେବଳ ଏତିକି ନୁହେଁ । ଜୈବିକ କୃଷି ଚାଷ କାମରେ ଯେତିକି ଉପଯୋଗୀ ହୋଇଛି, ଗାଁଲୋକଙ୍କ ଏବଂ ଗୋରୁଗାଈଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ ହୋଇପାରିଛି । ପୂର୍ବରୁ ଜମିରେ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରୁଥିବା ଲୋକମାନେ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହେଉଥିଲେ । କେତେକ କ୍ଷେତ୍ରରେ ଗର୍ଭବତୀ ମହିଳାଙ୍କର ଗର୍ଭନଷ୍ଟ ହେବା ଘଟଣା ମଧ୍ୟ ନଜରକୁ ଆସିଥିଲା । କିନ୍ତୁ ଜିୈବିକ କୃଷି ଆରମ୍ଭ ହେବା ପରଠୁ ଆଉ ସେଭଳି ସମସ୍ୟା ଦେଖା ଦେଉନାହିଁ । ବିଟି କଟନ୍ ପତ୍ର ଖାଇ ଅସୁସ୍ଥ ହୋଇପଡ଼ୁଥିବା ଗୋରୁଗାଈ ମଧ୍ୟ ଏବେ ସୁସ୍ଥ ଅଛନ୍ତି । କହିବାକୁ ଗଲେ, ଇନାବାୱି ଗାଁରେ ପ୍ରାୟ ଆଉ କୌଣସି ମାରାତ୍ମକ ରୋଗ ଦେଖିବାକୁ ମିଳୁନାହିଁ । ଜୈବିକ କୃଷି ଆରମ୍ଭ ହେବା ପରେ ଗାଁରେ ଏକ ଗୋଶାଳା ମଧ୍ୟ ତିଆରି କରାଯାଇଛି । ସେଠାରୁ କ୍ଷୀର ଉତ୍ପାଦନ କରି ଚାଷୀମାନେ ନିଜ ରୋଜଗାର ଆହୁରି ବଢ଼ାଇପାରିଛନ୍ତି । ସେଠାରେ ଥିବା ଗାଈଗୋରୁଙ୍କ ମୂତ୍ର ଓ ଗୋବରକୁ ଚାଷ ଜମିରେ ଜୈବିକ ସାର ଭାବେ ବ୍ୟବହାର କରାଯାଉଛି । ଗାଁର ଚାଷୀମାନେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଗଢ଼ିବା ଫଳରେ ଉନ୍ନତ ବିହନ ବଣ୍ଟନ ଓ ଉତ୍ପାଦିତ ଫସଲର ସଠିକ ମୂଲ୍ୟରେ ବିକ୍ରି ସମ୍ଭବ ହୋଇପାରୁଛି ।

Previous ଚିର ଯୌବନର ଗ୍ୟାରେଣ୍ଟି, ପାଳନ୍ତୁ ଏହି ଗୁରୁ ମନ୍ତ୍ର
Next ନୂଆ ରଣଜୀ ଚାମ୍ପିୟନ ବିଦର୍ଭ

No Comment

Leave a reply

Your email address will not be published. Required fields are marked *