ହଳଦି ରଙ୍ଗର ସୋରିଷ କ୍ଷେତ

Mustard Cultivation

ସୋରିଷରେ ଶତକଡ଼ା ୪୦ରୁ ୫୦ ଭାଗ ତୈଳ ଓ ୨୫ ଭାଗ ପୁଷ୍ଟିସାର ଥାଏ । ଏହି ପୁଷ୍ଟିସାର ମଧ୍ୟରେ ଥାୟାମିନ୍, ସିଷ୍ଟିନ୍ ଓ ସାଇଷ୍ଟିନ୍ ଭଳି ଗନ୍ଧକ ଯୁକ୍ତ ଆମିନୋ ଅମ୍ଳ ଶରୀର ପାଇଁ ଉପଯୋଗୀ । ଏଥିରେ ଭିଟାମିନ୍ ‘ସି’, ‘ଇ’ ଓ ‘କେ’ ରହିଛି । ସୋରିଷରୁ ପ୍ରସ୍ତୁତ ହେଉଥିବା ଖାଇବା ତେଲ ଓ ପିଡ଼ିଆର ଚାହିଦା ମଧ୍ୟ ବେଶ ଅଧିକ । ଆମ ରାଜ୍ୟରେ ଏହାକୁ କେବଳ ରବି ଋତୁରେ ଚାଷ କରାଯାଏ ।
ଢ଼ିପ ଓ ମଝିଆଳି କିସମ ଜମି, ନିଗିଡ଼ା, ଦୋରସା, ମଟାଳ ଓ ପଟୁମାଟି ସୋରିଷ ଚାଷ ପାଇଁ ଉପଯୁକ୍ତ । ବାୟୁମଣ୍ଡଳର ଉତ୍ତାପ ୧୫ରୁ ୨୦ ଡିଗ୍ରୀ ସେଲସିଅସ୍ ଏହି ଚାଷ ପାଇଁ ଅନୁକୂଳ । ଅଣଜଳସେଚିତ ଓ ଜଳସେଚିତ ଜମିକୁ ଦୃଷ୍ଟିରେ ରଖି ସୋରିଷ କିସମ ଚୟନ କରାଯାଇଥାଏ । ଅଣଜଳସେଚିତ ଜମି ପାଇଁ ଏମ୍-୨୭, ଅନୁରାଧା, ପାର୍ବତୀ, ଟିଏସ୍-୨୯ କିସମ ଏବଂ ଜଳସେଚିତ ଜମି ପାଇଁ ପିଟି-୩୦୩, ପୁଷା ଜୟକିଷାନ୍, ବରୁଣ, ପୁଷା ବୋଲ୍ଡ ଓ କ୍ରାନ୍ତି ଆଦି କିସମ ଉପଯୁକ୍ତ । ମାଟିର ବତରକୁ ଦେଖି ଅଣଜଳସେଚିତ ଅଞ୍ଚଳରେ ଅକ୍ଟୋବର ୧୫ ତାରିଖ ମଧ୍ୟରେ ଓ ଜଳସେଚନ ସୁବିଧା ଥିବା ଅଞ୍ଚଳରେ ନଭେମ୍ବର ଦ୍ୱିତୀୟ ସପ୍ତାହ ମଧ୍ୟରେ ବୁଣା କାମ ଶେଷ କରିବା ଆବଶ୍ୟକ । ସୋରିଷ ଅମଳ ବୁଣା ସମୟ ଉପରେ ନିର୍ଭର କରେ । ଅତି ସହଳ କିମ୍ବା ବିଳମ୍ବରେ ବୁଣିଲେ ଅମଳ କମିଯାଏ । ବିଳମ୍ବରେ ବୁଣିଲେ ଅଧିକ ଜଉପୋକ ଆକ୍ରମଣ ହୋଇ ଫସଲ କ୍ଷତିଗ୍ରସ୍ତ ହୁଏ । ଡେରିରେ ଫୁଲ ହେଲେ ମଞ୍ଜିରେ ତେଲ ଅଂଶ କମିଯାଏ ।
ଏକର ପ୍ରତି ଛଟାବୁଣା ପାଇଁ ୪ କି.ଗ୍ରା. ଏବଂ ଧାଡ଼ିବୁଣା ପାଇଁ ୩ କି.ଗ୍ରା, ବିହନ ଆବଶ୍ୟକ ହୋଇଥାଏ । ବିହନ ବୁଣିବା ପୂର୍ବରୁ ବିଶୋଧନ କଲେ କ୍ଷେତରେ ରୋଗ କମ୍ ହୋଇଥାଏ । ପ୍ରତି ୧ କି.ଗ୍ରା, ବିହନରେ ୨ ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା ୩ ଗ୍ରାମ ଥିରାମ୍ ଗୋଳାଇ ବିହନ ବିଶୋଧନ କରିବାକୁ ପଡ଼େ ।
ଜମି ପ୍ରସ୍ତୁତି ଓ ଖତସାର ପ୍ରୟୋଗ
ପ୍ରଥମେ ଜିମରେ ୩-୪ ଓଡ଼ ଚାଷ କରି ମାଟି ଗୁଣ୍ଡ କରାଯାଏ । ଏହାପରେ ଜିମରେ ଧାଡ଼ିକୁ ଧାଡ଼ି ୨୫-୩୦ ସେ.ମି. ଏବଂ ମଞ୍ଜିକୁ ମଞ୍ଜି ୮-୧୦ ସେ.ମି. ବ୍ୟବଧାନରେ ମଞ୍ଜି ବୁଣାଯାଏ । ଜମିରେ ସଢ଼ା ଗୋବର ଖତ କିମ୍ବା କମ୍ପୋଷ୍ଟ ଏକର ପ୍ରତି ୨ ଟନ୍ ହିସାବରେ ପ୍ରୟୋଗ କରନ୍ତୁ । ଅଣଜଳସେଚିତ ସୋରିଷ ଫସଲ ପାଇଁ ଏକର ପ୍ରତି ୧୬ କି.ଗ୍ରା. ଯବକ୍ଷାରଜାନ, ୮ କି.ଗ୍ରା. ଲେଖାଏଁ ଫସଫରସ୍ ଓ ପଟାସ୍ ଏବଂ ଜଳସେଚିତ ସୋରିଷ ପାଇଁ ବିହନ ବୁଣା ପୂର୍ବରୁ ଏକର ପ୍ରତି ୧୦ କି.ଗ୍ରା. ଲେଖାଏଁ ଯବକ୍ଷାରଜାନ, ଫସଫରସ୍ ଓ ପଟାସ୍ ମୂଳ ଖାଦ୍ୟସାର ଭାବେ ଓ ବିହନ ବୁଣା ପୂର୍ବରୁ ଖତ ସହ ମାଟିରେ ମିଶାଇ ଦେବା ଉଚିତ୍ ।
ଜଳସେଚନ
ମାଟିରେ ବତର ନଥିଲେ ବିହନ ବୁଣା ପୂର୍ବରୁ ଜଳସେଚନ କରିବା ଆବଶ୍ୟକ । ବୁଣାର ୩ ସପ୍ତାହ ଓ ମଞ୍ଜି ଗଠନ ବେଳକୁ ୨ଥର ହାଲୁକା ଭାବେ ଜଳସେଚନ କରିବା ଜରୁରୀ । ଜମିରେ ସିଞ୍ଚା ଜଳସେଚନର ବ୍ୟବସ୍ଥା କଲେ କମ୍ ପାଣି ଖର୍ଚ୍ଚହୁଏ ଓ ଅଧିକ ଅମଳ ମିଳେ ।
ରୋଗପୋକ ଦମନ
ଜଉପୋକ – ପତ୍ର, ବଢ଼ିଲା ଅଙ୍ଗ ଏବଂ ଫଳରେ ଏହି ପୋକ ମେଞ୍ଚା ମେଞ୍ଚା ହୋଇ ଲାଗିଥାନ୍ତି । ଏଭଳି ପରିସ୍ଥିତିରେ ଏକ ଏକର ଜମି ପିଛା ୪୦୦ ମି.ଲି. ମିଥାଇଲ ଡିମେଟନ୍/ ଡାଇମିଥୋଏଟ୍/ କୁଇନାଲଫସ୍ କିମ୍ବା ୫୦ ମି.ଲି. ଇମିଡାକ୍ଲୋପ୍ରିଡକୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ସୁଫଳ ମିଳିଥାଏ ।
ସବୁଜ ପତ୍ରଖିଆ ପୋକ – ଶୂକଗୁଡ଼ିକ ପତ୍ରର ଅଗରେ ଥିବା ଫୁଲକୁ ବାନ୍ଧି ଦେଇ ତା’ ମଧ୍ୟରେ ରହିଥିବା ପତ୍ର, କଢ଼ ଓ ଫଳକୁ ଖାଇଯାନ୍ତି । ଏହାର ଦମନ ପାଇଁ ପ୍ରତି ଏକ ଏକର ଜମିରେ ୪୦୦ ମି.ଲି. ଏଣ୍ଡୋସଲ୍ଫାନ୍ କିମ୍ବା ୪୦୦ ମି.ଲି. କୁଇନାଲଫସକୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ପୋକଙ୍କ ଦାଉରୁ ରକ୍ଷା ମିଳେ ।
ପତ୍ରଚିତା ରୋଗ – ପ୍ରଥମେ ପତ୍ର ତଳପାଖେ ପାଣିପଚା ହଳଦିଆ ଚିହ୍ନ ଦେଖାଯାଏ । ଏହାର ଚାରିପଟ ଧାର ବାଦାମୀ ଓ ମଝି ଅଂଶ ଧୂଷର ଦେଖାଯାଏ । ରୋଗ ବଢ଼ିଗଲେ ପୋଡ଼ାଳିଆ ଏବଂ ବେରଙ୍ଗୀ ହୋଇ ଶୁଖିଯାଏ । ଏହି ରୋଗ ହେଲେ ଫଳ ପାଚିବା ପୂର୍ବରୁ ଶୁଖିଯାଏ । ଏହି ରୋଗର ନିରାକରଣ ପାଇଁ ଏକ ଏକର ପ୍ରତି ୧ କି.ଗ୍ରା. କପର୍ ଅକ୍ସିକ୍ଲୋରାଇଡ୍ ବା ୮୦୦ ଗ୍ରାମ୍ ମନୋକୋଜେବକୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।
ତଳୋନ୍ମୁଖୀ ପାଉଁଶିଆ ରୋଗ – ପତ୍ରର ତଳପାଖେ ବାଦାମୀ ରଙ୍ଗର ଚିହ୍ନ ଦେଖାଯାଏ ଓ ପରେ ଏହା ପାଉଁଶିଆ ପଡ଼ିଯାଏ । ଏହି ରୋଗ ହେଲେ ପତ୍ର ସବୁ ଶୁଖି ଝଡ଼ିପଡ଼େ । ଏହାର ଦମନ ପାଇଁ ଏକର ପିଛା ୧ କି.ଗ୍ରା. କପର ଅକ୍ସିକ୍ଲୋରାଇଡକୁ ୨୦୦ ଲିଟର ପାଣିରେ ମିଶାଇ ୧୦ ଦିନ ଅନ୍ତରରେ ୨ ଥର ସିଞ୍ଚନ କଲେ ରୋଗରୁ ଫସଲକୁ ସୁରକ୍ଷିତ ରଖାଯାଇ ପରିବ ।
ଅମଳ
ଗଛ ହଳଦିଆ ପଡ଼ିଗଲେ ସକାଳ ବେଳା ଦାଆରେ କାଟି ଦିଅନ୍ତୁ । ଏହାପରେ କଟା ଗଛକୁ ୨-୩ ଦିନ ଖରାରେ ଶୁଖାଇବା ପରେ ବାଡ଼ିରେ ପିଟି କିମ୍ବା ବଳଦ ବା ଟ୍ରାକ୍ଟର ଦ୍ୱାରା ବେଙ୍ଗଳା ପକାଇ ମଞ୍ଜି ଅମଳ କରନ୍ତୁ । ଏକର ପ୍ରତି ଅଣଜଳସେଚିତ ଫସଲରୁ ୨.୫ରୁ ୩ କ୍ୱିଣ୍ଟାଲ ଓ ଜଳସେଚିତ ଫସଲରୁ ୫ରୁ ୬ କୁଇଣ୍ଟାଲ ସୋରିଷ ଅମଳ ମିଳିଥାଏ ।

 

ସୌଜନ୍ୟ – ଓଡ଼ିଶା ପଞ୍ଚାୟତ ସମାଚାର

Previous ଟମାଟୋ ସସ୍ / କେଚପ୍ ପ୍ରସ୍ତୁତି
Next ସ୍ତନ କ୍ୟାନସର ରୋଗୀଙ୍କ ପାଇଁ ସଞ୍ଜିବନୀ

No Comment

Leave a reply

Your email address will not be published. Required fields are marked *