ସଜନା ଚାଷ: ଖର୍ଚ୍ଚ କମ୍, ଲାଭ ଅଧିକ


ସଜନା ଗଛ ଖାଲି ଆମ ଓଡିଶାର ନୁହେଁ, ଦେଶର ବହୁ ଅଂଚଳରେ ଲୋକଙ୍କ ଜୀବନଜୀବିକା ସହିତ ଜଡିତ ରହିଆସିଛି । ଗାଁରେ ସଜନା ଛୁଇଁ ଓ ଶାଗ ସହ ପଖାଳ ଖାଇଦେଲେ ଅନେକଙ୍କ ମନ ତୃପ୍ତିରେ ଭରିଯାଏ । ତେବେ ଏହି ସଜନା ଶାଗ ଓ ଛୁଇଁରେ ଔଷଧୀୟ ଓ ପୌଷ୍ଟିକ ଗୁଣ ଏତେ ଭରି ରହିଛି ଯେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଯେତିକି ହିତକର, ଏହାର ଚାଷ ମଧ୍ୟ ସେତିକି ଲାଭଜନକ । ଏ ସଂପର୍କରେ ଏକ ଉପସ୍ଥାପନା ।
ବର୍ଷା ନହେଲେ ମଧ୍ୟ ସଜନା ଗଛ ବଢିବାରେ ସେମିତି ଅସୁବିଧା ହୁଏନି । ଟିିକିଏ ଯତ୍ନ ସହକାରେ ନିଜ ବାଡି ଅଗଣାରେ ହେଉ ଅବା ବିଧିବଦ୍ଧ ଭାବେ ଚାଷ ଜମିରେ ସଜନା ଗଛ ଲଗାଇଲେ ସେଥିରୁ ଯେଉଁ ରୋଜଗାର ମିଳିବ, ତାହା ସାଧାରଣ ଭାବେ ଅନ୍ୟ ଫସଲ ଠାରୁ କିଛି କମ୍ ନୁହେଁ । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଓ ଗୁଜରାଟରେ ଅନେକ ଚାଷୀ ପାରମ୍ପରିକ ଚାଷ ଛାଡି ସଜନା ଚାଷକୁ ଆପଣେଇ ନେଲେଣି । ଏକ ଆକଳନରୁ ଜଣାଯାଇଛି ଯେ ଭାରତରେ ବର୍ଷକୁ ପ୍ରାୟ ୧୨ ରୁ ୨୦ ଲକ୍ଷ ଟନ୍ ଯାଏଁ ସଜନା ଛୁଇଁ ଓ ଶାଗ ମିଳୁଥିବା ଫଳରେ ବିଶ୍ୱରେ ଏହା ପ୍ରଥମ ସ୍ଥାନ ଅଧିକାର କରିଛି । ରାଜସ୍ଥାନର ଜୟପୁର ସ୍ଥିତ ଏଗ୍ରିକଲଚରାଲ ବାୟୋଟେକ୍ନୋଲୋଜି ଇନଷ୍ଟିଚ୍ୟୁଟର ବରିଷ୍ଠ ଅଧିକାରୀ ବି.ପି. ମହର୍ଷିଙ୍କ ମତରେ ବର୍ତମାନ ବିଶ୍ୱରେ ୪ ବିଲିୟନ୍ ଡଲାରର ସଜନା ବଜାର ଥିବାବେଳେ ୨୦୨୦ ବେଳକୁ ଏହା ୭ ବିଲିୟନ୍ ଡଲାର ଛୁଇଁବ । ଭାରତ, ଚୀନ ଓ ବ୍ରାଜିଲ ଭଳି ବିକାଶଶୀଳ ଦେଶରେ ସଜନାର ଚାହିଦା ଦିନକୁଦିନ ବଢୁଛି । ସାଧାରଣତଃ ସଜନା ମଂଜିର ଦର କିଲୋପ୍ରତି ୮୦୦ରୁ ୧୦୦୦ ଟଙ୍କା ହୋଇଥିବାବେଳେ ଗତବର୍ଷ ଚୀନ ଏହାକୁ କିଲୋପ୍ରତି ୩୦୦୦ ଟଙ୍କା ଦରରେ ଭାରତରୁ ଆମଦାନୀ କରିଥିଲା ।
ସଜନା ଗଛର ସବୁକିଛିର ଚାହିଦା ରହିଛି । ଏହାର ଫଳ, ପତ୍ର ଓ ଫୁଲ ଆମର ଖାଦ୍ୟ ଭିତିକ ଶିଳ୍ପ ପାଇଁ ଉପଯୋଗ ହେଉଥିବାବେଳେ ଏହାର ମଂଜି ମୁଖ୍ୟତଃ ବାୟୋଫୁଏଲ ପାଇଁ ବ୍ୟବହାର କରାଯାଏ । ଡକ୍ଟର ମୋରିଙ୍ଗା ନାମରେ ଆରମ୍ଭ ହୋଇଥିବା ଏକ ଷ୍ଟାର୍ଟଅପ୍ କଂପାନୀ ସଜନାପତ୍ର କୁ ନେଇ ବିଭିନ୍ନ ଧରଣର କୁକିଜ୍, ଚା’ ଏବଂ ଚଟାପଟ ପ୍ରସ୍ତୁତ କଲାଭଳି କେତେକ ଖାଦ୍ୟ ସାମଗ୍ରୀ ଉତ୍ପାଦନ କରୁଛନ୍ତି । ବିଶ୍ୱବଜାର ପାଇଁ ବର୍ତ୍ତମାନ ଭାରତ ପ୍ରାୟ ୮୦ ପ୍ରତିଶତ ସଜନା ମଂଜି ଓ ପତ୍ର ରପ୍ତାନୀ କରୁଛି । ଏ କ୍ଷେତ୍ରରେ ପରିମାଣ ଦୃଷ୍ଟିରୁ ସଜନା ମଞ୍ଜି ୪୦୦ ଟନ୍ ଓ ପତ୍ର ୮୦୦ ଟନ୍ ବୋଲି ଗତ ବର୍ଷର ରପ୍ତାନୀ ହିସାବରୁ ଜଣାଯାଇଛି ।

ସଜନା ଛୁଇଁ ଏକ ପୈାଷ୍ଟିକ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ହୋଇଥିବାରୁ ସାରା ବିଶ୍ୱରେ ସବୁ ବର୍ଗର ଲୋକେ ଏହା ଖାଇବାକୁ ଭଲ ପାଆନ୍ତି । ଏହାର ସ୍ୱାସ୍ଥ୍ୟପ୍ରଦ ଗୁଣ ଯଥେଷ୍ଟ ରହିଛି । ୨୦୧୪ ରେ ଇଂଟରନେସନାଲ ଜର୍ନାଲ ଅଫ୍ ସାଇଂଟିଫିକ ଷ୍ଟଡ଼ିଜରେ ପ୍ରକାଶିତ ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ସଜନା ଛୁଇଁକୁ ଖାଦ୍ୟ ତାଲିକାରେ ସାମିଲ କଲେ ଶିଶୁ ମାନଙ୍କର ଅପପୁଷ୍ଟି ରୋଗର ନିରାକରଣ ହୋଇପାରିବ । କର୍ଣ୍ଣାଟକର ୫୨ ପ୍ରତିଶତ ଶିଶୁଙ୍କୁ ସଜନା ଛୁଇଁ ଖାଇବାକୁ ଦେବାଦ୍ୱାରା ମାତ୍ର ଦୁଇ ମାସରେ ସେମାନଙ୍କ ଓଜନ ବୃଦ୍ଧି ପାଇଛି ।

ସଜନା ଛୁଇଁ ଚାଷ ଏକ ଲାଭଜନକ ବେଉସା । ସଜନା ଚାଷକଲେ ସାଧାରଣତଃ ୪ ବର୍ଷର ଗଛରେ ଫୁଲ ଧରିଥାଏ, କିନ୍ତୁ ଆଜିକାଲି ହାଇବି୍ରଡ୍ ସଜନା ଚାଷରେ ମାତ୍ର ୬ ମାସରେ ଫୁଲ ଧରୁଛି । ତାମିଲନାଡ଼ୁର ପେରିୟାକୁଲମରେ ଥିବା ତାମିଲନାଡ଼ୁ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ୧୯୮୯ ମସିହାରେ ପିକେଏମ୍ -୧ ନାମକ ଏକ ହାଇବ୍ରିଡ୍ କିସମ ବାହାର କରାଯାଇଛି । ଏହି ହାଇବ୍ରିଡ୍ କିସମ ବହୁତ ଶୀଘ୍ର ବଡ଼ହୋଇ ହେକ୍ଟର ପ୍ରତି ୫୦ରୁ ୫୫ ଟନ୍ ଛୁଇଁ ଅମଳ ଦେଇପାରୁଛି । ୨୦୦୦ ମସିହାରେ ଅଧିକ ଅମଳକ୍ଷମ ପିକେଏମ୍-୨ କିସମ ବାହାରିଥିଲେ ମଧ୍ୟ ଏହା ସଫଳ ହୋଇପାରିନାହିଁ । କାରଣ ଏହି କିସମ ସଜନା ଛୁଇଁ ଗୁଡ଼ିକର ଆକାର ବଡ ହୋଇଥିବାରୁ ସେସବୁକୁ ନେବାଆଣିବାରେ ଅସୁବିଧା ହେଉଥିଲା । ପିକେଏମ୍- ୧ କିସମ ଛୁଇଁର ଲମ୍ବ ୭୫ ସେ.ମି ହୋଇଥିବାବେଳେ ପିକେଏମ୍-୨ ର ଲମ୍ବ ଥିଲା ପ୍ରାୟ ୧୨୫ ସେ.ମି. । ପ୍ରତିଟି ପିକେଏମ୍ -୧ ଗଛରୁ ହାରାହାରି ୨୧୮ ଛୁଇଁ ଅମଳ ହେଉଥିବାବେଳେ ପିକେଏମ୍-୨ ଭେରାଇଟିରୁ ଗଛପ୍ରତି ୨୨୦ଟି ସଜନା ଛୁଇଁ ଅମଳ ହୋଇଥାଏ ।
ସଜନା ଗଛ ସାଧାରଣତଃ ହେୟାରି କ୍ୟାଟରପିଲାର ନାମକ ଏକ କୀଟ ଦ୍ୱାରା ଆକ୍ରାନ୍ତ ହୋଇଥାଏ । ରାସାୟନିକ ସାର ବ୍ୟବହାର ନକରି ମଧ୍ୟ ଏହି କୀଟକୁ ଦମନ କରାଯାଇପାରିବ । ଜଳସେଚନର ସୁବିଧା ନଥିଲେ ଗଛରୁ ଅମଳ କମିଲେ ମଧ୍ୟ ଗଛ ବଞ୍ଚି ରହିଥାଏ । ଚାଷରେ କମ୍ ରାସାୟନିକ ସାର ଓ କୀଟନାଶକ ଔଷଧର ଆବଶ୍ୟକତା ପଡୁଥିବାରୁ ହାଇବ୍ରିଡ଼ ସଜନା ଚାଷରେ କମ୍ ଖର୍ଚ୍ଚ ଯୋଗୁଁ ଚାଷୀମାନେ ଖୁସି ।

ସୌଜନ୍ୟ -ଓଡିଶା ପଞ୍ଚାୟତ ସମାଚାର

Previous ବିଜେଡିରେ ବିଦ୍ରୋହର ପୂର୍ବାଭାସ !
Next ପଡିଆ ଜମିରୁ ଆୟର ବାଟ

No Comment

Leave a reply

Your email address will not be published. Required fields are marked *