ଝୁଡ଼ଙ୍ଗ ଚାଷରୁ ଲାଭ

long bean cultivation

ଝୁଡ଼ଙ୍ଗକୁ ସାଧାରଣତଃ ମଞ୍ଜି ଓ ପରିବା ଭାବେ ବ୍ୟବହାର କରିଯାଇଥାଏ । ଏହା ସବୁ ବର୍ଗର ଲୋକଙ୍କ ପାଇଁ ଅବାଶକ୍ୟୟ ଓ ଉପକାରି ହୋଇଥାଏ । ତେଣୁ ବଜାରରେ ଏହାର ଚାହିଦା ସବୁସମୟରେ ରହିଥାଏ । ଝୁଡ଼ଙ୍ଗ ଗଛର ଚେରରେ ଗଣ୍ଠି ହୋଇ ବାୟୁ ମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରି ମାଟିକୁ ଉର୍ବର କରୁଥିବାରୁ ଏହାକୁ ଅନ୍ୟ ଫସଲ ସହିତ ଅନ୍ତଃଫସଲ ଭାବେ ଚାଷ କରାଯାଇଥାଏ । ଝୁଡ଼ଙ୍ଗ ଅନ୍ୟ ଫସଲ ବଢାଇବା ସହ ଅର୍ଥରୋଜଗାର ପାଇଁ ମଧ୍ୟ ସହାୟ ହୋଇଥାଏ । ଝୁଡ଼ଙ୍ଗ ଚାଷ କିପରି କରିବେ ଜାଣନ୍ତୁ ସେ ବିଷୟରେ କିଛି ତଥ୍ୟ ।
ଜଳବାୟୁ ଓ ମୃତ୍ତିକା
ଅଧିକ ଥଣ୍ଡା ସମୟକୁ ଛାଡ଼ି ବର୍ଷର ଅନ୍ୟ ସମସ୍ତ ଦିନରେ ଝୁଡ଼ଙ୍ଗ ଚାଷ ଆମ ରାଜ୍ୟରେ କରିବା ପାଇଁ ଉପଯୋଗି । ଏହାର ମରୁଡ଼ି ସହଣ ଶକ୍ତି ଅଧିକ ରହିଥିବାରୁ ଗଛ ଗୁଡ଼ିକ ସହଜରେ ମରେନି । ପ୍ରାୟ ସମସ୍ତ ପ୍ରକାର ମାଟିରେ ଝୁଡ଼ଙ୍ଗ ଚାଷ ହୋଇ ପାରିବ । ହେଲେ ଉର୍ବର, ନିଗିଡ଼ା, ଦୋରସା, ନଦୀକୂଳ ବା ପଠାମାନଙ୍କରେ ଥିବା ମାଟିରେ ଝୁଡ଼ଙ୍ଗ ଭଲ ଫଳିଥାଏ । ଏହି ଚାଷ ପାଇଁ ମାଟିର ଅମ୍ଳତା ୫.୫ରୁ୬.୫ ରହିବା ଆବଶ୍ୟକ ।


   କିସମ
ଏହା ସାଧାରଣତଃ ୨ ପ୍ରକାରର ହୋଇଥାଏ ବୁଦା ଓ ଲଟା । ବର୍ଷାଋତୁ ପାଇଁ ବୁଦା ଝୁଡ଼ଙ୍ଗ ପୁଷା ଦୋ ଫସଲି, ପୁଷା ଋତୁରାଜ, କାଓପି-୨୬୩ ଓ ଗ୍ରୀଷ୍ମଋତୁରେ ପୁଷା ଦୋ ଫସଲି, ପୁଷା କୋମଳ, ପୁଷା ଫାଲଗୁନି, ପୁଷା ଋତୁରାଜ ଚାଷ କରିଯାଇଥାଏ । ସେହିଭଳି ଲଟାରେ ବର୍ଷାଋତୁରେ ଆର୍କା ଗାରିମା, ଆମେରିକାନ୍ ଲଙ୍ଗ୍, ଗ୍ରୀନ ସାଗର, ମହାରଣା ଗ୍ରୀଷ୍ମଋତୁରେ ବନାରସୀ ଲଙ୍ଗ, ଆମେରିକାନ୍ ଲଙ୍ଗ, ଗ୍ରୀନ୍ ସାଗର ଚାଷ କରାଯାଇଥାଏ ।
  ଚାଷ ପ୍ରଣାଳୀ
ଏକର ପ୍ରତି ବର୍ଷାଋତୁରେ ୫ରୁ୬ କିଲୋ ଏବଂ ଗ୍ରୀଷ୍ମଋତୁରେ ୮ରୁ୧୦ କିଲୋ ମଞ୍ଜି ଆବଶ୍ୟକ ପଡ଼ିଥାଏ । ୧ କିଲୋ ମଞ୍ଜିକୁ ୩ଗ୍ରାମ କାପଟାନ ବା ଥିରାମ୍ରେ ମଞ୍ଜି ବୁଣିବାର ୭ ଦିନ ପୂର୍ବରୁ ବିଶୋଧନ କରିବା ଉଚିତ୍ । ଏହାସହ ବିହନ ବୁଣିବା ଦିନ ଜୀବାଣୁ ସାର (ରାଇଜୋବିୟମ୍ କଲ୍ଚର୍) ସହିତ ମିଶାଇ ବୁଣିବା ଆବଶ୍ୟକ । ଏଭଳି କରିବା ଦ୍ୱାରା ଚେରରେ ଶୀଘ୍ର ଗଣ୍ଠି ସୃଷ୍ଟି ହୋଇ ବାୟୁ ମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରିଥାଏ । ଜମିକୁ ୩ରୁ୪ ଓଡ଼ ଚାଷ କରି ଅନାବନ ଗଛ ସଫା କରିବା ସହ ଶେଷ ଓଡ଼ରେ ଖତସାର ପ୍ରୟୋଗ କରନ୍ତୁ । ଏହା ସହ ଉଇ ନଲାଗିବା ପାଇଁ ପ୍ରତି ଏକରରେ ୧୦ କି.ଗ୍ରା କ୍ଲୋରୋପାଇାରିଫିସ୍ ଗୁଣ୍ଡ ଦେଲେ ଭଲ । ବର୍ଷାଋତୁରେ ୪୫ରୁ୬୦ସେମି ଓ ଗ୍ରୀଷ୍ମ ଋତୁରେ ୩୦ ସେ.ମି ବ୍ୟବଧାନରେ ଗାରଟାଣି ହଳ ପରେ ମଞ୍ଜିକୁ ମଞ୍ଜି ୧୦ରୁ ୧୫ ସେ.ମି ଦୂରତାରେ ବତର ଥିବା ମାଟିରେ ଲଗାନ୍ତୁ । ବର୍ଷାଋତୁରେ ମାଟି ଉପରେ ମନ୍ଦା କରି ଲଗାଇଲେ ଭଲ ।
 ଖତସାର
ପ୍ରତି ଏକରରେ ୬ରୁ୮ ଟନ୍ କମ୍ପୋଷ୍ଟ ଏବଂ ୮ରୁ୧୦ କିଲୋ ଯବକ୍ଷାରଜାନ, ୨୦ରୁ୨୫ କିଲୋ ଫସ୍ଫରସ୍ ଓ ପୋଟାସିୟମ ସାରକୁ ଶେଷ ଓଡ଼ ଚାଷ ସମୟରେ ଦିଆଯିବା ଉଚିତ୍ । ମଲିବିଡ଼େନମ୍ ଅଭାବରେ ଝୁଡ଼ଙ୍କ ଚାଷରେ ପତ୍ର ଲମ୍ବା ହୋଇ ହଳଦିଆ ପଡ଼ିଥାଏ । ଏଥିରୁ ଫସଲକୁ ରକ୍ଷା କରିବା ପାଇଁ ମଞ୍ଜି ଲଗାଇବାର ୨୫ରୁ୩୦ ଦିନରେ ଏକ ଲିଟର ପାଣିରେ ଆମୋନିୟମ୍ ମଲିବିଡ଼େଟ୍ ୧.୫ ଗ୍ରାମ ମିଶାଇ ସିଞ୍ଚନ କରନ୍ତୁ । ଜିଙ୍କର ଅଭାବରେ ପତ୍ର ଛୋଟ ଏବଂ ମୋଡ଼ି ହୋଇ ଫୁଲ ଡ଼େରିରେ ଆସିଥାଏ । ଏହାର ପ୍ରତିକାର ପାଇଁ ଏକର ପ୍ରତି ୪କିଲୋ ଜିଙ୍କ୍ ସଲଫଟ୍ ମାଟିରେ ପ୍ରୟୋଗ କରନ୍ତୁ ନଚେତ ଏକରକେ ୨୫୦ ଗ୍ରାମ ଜିଙ୍କ୍ ଇଡ଼ିଟିଏ ସିଞ୍ଚନ କରନ୍ତୁ ।


  ପରବର୍ତ୍ତୀ ଯତ୍ନ
ମଞ୍ଜି ବୁଣିବାର ୨୫ରୁ୩୦ ଦିନ ମଧ୍ୟରେ ୨ଥର କୋଡ଼ାଖୋସା କରି ଅନାବନା ଗଛ ନଷ୍ଟ କରି ଦିଅନ୍ତୁ । ମଞ୍ଜି ବୁଣିବା ପୂର୍ବରୁ ଏକର ପିିଛା ୧.୫ରୁ୨ ଲିଟିର ରାସାୟନିକ ତୃଣନାଶକ ପେଣ୍ଟିମେଥାଲିନ୍ ମାଟିରେ ପ୍ରୟୋଗ କରିବା ସହ ମାସକରେ ଥରେ ହାତ ବଛା କରିବା ଆବଶ୍ୟକ । ମାଟିର ବତର ଓ ପାଗ ଦେଖି ୮ରୁ୧୦ ଦିନରେ ଥରେ ଜଳସେଚନ କରିବା ଉଚିତ୍ । ଫୁଲ୍ ଫୁଟିବା ପୂର୍ବରୁ ମାଲିକ୍ ହାଇଡ୍ରାଜାଇଡ଼ ଏକ ଲିଟର ପାଣିରେ ୨ଗ୍ରାମ ମିଶାଇ ସିଞ୍ଚନ କଲେ ଅମଳ ବଢିଥାଏ । ଝୁଡ଼ଙ୍ଗ ଓ ମକା ମିଶ୍ରିତ ଫସଲ ସବୁଠାରୁ ଅଧିକ ଲାଭ ଦାୟକ । ବର୍ଷା ଋତୁରେ ଗଛ ମୂଳକୁ ମାଟି ଦେଇ ଜମିରେ ପାଣି ନିଷ୍କାସନର ବ୍ୟବସ୍ଥା କରନ୍ତୁ । ରଞ୍ଜା ଦେଇ ଲଟା ଜାତୀୟ କିସମ ଲଗାଇଲେ ଅମଳ ବଢିଥାଏ । ଗୋଟିଏ ଥରର ଫଳ ଅମଳ ପରେ ଜଳସେଚନ ଭଲ ଭାବରେ କଲେ ଦ୍ୱତୀୟ ଥରର ଫଳ ଶୀଘ୍ର ହୋଇ ଅମଳ ବଢିଥାଏ ।
 ଅମଳ
କଅଁଳ ଅବସ୍ଥାରେ ଫଳ ତୋଳାଯାଏ । ମଞ୍ଜି ଲଗାଇବାର ୪୫ରୁ୫୦ ଦିନରେ ଅମଳ ଆରମ୍ଭ ହୋଇଥାଏ । ୨ରୁ୩ ଦିନ ବ୍ୟବଧାନରେ କଞ୍ଚା ଫଳ ତୋଳାଯାଏ । ମଞ୍ଜି ଅମଳ ପାଇଁ ୭୫ରୁ୧୨୫ ଦିନ ଲାଗିଥାଏ । ଏକର ପ୍ରତି ୨୦ରୁ୩୦ କୁଇଣ୍ଟାଲ ପରିବା ୫ରୁ୬ କୁଇଣ୍ଟାଲ୍ ମଞ୍ଜି ଉତ୍ପାଦିତ ହୋଇଥାଏ ।

Previous ଉପକାରି ମୂଳା. . .
Next ‘ହାଉସ୍ଫୁଲ୍-୪’ରୁ ନାନା ଆଉଟ ରାଣା ଇନ୍

No Comment

Leave a reply

Your email address will not be published. Required fields are marked *