ଫେବ୍ରୁୟାରୀ-ମାର୍ଚ୍ଚରେ ଚାଷକରନ୍ତୁ ଏସବୁ ପରିବା


ସାଧାରଣତଃ ଶୀତଋତୁ ସରିଲେ ଚାଷୀମାନେ ଭାବି ବସନ୍ତି ପରବର୍ତ୍ତୀ ଫସଲ କଣ କରିବେ । କେତେକ ସ୍ଥାନରେ ପାଣିର ସମସ୍ୟା ଥାଏତ କେତେକ ସ୍ଥାନରେ କେଉଁ ଫସଲ ଲଗାଇଲେ ଭଲ ଲାଭ ହେବ ତାହା ଜାଣିପାରନ୍ତି ନାହିଁ ଚାଷୀମାନେ । ତେବେ ଆମେ ଆପଣଙ୍କୁ ଜଣାଉଛୁ ଫେବ୍ରୁୟାରୀ ଓ ମାର୍ଚ୍ଚମାସରେ କେଉଁ ଚାଷ କରିବା ଲାଭଜନକ ହୋଇଥାଏ ।
କାକୁଡ଼ି: ଏହା ଏକ ସ୍ୱଳ୍ପ ସମୟ ଓ କମ ପାଣିରେ ଅଧିକ ବଢୁଥିବା ଫସଲ । ଫେବ୍ରୁୟାରୀ ଓ ମାର୍ଚ୍ଚମାସରେ ଏହାକୁ ଲଗାଇଲେ ଏପ୍ରିଲ-ମଇ ମାସର ଅମଳ ହୋଇଥାଏ । ଏହା ଗ୍ରୀଷ୍ମ ଋତୁ ହୋଇଥିବାରୁ କାକୁଡ଼ିର ବଜାର ଚାହିଦା ଭଲ ରହିଥାଏ । କିଲୋ ପ୍ରତି ୨୦ ରୁ ୫୦ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଇଥାଏ । ମାଟିର ଆଦ୍ରତା ଦେଖି ପାଣି ଦେବା ସହ କ୍ଷେତ ସଫା ରଖିବା ଜରୁରୀ । ଏହାସହ ଠିକ୍ ସମୟରେ ରଞ୍ଜାପୋତା ଫଳ ତୋଳା ପ୍ରତି ଧ୍ୟାନ ଦେବା ଦରକାର ।
କଲରା: ଏହି ଦୁଇମାସରେ କଲରା ଚାଷ କରିବା ଲାଭ ଦାୟକ ହୋଇଥାଏ । ବାଲିଆ ମାଟିରେ କଲରା ଗଛ ଭଲ ବଢିଥାଏ । କଲରା ଚାଷ ପାଇଁ ୨ରୁ୩ଟି ମଞ୍ଜି ୨.୫ ରୁ ୫ମିଟର ଦୂରତାରେ ଲଗାନ୍ତୁ । ମଞ୍ଜି ଲଗାଇବା ପୂର୍ବରୁ ତାହାକୁ ଗୋଟିଏ ଦିନ ର୍ପୂବରୁ ପାଣିରେ ବତୁରାଇ ରଖିବା ଦ୍ୱାରା ଶୀଘ୍ର ଗଜା ହେବା ସହ ଭଲ ଗଛ ହୋଇଥାଏ । ଗଛ ଲଗାଇବାର ଦେଢ ରୁ ଦୁଇମାସ ମଧ୍ୟରେ ଫଳ ହେବା ଆରମ୍ଭ ହୋଇଥାଏ । ଅମଳ ସମୟରେ ଏହାର ଦର କିଲୋ ପିଛା ୨୦ ରୁ ୮୦ ଟଙ୍କା ପର୍ଯ୍ୟନ୍ତି ରହିଥାଏ । କଲରାର ବଜାର ଚାହିଦା ବର୍ଷର ସବୁସମୟରେ ରହିଥିବାରୁ ଏହାକୁ ବର୍ଷର ଯେକୌଣସି ସମୟରେ ଚାଷ କଲେ ବି ଲାଭବାନ ହୋଇପାରିବେ ।
ଲାଉ: ଲାଉ ଏବେ ବାଡ଼ିବଗିଚାରେ ଫଳୁଥିବା ଅନାବନା ପରିବା ହୋଇ ନାହିଁ । ଏବେ ଏହାକୁ ବ୍ୟବସାୟୀକ ଭିତ୍ତିରେ ଚାଷ କରାଯାଉଛି । ହାଣ୍ଡିଶାଳରୁ ଆରମ୍ଭ କରି ବଡ଼ବଡ଼ ହୋଟେଲରେ ଲାଉର ରେସିପ୍ ହେଉଛି । ମଧୁମେହ ଓ ରକ୍ତଚାପ ରୋଗ ସହିତ ଅନ୍ୟାନ ପେଟ ରୋଗ ଭଲ କରିବାରେ ଲାଉର ଭୂମିକା ଗୁରୁତ୍ୱର୍ଣ୍ଣ । ଫେବ୍ରୁୟାରୀ ଓ ମାର୍ଚ୍ଚମାସରେ ଲାଉ ଲଗାଇଲେ ଭଲ ଫଳିଥାଏ । ଏହା ମଧ୍ୟ ସ୍ୱଳ୍ପ ସମୟ ଧାରୀ ଫସଲ ଅଟେ । ଏହାସହ ଅଳ୍ପ ପାଣିର ଆବଶ୍ୟକତା କରିଥାଏ । ଗୋଟିଏ ହେକ୍ଟର ଜମି ପାଇଁ ୪ ରୁ୫ କିଲୋ ମଞ୍ଜି ଆବଶ୍ୟକ ହେଉଥିବା ବେଳେ ବୁଣିବା ଆଗରୁ ସେଗୁଡ଼ିକୁ ଗୋଟିଏ ଦିନ ପାଣିରେ ଭିଜାଇ ରଖିଲେ ଭଲ ଗଜା ହୁଏ । ଅଢେଇରୁ ତିନି ମିଟର ଦୂରତା ଓ ୫୦ ସେମି ଓସାର, ୨୦-୨୫ ସେମି ଗଭିର ସିଆର ତିଆର କରି ମଞ୍ଜି ଲଗାଇବା ଭଲ । ଗଛ ଲାଗିବାର ୨ମାସ ମଧ୍ୟରେ ଫଳ ହେବା ଆରମ୍ଭ କରି ଦେଇଥାଏ ।
ଭେଣ୍ଡି:ଏହି ଫସଲ ପ୍ରାୟ ସମସ୍ତ ପ୍ରକାର ମାଟିରେ ହୋଇଥାଏ । ଫେବ୍ରୁୟାରୀ ଓ ମାର୍ଚ୍ଚମାସରେ ଏହାକୁ ଲଗାଇବା ସମୟରେ ଜମିକୁ ଭଲଭାବେ ୨ରୁ୩ ଓଡ଼ କରି ଚାଷ କରି ମାଟିକୁ ସମତଳ କରନ୍ତୁ । ପ୍ରତି ସିଆର ମଧ୍ୟରେ ୨୫-୩୦ ସେମି ବ୍ୟବଧାନ ରଖିବା ସହ ଗଛ ମଧ୍ୟରେ ୨୦ ରୁ୨୫ ସେମି ବ୍ୟବଧାନ ରଖନ୍ତୁ । ଏହା ବ୍ୟତୀତ ବାଇଗଣ, ଜହ୍ନି, ସାରୁ, ପାଳଙ୍ଗ ଆଦି ଏହି ଦୁଇମାସରେ ଲାଗାନ୍ତୁ ଭଲ ଅମଳ ସହ ଲାଭବାନ ହୋଇପାରିବେ ।

Previous ଫୋନରୁ ଗୀତ ଶୁଣି ଜିତିଲେ ‘ଇଣ୍ଡିଆନ ଆଇଡ଼ଲ ସିଜନ-୧୧’
Next ଖରାଦିନେ ସୁନ୍ଦର ଓ ସୁସ୍ଥ ତ୍ୱଚା ପାଇଁ...

No Comment

Leave a reply

Your email address will not be published. Required fields are marked *