ଉପଯୋଗୀ ଅମୃତଭଣ୍ଡା

Papaya Cultivation

ଆମ ରାଜ୍ୟର ଜଳବାୟୁରେ ଅମୃତଭଣ୍ଡା ଚାଷ ବେଶ ଉପଯୋଗୀ । ଏଥିରୁ ଜାମ୍, ଜେଲି ସାଙ୍ଗକୁ ବିଭିନ୍ନ ତରକାରୀ ପ୍ରସ୍ତୁତ କରାଯାଇଥାଏ । କଞ୍ଚା ଅମୃତଭଣ୍ଡାରୁ ବିଭିନ୍ନ ପ୍ରକାର ଔଷଧ ଓ ପ୍ରସାଧାନ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହେଉଛି । କଞ୍ଚା ଓ ପାଚିଲା ଅମୃତଭଣ୍ଡା ଖାଇଲେ କୋଷ୍ଠକାଠିନ୍ୟରୁ ଉପଷମ ମିଳେ । ଏଥିରେ ଭିଟାମିନ୍ ‘ସି’ ଓ ‘ଏ’ ରହିଛି । ଉଜ୍ୱଳ ତ୍ୱଚା ପାଇଁ ମଧ୍ୟ ଅମୃତଭଣ୍ଡାର ବ୍ୟବହାର କରାଯାଉଛି । ବର୍ଷ ତମାମ ବଜାରରେ ଚାହିଦା ରହିଥିବାରୁ ଅମୃତଭଣ୍ଡା ଚାଷ ବେଶ ଲାଭଜନକ ହୋଇପାରିଛି ।
ଚାଷ ପ୍ରଣାଳୀ
ଉଷ୍ମ ଓ ଆର୍ଦ୍ର ଜଳବାୟୁ ଅମୃତଭଣ୍ଡା ଚାଷ ପାଇଁ ଅନୁକୂଳ । ଖରାଦିନେ ୩୫-୩୮ ଡିଗ୍ରୀ ସେଣ୍ଟିଗ୍ରେଡ୍ ଉତ୍ତାପ ଅଞ୍ଚଳରେ ଅମୃତଭଣ୍ଡା ଭଲହୁଏ । ଦୋରସା ପଟୁମାଟି ଓ ବାଲିମାଟି ଏହି ଚାଷ ପାଇଁ ଉପଯୁକ୍ତ । ଗଛ ମୂଳରେ ପାଣିି ଜମି ନରହିବା ଭଳି ଉଚ୍ଚା ଓ ନିଗିଡ଼ା ସ୍ଥାନ ବାଛି ଚାଷ କରିବା ଉଚିତ । ଠିକଣା କିସମ ବାଛି ଚାଷ କଲେ ଅମୃତଭଣ୍ଡାରୁ ଭଲ ଲାଭ ମିଳିଥାଏ । ହନିଡ୍ୟୁ, କୋଇମ୍ବାଟୁର – ୧,୨,୩,୪,୫,୬,୭, ସୂର୍ଯ୍ୟ, ସୋଲୋ ଆଦି କିମସ ଚାଷ ପାଇଁ ଉପଯୁକ୍ତ ।
ଚାରା ପ୍ରସ୍ତୁତ
ଏକ ଏକର ଜମି ପାଇଁ ୨୫୦ଗ୍ରାମ ମଞ୍ଜି ଅବଶ୍ୟକ ହୋଇଥାଏ । ୧୦ ଫୁଟ ଲମ୍ବ, ୩ ଫୁଟ ପ୍ରସ୍ଥ ଓ ୬ ଇଞ୍ଚ ଉଚ୍ଚତାର ତଳିଘେରା ପ୍ରସ୍ତୁତ କରି ୨ ଇଞ୍ଚ ବ୍ୟବଧାନ ଧାଡ଼ିରେ ୦.୫ ଇଞ୍ଚ ଗଭୀରରେ ମଞ୍ଜିକୁ ସେରାସିନ୍ କିମ୍ବା ଥିରାମରେ ବିଶୋଧନ କରି ପକାଯାଏ । ମଞ୍ଜି ଗଜା ହେବାକୁ ପ୍ରାୟ ୩ ସପ୍ତାହ ସମୟ ଲାଗେ । ଚାରା ୬ ଇଞ୍ଚରୁ ୮ ଇଞ୍ଚ ହୋଇ ୭/୮ଟି ପତ୍ର ଧରିଲେ ତଳି ଘେରାରୁ ଚାରା କାଢି ଚାଷ ଜମିରେ ଲଗାଯାଏ । ଜୁନ୍-ଜୁଲାଇ, ସେପ୍ଟେମ୍ବର-ଅକ୍ଟୋବର, ଫେବୃୟାରୀ-ମାର୍ଚ୍ଚ ମାସ ଚାରା ଲାଗାଇବାର ଉପଯୁକ୍ତ ସମୟ ।
ଜମି ପ୍ରସ୍ତୁତି ଓ ଚାରା ରୋପଣ
ଜମିକୁ ଭଲକରି ୩-୪ ଓଡ଼ ଚାଷ କରିବା ପରେ ଧାଡ଼ିକୁ ଧାଡ଼ି ଓ ଗଛକୁ ଗଛ ୬ ଫୁଟରୁ ୭ ଫୁଟ ବ୍ୟବଧାନରେ ଚାରା ଲଗାଇବା ଆବଶ୍ୟକ । ହେକ୍ଟର ପ୍ରତି ୨୨୬୭ ରୁ ୩୦୮୬ ଚାରା ଲଗାଯାଇ ପାରିବ ।
ଖତ ଓ ସାର
ଚାରା ଲଗାଇବାଠାରୁ ୯୦ ଦିନ ଅନ୍ତରରେ ପ୍ରତି ଗଛ ପିଛା ଥରକୁ ୧ ଝୁଡ଼ି ଖତ ସହିତ ୟୁରିଆ ୧୫୦ ଗ୍ରାମ, ସିଙ୍ଗିଲ ସୁପର ଫସ୍ଫେଟ୍ ୩୦୦ ଗ୍ରାମ ଓ ମ୍ୟୁରେଟ୍ ଅଫ୍ ପଟାସ ୮୦ ଗ୍ରାମ ଲେଖାଏଁ ବର୍ଷକୁ ତିନିଥର ଦିଆଯାଏ ।
ବଗିଚାର ଯତ୍ନ
ଉତ୍ତମ ପରାଗ ସଙ୍ଗମ ପାଇଁ ୯ଟି ମାଈ ଗଛରେ ଗୋଟିଏ କରି ଅଣ୍ଡିରା ଗଛ ରଖିବା ଉଚିତ୍ । ଗଛ ମୂଳକୁ ବର୍ଷା ଋତୁ ପୂର୍ବରୁ ଓ ପରେ ୨ ଥର କୋଡାଖୁସା କରି ଅନାବନା ଘାସ ସଫା କରିବା ଆବଶ୍ୟକ ।
ଜଳସେଚନ
ବର୍ଷା ଋତୁରେ ଗଛ ମୂଳରେ ଯେପରି ପାଣି ଜମି ନରହେ ସେଥିପ୍ରତି ସତର୍କ ରହିବା ଜରୁରୀ । ଶୀତ ଓ ଖରାଦିନେ ମାଟି ବତରକୁ ଲକ୍ଷ୍ୟ ରଖି ୭ରୁ ୧୦ ଦିନ ବ୍ୟବଧାନରେ ପାଣି ଦେବା ଉଚିତ୍ । ଚାଷ ଜମିରେ ବୁନ୍ଦା ଜଳସେଚନ ବ୍ୟବସ୍ଥା କଲେ ଚାଷୀଙ୍କୁ ଅଧିକ ଅମଳ ମିଳିଥାଏ । ଏକ ହେକ୍ଟର ଜମିରେ ବୁନ୍ଦା ଜଳସେଚନ ବ୍ୟବସ୍ଥା ପାଇଁ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚାଷୀଙ୍କୁ ଏଥିଲାଗି ସରକାରୀ ରିହାତିର ବ୍ୟବସ୍ଥା ରହିଛି ।
ରୋଗପୋକ ପରିଚାଳନା
କାଣ୍ଡପଚା ରୋଗ ହେଲେ ଗଛମୂଳ ପାଖ କାଣ୍ଡରେ ପାଣି ଛାପା ପରି ଦାଗମାନ ଦେଖାଯାଏ । ଏହି ଦାଗ ବଡ଼ ହୋଇ କାଣ୍ଡକୁ ଖାଇଯାଏ ଓ ଅଳ୍ପ ଦିନରେ ଗଛ ମରିଯାଏ । ଏଥିପାଇଁ ଗଛ ମୂଳରେ ପାଣି ଜମିବାକୁ ଦେବେ ନାହିଁ । ବର୍ଷାଋତୁ ଆରମ୍ଭ ବେଳକୁ ୧ ପ୍ରତିଶତ ବୋର୍ଡକ୍ସ ଦ୍ରବଣ ମଛମୂଳ ଚାରିପାଖ ଢାଳି ଦିଅନ୍ତୁ କିମ୍ବା ବ୍ଲାଇଟକ୍ସ ଅଥବା କପର ଅକ୍ସି କ୍ଲୋରାଇଡ୍ ଗୁଣ୍ଡ ଏକ ଲିଟର ପାଣିରେ ୩ ଗ୍ରାମ ହିସାବରେ ଦ୍ରବଣ ପ୍ରସ୍ତୁତ କରି ଗଛ ମୂଳରେ ଢାଳିବା ସହ ଆକ୍ରାନ୍ତ ସ୍ଥାନରେ ସିଞ୍ଚନ କଲେ ସୁଫଳ ମିଳେ ।
ପତ୍ରମୋଚା ରୋଗ ହେଲେ ଗଛ ବଢ଼େନାହିଁ, ପତ୍ରଗୁଡ଼ିକ ମୋଚା ମୋଚା ହୋଇଯାଏ । ଏହା ଏକ ଭୂତାଣୁ ଜନିତ ରୋଗ ଏବଂ ଧଳାମାଛି ଦ୍ୱାରା ସଂକ୍ରମିତ ହୋଇଥାଏ । ଏହି ରୋଗ ଦେଖାଗଲେ ଆକ୍ରାନ୍ତ ଗଛଗୁଡ଼ିକୁ ଉପାଡ଼ି ଦେବା ଭଲ । ମନେରଖନ୍ତୁ ଅମୃତଭଣ୍ଡା ବଗିଚା ପାଖରେ ଲଙ୍କା, ବାଇଗଣ, ବିଲାତି ବାଇଗଣ, କ୍ୟାପ୍ସିକମ୍ ଚାଷ କରିବା ଅନୁଚିତ ।
ସାହେବୀ ରୋଗ ହେଲେ ଗଛର ପତ୍ର ଛୋଟ, ଛବିଲା ଦେଖାଯାଏ ଓ ଗଛ ବଢ଼େନାହିଁ । ଏହା ଜଉପୋକ ଦ୍ୱାରା ସଂକ୍ରମିତ ହୋଇଥାଏ । ଏଭଳି ପରିସ୍ଥତିରେ ପ୍ରଥମେ ରୋଗାକ୍ରାନ୍ତ ଗଛଗୁଡ଼ିକୁ ଉପାଡ଼ି ଜଉପୋକ ନିୟନ୍ତ୍ରଣ ପାଇଁ ଏକ ଲିଟର ପାଣିରେ ୫ ମି.ଲି. ନିମାଜିଲ୍ କିମ୍ବା ଏକ ଲିଟର ପାଣିରେ ୨ ମି.ଲି. ଡାଇମିଥୋଏଟ୍ ମିଶାଇ ଫସଲରେ ସ୍ପ୍ରେ କରିଲେ ସୁଫଳ ମିଳେ ।
ଆବଶ୍ୟକ ଯତ୍ନ ନେଇ ଅମୃତଭଣ୍ଡା ଚାଷ କଲେ ଗୋଟିଏ ଗଛରୁ ୩ ବର୍ଷ ମଧ୍ୟରେ ୩୦ରୁ ୪୦ କି.ଗ୍ରା. ବା ୪୦ରୁ ୭୫ଟି ଅମୃତଭଣ୍ଡା ମିଳିଥାଏ । ସେହି ହିସାବରେ ହେକ୍ଟର ପ୍ରତି ବର୍ଷକୁ ୬୦ରୁ ୭୦ ଟନ୍ ଅମଳ ହୁଏ । ଏକ ହେକ୍ଟର ଅମୃତଭଣ୍ଡା ବଗିଚାରୁ ତିନି ବର୍ଷ ମଧ୍ୟରେ ପ୍ରାୟ ୫ ଲକ୍ଷ ୭୦ ହଜାର ଟଙ୍କା ମୋଟ ଆୟ ଚାଷୀ ପାଇପାରିବେ । ନେସନାଲ ହର୍ଟିକଲ୍ଚର ବୋର୍ଡ, ନାବାର୍ଡ ତଥା ନିକଟସ୍ଥ ଉଦ୍ୟାନବିତଙ୍କ ସହ ଯୋଗାଯୋଗ କଲେ ଅମୃତଭଣ୍ଡା ଚାଷ ପାଇଁ ଚାଷୀଙ୍କୁ ସରକାରୀ ସହାୟତା ମିଳିପାରିବ ।

ସୌଜନ୍ୟ – ଓଡ଼ିଶା ପଞ୍ଚାୟତ ସମାଚାର

Previous ୟୋ-ୟୋ ଟେଷ୍ଟରେ ସଫଳ ହେଲେ ରୈନା: ଆସିପାରେ ଡାକରା
Next ଗଣିତ-ବୃତ୍ତ ସବଜେକ୍ଟିଭ

No Comment

Leave a reply

Your email address will not be published. Required fields are marked *