ଆଳଙ୍କାରିକ ଉଦ୍ଭିଦରେ ଘର ସଜାଇବା ଏକ କଳା: ଜାଣି ରଖନ୍ତୁ କିଛି ଉପଯୋଗୀ ଟିପ୍ସ୍

Ornamental plants for home decoration

ସହରରେ ଅନେକେ ଗଛ ଲଗାଇବାକୁ ଓ ତାହାର ଯତ୍ନ ନେବାକୁ ତ ଭଲ ପାଆନ୍ତି, କିନ୍ତୁ ସେମାନଙ୍କ ପାଖରେ ବଗିଚା କରିବା ପାଇଁ ଘର ଆଗରେ ଜାଗା ନଥାଏ । ଆଉ କିଛି ଲୋକ ଘରକୁ ସଜାଇ ରଖିବାକୁ ଭଲ ପାଆନ୍ତି, କିନ୍ତୁ ଘରେ ପ୍ଲାଷ୍ଟିକ୍ କିମ୍ବା ଅନ୍ୟ ପଦାର୍ଥରେ ତିଆରି କୃତ୍ରିମ ଫୁଲକୁଣ୍ଡ ଆଦି ରଖିବାକୁ ପସନ୍ଦ କରନ୍ତି ନାହିଁ । ସେମାନଙ୍କ ପାଇଁ ଏକ ପ୍ରକୃଷ୍ଟ ଉପାୟ ହେଲା ଘରେ କୁଣ୍ଡରେ ଆଳଙ୍କାରିକ ଉଦ୍ଭିଦ ବା ସୌନ୍ଦର୍ଯ୍ୟବର୍ଦ୍ଧକ ଉଦ୍ଭିଦ ବା ଅର୍ଣ୍ଣାମେଣ୍ଟାଲ୍ ପ୍ଲାଣ୍ଟ୍ ଲଗାଇ ଘରକୁ ସଜାଇବା । ଯଦି ଆପଣଙ୍କର ବି ଏଥିରେ ରୁଚି ଅଛି, ତେବେ ଜାଣି ରଖନ୍ତୁ କେତୋଟି ଉପଯୋଗୀ ଟିପ୍ସ୍ ।

  • ଘର ବାହାରେ କିମ୍ବା ଭିତରେ ଗଛ ଲଗାଇବା ପୂର୍ବରୁ ପ୍ରଥମେ ସ୍ଥିର କରନ୍ତୁ ଯେ, କେଉଁ ନିର୍ଦ୍ଦିଷ୍ଟ ସ୍ଥାନ ଗୁଡ଼ିକରେ ଗଛ ଲଗାଇବେ? ସେଠାରେ ଖରା ପଡ଼ୁଛି କି ନାହିଁ? ଯଥେଷ୍ଟ ବାୟୁ ଚଳପ୍ରଚଳ ହେଉଛି କି ନାହିଁ? ସେଠାରେ ଉଚ୍ଚ ଗଛ ଲଗାଇଲେ ଭଲ ଦିଶିବ ନା ଗେଡ଼ା ବା ଖର୍ବ ଆକୃତିର ଗଛ ଲଗାଇଲେ ଭଲ ଦେଖାଯିବ? ସେଠାରେ ବଡ଼ବଡ଼ ପତ୍ର ଥିବା ଗଛ ଲଗାଇବାକୁ ଚାହୁଁଛନ୍ତି, ନା ରଙ୍ଗୀନ ପତ୍ର ଥିବା ଗଛ, ନା ଲତା ଜାତୀୟ, ଅଥବା ଫୁଲ ଫୁଟୁଥିବା ଗଛ ଲଗାଇବାକୁ ଚାହୁଁଛନ୍ତି? ପ୍ରତ୍ୟେକ ଗଛ ବଞ୍ଚିବା ପାଇଁ ପାଇଁ ଭିନ୍ନ ଭିନ୍ନ ପରିବେଶ ଅବଶ୍ୟକ କରୁଥିବାରୁ ପ୍ରଥମେ ଏହି ସବୁ ପ୍ରଶ୍ନର ଉତ୍ତର ସ୍ଥିର କରି ନିଅନ୍ତୁ ଓ ନିଜ ଆବଶ୍ୟକତାକୁ ସୁହାଉଥିବା ଗଛ ବାଛନ୍ତୁ ।
  • ଘରେ ଉଦ୍ଭିଦ କୁଣ୍ଡ ରଖିବା ପାଇଁ ସ୍ଥନ ଗୁଡ଼ିକ ହେଲା ବାରଣ୍ଡା, ସଂଯୋଗକାରୀ ବାରଣ୍ଡା, ପ୍ରଶସ୍ତ କକ୍ଷ, ଝରକା ପାଖ, ,ସିଡ଼ି ତଥା ଖରର ଛାତ । ବଡ଼ବଡ଼ ପତ୍ର ଥିବା ଉଦ୍ଭିଦଗୁଡ଼ିକୁ ପ୍ରଶସ୍ତ ସ୍ଥାନ ଗୁଡ଼ିକରେ ସଜାଇବା ଉଚିତ । ଏହି ସବୁ ସ୍ଥାନରେ ଫାଇଲୋଡେଣ୍ଡ୍ରନ୍, ସେନସିଭେରିଆ, ଡାଇଫେନବେକିଆ ଓ ଡ୍ରେସିନା ଆଦି ଗଛ ଲଗାଯାଇପାରେ । ଘରେ ଧଳା କାନ୍ଥ ଥିଲେ ତା ଆଗରେ ରଙ୍ଗୀନ ଏମରିଲିସ୍ ଓ ସେବତୀ ପ୍ରଭୃତି ସଜାଗଲେ ସୁନ୍ଦର ଦିଶିଥାଏ । ବେଡରୁମ୍ ଓ ଅନ୍ୟ ଛୋଟ ରୁମ୍ ରେ ବିଭିନ୍ନ ପ୍ରକାର ବିଗୋନିଆ ଓ ଫର୍ଣ୍ଣ ଆଦି ବ୍ୟବହାର କରାଯାଇପାରେ ।
  • ଘରର ପ୍ରବେଶ ଦ୍ୱାର ଓ ବାରଣ୍ଡାରେ ଏରେଲିଆ, ଡ୍ରେସିନା, କ୍ରୋଟନ୍, ପେଣ୍ଟାସ୍ ଓ ଫର୍ଣ୍ଣ୍ ଆଦି ବିଭିନ୍ନ ଆକୃତିର ସୁନ୍ଦର ସୁନ୍ଦର କୁଣ୍ଡରେ ଲଗାଯାଏ । ବାରଣ୍ଡାର ଆୟତନ ସହ ଉଦ୍ଭିଦର ସଂଖ୍ୟା ଓ ଆକୃତି ମଧ୍ୟରେ ଭାରସାମ୍ୟ ରହିବା ଉଚିତ । ପ୍ରବେଶ କକ୍ଷ ବା ଲବି ମଝିରେ ଫୁଲ ଫୁଟିଥିବା ଅବସ୍ଥାରେ ଗ୍ଲାଡିଓଲସ୍, ଫୁଟବଲ୍, ଲିଲି, ସେବତୀ କିମ୍ବା ଗୋଲାପ ଭଳି ଆକର୍ଷଣୀୟ ଉଦ୍ଭିଦ ଲଗାଯାଏ । ଲବିର କାନ୍ଥ ପାଖରେ ଫର୍ଣ୍ଣ, ବିଗୋନିଆ ଓ ବିଭିନ୍ନ ପ୍ରକାର କାଲଥିଆ ଲଗାଯାଇପାରେ ।
  • ସିଡ଼ି ସଜାଇବା ବେଳେ ଏହାର ପ୍ରବେଶପଥର ଖୋଲା ସ୍ଥାନରେ ମନୋଷ୍ଟ୍ରା, ତାଳ ଜାତୀୟ ବୃକ୍ଷ, ଭାରତୀୟ ରବର୍ ଆଦି ପ୍ରଶସ୍ତ ପତ୍ର ଥିବା ଲମ୍ବା ଗଛ ଲଗାଯାଇପାରେ ।
  • ଝରକା ପାଖରେ ବାହାର ପଟକୁ ଏକ ବାକ୍ସ ତିଆରି କରି ସେଥିରେ ମାଟି ଭର୍ତ୍ତି କରି ବିଭିନ୍ନ ଗଛ ଲଗାଯାଏ । ବେଶୀ ସୂର୍ଯ୍ୟାଲୋକ ଆବଶ୍ୟକ କରୁଥିବା ଗଛ ଗୁଡ଼ିକୁ ଦକ୍ଷିଣ ପୂର୍ବ ଓ ପଶ୍ଚିମ ଦିଗକୁ ଏବଂ କମ୍ ସୂର୍ଯ୍ୟାଲୋକ ଆବଶ୍ୟକ କରୁଥିବା ଗଛ ଗୁଡ଼ିକୁ ଉତ୍ତର ଦିଗରେ ଲଗାଯିବା ଉଚିତ । ଛୋଛୋଟ ଲତାଯୁକ୍ତ ଗଛ ଝରକା ବାକ୍ସରେ ଲଗାଇଲେ, ଏଗୁଡ଼ିକ ଝୁଲି ରହି ସୁନ୍ଦର ଦିଶେ । ବଡ଼ବଡ଼ ଝରକା ବାକ୍ସରେ ଏଣ୍ଟିରାଇନମ୍, ଏଷ୍ଟର୍, ଫ୍ଲକ୍ସ୍, ଡାଇଆନ୍ଥସ୍, ପିଟୁନିଆ, ଜେରବେରା, ଏଲାଇସମ୍, ପେନ୍ସି, ନାଷ୍ଟ୍ରସିୟମ୍, ଗେଣ୍ଡୁ ଓ ଜିନିଆ ଆଦି ଲଗାଯାଇପାରେ । ସେହିପରି ରଜନୀଗନ୍ଧା, ବିଗୋନିଆ, ଡାଇଫେନବାକିଆ, କେଲେଡିୟମ୍, ଶତମୂଳୀ ଓ କୋଲିଅସ୍ ଆଦି ଉଦ୍ୟାନ ବାକ୍ସରେ ଲଗାଯାଇପାରେ ।
  • ଘର ଭିତରେ ଲାଗୁଥିବା ଗଛ ଗୁଡ଼ିକ 15ରୁ 25 କ୍ୟାଣ୍ଡଲ୍ ଆଲୋକ ଆବଶ୍ୟକ କରିଥାନ୍ତି । ଏଗୁଡ଼ିକ ଅତି କମରେ 14ରୁ 16 ଘଣ୍ଟା ଆଲୋକରେ ରହିବା ଉଚିତ । ଘର ଭିତରେ ବଢ଼ୁଥିବା ଗଛ ଗୁଡ଼ିକ ପାଇଁ ଅତି କମରେ ବାୟୁରେ 40ରୁ 60 ଭାଗ ଜଳୀୟ ଅଂଶ ରହିବା ଉଚିତ ।
  • ଘର ଭିତରେ ଲଗାଯାଇଥିବା ଗଛ ଭଲ ଭାବେ ବଢ଼ିବା ପାଇଁ ମଝିରେ ମଝିରେ ଝରକା ଖୋଲିଦେବା ଉଚିତ । ପାଣି ଦେବା ବେଳେ ଯେପରି ଅଧିକ ପାଣି ଦିଆନଯାଏ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ଗଛ ଭଲ ବଢ଼ିବା ପାଇଁ ଶତକଡ଼ା 1 ଭାଗ ଆମୋନିୟମ କାର୍ବୋନେଟରୁ 100 ମିଲିଲିଟର୍ ମିଶ୍ରଣ ଗଛରେ ଦେବା ଉଚିତ । ଗଛଗୁଡ଼ିକୁ ଠିକ୍ ସମୟରେ କାଣ୍ଟଛାଣ୍ଟ କରନ୍ତୁ ଓ ପତ୍ରରେ ଧୂଳି ଲାଗିଲେ ସେଗୁଡ଼ିକୁ ମଝିରେ ମଝିରେ ଧୋଇଦିଅନ୍ତୁ ।
  • ଆଭ୍ୟନ୍ତରୀଣ ସାଜସଜ୍ଜା ପାଇଁ କେତେକ ପତ୍ରଜ ସୌନ୍ଦର୍ଯ୍ୟଯୁକ୍ତ ଉଦ୍ଭିଦ ଗୁଡ଼ିକ ହେଲା ଆଲୋକାସିଆ, ଆରାଉକାରିଆ, ଶତମୂଳୀ, ବିଗୋନିଆ, କାଲାଡିୟମ୍, କାଲାଥିଆ, କ୍ଲୋରୋଫାଇଟମ୍, ଦ୍ୱିବର୍ଣ୍ଣ ସାଇସସ୍, କ୍ରୋଟନ୍, କଲିଅସ୍, ସାଇପରସ୍, ଡାଇଫେନବାକିଆ, ଡ୍ରେସିନା, ଫିଟୋନିଆ, ଏସିଡେନ୍ଥିରା, ମେରେଣ୍ଟା, ମାନିହଟ, ମନଷ୍ଟେରା, ବିଚିତ୍ରବର୍ଣ୍ଣ କିଆ, ପିପରମିଆ, ଫଲୋଡେଣ୍ଡ୍ରୋନ୍, ସେନ୍ସିଭେରିଆ, ସେଲାଜେନିଲା, ଷ୍ଟୋବିଲାନ୍ଥସ୍, ଟ୍ରାଡେସକାନସିଆ, ବିଭିନ୍ନ ପ୍ରକାର ଫର୍ଣ୍ଣ୍, କେତେକ ତାଳ, ବ୍ରୋସେଲିଆ, ବିଭିନ୍ନ ପ୍ରକାର କାକ୍ଟସନ୍ ବ୍ରାଇଫୋଇଲମ୍, ବାରମାସୀ, ଘିକୁମାରୀ, କ୍ରାସୁଲା, କାଲାଙ୍କୁଇ, ଖଡ଼ିସିଝୁ । ଘର ଭିତରେ ରଖିବା ଭଳି ଫୁଲ ଫୁଟୁଥିବା ଉଦ୍ଭିଦ ମଧ୍ୟରେ ରହିଛି ଆନ୍ଥୁରିୟମ୍, ଆଫେଲାଣ୍ଡ୍ରେ, ବିଗୋନିଆ, ବେଲଫର୍ଣ୍ଣୀ, ହରଗୌରୀ, ଲାଣ୍ଟାନା, ବିଭିନ୍ନ ଜାତିର ଅର୍କିଡ୍, ପଏନସେଟିଆ, ଗୋଲାପ, ଆଫ୍ରିକାନ୍, ଭାଓଲେଟ୍ ଓ ଭର୍ବିନା ।
Previous ପରୀ ରାଇଜର ଅପସରା ସିନ୍ଦୂରା
Next ୧୦ଟି ଚିତ୍ତାକର୍ଷକ ଅନ୍ତର୍ଜାତୀୟ ସୀମାରେଖା

No Comment

Leave a reply

Your email address will not be published. Required fields are marked *