ଲେମ୍ବୁ ଚାଷ

Lime cultivation

ଲେମ୍ବୁ ବା କାଗେଜି ଔଷଧୀୟ ଗୁଣଯୁକ୍ତ ଏବଂ ସୁବାସିତ। ଏଥିରେ ସାଇଟ୍ରିକ୍ ଅମ୍ଳ, ଜାସ୍କୋନିକ୍ ଅମ୍ଳ, ମାଲିକ୍ ଅମ୍ଳ, ଫସ୍ଫରିକ୍ ଅମ୍ଳ, ଗ୍ଲୁକୋଜ୍ ଅଦି ଥାଏ। ଲେମ୍ବୁ ରସ ବ୍ୟବହାର କରି ବଦହଜମି, ବାତ, ପିତ, କଫ, ଶ୍ୱାସ, କୋଷ୍ଠକାଠିନ୍ୟ , ଚର୍ମରୋଗ ଆଦିର ଚିକତ୍ସା କରାଯାଇଥାଏ। ଘରୋଇ ଚିକିତ୍ସା ପାଇଁ ମଧ୍ୟ ଲେମ୍ବୁ ବେଶ ଦରକାରୀ। ଲେମ୍ବୁର ବଜାର ଚାହିଦା ଦୃଷ୍ଟିରୁ ଜଣେ ଏହାକୁ ଭଲ ଭାବେ ଚାଷ କରିଲେ ନିଶ୍ଚୟ ଅଧିକ ଲାଭ ପାଇପାରିବ।

ଚାଷ ପଦ୍ଧତି
ଲେମ୍ବୁ ସବୁ ପ୍ରକାର ମାଟିରେ ଚାଷ କରାଯାଇପାରିବ। ତେବେ ନିଗିଡ଼ା, ବାଲିଆ, ଦୋରସା ମାଟି ଏହି ଚାଷ ପାଇଁ ସର୍ବୋକ୍ରୃଷ୍ଟ। ଲୁଣି ମାଟି, ଟାଣ ଉପମୃତ୍ତିକା ଥିବା ସ୍ଥାନ କିମ୍ବା ସନ୍ତସନ୍ତିଆ ସ୍ଥାନ ଏହି ଚାଷ ପାଇଁ ଅନୁପଯୋଗୀ। ଲେମ୍ବୁ ଅତ୍ୟଧିକ ଥଣ୍ଡା ସହିପାରେ ନାହିଁ। ତେଣୁ ଉଷ୍ମ ଓ ଆର୍ଦ୍ର ଜଳବାୟୁ ଏହି ଚାଷ ପାଇଁ ଭଲ। ସାଧାରଣତଃ ୩ ପ୍ରକାରର ଲେମ୍ବୁ ଚାଷ କରାଯାଇଥାଏ। ସେଗୁଡ଼ିକହେଲା ମଞ୍ଜିବିହୀନ ଲେମ୍ବୁ, ମିଠା ଲେମ୍ବୁ ଓ ଖଟା ଲେମ୍ବୁ। ଯେକୌଣସି ପ୍ରକାରର ଲେମ୍ବୁ ଚାଷ କଲାବେଳେ ଉଚିତ କିସମ ଲେମ୍ବୁ ଚାଷ କଲେ ଚାଷୀ ଭଲ ଅମଳ ପାଇଥାନ୍ତି। ମୁଖ୍ୟତଃ ଲାଇମ୍ ଏବଂ ପନ୍ଥ ଲେମନ୍-୧ କିସମରୁ ଚାଷୀ ଅଧିକ ଲାଭ ପାଇଥା’ନ୍ତି। ମଞ୍ଜିରୁ ହିଁ ଲେମ୍ବୁର ବଂଶ ବିସ୍ତାର ହୋଇଥାଏ। ମଞ୍ଜିରୁ ହୋଇଥିବା ଗଛରେ ୪-୫ ବର୍ଷରେ ଫଳ ଧରିବା ଆରମ୍ଭ ହୋଇଥାଏ। ଗଛ ଅଳ୍ପ ରୋଗାକ୍ରାନ୍ତ ହୁଏ ଏବଂ ଅଧିକ ଦିନ ବଞ୍ଚି ରୁହେ। କିନ୍ତୁ ଡାଳ କଲମୀ କିମ୍ବା ଆଖିକଲମୀ ଦ୍ୱାରା ଉତ୍ପନ୍ନ ଚାରା ଲାଗଇଲେ ୨ ବର୍ଷରେ ଫଳ ଧରିବା ଆରମ୍ଭ ହୋଇଯାଏ।ଏକ ହେକ୍ଟର ଜମିରେ ୪୦୦ ଚାରା ଲଗାଯାଇପାରିବ।

ପ୍ରଥମ ବର୍ଷ ହେକ୍ଟର ପ୍ରତି ୪ ଟନ୍ ଖତ ସହ ୮୦ କିଲୋଗ୍ରାମ ଲେଖାଏଁ ନିମ୍ବପିଡ଼ିଆ ଓ ଜବକ୍ଷାରଜାନ, ୪୦ କିଲୋଗ୍ରାମ ଫସଫରସ୍, ୬୦ କିଲୋଗ୍ରାମ ପଟାସ୍ ସାର ଆବଶ୍ୟକ ହୋଇଥାଏ। ପରବର୍ତ୍ତୀ ବର୍ଷ ମାନଙ୍କରେ ଖତ ପରିମାଣ ଶତକଡ଼ା ୫୦ ଭାଗ ଅଧିକ ୫ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ପରେ ସ୍ଥିର ରଖାଯାଏ। କିନ୍ତୁ ରାସାୟନିକ ସାର ପରିମାଣ ୪ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୩୦ କିଲୋଗ୍ରାମ ଯବକ୍ଷାରଜାନ, ୧୫ କିଲୋଗ୍ରାମ ଫସଫରସ୍ ଏବଂ ୨୦ କିଲୋଗ୍ରାମ ପଟାସ ସାର ଅନୁପାତରେ ବୃଦ୍ଧି କରି ୫ମ ବର୍ଷ ବେଳକୁ ସ୍ଥିର ରଖାଯାଏ।

ଜମି ପ୍ରସ୍ତୁତି ଓ ରୋପଣ
ଖରାଦିନିଆ ବର୍ଷା ପରେପରେ ଜମିକୁ ଭଲଭାବେ ସମତୁଲ କରିନେବା ଉଚିତ। ମେ’ ମାସ ବେଳକୁ ଗଛରୁ ଗଛ ଏବଂ ଧାଡ଼ିକୁ ଧାଡ଼ି ୫ ମିଟର ବ୍ୟବଧାନରେ ୭୫ ସେ.ମି ଗାତ ଖୋଳି ଆବଶ୍ୟକ ଖତକୁ ମାଟିରେ ମିଶାଇ ଖାତ ପୂରଣ କରାଯାଏ। ଜୁନ୍ ରୁ ଜୁଲାଇ ମାସ ମଧ୍ୟରେ ଆବଶ୍ୟକତାକୁ ଚାହିଁ ଫସଫରସ୍ ଓ ନିମ୍ବ ପିଡ଼ିଆ ଦେଇ ଚାରା ଲଗାଇବାକୁ ହୁଏ। କଲମୀ ଗଛର ଯୋଡ଼ ଯେପରି ମାଟି ଉପରେ ରୁହେ ସେଥିପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଜରୁରୀ। ଚାରା ଲାଗଇବା ପରେ ପ୍ରତି ୪ ଦିନ ବ୍ୟବଧାନରେ ଗଛ ମୂଳରେ ହାଲୁକା ଜଳ ସିଞ୍ଚନ କରିବା ଆବଶ୍ୟକ। ପରେ ମାଟିର ବତର ଦେଖି ଖରାଦିନେ ସପ୍ତାହକୁ ଥରେ ଏବଂ ଶୀତଦିନେ ଦୁଇ ସପ୍ତାହରେ ଥରେ ଜଳ ସିଞ୍ଚନ କରାଯାଇଥାଏ। ବର୍ଷାଦିନେ ଗଛ ମୂଳରେ ଯେପରି ପାଣି ଜମା ନରୁହେ ସେଥିପ୍ରତି ଧ୍ୟାନ ଦେବେ।

ଅନ୍ତଃଚାଷ
ଲେମ୍ବୁ ଚାରା ଲଗାଇବାର ଦୁଇ ମାସ ପରେ ଶତକଡ଼ା ୫୦ ଭାଗ ଯବକ୍ଷାରଜାନ ଓ ପଟାସ ସାର ପ୍ରୟୋଗ କରିବା ଜରୁରୀ। ଏହା ପୂର୍ବରୁ ନିୟମିତ ଘାସ ବାଛି କୋଡ଼ାଖୋସା କରିବା ନିହାତି ଆବଶ୍ୟକ। ଚାରା ଲଗାଇବାର ପ୍ରଥମ ଦୁଇବର୍ଷ ଅନ୍ତଃଫସଲ ହିସାବରେ ଡାଲି ଜାତୀୟ ପନିପରିବା ଚାଷ କଲେ ଅଧିକ ଲାଭ ମିଳିବା ସହ ଜମିର ଉର୍ବରତା ବୃଦ୍ଧି ପାଏ।

ରୋଗପୋକ ପରିଚାଳନା
ଲେମ୍ବୁରେ ସାଧାରଣତଃ ଲେମ୍ବୁ ପ୍ରଜାପତି, ପତ୍ରଖଣୀ ପୋକ, ଧଳା ମାଛି, ଜଉ ପୋକ, ଫଳବିନ୍ଧା ପ୍ରଜାପତି ଆଦି ପୋକ ଏବଂ ବାଦାମୀ ସିଠାବୁହା ରୋଗ, ବ୍ୟାକ୍ଟେରିଆ ଜନିତ ପତ୍ର, ଫଳପଚା ରୋଗ ଆଦି ଦେଖାଯାଏ। ପୋକ ଆକ୍ରମଣ ପ୍ରତିହତ ପାଇଁ ଶତକଡ଼ା ୦.୦୫ ଭାଗ ମାଲାଥିଅନ୍ କିମ୍ବା ୦.୫ ଭାଗ ନିମ୍ବତେଲ ସିଞ୍ଚନ କରିବା ଆବଶ୍ୟକ। ଫିମ୍ପିଜନିତ ରୋଗ ନିୟନ୍ତ୍ରଣ ପାଇଁ ଶତକଡ଼ା ୦.୨୫ ଭାଗ ମାନକୋଜେବ୍ କିମ୍ବା ୦.୧ ଭାଗ କାର୍ବେଣ୍ଡାଜିମ୍ ଏବଂ ବ୍ୟାକ୍ଟେରିଆ ଜନିତ ରୋଗ ପାଇଁ ୦.୧ ଭାଗ ପ୍ଲାଣ୍ଟୋମାଇସିନ୍ ସିଞ୍ଚନ କରିବା ଉଚିତ୍। ଗମୋସିସ୍ ବା ସିଠାବୁହା ରୋଗ ହେଲେ ମୋର୍ଡକ୍ସ ଲେପ ଡାଳରେ ଦିଆଯାଏ।

ଚାରା ଲଗାଇବାର ୩-୫ ବର୍ଷ ପରେ ଗଛରେ ଫଳ ଧରିବା ଆରମ୍ଭ ହୋଇଥାଏ। ଗୋଟିଏ ବର୍ଷରେ ୩ ଥର ଫଳ ଧରିଥାଏ। ପାଚିଲା ଫଳ ସାଧାରଣତଃ ସେପ୍ଟେମ୍ବର, ଜାନୁୟାରୀ ଓ ମେ’ ମାସରେ ତୋଳାଯାଏ। ବୟସ୍କ ଗଛ ପ୍ରତି ହାରାହାରି ବାର୍ଷିକ ୧୦୦୦ ରୁ ୨୦୦୦ ପର୍ଯ୍ୟନ୍ତ ଲେମ୍ବୁ ଅମଳ ହୋଇଥାଏ। ବଜାରରେ ଅମଳ ହୋଇଥିବା ଲେମ୍ବୁ ବିକ୍ରି କରି ଚାଷୀ ଭଲ ଲାଭ ପାଇପାରିବେ।

Previous ବୃକ୍ଷ ମା’ – ଉର୍ମିଳା ବେହେରା
Next ମଙ୍କଡେଡ୍ ଆଉଟ୍

No Comment

Leave a reply

Your email address will not be published. Required fields are marked *